ପ୍ରଣୟ ସନ୍ତକ
ପ୍ରଣୟ ସନ୍ତକ

ପ୍ରଣୟ ସନ୍ତକ

ସବୁ ନାରୀ ମିଛିମିଛିକା ବାଲିଘର ଖେଳିବା ସମୟରୁ ହିଁ ସ୍ୱପ୍ନ ଦେଖନ୍ତି ସୁନାର ସଂସାରଟିଏ ଗଢ଼ିବାକୁ । ଯେଉଁଠି ଥିବ ଖାଲି ମନର ମଣିଷଟିଏ, ଆଉ ତା’ ଚାରିପାଖର ପରିବେଶ । ତାକୁ ହିଁ ନିଜର ସଂସାର ମାନିନେଇ ଜୀବନ କାଟିବାକୁ ପଣ କରିଥାଏ ତରୁଣୀଟିଏ । ଆଉ ଏଇ ସ୍ୱପ୍ନ ଟିକିଏ ଅଧିକ ରଙ୍ଗେଇ ହେଇଯାଏ ଯୌବନର ମୃଦୁ ସ୍ପର୍ଶରେ । ନୂଆ ମଣିଷଟିଏ ଧସେଇ ପଶିଆସେ ମନ ଭିତରକୁ । ମାୟାଧର ମାନସିଂହଙ୍କ “ତରୁଣ କବିର ଆଶା” ପରି ସେ ସ୍ୱପ୍ନ ଦେଖେ । ଫଗୁଣ ମାସ ଓ ବସନ୍ତ ୠତୁ ସହିତ ଅତି ଘନିଷ୍ଠ ହୋଇପଡ଼େ । ବର୍ଷାଭିଜା ମାଟିର ଗନ୍ଧ ଓ ବସନ୍ତର ମଳୟ ସ୍ପର୍ଶ ବି ଆଉ ବାନ୍ଧି ରଖିପାରେ ନାହିଁ । କେଉଁ ଏକ ସପନ ବଣିକର ଝଲକ ଟିକକରେ ଦେହରେ ଶିହରଣ ଖେଳିଯାଏ । ସେମିତି ଏକ ଅଦ୍ଭୁତ ବିଦ୍ୟୁତ୍ ତରଙ୍ଗ ପ୍ରାୟ ଖେଳିଯାଇଥିଲା ଆଭା ଦେହରେ, ତା’ ବିବାହର ପ୍ରଥମ ରାତ୍ରିରେ । ଆଧୁନିକା ନାରୀ ହୋଇଥିଲେ ବି ବିବାହ ପୂର୍ବରୁ ସଂକେତଙ୍କ ସହ କଥା ହେବାର କୌଣସି ସୁଯୋଗ ପାଇ ନଥିଲା ଆଭା । ତା’ର ଆଦ୍ୟ ଯୌବନର କଳଙ୍କିତ ଅଧ୍ୟାୟକୁ ପୋଡ଼ି ପାଉଂଶ କରିଦେବାକୁ ଓ ଚିରଦିନ ପାଇଁ ସେଇ ସବୁ ସ୍ମୃତିକୁ କବର ଦେଇଦେବାକୁ ଆଭାର ବାପା ପରାମର୍ଶ ଦେଇଥିଲେ । ପରାମର୍ଶ ତ’ ନୁହେଁ, ଆଦେଶ କହିବା ବାହୁଲ୍ୟ । ତା’ପରେ ସଂକେତଙ୍କ ସହ ନିର୍ବନ୍ଧ ଓ ବିବାହ ବି ହେଇ ଯାଇଥିଲା ଏକ ମାସ ଭିତରେ । ଆଭା ବି ବିବାହ ପରେ ନୂଆ ଜୀବନଟିଏ ଗଢ଼ିବାକୁ ଚେଷ୍ଟା କରିଥିଲା । ପୁରୁଣା ଡାଏରୀ ସବୁ ଚିରି ଫର୍ଦ୍ଦ ଫର୍ଦ୍ଦ କରି ନିଆଁରେ ସ୍ୱାହା କରିଦେଇଥିଲା । ଅବିନାଶ ଦେଇଥିବା ସମସ୍ତ ଉପହାର ଘର ପଛପଟେ ଥିବା ପରିତ୍ୟକ୍ତ ଗଡ଼ିଆରେ ଫୋପାଡ଼ି ଦେଇଥିଲା । ଉପହାର ସବୁ ଫିଙ୍ଗିବା ପୂର୍ବରୁ ଶେଷଥର ପାଇଁ ଛାତିରେ ଜାବୁଡ଼ି ଧରି ମନଶାନ୍ତି କରି କାନ୍ଦିଥିଲା । ଆଉ ଫେସବୁକ୍, ହ୍ୱାଟସ୍ଆପ୍ ଇତ୍ୟାଦିରେ ଯେମିତି କୌଣସି ସମ୍ପର୍କ ନ ରହେ ଅବିନାଶଙ୍କ ସହ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଇଥିଲା ଆଭା । ବିବାହ ପରେ ତା’ ମନରେ ସଂକେତ ହିଁ ଏକମାତ୍ର ପୁରୁଷ ହୋଇ ରହିବେ, ସେଥିପାଇଁ ଆଭା ସବୁ ପ୍ରକାର ଚେଷ୍ଟା କରୁଥିଲା । ସକାଳୁ ସଂକେତ ଉଠିବା ପୂର୍ବରୁ ସେ ଉଠି ନିତ୍ୟକର୍ମ ସାରି ତାଙ୍କ ପାଇଁ କଫି ଆଉ ଜଳଖିଆ ବନାଇଦିଏ । ତା’ପରେ ଲିନୁକୁ ଉଠାଇ ତାକୁ ସ୍କୁଲ ପାଇଁ ରେଡି କରେ, ଆଉ ସଂକେତ ପାଇଁ ଟିଫିନ ଅଫିସ ବ୍ୟାଗରେ ରଖିଦିଏ । ସଂକେତ ବି ବିବାହ ପରେ ଆଭାର କୌଣସି କଥାକୁ କେବେ ଅବମାନନା କରିନାହାନ୍ତି । ସ୍ୱାମୀ ଭାବରେ ଯାହା ବି ପାରିବେ, ସବୁ ପ୍ରକାର ଚେଷ୍ଟା କରିଛନ୍ତି ଆଭାକୁ ସୁଖୀ କରିବାକୁ । ବିବାହ ପୂର୍ବରୁ ଆଭା ଜୀବନରେ ଯେ ଅନ୍ୟ ପୁରୁଷ ଥିଲେ, ସେ ବିଷୟରେ କେବେ ବି ଜାଣିବାକୁ ଚେଷ୍ଟା କରି ନାହାନ୍ତି । ହୁଏତ ଆଗ୍ରହ ନାହିଁ ଜାଣିବାକୁ । କୋଉ ପୁରୁଷ ବି ଚାହିଁବ ନିଜ ବିବାହିତ ପତ୍ନୀର ପ୍ରଣୟ କାହାଣୀ ରୋମନ୍ଥନ କରିବାକୁ । ଆଉ ଆଭାର ପୂର୍ବତନ ପ୍ରେମିକା ଜନିତ ପ୍ରଶ୍ନକୁ ଅତି ଚତୁରତାର ସହ ଏଡ଼େଇ ଯା’ନ୍ତି ସଂକେତ । ବୋଧହୁଏ ସହଜ ମନେ କରନ୍ତିନି ଉତ୍ତର ଦେବାକୁ । ଆଭା ବି ସଂକେତଙ୍କ ଏଭଳି ବ୍ୟବହାରରେ ଅଭିମାନ କରିଉଠନ୍ତି ଓ ପର ମୁହୂର୍ତ୍ତରେ ସେସବୁକୁ ପାଶୋରି ଦେଇଥା’ନ୍ତି ।

ବିବାହର ତିନି ବର୍ଷଯାଏଁ ସବୁକିଛି ସୁରୁଖୁରୁରେ ଚାଲିଥିଲା ସଂକେତ ଓ ଆଭାଙ୍କ ଜୀବନ । ହଠାତ ଦିନେ ସଂକେତ ଅନାଥାଶ୍ରମରୁ ଗୋଟିଏ କୁନି ଝିଅକୁ ପୋଷ୍ୟକନ୍ୟା ଭାବେ ଘରକୁ ନେଇ ଆସିଥିଲେ । ତାଙ୍କର ଯୁକ୍ତି ଥିଲା କି, ଲିନୁକୁ ଖେଳିବା ପାଇଁ ଗୋଟିଏ ଭଉଣୀ ମିଳିଯିବ ଆଉ ଆଭାକୁ ଝିଅଟିଏ । ଏପରି ଅପ୍ରତ୍ୟାଶିତ ଓ ଆକସ୍ମିକ ଉପହାର ପାଇ ଆଭା କିଂକର୍ତ୍ତବ୍ୟବିମୂଢ଼ ହୋଇ କିଛି କ୍ଷଣ ସଂକେତଙ୍କ ମୁହଁକୁ ଚାହିଁ ରହିଲା । କିଛି କହିବାକୁ ଚାହୁଁଥିଲା ସେ । ମନ ଭିତରର ସବୁ ରାଗ ପଞ୍ଚମ ଧରି ସାରିଥିଲା । ମନେ ହେଉଥିଲା କି ସେଇ କ୍ଷଣ ସେ ଛୁଆକୁ ନେଇ ରାସ୍ତା ଉପରେ ଫୋପାଡ଼ି ଦେବାକୁ । ମନ ଖୋଲି ଗାଳି କରିବାକୁ ଚାହୁଁଥିଲା ସଂକେତଙ୍କୁ । ହେଲେ ବିକଳ ହୋଇ କାନ୍ଦିବା ଛଡ଼ା ତା’ ପାଟିରୁ ଶବ୍ଦଟିଏ ବି ସ୍ଫୁରିତ ହେଲାନି । ଧିକାର କରି ସଂକେତଙ୍କୁ କହିଲା, “ପିଲାଟିଏ କ’ଣ ମୁଁ ଦେଇ ପାରିନଥା’ନ୍ତି । ଏମିତି ଅନାଥ ପିଲାଟିଏ ରାସ୍ତା କଡ଼ରୁ ଉଠେଇ ଆଣି ମୋ କୋଳରେ ଭାଗ ବସେଇବାକୁ ତୁମକୁ ଅଧିକାର ଦେଲା କିଏ ?” “ରାକେଶ ସହ ଅନାଥାଶ୍ରମ ଯାଇଥିଲି, ସେଠି ଅଫିସ ତରଫରୁ ଗୋଟାଏ ପ୍ରୋଗ୍ରାମ ଥିଲା । ପିଲାଟିକୁ ଦେଖି କେମିତି ଗୋଟେ ଆତ୍ମୀୟତା ବୋଧ ହେଲା । ଭାବପ୍ରବଣ ହୋଇଗଲି । ତେଣୁ ସ୍ଥିର କଲି କି ତାକୁ ପୋଷ୍ୟ ରୂପେ ଗ୍ରହଣ କରିବି, ଆଉ ସଙ୍ଗେ ସଙ୍ଗେ ସବୁ ଫର୍ମାଲିଟିଜ୍ ସାରି ଘରକୁ ନେଇ ଆସିଲି । ଭାବିଲି ଲିନୁକୁ ଭଉଣୀ ମିଳିଯିବ ଆଉ ଆମ ସଂସାର ବି ପୂର୍ଣ୍ଣ ହେବ ।” ସଂକେତଙ୍କ କୌଣସି ଯୁକ୍ତି ଅଥବା ଅନୁରୋଧ କାଟୁ କରୁନଥିଲା ଆଭାକୁ । ସେଇ ମୁହୂର୍ତ୍ତରେ ସେ ଘର ଛାଡ଼ି ବାପଘରକୁ ଚାଲିଗଲା ସାଥିରେ କିଛି ଲୁଗାଭରା ଟ୍ରଲି ଓ ଲିନୁକୁ ନେଇ । କହିଯାଇଥିଲା ଯେଉଁଦିନ ଏ ଅପନ୍ତରା, ଜାତି-ଗୋତ୍ରହୀନ ଛୁଆକୁ ଘରୁ ଫୋପାଡ଼ି ଦେବ, ସେଦିନ ମୋ ଫେରିବା କଥା ଚିନ୍ତା କରିବ । ସଂକେତର ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ଘର ଛାଡ଼ି ଚାଲିଆସିଲା ନିଜର ପୈତୃକ ଘରକୁ ।

ଦୀର୍ଘ ୬ ମାସର ପ୍ରତୀକ୍ଷା ଓ ଉଭୟ ପରିବାରର ପ୍ରଚେଷ୍ଟା ଫଳରେ ପରେ ଆଭା ସଂକେତଙ୍କ ପାଖକୁ ଫେରି ଆସିଲା ସତ, କିନ୍ତୁ ଚିନୁକୁ ନିଜର କରିପରିଲାନି । ୟା’ ଭିତରେ ସଂକେତଙ୍କ ସହ ଚିନୁର ଆତ୍ମୀୟତା ଯେ ଅନେକ ମାତ୍ରାରେ ବଢ଼ିଯାଇଥିଲା, ତାହା ଆଭା ଅନୁଭବ କରିପାରୁଥିଲା । ସଂକେତ ମଧ୍ୟ ପ୍ରଥମେ ପ୍ରଥମେ ଆଭାର ଉପସ୍ଥିତିରେ ଚିନୁକୁ ଗେହ୍ଲା କରିବାକୁ ଅସହଜ ମନେ କରୁଥିଲେ । କିନ୍ତୁ ପରେ ସବୁକିଛି ସାଧାରଣ ହେଇଯାଇଥିଲା । ଉଭୟ ଝିଅଙ୍କୁ ଅନ୍ତରର ସହ ଭଲ ପାଉଥିଲେ ସଂକେତ । ମାତ୍ରା ଆଭା କେବେ ବି ଚିନୁକୁ ଲିନୁର ଭଉଣୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲା । ଚିନୁର ଛାଇ ପଡ଼ିଲେ ବି ସେ ଡ଼େଇଁ ଉଠୁଥିଲା । ଚିନୁ ବି ଏସବୁ ଲକ୍ଷଣ ବୁଝିପାରୁଥିଲା ବୟସ ବଢ଼ିବା ସହ । ସେ ବି ତାକୁ ବୋଡିଂ ସ୍କୁଲରେ ଛାଡ଼ିଦେବାକୁ ସଂକେତଙ୍କୁ ବାରମ୍ବାର କହୁଥିଲା । ମାତ୍ର ସଂକେତ ତା’ କଥାରେ ରାଜି ହୁଅନ୍ତି ନାହିଁ ।

***

ଅନେକ ବର୍ଷ ବିତିଗଲା ପରେ ବି ଆଭା ମାନସିକ ସ୍ୱୀକୃତି ଦେଇପାରୁନଥିଲା ଚିନୁକୁ ନିଜ ଝିଅ ହିସାବରେ । ସଂକେତଙ୍କଠାରୁ ବି ତା’ର ଦୁରତ୍ୱ ବଢ଼ିଚାଲିଥିଲା । ଅନେକ ସମୟରେ ଚିନୁକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୁଏ । କିନ୍ତୁ ସଂକେତ ଚୁପ ରହି ଝଗଡ଼ା ଆଡ଼େଇବାକୁ ଚେଷ୍ଟା କରନ୍ତି । ଆଭାର ମାନସିକ ଦୁଶ୍ଚିନ୍ତା ଦିନକୁ ଦିନ ବଢ଼ୁଥାଏ । ଶାଶୁ, ଶ୍ୱଶୁର, ନଣନ୍ଦ ମୁକ୍ତ ପରିବାର ତା’ର । ମନକଥା ଖୋଲି କହିଲେ ବି ଶୁଣିବ ବା କିଏ? କିଏ ତା’ ମନରେ ଉଠୁଥିବା ଦ୍ୱନ୍ଦ୍ୱର ସମାଧାନ କରିବ? ସଂକେତ ତ’ ଚିନୁ ବିରୁଦ୍ଧରେ କିଛି ଶୁଣିବେ ନାହିଁ । କାହା କାନ୍ଧରେ ମୁଣ୍ଡ ରଖି ସେ ନିଜର ସାଇତା ଅଶ୍ରୁସବୁ ଓଜାଡ଼ି ଦେବ । କଲେଜ ବେଳର ବାନ୍ଧବୀ ଅହଲ୍ୟା । ଯାହାସହ ତାର ଘନିଷ୍ଠ ବନ୍ଧୁତ୍ୱ ଥିଲା, ସେ ତ’ ବହୁଦିନରୁ ଯୋଗାଯୋଗରେ ନାହିଁ । କେତେ କେତେ ରାତି ଅହଲ୍ୟା ସହ ହଷ୍ଟେଲରେ କଟାଇଛି ଆଭା ଅନିଦ୍ରା ରହି । ସେମାନଙ୍କ ଗପ ଆରମ୍ଭ ହେଲେ ଆଉ ସରିବା ନା ଧରେନି । କଲେଜ କ୍ଲାସ୍, କ୍ୟାଣ୍ଟିନ, କଲେଜ ଛକ ଗୁପଚୁପ, ଦହିବରା, ହଷ୍ଟେଲର ମାଉସୀ ଓ ତାକୁ କଣେଇ କଣେଇ ଚାହୁଁଥିବା କ୍ଲାସମେଟ୍, କଲେଜ ଇଲେକସନ ସବୁ ତାଙ୍କ ଗପର ଅଂଶବିଶେଷ ଥାଏ । କିନ୍ତୁ ସେ ଆଜି କ’ଣ ଅହଲ୍ୟାକୁ ସବୁଠୁ ବେଶୀ ମନେ ପକାଉଛି ! ହେଲେ ତାକୁ କାହିଁକି ସେ ଆଗେ ଯୋଗାଯୋଗ କରିବ ! ଯିଏ ତା’ ବାହାଘର ନିମନ୍ତ୍ରଣ ପାଇ ବି ବାହାଘରକୁ ଆସିଲାନି, ତାକୁ ଏ ଦୁଃଖ ସମୟରେ କାହିଁକି ମନେ ପକାଇବ । ହୁଏତ ସେ ବଦଳି ଯାଇଥିବ । ଅହଲ୍ୟାମାନେ ତ’ ବଦଳନ୍ତି । କେତେଦିନ ଆଉ ପାଷାଣ ହେଇ ରହିବ । କୋଉ ତରୁଣ ଯୌବନ ସ୍ପର୍ଶରେ ମୁକ୍ତି ପାଇଯାଇଥିବ । ଆଉ ଏ ଅଭାଗିନୀ ଆଭା କ’ଣ ଲୋଡ଼ା ତାହାର ! କିଛି ସମୟ ଶାନ୍ତ ରହିଲା ପରେ ଆଭା ବିବ୍ରତ ଜଣାପଡ଼ିଲା । ତେବେ କ’ଣ ତାର ପୁରୁଣା ପ୍ରେମିକ ଅବିନାଶ ହିଁ ଏକମାତ୍ର ଭରଷା । ବାହାଘର ଠିକ ହେବା ଦିନଠୁ ଆଭା ଅବିନାଶଙ୍କ ସହ ସମସ୍ତ ସମ୍ପର୍କ ଓ ଯୋଗାଯୋଗ ତୁଟେଇ ଦେଇଥିଲା । ତେବେ ହଠାତ ଏତେ ବର୍ଷ ପରେ ଅବିନାଶକୁ ଯୋଗାଯୋଗ କଲେ କ’ଣ କହିବ ତାକୁ ! ସେ କ’ଣ କହିବ ସଂକେତ କେମିତି ଗୋଟେ ଅନାଥାଶ୍ରମର ଛୁଆକୁ ଆଣି ତା’ ଛାତିରେ ଜାକି ଦେଇଛନ୍ତି । କ’ଣ ଭାବିବ ସେ? ଆଭା କ’ଣ ସଂକେତଙ୍କୁ ଦ୍ୱିତୀୟ ସନ୍ତାନ ଦେବାକୁ ଅସମର୍ଥ ଥିଲା? ନା ତା’ ପରିବାରର ଫାଟ ପାଇଁ ସଂକେତ ଦାୟୀ ଓ ଆଭା ଚାହେଁ ସାନ୍ତ୍ୱନା ! ହେଲେ ସଂକେତ ତ’ କେବେ ବି ସ୍ୱାମୀର କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି । କୌଣସି ଆବଶ୍ୟକତାକୁ ଅସମ୍ପୂର୍ଣ ରଖିନାହାନ୍ତି । କେବେ ବି ଉଚ୍ଚ ସ୍ୱରରେ ଅପମାନିତ କରିନାହାନ୍ତି । ତେବେ ଅବିନାଶ ପରି ପର ପୁରୁଷ ଆଗରେ ନିଜ ସିନ୍ଦୂରର ଅପମାନରେ ତାକୁ ମିଳିବ ବା କ’ଣ? ଅପର ପକ୍ଷରେ ଅବିନାଶ ବି କିପରି ଗ୍ରହଣ କରିବ ତାକୁ? ସେ କ’ଣ ଆଉ ପୂର୍ବବତ୍ ତା’ର ପ୍ରତି ଶବ୍ଦ ଶୁଣିବାକୁ ବ୍ୟାକୁଳ ଥିବ ! ସେ ବିବାହ କରିସାରିଥିବ । ତା’ର ସ୍ତ୍ରୀ, ପିଲା ବି ଥିବେ । ଅଯଥାରେ ଅସୁବିଧାରେ ପକାଇବା ବି ଠିକ୍ ହେବନି । ଶେଷରେ ନିଜ ଆଖିର ଲୁହ ନିଜ ଓଠରେ ଲୀନ କରିବା ହିଁ ଶ୍ରେୟ ମନେ କଲା ଆଭା ଏବଂ ଘର କାମରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କଲା ।

ରାତି ପାହିଲେ ଲିନୁର ଜନ୍ମଦିନ । ସଂକେତଙ୍କ ଅଫିସ ସାଙ୍ଗମାନେ ତାଙ୍କ ପତ୍ନିମାନଙ୍କ ସହ ରାତ୍ରୀଭୋଜିରେ ଯୋଗ ଦେବେ । ସବୁ କାମ ଆଭାକୁ ହିଁ ସମ୍ଭାଳିବାକୁ ପଡ଼ିବ । ସଂକେତ ବାହାର କାମରେ ଯେତେ ଧୁରନ୍ଦର, ଘର କାମରେ ସେତେ ସହଜ ନୁହନ୍ତି । ତାଙ୍କୁ ଗୋଟାଏ କାମ କହିଲେ ସେ ଆଉ ଚାରିଟା କାମ ଲଗେଇଦେବେ । ତେଣୁ ସବୁ କାମ ଆଭା ନିଜେ କରେ । ମନେ ମନେ ଭାବେ ଚିନୁ ଯଦି କାମରେ ସାହାଯ୍ୟ କରନ୍ତା, ହେଲେ ସଂକେତ ତ’ ପୁରା ଗେହ୍ଲା କରିକି ରଖିଛନ୍ତି । ହାତ ଉଁଚେଇବା ପୂର୍ବରୁ ଗାଲ ଆଉଁସିବାକୁ ମାଡ଼ିଆସନ୍ତି ସେ । ଏସବୁ କିନ୍ତୁ ଆଭା ଦେହରେ ଯାଏନି । କିନ୍ତୁ ସଂକେତ ଭଳି ପାଷଣ ହୃଦୟ ଆଗରେ କିଛି ନ କହି ଚାଲିଯାଏ ଆଭା ।

ଘରର ଜିନିଷ ସବୁ ଆଡ଼େସାଡ଼େ ହେଇ ପଡ଼ିଛି । ଏ ଯାଏ ସଫା ହେଇ ପାରିଲାନି । ସନ୍ଧ୍ୟାରେ ଅତିଥି ଆସିବେ । ପୁଣି କେକ୍ ପାଇଁ ଅର୍ଡର୍ ଦେବାକୁ ସଂକେତଙ୍କୁ ମନେ ପକେଇବାକୁ ପଡ଼ିବ, ନହେଲେ ସେ ଭୁଲିଯିବେ । ସମୟ ପୂର୍ବରୁ ରୋଷେଇ ସାରି ଅତିଥିଙ୍କ ସହ ସମୟ ବିତେଇବାକୁ ପଡ଼ିବ । ଦେଖିବାକୁ ଗଲେ ନିଜେ ସଜବାଜ ହେବାକୁ ସମୟ ନାହିଁ । ସନ୍ଧ୍ୟାରେ ଶାଢ଼ୀ ପିନ୍ଧିବ କି ଡ୍ରେସ୍ ପିନ୍ଧିବ ସ୍ଥିର କରି ପାରୁନଥାଏ । ହଠାତ ଠେଲା ପେଲା ହେଇ ଲିନୁ ଓ ଚିନୁ ଘର ଭିତରକୁ ପଶିଆସିଲେ । କିଛି ନ ବୁଝି ଚିନୁକୁ ଦି’ ଚାପୁଡ଼ା ପକେଇଦେଲା ଆଭା । ପରେ ଜାଣିଲା କି ଲିନୁ ଚିନୁର ଚକଲେଟ୍ ନେଇ ଦୌଡ଼ି ପଳେଇ ଆସିଥିଲା । ବିନା ଦୋଷରେ ମାଡ଼ ଖାଇଥିବାରୁ ଚିନୁର ଆଖି ଛଳ ଛଳ ହୋଇଉଠିଲା । କିନ୍ତୁ ସେ କାନ୍ଦକୁ ନିୟନ୍ତ୍ରଣ କରି ବାହାରକୁ ଚାଲିଗଲା । ଲିନୁ କହିଲା, “ମାମା ଚିନୁର ତ’ କିଛି ଭୁଲ ନାହିଁ, ତାକୁ କାହିଁକି ମାରିଲ?” ଆଭାକୁ କିନ୍ତୁ ଭୁଲ ଠିକ କିଛି ଦେଖା ଯାଉନଥିଲା । ଅନେକ ଦିନର ରାଗ ସଂକେତଙ୍କ ଅନୁପସ୍ଥିତି ଯୋଗୁଁ ସୁଝେଇ ପାରିଥିବାରୁ ସେ ଗଡ଼ ଜିଣିଲା ପରି ଖୁସିରେ ଦୀର୍ଘ ନିଃଶ୍ୱାସ ମାରିଲା । ଲିନୁ ବି ମନ ଦୁଃଖରେ ଦୁମ୍ ଦୁମ୍ ପାଦ ପକେଇ ଘରୁ ବାହାରିଗଲା ।

ଆଭା ପ୍ରକୃତିସ୍ଥ ହେଲା ପରେ ସନ୍ଧ୍ୟାରେ ଡ୍ରେସ୍ ପିନ୍ଧିବ ବୋଲି ସ୍ଥିର କଲା । ଶାଢ଼ୀ ପିନ୍ଧି ସବୁ କାମ କରିବା ସହଜ ହେବନି । ତେଣୁ ସେ ଆଲମିରାର ଉପର ଥାକରେ ଥିବା କଟନର ଅରେଞ୍ଜ୍ ଓ ବ୍ଲାକ୍ କମ୍ବିନେସନର ଡ୍ରେସଟିକୁ ବାହାର କଲା । ହଠାତ ସେ ଅନୁଭବ କଲା କି କିଛି ଗୋଟାଏ କାଗଜ ତଳେ ଖସିପଡ଼ିଲା । କାଗଜଟିକୁ ହାତରେ ଧରି ଜାଣିବାକୁ ବେଶି ସମୟ ଲାଗିଲାନି ଯେ ସେଇଟା ଗୋଟେ ଚିଠି ବୋଲି । ହଠାତ ଅନେକ ଭାବନା ତା’ ମନରେ ଖେଲିଗଲା । ବିଭିନ୍ନ ଦିଗରୁ ଭିନ୍ନ ଭିନ୍ନ ସମ୍ଭାବନା ଭାବିବାକୁ ଲାଗିଲା । ଏ କ’ଣ ତାହେଲେ ସଂକେତ ଲୁଚେଇ ରଖିଛନ୍ତି ଆଲମିରାରେ । ସେଥିପାଇଁ ବିବାହ ପୂର୍ବର କଥା ପ୍ରଶ୍ନ କଲେ ଆଡ଼େଇଯିବା ହିଁ ସୁବିଧାଜନକ ପନ୍ଥା ବୋଲି ସ୍ଥିର କରିଛନ୍ତି ସଂକେତ । ସେ ପ୍ରେମିକା ସହ ଏବେ ବି ସମ୍ପର୍କ……..! ଏମିତି ଭାବୁ ଭାବୁ ଆଭା ମନରେ ଚଡ଼କ ମାରିଲା ପରି ପ୍ରଶ୍ନଟିଏ ଉଙ୍କି ମାରିଲା । ଏ ଚିଠି ଅବିନାଶ ପଠେଇ ନାହାନ୍ତି ତ ! ହୁଏତ ସଂକେତଙ୍କ ହାତରେ ପଡ଼ିଗଲା ଓ ସେ ତାକୁ ଜଣେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁନଥିବେ । ହୁଏତ ତା’ ଅତୀତକୁ ବର୍ତ୍ତମାନକୁ ଆଣି ପାରିବାରିକ ଜୀବନ ଖରାପ କରିବାକୁ ଚାହୁଁନଥିବେ । ଆଭା ମୁଣ୍ଡ ଠିକରେ କାମ କରୁ ନଥିଲା । ଅସ୍ଥିର ମନରେ ମୁହଁରୁ ଖାଲି ବାହାରି ଆସିଲା, “ଅବିନାଶ, କ’ଣ କଲ? ମୋ ପରିବାରରେ ବିଷ ମଞ୍ଜି ବୁଣିବା କ’ଣ ଦରକାର ଥିଲା ?”

ଧୀରେ ଧୀରେ ପ୍ରକୃତିସ୍ଥ ହେବାକୁ ଲାଗିଲା ଆଭା ଏବଂ ଚିଠିଟିକୁ ପଢ଼ିବାକୁ ଆରମ୍ଭ କଲା ସମସ୍ତ ଶକ୍ତି ଓ ଧୈଯ୍ୟର ସହ ।

“ପ୍ରିୟ ସଂକେତ,
କେବେ ବି ଭାବିନଥିଲି ଏ ଦିନ ବି ଆସିବ । ତୁମ ସୁଖର ସଂସାରରେ ମୋର କୌଣସି ସ୍ଥାନ ନାହିଁ । ବିଶ୍ୱାସ କର, ସେତିକି ଜରୁରୀ ନ ହେଇଥିଲେ, ମୁଁ ତୁମକୁ ଏ ଜନ୍ମରେ ଯୋଗାଯୋଗ ବି କରି ନଥାନ୍ତି । ତୁମ ପାଇଁ ମୋ ଭଲ ପାଇବା ଯେ ପୂର୍ବବତ୍ ପବିତ୍ର ଓ ଅସୁମାରୀ । ତୁମ ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ଗୋଟିଏ ଗୋଟିଏ ଯୁଗ । ଆଜି ବି ମୁଁ ସେଇ ମିଠା ସ୍ମୃତି ସବୁକୁ ଝୁରି ଝୁରି ମୋ ଜୀବନ କାଟୁଛି । ତୁମ ସହ କାଟିଥିବା ସେ ମୁହୂର୍ତ୍ତମାନେ ବେଳେବେଳେ ପରିହାସ ବି କରନ୍ତି । କିନ୍ତୁ ମୁଁ ବି ଏକଜିଦିଆ । ସେ ମୁହୂର୍ତ୍ତକୁ ପାଖରେ ବି ପୁରାଏନି, ଯେଉଁଥିରେ ତୁମ ଗନ୍ଧ ନଥିବ, ତୁମ ଚେତନା ନଥିବ । କଲେଜ୍ କ୍ୟାଣ୍ଟିନରେ ପେଟିସ୍ ଖାଇଲା ବେଳେ ତୁମେ ଯେ ମୋତେ ଏକ ଲୟରେ ଚାହିଁରୁହ……, ସେକଥା ଭାବିଲାବେଳକୁ ହିଁ ଲାଜ ଆସିଯାଉଛି । ସବୁବେଳେ ମୁଁ ପିଉଥିବା କୋଲ୍ଡଡ୍ରିଙ୍କରୁ ହିଁ ଟିକେ ପିଇବାକୁ ଚେଷ୍ଟା କର । ରାସ୍ତାରେ ଚାଲିଲା ବେଳେ ମୋ ହାତ ଧରି ଯେମିତି ଛୋଟ ଛୁଆଟିଏକୁ ଯତ୍ନରେ ନିଆଯାଏ…….., ସେ ସବୁ ଆଜିବି ମୋତେ ତୁମ ପ୍ରେମରେ ପକାଇବାକୁ ବାଧ୍ୟ କରନ୍ତି । ଆଉ ମ୍ୟାଗି ବନେଇ ମୋ ପାଇଁ ଟିଫିନରେ ଆଣ ଓ ଖାଇଲା ପରେ କେମିତି ଲାଗିଲା ପଚାରି ଯେଉଁ ଆଗ୍ରହରେ ମୋ ଉତ୍ତର ଅପେକ୍ଷାରେ ଥାଅ….., ଭାବିଲେ ହସ ଲାଗେ । ଏମିତି ଛୋଟ ଛୋଟ କଥା ତ ଅନେକ ଅଛି । ଭାବିଥିଲି ସାରା ଜୀବନ ତୁମ ହାତ ଧରି ଏଭଳି ମୁହୂର୍ତ୍ତସବୁ ସାଉଁଟି ନେବି ଆଉ ସାଇତିକି ରଖିବି । କିନ୍ତୁ ମୋ ଭାଗ୍ୟରେ ହାରିବା ଯେ ଲେଖା ଥିଲା । ବ୍ରାହ୍ମଣ ପରିବାର ହେତୁ ବାପା ଆମ ବିବାହର ସ୍ୱୀକୃତି ଦେଲେନି । ମୋର ବି ସାହସ ନଥିଲା ପରିବାର ବିରୁଦ୍ଧରେ ଯାଇ ତୁମକୁ ନିଜର କରିବାକୁ । କିନ୍ତୁ ସେଦିନର ସେଇ ନିଷ୍ପତି ଯେ ମୋତେ ତିଳ ତିଳ କରି ସବୁଦିନ ପାଇଁ ଜାଳିବ ମୁଁ କଳ୍ପନା କରି ନଥିଲି । ଏକମାତ୍ର ପୁତ୍ର ହେତୁ ତୁମ ଘରେ ଶୀଘ୍ର ତୁମ ବିବାହ କରିବାର ବ୍ୟବସ୍ଥା କଲେ । ଆଉ ଯେବେ ଜାଣିଲି, ତୁମ ବାହାଘର ମୋର ବାନ୍ଧବୀ ଆଭା ସହ ହେବାକୁ ଯାଉଛି, ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । ଅବସାଦଗ୍ରସ୍ତ ହେଇ ଘର ଛାଡ଼ି ଚାଲିଆସିଲି । ଭାଗ୍ୟର ବିଡ଼ମ୍ବନା ଯେ, ଆତ୍ମହତ୍ୟାର ପ୍ରଚେଷ୍ଟାରେ ବି ବିଫଳ ହେଲି । ଆଉ ଡାକ୍ତରଖାନାରେ ଜାଣିବାକୁ ପାଇଲି ଯେ ମୁଁ ଗର୍ଭବତୀ । ହଁ ସଂକେତ, ତୁମ ଭଲ ପାଇବାର ଦାନ ମୋ ଗର୍ଭରେ ଥିଲା । ତେଣୁ ମୁଁ ସ୍ଥିର କଲି ନିଜ ପାଇଁ ନହେଲେ ବି ଆମ ପାଇଁ ବଞ୍ଚିବି । ଛୁଆଟିକୁ ମାରି ଆମ ପ୍ରେମକୁ ଅସମ୍ମାନିତ କେମିତି କରିଥାନ୍ତି ! ଦୀର୍ଘ ୩ ବର୍ଷ ଉଭୟ ମା ଓ ବାପାର ଭୂମିକା ତୁଲାଇ ମୁଁ ଆଜି କ୍ଲାନ୍ତ । ଏ ଜୀବନର ଶେଷ ଯୁଦ୍ଧ ଲଢ଼ୁଚି ମୁଁ ଡାକ୍ତରଖାନାରେ । ହୁଏତ ଆଉ କିଛି ମୁହୂର୍ତ୍ତ, କିଛି କ୍ଷଣର ଅତିଥି ମୁଁ । ତାପରେ ମୁଁ ମୁକ୍ତ । ତୁମ ପ୍ରେମରୁ, ତୁମ ଦାନରୁ, ତୁମ ଦୁନିଆରୁ । ମୁଁ ଅଭାଗିନୀ ବୋଧ ହୁଏ ତୁମ ସହ ଶେଷ ଦେଖା ବି କରିପାରିବିନି । ତୁମ ଛାତିରେ ମୁଣ୍ଡ ରଖି କାନ୍ଦି ପାରିବିନି । ତୁମକୁ ମୋ ଆଖିର ଲୁହ ପୋଛିବାର ସୁଯୋଗ ଦେଇ ପାରିବିନି । ମୋର ଶେଷ ଅନୁରୋଧ….. ରଖିବ । ଆମ ଝିଅକୁ ନିଜର କରିବ । ମୋ ଭାଗରେ ସିନା ତୁମ ଭଲ ପାଇବା ନଥିଲା, ହେଲେ ତା ମୁଣ୍ଡରୁ ତା ବାପାର ଭଲ ପାଇବା ହଟେଇ ଦେବନି । ମୁଁ ସିନା ରହିବିନି, କିନ୍ତୁ ମୋ ରକ୍ତ, ଆମ ଝିଅ ତୁମକୁ ଲାଗିଲା । ମୋତେ ନିରାଶ କରିବନି । ଆଉ ହଁ, ଆଭାକୁ ଏସବୁ କିଛି ବି କହିବନି । ମୁଁ ଚାହୁଁନି କି ଆମ ବନ୍ଧୁତାରେ ଆଭା ଗୋଟେ ସଉତୁଣୀକୁ ଦେଖୁ ବୋଲି ।

ଇତି,
ତୁମ ଅଭାଗିନୀ ଅହଲ୍ୟା”

ଚିଠିଟି ପଢ଼ିସାରି ସେମିତି ଅବାକ୍ ହୋଇ ବସିଥାଏ ଆଭା ସୋଫା ଉପରେ । ଆଖିରେ ଲୁହ ଆଉ ବାଡ଼ ମାନୁନି । ଛାତିର କୋହ ସବୁ ତଣ୍ଟିପାଖେ ଯେମିତି ଜମାଟ ବାନ୍ଧିଯାଇଛି । ଚିନୁ ଯେ ଅହଲ୍ୟା ଓ ସଂକେତଙ୍କ ରକ୍ତର ! କଲେଜ ଦିନର ପ୍ରିୟ ବାନ୍ଧବୀ ଆଜି ତା’ର ଆଉ ନାହିଁ । ହେଲେ ଅହଲ୍ୟା ପରି ଦେବୀର ଔରସରୁ ଜନ୍ମିତ ଚିନୁକୁ ସେ ଏତେ ହତାଦର କେମିତି କରିପାରିଲା, ଭାବିଲା ବେଳକୁ ତା କାନ୍ଦର ଆବାଜ୍ ଦ୍ୱିଗୁଣିତ ହୋଇଯାଉଥିଲା ।

ସନ୍ଧ୍ୟା ହୋଇ ସାରିଥିଲା । ସଂକେତ ବି କେତେବେଳୁ ଆସିସାରିଥିଲେ । ଫ୍ରେସ୍ ହୋଇ ବେଡ୍‌ରୁମ୍ ଭିତରକୁ ପଶିଯାଇ ଆଭା ହାତରେ ଥିବା ଚିଠିଟିକୁ ଦେଖି ସବୁ ବୁଝିଗଲେ ଏବଂ ଆଭାର ମନ ପଢ଼ିବାକୁ ଚେଷ୍ଟା କଲେ । ସଂକେତଙ୍କୁ ଦେଖି ଆଭା ଆହୁରି ଜୋରରେ କାନ୍ଦିବାକୁ ଲାଗିଲା । ସଂକେତ ଆଭା ଆଖିରୁ ଲୁହ ପୋଛିଦେଇ ଶାନ୍ତ କରାଇ ଲିନୁର ଜନ୍ମଦିନ ପାଳନ ପାଇଁ ଆୟୋଜନ କରିବାକୁ କହିଲେ । ଆଭା ଲୁହ ପୋଛୁ ପୋଛୁ କହିଲା, “ଶୀଘ୍ର ଯାଇ ୨ଟା କେକ୍ ନେଇଆସ ।” ସଂକେତ କହିଲେ, “୨ଟା କ’ଣ ହେବ ? ମୁଁ ତ’ ଗୋଟିଏ କେକ୍ ଆଣିସାରିଛି ।”

“ଲିନୁ, ଚିନୁ ଦି’ଜଣଙ୍କ ଜନ୍ମଦିନ ପାଳନ ହେବ ।”

“ହେଲେ ଚିନୁର ତ’ ଜନ୍ମଦିନ କେବେ ପାଳନ କରନି ତମେ !”

ଉତ୍ତରରେ ଆଭା କହିଲା, ”ଆଜିଠୁ ମୋର ଦି’ଟା ଝିଅ । ଆଉ ୨ଜଣଙ୍କର ଜନ୍ମଦିନ ଏକାସାଙ୍ଗରେ ହିଁ ପାଳନ ହେବ ।”

ଆଉ ବୋଧେ କିଛି ବୁଝିବାକୁ ବାକି ନଥିଲା ସଂକେତଙ୍କ ପାଇଁ । ଆଭାକୁ ଆଲିଙ୍ଗନପୂର୍ବକ କପାଳରେ ଏକ ମୃଦୁ ଚୁମ୍ବନଟିଏ ଆଙ୍କିଦେଲେ ସଂକେତ ଏବଂ ଅନୁଭବ କଲେ ଯେ ତାଙ୍କ ପାଷାଣୀ ଅହଲ୍ୟା ଆଜି ମୁକ୍ତ !

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu