କେବେ କେବେ ଇଚ୍ଛା ହେଲେ ଅଧର ଆଗରୁ
ଫୋପାଡ଼ି ଦେଉଛ ଲିଓନାର୍ଡ଼ ଦା ଭିନ୍ସର ଚିତ୍ର ପରି
ମେଞ୍ଚାଏ ମୋନାଲିସାର ହସ
ପ୍ରେମର ପରିମାଣଟା ଅଧିକା ହେଲେ
ସମ୍ପର୍କଟା ନିବିଡ଼ ହେବା ପରିବର୍ତ୍ତେ
ଲାଗୁଛି ଶସ୍ତା ସମ୍ପର୍କର ଶିଳାନ୍ୟାସ
“ପ୍ରାଧାନ୍ୟ” “ପ୍ରମୁଖ” ଭଳି ଶବ୍ଦଗୁଡ଼ାକ ଯେମିତି
ବିଗତ ଅତୀତର ବିଶ୍ଳେଷଣରେ ବିସ୍ତୃତ
କିଛି ଅଲାଜୁକ ହୃଦୟର ମନଖୋଲା ଉପହାସ
ଦୂରତ୍ୱର ଲକ୍ଷ୍ୟଭେଦ ଆନୁମାନିକ
ହେଲେ ନିକଟରେ ତ ଆକର୍ଷଣ ସ୍ୱଭାବିକ
ତଥାପି ସମୀପରେ ନାହିଁ ଶାନ୍ତିର ନିଃଶ୍ୱାସ
ଖଣ୍ଡେ ‘ଜ୍ୟା’ ରେ ଗଢ଼ି ହୁଏ ନାହିଁ ଜୀବନର ବୃତ୍ତ
ଲୋଡ଼ା ହୁଏ ମନକୁ ବୁଝୁଥିବା କୋମଳତା ‘କେନ୍ଦ୍ର’
ଓ ପୂର୍ଣ୍ଣ ବିଶ୍ୱାସର ‘ବ୍ୟାସ’
ତୁମର ଏ ଖିଆଲ ଭାବ ଦର୍ଶେଇ ଦେଇଛି
ଏ ବୋଧେ ଯାଯାବର ଯତ୍ନ ସହ ଅନଧିକାର
ଆଦରର ଦେଖାଣିଆ ପ୍ରୟାସ
ପରସ୍ପରକୁ ପ୍ରାଧାନ୍ୟ ଦେବାରେ ଥାଏ
ହୃଦୟର ପୂର୍ଣ୍ଣ ସମ୍ମତି ଓ ସହମତ
ତେବେ ଯାଇ ମହକିବ ତନୁ ମନେ ସମ୍ପର୍କର ସୁବାସ…
– କୃଷ୍ଣ ଚନ୍ଦ୍ର ବାରିକ