You are currently viewing ମାର୍ଟିନି: ନୂଆ ସହର ନୂଆ ଅନୁଭୂତି
ମାର୍ଟିନ: ନୂଆ ସହର ନୂଆ ଅନୁଭୂତି

ମାର୍ଟିନି: ନୂଆ ସହର ନୂଆ ଅନୁଭୂତି

ପୁଣି ନୂଆ ଦେଶ, ନୂଆ ଲୋକ, ନୂଆ ପରିବେଶ- ଏମିତି ଭାବନା ମନରେ ଆସିଥିଲା ଯେବେ ସୁଇଜରଲାଣ୍ଡରେ ନୂଆ ଚାକିରି ମିଳିଥିଲା । ପୁଣି ଭାବିଲି ଏତେ ଜାଗା ତ ବୁଲି ସାରିଲିଣି, ଦେଖା ଯାଉ ନୂଆ ଜାଗାରେ କ’ଣ ଅଛି । ଅବଶ୍ୟ ହିନ୍ଦୀ ଚଳଚିତ୍ରରେ ସୁଇଜରଲାଣ୍ଡକୁ ଦେଖି ଦେଖି ଏହାକୁ ଦେଖିବାର ଇଚ୍ଛା ମନର କୋଉ କୋଣରେ ନିଶ୍ଚୟ ରହିଥିଲା । ଆସିବା ପୂର୍ବରୁ ଅଳ୍ପ କିଛିଟା ଜାଗା ବିଷୟରେ ଇଣ୍ଟେର୍ନେଟରୁ ଖୋଜି ଦେଖିଥିଲି । ଯେହେତୁ ନୂଆ ଚାକିରୀ ଗୋଟେ ଭଲ ରିସର୍ଚ୍ଚ ଅନୁଷ୍ଠାନରୁ ଆସିଥିଲା ଓ ସେମାନେ ପରିବାର ଭିସା ସହ ରହିବାର ସବୁ ବ୍ୟବସ୍ଥା କରିଦେଇଥିଲେ, ତେଣୁ ଆଉ ବେଶି କିଛି ନ ଭାବି ୨୦୧୯ ଜାନୁଆରୀ ମାସରେ ପୂରା ପରିବାର ସହ ଓଡ଼ିଶାରୁ ଚାଲି ଆସିଥିଲି । ଅବଶ୍ୟ ପରିବାର ସହ ନୂଆ ଦେଶକୁ ଯାତ୍ରା କଲାବେଳେ ମନରେ ବିଭିନ୍ନ ଭାବନା ଆସୁଥିଲା ।

ଦିଲ୍ଲୀରୁ ଆସି ଜେନେଭାରେ ପହଞ୍ଚିଲା ପରେ ସେଠୁ ଟ୍ରେନରେ ଦେଢ଼ ଘଣ୍ଟା ଯାତ୍ରା କଲାପରେ ମାର୍ଟିନିରେ ପହଞ୍ଚିଲୁ । ଆସିବା ସମୟରେ ଟ୍ରେନ ବାହାରର ଦୃଶ୍ୟ ବହୁତ ସୁନ୍ଦର ଲାଗୁଥିଲା କିନ୍ତୁ ଲମ୍ବା ଯାତ୍ରା ହେତୁ ଆଉ ସେସବୁ ଦେଖିବାକୁ ସେତେଟା ଆଗ୍ରହ ଆସିଲାନି । ଅବଶ୍ୟ ପହଞ୍ଚିଲା ଦିନ ଛୁଟି ଥିବାରୁ ଆମ ଆପାର୍ଟମେଣ୍ଟ ଚାବିକୁ ଟ୍ରେନ ଷ୍ଟେସନ କାଉଣ୍ଟରରେ ଆମ ସେକ୍ରେଟାରୀ ରଖି ଛୋଟ ଦରକାରୀ ବିବରଣୀଟିଏ ରଖି ଯାଇଥିଲେ । ଯେହେତୁ ଆସିବା ପୂର୍ବରୁ ସବୁ କିଛି ଆୟୋଜନ କରି ରଖା ଯାଇଥିଲା, ପହଞ୍ଚିଲା ପରେ ବେଶି କିଛି ଅସୁବିଧା ହୋଇ ନ ଥିଲା ଓ ମନରେ ଥିବା ବିଭିନ୍ନ ଭାବନାର ଅନ୍ତ ହୋଇ ଯାଇଥିଲା ଓ ଏକ ନୂଆ ଦେଶର ନୂଆ ସହରରେ ନୂଆ ଚାକିରି ଜୀବନର ଆରମ୍ଭ ହୋଇ ଯାଇଥିଲା ।

ମାର୍ଟିନି, ସୁଇଜରଲାଣ୍ଡରେ ଅବସ୍ତିତ ଏକ ଛୋଟ ସହର । ଏହି ସହରକୁ ଆସିଲେ ଯାହା ପ୍ରଥମେ ନଜରକୁ ଆସେ ତାହା ହେଲା ଏହା ଚାରିପଟେ ଘେରି ରହିଥିବା ଆଲ୍‌ପସ୍ ପର୍ବତମାଳା, ଯାହା ବର୍ଷର ପ୍ରାୟ ସବୁ ସମୟରେ ବରଫରେ ଆଚ୍ଛାଦିତ ହୋଇ ରହି ଥାଏ । ପ୍ରାୟ ୧୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ସହରଟି ମୁଖ୍ୟତ ବରଫ ଉପରେ ଖେଳା ଯାଉଥିବା ବିଭିନ୍ନ ଖେଳ (ସ୍କେଟିଂ, ଆଇସ ହକି) ପାଇଁ ପ୍ରସିଦ୍ଧ । ଏହା ଛଡ଼ା ଏଠାରେ ଥିବା ମିଉଜିୟମ ଓ ପୁରାତନ ଐତିହାସିକ ସ୍ଥାନ ସବୁ ଦେଖିବାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଇଟାଲୀ ଓ ଫ୍ରାନ୍ସ ଏହାର ଖୁବ ନିକଟରେ ଅବସ୍ଥିତ । ମାର୍ଟିନିରେ କୌଣସି ବିମାନ ବନ୍ଦର ନାହିଁ, ସଡ଼କ ଓ ରେଳପଥ ଦ୍ୱାରା ଏହା ଅନ୍ୟାନ୍ୟ ସହର ସହ ସଂଯୋଗ ହୋଇଛି । ଏଠାକାର ମୁଖ୍ୟ ଭାଷା ହେଉଛି ଫ୍ରେଞ୍ଚ । ଇଂଲିଶର ପ୍ରଚଳନ ଖୁବ କମ ତେଣୁ ଫ୍ରେଞ୍ଚ ନ ଜାଣିଲେ ଏଠାରେ ଚଳିବା ଟିକେ କଷ୍ଟକର । ଅବଶ୍ୟ ଆମ ଅନୁଷ୍ଠାନ ତରଫରୁ ମାଗଣା ଫ୍ରେଞ୍ଚ ଶିଖିବାର ବ୍ୟବସ୍ତା କରାଯାଇଛି କିନ୍ତୁ ନିଜ ଅବହେଳା ଯୋଗୁ ଏପର୍ଯ୍ୟନ୍ତ ପୁରା ଶିଖିବା ସରିନି । ସ୍ୱଳ୍ପ ଜନ ସଂଖ୍ୟା ବିଶିଷ୍ଟ ଏହି ସହରଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଟେ । ଛୋଟ ସହରଟିଏ ହୋଇ ଥିବାରୁ ଗାଡ଼ି ମଟରର ଚଳ ପ୍ରଚଳନ ବହୁତ କମ । ଯାତାୟାତ ପାଇଁ ସାଇକେଲର ପ୍ରଚଳନ ବହୁ ଅଧିକା । ଘରଠାରୁ ଆମ ରିସର୍ଚ୍ଚ ଅନୁଷ୍ଠାନକୁ ପ୍ରତିଦିନ ପାହାଡ଼ ପାଖ ନିରୋଳା ରାସ୍ତାରେ ଚାଲି ଚାଲି ଯିବାକୁ ଭଲ ଲାଗେ । ସହରଠୁ ଟିକେ ଦୂରରେ ପାହାଡ଼ ପାଖରେ ଥିବା ରିସର୍ଚ୍ଚ ଅନୁଷ୍ଠାନର ଶାନ୍ତ ବାତାବରଣର ଗବେଷଣା ପାଇଁ ଏକ ଉପଯୁକ୍ତ ସ୍ଥାନ । ଏଠାରେ ଅନ୍ୟ ଦେଶ ଅପେକ୍ଷା ଭାରତୀୟଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ । ବହୁ ଭାରତୀୟ ଥିବାରୁ ସମୟ ସମୟରେ କ୍ରିକେଟ ଖେଳ ଚାଲେ ଓ କିଛି ବିଦେଶୀମାନେ ମଧ୍ୟ ଏହି ଖେଳକୁ ଆପଣାଇ ନେଲେଣି । ଯଦିଓ ବହୁ ଦିନ ପରେ ପୁଣି କ୍ରିକେଟ ଖେଳିବାକୁ ସୁଯୋଗ ମିଳିଲା ତଥାପି ଭଲ ଖେଳି ପାରୁ ଥିବାରୁ ଖୁସି ଲାଗିଥିଲା । ଗୋଟେ ଛୋଟ ନଦୀ ଯାହାର ନାମ “ଡ୍ରନ୍ସ” ମାର୍ଟିନି ସହରକୁ ଲାଗି ବହି ଯାଇଛି ଯାହାର କୂଳେ କୂଳେ ଚାଲିବାକୁ ଓ ନଦୀ କୂଳରେ ବସିବାକୁ ବହୁତ ଭଲ ଲାଗେ ।

Dras River of Martin
ଡ୍ରାନ୍ସ ନଦୀ

ନଦୀ କୂଳକୁ ଲାଗିଥିବା ପାହାଡ଼ ଉପରେ ୧୨୬୦ରେ ନିର୍ମିତ “ଲା ବାଟିଆଜ କ୍ୟାସେଲ” ଅବସ୍ତିତ । ଗୋଟେ ଛୁଟି ଦିନରେ ପରିବାର ସହ ପାହାଡ଼ ଚଢ଼ି ଯିବାର ସୁଯୋଗ ମିଳିଥିଲା । ପାହାଡ଼ ଉପରକୁ ଗଲାବେଳେ ବହୁ ପରିମାଣରେ ଅଙ୍ଗୁରୁ ଗଛ ଦେଖିବାକୁ ମିଳେ ଯାହାକି ଏଠିକାର ପ୍ରସିଦ୍ଧ ମଦ ତିଆରିରେ ବ୍ୟବହୃତ ହୁଏ । ଗଲାବେଳେ ଚେରି ଗଛରୁ ପଡ଼ିଥିବା ଚେରି କୋଳି ଦେଖି ଖାଇବାର ଲୋଭ ସମ୍ବରଣ କରିବା କଷ୍ଟ । ଆମେ ପାହାଡ଼ ଉପରେ ଥିବା ଦୁର୍ଗରେ ପହଞ୍ଚିଲା ବେଳକୁ ଏଠାରେ ଏକ ବାହାଘର ଚାଲିଥିଲା । ଯଦିଓ ବାହାଘର ଦେଖି ଭୋଜି ଖାଇବାର ଇଚ୍ଛା ମନରେ ତୀବ୍ର ହେଉଥିଲା କିନ୍ତୁ ବାହାର ଦେଶରେ ବିନା ନିମନ୍ତ୍ରଣରେ ଭୋଜି ଖାଇବାର ଇଚ୍ଛାକୁ ମନରେ ଦବାଇବାକୁ ପଡ଼ିଥିଲା । ଦୁର୍ଗ ମଧ୍ୟରେ ଗୋଟେ ଛୋଟ ସଂଗ୍ରାହଳୟ ଅବସ୍ତିତ ଯାହା ମଧ୍ୟରେ ବହୁ ପୁରାତନ ସାମଗ୍ରୀ ଯଥା ସେ ସମୟରେ ଯୁଧ୍ୟରେ ବ୍ୟବହାର କରାଯାଉଥିବା ଅସ୍ତ୍ର, ଶସ୍ତ୍ର ଆଦି ରଖା ଯାଇଛି ।

la batiaz castle of martin
ଲା ବାଟିଆଜ କ୍ୟାସେଲ

କୁକୁର ମାନଙ୍କର ମିଉଜିୟମ । ହଁ, ଟିକେ ଅଜବ ଲାଗୁଥିଲେ ବି ଏକଦମ ଠିକ । ମାର୍ଟିନିରେ ଥିବା ସେଣ୍ଟ ବର୍ଣ୍ଣାଡ଼ ମିଉଜିୟମଟି ଏକ ବିଶେଷ ପ୍ରଜାତିର କୁକୁର ସେଣ୍ଟ ବର୍ଣ୍ଣାଡ଼ ପାଇଁ ଉଦିଷ୍ଠ । ୨୦୦୬ରେ ସ୍ଥାପିତ ଏହି ମିଉଜିୟମଟି ମଧ୍ୟରେ କୁକୁରମାନଙ୍କୁ ବିଶେଷ ଯତ୍ନ ସହକାରେ ରଖା ଯାଇଛି । ସେଣ୍ଟ ବର୍ଣ୍ଣାଡ଼, ସୁଇଜରଲାଣ୍ଡ ଓ ଇଟାଲୀର ଆଲ୍‌ପସ୍ ପର୍ବତ ଅଞ୍ଚଳରେ ଦେଖା ଯାଉଥିବା ଏକ ବହୁତ ବଡ଼ ପ୍ରଜାତିର କୁକୁର । ଘନ ବରଫ ଆବୃତ ଉଚ୍ଚ ପର୍ବତ ଉପରେ ଏହି କୁକୁରମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରା ଯାଇଥାଏ । ବରଫରେ ଫସି ରହିଥିବା ମନୁଷ୍ୟ ମାନଙ୍କୁ ଉଦ୍ଧାର, ଜଗୁଆଳି, ଶିକାର ଆଦି ବିଭିନ୍ନ କାମରେ ଏ ପ୍ରଜାତିରେ କୁକୁର ପାରଙ୍ଗମ । ୨ ମହଲା ବିଶିଷ୍ଟ ମିଉଜିୟମର ପ୍ରଥମ ମହଲାରେ କାଚ ଘର ଭିତରେ ବିଭିନ୍ନ ଆକାରର କୁକୁରମାନଙ୍କୁ ରଖା ଯାଇଛି, ଯାହା ଦେଖିବାକୁ ଖୁବ ଭଲ ଲାଗେ । ବିଶେଷ କରି ଛୋଟ ପିଲାମାନେ କୁକୁରମାନଙ୍କୁ ଏତେ ପାଖରେ ଦେଖି ବହୁତ ଉପଭୋଗ କରନ୍ତି । ଦ୍ୱିତୀୟ ମହଲାରେ ଏହି କୁକୁରମାନଙ୍କ ସହ ଜଡ଼ିତ ବିଭିନ୍ନ ତଥ୍ୟ ଯଥା କୁକୁରମାନଙ୍କ ଇତିହାସ, ସେମାଙ୍କ କାର୍ଯ୍ୟ ଶୈଳୀ ଇତ୍ୟାଦି ଅତି ସୁନ୍ଦର ଭାବେ ସଜା ଯାଇଛି । ଏହା ଛଡ଼ା ମିଉଜିୟମ ବାହାରେ କୁକୁରମାନଙ୍କ ପାଇଁ, ଏକ ଖୋଲା ସ୍ଥାନ ରଖା ଯାଇଛି, ଯେଉଁଠି ସେମାନଙ୍କୁ ଖୋଲାରେ ଦର୍ଶକ ମାନେ ଦେଖି ପାରିବେ ।

sanit barnard museum in martin
ସେଣ୍ଟ ବର୍ଣ୍ଣାଡ଼ ମିଉଜିୟମ

ଏହି ମିଉଜିୟମକୁ ଲାଗି ଆଉ ଏକ ପ୍ରସିଦ୍ଧ ମିଉଜିୟମ “ଫୋଂଡ଼େସନ ପିଏର ଜିନାଡ଼” ଅବସ୍ତିତ, ଯାହାକୁ ଦେଖବା ପାଇଁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ୧୯୭୮ ମସିହାରେ ଉଦଘାଟିତ ଏହି ମିଉଜିୟମଟି ମାର୍ଟିନି ସହରର ଏକ ମୁଖ୍ୟ ଦର୍ଶନୀୟ ସ୍ଥାନରେ ଗଣା ଯାଏ । ଏହି ମିଉଜିୟମରେ ବହୁ ପୁରାତନ ଚିତ୍ର, ପଥର ମୂର୍ତ୍ତି, କଳାକୃତି, ପୁରୁଣା କାର ଆଦି ବହୁ ଯତ୍ନରେ ରଖା ଯାଇଛି । ଏଠାରେ ବୁଲିବା ବେଳେ ଏଠାରେ ଥିବା ବହୁ ପୁରୁଣା କାର ଦେଖିବାର ସୁଯୋଗ ମିଳିଥିଲା । ଏହାର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାରେ ଥିବା ବଗିଚା, କୃତିମ ଝରଣା ଓ ଖୋଲା ଆକାଶ ତଳେ ରଖା ଯାଇଥିବା ବିଭିନ୍ନ ଆକୃତିର ଅଜବ ଦେଖାଯାଉଥିବା କଳାକୃତି ଯାହାକୁ ଦେଖିଲା ପରେ କିଛି ସମୟ ତା ବିଷୟରେ ଜାଣିବାର କୌତୁହଳ ସମ୍ବରଣ କରିବା କଷ୍ଟ । ଅବଶ୍ୟ ଏହି ଦୁଇ ମିଉଜିୟମ ବୁଲିବାକୁ ଆମ ଅନୁଷ୍ଠାନ ତରଫରୁ ମାଗଣା ପାସ୍ ଦିଆ ଯାଇଥିଲା ଓ ଘର ପାଖରେ ଥିବାରୁ ଓ ସମୟର କୌଣସି ପ୍ରତିବନ୍ଧକ ନ ଥିବାରୁ ଆମେ ମଧ୍ୟ ମନ ଭରି ଦୁଇଟି ମିଉଜିୟମକୁ ଉପଭୋଗ କରିଥିଲୁ ।

ଫୋଂଡ଼େସନ ପିଏର ଜିନାଡ଼ ମିଉଜିୟମ
ଫୋଂଡ଼େସନ ପିଏର ଜିନାଡ଼ ମିଉଜିୟମ

ମାର୍ଟିନିରେ ଥିବା ଆଉ ଏକ ଐତିହାସିକ ସ୍ଥାନ ହେଉଛି ଏଠାରେ ଥିବା “ରୋମାନ ଆମ୍ପିଥିଏଟର” ଯାହାକି ଏକ ଗୋଳାକୃତି ଛୋଟ ଷ୍ଟାଡିୟମ, ମୁଖ୍ୟତ ଷଣ୍ଢ ଲଢ଼େଇ ପାଇଁ ବ୍ୟବହୃତ ହୁଏ । ଏହାର ନିର୍ମାଣ ରୋମାନ ଶାସନ ସମୟରେ କରା ଯାଇଥିଲା । ଏଠାରେ ଦର୍ଶକ ମାନଙ୍କ ବସିବା ପାଇଁ ଚାରିପଟେ ଗ୍ୟାଲେରୀ ପଥରରେ ତିଆରି କରା ଯାଇଛି ଓ ମଝିରେ ଏକ ପଡ଼ିଆ ଓ ପଡ଼ିଆକୁ ଲାଗି ଷଣ୍ଢ ମାନଙ୍କ ପାଇଁ ବଡ଼ ବଡ଼ ଲୁହ ଜାଲି ପିଞ୍ଜରା ଅଛି । ପ୍ରାୟ ୫୦୦୦ ଲୋକ ବସିବାର କ୍ଷମତା ଥିବା ଏହା ଏକ ଅପେକ୍ଷାକୃତ ଛୋଟ ରୋମାନ ଆମ୍ପିଥିଏଟର । ଏହାକୁ ଦେଖିଲା ବେଳେ ଗ୍ଳାଡ଼ିଏଟର ଚଳଚିତ୍ର କଥା ମାନେ ପଡ଼ି ଯାଉଥିଲା । ପୃଥିବୀରେ ବହୁ ଦେଶରେ ଷଣ୍ଢ ଲଢ଼େଇ ବନ୍ଦ ହୋଇ ଆସୁଥିବା ବେଳେ ଏବେବି ସୁଇଜରଲାଣ୍ଡର କିଛିଟା ସ୍ଥାନରେ ଏହି ଖେଳ ଚାଲୁ ରହିଛି ।

ରୋମାନ ଆମ୍ପିଥିଏଟର
ରୋମାନ ଆମ୍ପିଥିଏଟର

ମାର୍ଟିନିରେ ରହିବା ଭିତରେ ଏହା ପାଖରେ ଥିବା କିଛିଟା ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ମିଳିଥିଲା । ସେମିତିରେ ବି ଲମ୍ବା (୩ ବା ୪ ଦିନ) ଛୁଟି ପଡ଼ିଲେ ଏଠାରେ ପ୍ରାୟ ସମସ୍ତେ କୁଆଡ଼େ ନା କୁଆଡ଼େ ବୁଲିବାକୁ ବାହାରି ଯା’ନ୍ତି । ସେମିତି ଗୋଟେ ଛୁଟିରେ ଆମେ (ପରିବାର) ନିକଟରେ ଥିବା “ମଣ୍ଟରୁକସ” ନାମକ ସହରରେ ଥିବା ଏକ ଦୁର୍ଗ “ସୀଲନ କ୍ୟାସେଲ”କୁ ବୁଲି ଯାଇଥିଲୁ । ମାର୍ଟିନିରୁ ମଣ୍ଟରୁକସ ଆମେ ଟ୍ରେନରେ ଯାଇ ପହଞ୍ଚିଲୁ । ଏଠାରେ କହି ରଖେ ସୁଇଜରଲାଣ୍ଡର ଯିବା ଆସିବାର ମୁଖ୍ୟ ମାଧ୍ୟମ ହେଉଛି ଟ୍ରେନ । ଇଉରୋପର ଅନ୍ୟାନ୍ୟ ଦେଶ ଭଳି ଏଠାକାର ଟ୍ରେନ ସେବା ଅତି ଉଚ୍ଚ ମାନର । ଯେହେତୁ ଯାତାୟାତର ଏହା ମୁଖ୍ୟ ମାଧ୍ୟମ, ଏଠାରେ ଟ୍ରେନ ଟିକେଟ ପାଇଁ ବିଭିନ୍ନ ପ୍ରକାରର ରିହାତି ଦିଆ ଯାଇଥାଏ । ଯେମିତି ଅଧା ପାସ କରିଦେଲେ ବର୍ଷସାରା ଯେତେବେଳେ ଟିକେଟ କଲେ ଅଧା ମୂଲ୍ୟ ଦେବାକୁ ପଡ଼େ । ସେମିତି ଛୋଟ ପିଲା (୬ ବର୍ଷରୁ ସାନ) ମାନେ ପୁରା ମାଗଣା ଯାତ୍ରା କରି ପାରିବେ । ଇଉରୋପରେ ଦେଶ ସବୁ ପାଖପାଖି ହୋଇ ଥିବାରୁ ଓ ଗୋଟେ ଦେଶରୁ ଆଉ ଦେଶକୁ ଯିବାକୁ ଅଲଗା ଅଲଗା ଭିସାର ଆବଶ୍ୟକ ପଡ଼ୁ ନ ଥିବାରୁ ଅତି ସହଜରେ ଜଣେ ଟ୍ରେନରେ ଯାଇ ବିଭିନ୍ନ ଦେଶ ବୁଲି ଆସି ପାରିବ । ମଣ୍ଟରୁକସ ଷ୍ଟେସନରେ ପହଞ୍ଚିଲା ପରେ ସେଠାକୁ ଲାଗି ଥିବା ଜେନେଭା ହ୍ରଦ କୂଳେ କୂଳେ ଗଲେ ସୀଲନ କ୍ୟାସେଲରେ ପହଞ୍ଚି ହେବ । ଜେନେଭା ହ୍ରଦ କୂଳଟି ଅତି ସୁନ୍ଦର । ବିଭିନ୍ନ ରଙ୍ଗର ଫୁଲ ବିଶେଷକରି ଏଠାରେ ମିଳୁ ଥିବା ତୁଲିପ ଫୁଲ ଏହାର ସୌନ୍ଦର୍ଯ୍ୟ ବହୁ ଗୁଣରେ ବଢ଼ାଇ ଦେଇଥିଲା । ଜେନେଭା ହ୍ରଦ କୂଳରେ କିଛିଟା ଫୋଟୋ ଉଠାଇ ଆମେ ବସରେ ଯାଇ ସୀଲନ କ୍ୟାସେଲରେ ପହଞ୍ଚିଲୁ ।

ଜେନେଭା ହ୍ରଦ କୂଳ
ଜେନେଭା ହ୍ରଦ କୂଳ

ଜେନେଭା ହ୍ରଦକୁ ଲାଗିଥିବା ଏହି ଦୁର୍ଗଟିର ବିଶେଷ୍ୟତ୍ୱ ହେଉଛି ଏହାର ପ୍ରାୟ ୩ ପଟ ପାଣିକୁ ଲାଗି ରହିଥିବା ବେଳେ ଗୋଟେ ପଟ ଭୂମିକୁ ଲାଗିରହିଛି । ୧୦ମ ଶତାବ୍ଦୀରେ ନିର୍ମିତ ଏହି ଦୁର୍ଗଟି ସୁଇଜରଲାଣ୍ଡରେ ଥିବା ପ୍ରମୁଖ ଦୁର୍ଗମାନଙ୍କ ଭିତରେ ଗଣା ଯାଉଥିବାରୁ ବହୁତ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସିଥାନ୍ତି । ଦୁର୍ଗର ଉପରକୁ ଯିବା ପାଇଁ ଛୋଟ ଛୋଟ ଶିଢ଼ି ରହିଛି । ଦୁର୍ଗ ଉପର ଭାଗରୁ ଜେନେଭା ହ୍ରଦ ଓ ମଣ୍ଟରୁକସ ସହରର ଦୃଶ୍ୟ ଅତ୍ୟନ୍ତ ମନ ମୁଗ୍ଧକର । ସେ ସମୟରେ ବ୍ୟବହୃତ ବହୁ ସାମଗ୍ରୀ ଏଠାରେ ରଖା ଯାଇଛି । ସେତେବେଳେ ବ୍ୟବହୃତ ହେଉଥିବା ରୋଷେଇ ସାମଗ୍ରୀ, ବଡ଼ ବଡ଼ ସିନ୍ଦୁକ, ବିଭିନ୍ନ ପ୍ରକାର ବନ୍ଧୁକ, ତୋପ, ଖଣ୍ଡା ଇତ୍ୟାଦି ଏଠାରେ ଦେଖିବାକୁ ମିଳେ । ଏଠାକୁ ଆସୁଥିବା ବହୁ ପର୍ଯ୍ୟଟକ ମାନଙ୍କ ପାଇଁ ଏଠାରେ ଥିବା ଜେନେଭା ହ୍ରଦରେ ବଡ଼ ବଡ଼ ବୋଟରେ ବସି ହ୍ରଦ ବୁଲିବାର ବ୍ୟବସ୍ଥା କରା ଯାଇଛି । ପୁରା ଦୁର୍ଗ ବୁଲି ସାରି କିଛି ସମୟ ଜେନେଭା ହ୍ରଦ କୂଳରେ ବିତାଇ ପରେ ପୁଣି ଟ୍ରେନରେ ମାର୍ଟିନି ଅଭିମୁଖେ ଯାତ୍ରା କଲୁ ।

ସୀଲନ କ୍ୟାସେଲ
ସୀଲନ କ୍ୟାସେଲ

ସେମିତି ପୁଣି ଗୋଟେ ଛୁଟିରେ ମାର୍ଟିନିକୁ ଲାଗିଥିବା ଫ୍ରାନ୍ସ ଦେଶର ଏକ ସୁନ୍ଦର ସହର “ସାମୋନୀ”କୁ ଯିବାର ସୁଯୋଗ ମିଳିଥିଲା । ଯିବା ପୂର୍ବରୁ ସହକର୍ମୀମାନଙ୍କଠାରୁ କିଛିଟା ଆବଶ୍ୟକ ତଥ୍ୟ ସଂଗ୍ରହ କରି ଗୋଟେ ଦିନ ସକାଳୁ ସକାଳୁ ମାର୍ଟିନି ଷ୍ଟେସନରୁ ଟ୍ରେନରେ ବାହାରିଲୁ । ମାର୍ଟିନିଠାରୁ ସାମୋନୀ ଗୋଟେ ସ୍ୱତନ୍ତ୍ର ଟ୍ରେନ ଯିବା ଆସିବା କରେ ଯାହା ବହୁ ଉଚ୍ଚରେ ଥିବା ପର୍ବତ, ସୁଡ଼ଙ୍ଗ ଦେଇ ଅତି ଧୀରେ ଧୀରେ ଯାଇ ଥାଏ । ଟ୍ରେନରେ ଯାତ୍ରା କଲାବେଳେ ବାହାରର ଦୃଶ୍ୟ ଉପଭୋଗ କରିବା ପାଇଁ ଟ୍ରେନର ବହୁ ଭାଗରେ ବଡ଼ ବଡ଼ କାଚ ନିର୍ମିତ ଝରକା ନିର୍ମିତ କରା ଯାଇଛି । ଅତି ଉଚ୍ଚ ପର୍ବତର କଡ଼େ କଡ଼େ ଟ୍ରେନ ଯାତ୍ରା କଲାବେଳେରେ ଯେତିକି ଆନନ୍ଦ ଲାଗୁଥିଲା ବାହାରକୁ ଝରକା ଦେଇ ତଳକୁ ଚାହିଁଲା ବେଳେ ସେତିକି ଡର ବି ଲାଗୁଥିଲା । ସାମୋନୀରେ ପହଞ୍ଚିଲା ପରେ ସେଠୁ ପୁଣି ଏକ ଛୋଟ ସ୍ୱତନ୍ତ୍ର ଟ୍ରେନରେ ପର୍ବତ ଉପରେ ଥିବା “ଆଇଗଲ ଡୁ ମିଡ଼ି” ନାମକ ପର୍ବତ ଷ୍ଟେସନକୁ ଯାଇଥିଲୁ । ଏହାର ଉଚ୍ଚତା ୩୮୪୨ ମିଟର ଓ ଏହା ପର୍ବତର ସବୁଠୁ ଉଚ୍ଚତମ ଷ୍ଟେସନ ରୂପେ ଜଣା ଯାଏ ।

ଆଇଗଲ ଡୁ ମିଡ଼ି
ଆଇଗଲ ଡୁ ମିଡ଼ି

କିଛି ଦିନ ତଳେ ଅଫିସର ସମର ପାର୍ଟି ପାଇଁ ମାର୍ଟିନି ପାଖରେ ଥିବା ଅନ୍ୟ ଏକ ସୁନ୍ଦର ସ୍ଥାନକୁ ଦେଖିବାର ସୁଯୋଗ ମିଳିଥିଲା । “ଲେସିନ” ନାମକ ଯାଗାଟି ପର୍ବତର ବହୁ ଉପରେ ଥିବା ଏକ ସ୍ଥାନ ଯେଉଁଠି ଗରମ ଦିନରେ ବି ବରଫ ଦେଖିବାକୁ ମିଳେ । ଅବଶ୍ୟ ଆମେ ଗଲା ବେଳକୁ ବରଫ ତରଳିବା ଆରମ୍ଭ ହୋଇ ଯାଇଥିଲା ତଥାପି ବହୁ ଜାଗାରେ ବରଫ ଜମା ହୋଇ ରହିଥିଲା । ମାର୍ଟିନିରୁ ବାହାରି ବସରେ ଯାଇ ଲେସିନରେ ପହଞ୍ଚିବା ପରେ ପୁଣି ସେଠୁ ପାହାଡ଼ ଉପରେ ଥିବା ଏକ ଘୁରୁଥିବା ହୋଟେଲକୁ କେବଲ କାରରେ ଯାଇଥିଲୁ । ପାହାଡ଼ ଉପରେ ଥିବା ଏହି ହୋଟେଲକୁ ଜଣେ କେବଲ କାର ବା ସାଇକଲ ବା ଚାଲି ଚାଲି ଯାଇପାରିବ । ଯଦିଓ ଆମେ ପାହାଡ଼ ଉପରେ ଥିବା ହୋଟେଲକୁ କେବୁଲ୍ କାରରେ ଯାଇଥିଲୁ ଓ କିନ୍ତୁ ଆସିଲା ବେଳେ ଚାଲି ଚାଲି ଫେରିଥିଲୁ । ପାହାଡ଼ ଉପରେ ଥିବା ହୋଟେଲରେ ମଧ୍ୟାନ୍ନ ଭୋଜନର ବ୍ୟବସ୍ତା କରା ଯାଇଥିଲା । ପାହାଡ଼ ଉପର ସ୍ଥାନଟି କିଛି କିଛି ବରଫରେ ଢାଙ୍କି ହୋଇ ରହି ଥିଲା ଓ ତହିଁରେ ସୂର୍ଯ୍ୟ କିରଣ ପଡ଼ି ଖରାବେଳେ ଚକ ମକ କରୁଥିଲା । ହୋଟେଲଟି ଅତି ଧୀରେ ଧୀରେ ବୁଲୁଥିଲା ଓ ସମସ୍ତେ ଖାଇବା ସହ ଝରକା ବାହାରର ଦୃଶ୍ୟ ଉପଭୋଗ କରିଥିଲୁ । ଭୋଜନ ପରେ କିଛି ସମୟ ପାହାଡ଼ ଉପରେ ଅତିବାହିତ କଲା ପରେ ଆମେ ତଳକୁ ଚାଲି ଚାଲି ଫେରି ଥିଲୁ ଯାହା ଏକ ରୋମାଞ୍ଚକର ଅନୁଭୂତି ଥିଲା । ବରଫ ଉପରେ ଚାଲିବାର ଅଭ୍ୟାସ ନ ଥିବାରୁ ମୋ ସମେତ ପ୍ରାୟ ବହୁ ଜଣ ବାରମ୍ବାର ପଡ଼ି ଯାଉଥିଲୁ । ଧୀରେ ଧୀରେ ତଳକୁ ଆସିଲାବେଳେ ବାଟରେ ଛୋଟ ଛୋଟ ପୋଖରୀ ଦେଖା ଯାଉଥିଲା ବୋଧେ ବରଫ ତରଳି ଏମିତି ତିଆରି ହୋଇ ଯାଇଥିଲା । କିଛି ଦୂର ତଳକୁ ଆସିଲା ପରେ ବଡ଼ ବଡ଼ ଗାଇ ପାଳନ କେନ୍ଦ୍ର ଦେଖିବାକୁ ମିଳିଥିଲା । ସବୁ ଗାଇମାନଙ୍କ ବେକରେ ଗୋଟେ ଗୋଟେ ଘଣ୍ଟି ବନ୍ଧା ଯାଇଥିଲା ଯାହା ସେମାନେ ଚାଲିଲା ବେଳେ ବହୁ ଦୂର ପର୍ଯ୍ୟନ୍ତ ଶୁଭୁଥିଲା । ଚାଲି ଚାଲି ଆସି ତଳେ ପହଞ୍ଚିଲା ବେଳକୁ ଯଦିଓ ହାଲିଆ ଲାଗୁ ଥିଲା କିନ୍ତୁ ବରଫ ରାସ୍ତାରେ ପାହାଡ଼ ତଳକୁ ଓହ୍ଲେଇବା ଏକ ଭିନ୍ନ ଅନୁଭୂତି ଥିଲା ।

ଲେସିନ ପର୍ବତ ଉପତ୍ୟକା
ଲେସିନ ପର୍ବତ ଉପତ୍ୟକା

କିଛି ମାସର ରହଣି ଭିତରେ ମାର୍ଟିନି ସହରକୁ ଜାଣିବାରେ ଓ ଏହା ଆଖ ପାଖରେ ଥିବା ନୂଆ ନୂଆ ଜାଗା ଦେଖିବାର ସୁଯୋଗ ମିଳିଥିଲା ଓ ଆଶା କରୁଛି ଆଗାମୀ ଦିନରେ ପୁଣି କିଛି ନୂଆ ସ୍ଥାନ ଭ୍ରମଣ କରିବାର ଓ ନୂଆ ଅନୁଭୂତି ବାଣ୍ଟିବାର ସୁଯୋଗ ମିଳିବ । କର୍ମମୟ ଜୀବନରେ ପ୍ରତି ବର୍ଷ ନୂଆ ଦେଶ, ନୂଆ ଜାଗା, ନୂଆ ଅନୁଭୂତି ସାଉଣ୍ଟିବା ଭିତରେ ପ୍ରସିଦ୍ଧ ବୌଦ୍ଧ ଧର୍ମ ଗୁରୁ ଦଲାଇ ଲାମାଙ୍କ ଏକ ଉକ୍ତି ମାନେ ପଡ଼ି ଯାଉଛି ଯାହାର ଓଡ଼ିଆ ଅନୁବାଦ କଲେ କିଛି ଏମିତି ହେବ “ପ୍ରତି ବର୍ଷ ଏମିତି ଏକ ଜାଗାକୁ ଯାଅ ଯାହା ଆଗରୁ କେବେବି ଯାଇ ନଥିବ” ।

– ଡ. ଶାନ୍ତିପ୍ରିୟ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଶାନ୍ତିପ୍ରିୟ ପରିଡ଼ା ପେଶାରେ ଜଣେ ଇଞ୍ଜିନିୟର୍ ଏବଂ ନିଶାର ତାଙ୍କର ନୂଆ ନୂଆ ଜାଗା ବୁଲିବା ଆଉ ସେହି ସ୍ଥାନଗୁଡ଼ିକର ବର୍ଣ୍ଣନ କରନ୍ତି ସେ କାହାଣୀ ମାଧ୍ୟମରେ ।