You are currently viewing ✍ ସପ୍ତମ ସମ୍ପାଦକୀୟ
Editorial Page of Shubhapallaba 7th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ସପ୍ତମ ସମ୍ପାଦକୀୟ

ପହଡ଼ ଖୋଲିବାର ଅଳ୍ପ ସମୟ ମଧ୍ୟରେ ମନ୍ଦିର ସାରା ରାଷ୍ଟ୍ର ହୋଇଗଲା କଥାଟି । ସବୁଆଡ଼େ ଟୁପଟାପ ଆଲୋଚନା- ସମସ୍ତଙ୍କ ଉପସ୍ଥିତିରେ ଜତୁମୁଦ୍ରିତ ମନ୍ଦିର ଭିତରୁ ସୁବର୍ଣ୍ଣ ବାସନ ଚୋରିଗଲା କିପରି ! ଏବେ ମହାପ୍ରଭୁଙ୍କର ସକାଳ ମଣୋହି କେଉଁଥିରେ ପରଷାଯିବ !! ଚାହୁଁ ଚାହୁଁ କ୍ଷେତ୍ରସାରା ଜଙ୍ଗଲୀ ନିଆଁ ଭଳି ବ୍ୟାପିଗଲା କଥାଟି । ଗଜପତିଙ୍କ କାନରେ ବି ପଡ଼ିଲା କଥା- ଶ୍ରୀମନ୍ଦିରରୁ ଚୋରି; ଗତ ରାତ୍ରର ସ୍ୱପ୍ନାଦେଶର ସମ୍ମୋହନରେ ରାଜା କିନ୍ତୁ ଥିଲେ ନିର୍ବିକାର । ପାତ୍ର ମନ୍ତ୍ରୀମାନଙ୍କୁ ସାଙ୍ଗରେ ଘେନି ଉପସ୍ଥିତ ହେଲେ ସ୍ୱର୍ଗଦ୍ୱାରସ୍ଥ ସମୁଦ୍ର ବେଳାଭୂମିରେ । ଆହୃଦ ଲମ୍ବିତ ସ୍ମଶ୍ରୁଧାରୀ, ପଗଡ଼ି ପରିହିତ ଜଣେ ଦିବ୍ୟପୁରୁଷ ଶ୍ରୀମନ୍ଦିର ଆଡ଼କୁ ମୁଖକରି ମୁଦ୍ରିତ ନୟନରେ ଧ୍ୟାନରେ ବସିଥାନ୍ତି । ମୁଖର ତେଜରୁ ଦିବ୍ୟ ରଶ୍ମିମାନ ଝରିପଡ଼ୁଥାଏ ଯେମିତି ! ଚତୁଃପାର୍ଶ୍ୱର ବାତାବରଣରେ ଫେଣ୍ଟି ହୋଇଯାଇଥାଏ ମଧୁର ସ୍ନିଗ୍ଧତା । ପାର୍ଶ୍ଵରେ ଉପବିଷ୍ଟ ସ୍ମଶ୍ରୁଧାରୀ ଆଉଜଣେ କେହି । ସମ୍ମୁଖରେ ବାଲୁକା ଶଯ୍ୟା ଉପରେ ପଡ଼ିରହିଥାଏ ଶ୍ରୀମନ୍ଦିରର ସୁବର୍ଣ୍ଣ ଚଡ଼ୁଆ ଆଉ ଥାଳି । କାଳ ବିଳମ୍ବ ନକରି ସାଷ୍ଟାଙ୍ଗ ପ୍ରଣିପାତ ହୋଇ ବାଲୁକା ଉପରେ ଲୋଟିପଡ଼ିଲେ ଗଜପତି ମହାରାଜ । ଚକ୍ଷୁଖୋଲି ଚାହିଁଲେ ମହାନୁଭବ; ଅଧରରେ କୋଟି ହୃଦଜିଣା ସ୍ମିତହାସ୍ୟ । ରାଜାଙ୍କର କ୍ଷମା ପ୍ରାର୍ଥନା ଓ ପରେ ପରେ ଅନୁରୋଧରେ ଶ୍ରୀମନ୍ଦିରକୁ ଆଗମନ କଲେ ସେ । ସମସ୍ତେ ବୁଝିଗଲେ, ଏ କେଉଁ ସାଧାରଣ ପୁରୁଷ ନୁହନ୍ତି ବରଂ ଯୁଗଜନ୍ମା ଅସାଧାରଣ ଦିବ୍ୟ ପୁରୁଷ ଶ୍ରୀ ଶ୍ରୀ ନାନକ ଦେବ । ଆଉ ସାଥିରେ ଥିବା ତଥା ଗତ ସନ୍ଧ୍ୟାରେ ସିଂହଦ୍ଵାର ସମ୍ମୁଖରେ ଭୋକରେ ଆଉଟୁ ପାଉଟୁ ହୋଇ ଗଣ୍ଡେ ପ୍ରସାଦ ପାଇଁ ନେହୁରା ହେଉଥିବା ସେହି ବ୍ୟକ୍ତି ଜଣକ ତାଙ୍କ ଯବନ ଶିଷ୍ୟ ମର୍ଦନା । ପ୍ରିୟ ଶିଷ୍ୟର କଠୋର ଭର୍ଚ୍ଛନାରେ ମର୍ମାହତ ଶ୍ରୀ ନାନକ ଦେବଙ୍କ ସମ୍ମାନ ରକ୍ଷାପାଇଁ ସ୍ୱୟଂ ଲୀଳାମୟ ଆସି ସୁବର୍ଣ୍ଣ ଥାଳିରେ ପରଷିଦେଇ ଯାଇଥିଲେ ମହାପ୍ରସାଦ ।

ସନ୍ଧ୍ୟା ରତରତ, ଆଳତି ସମୟ ଉପବିଷ୍ଠ । ମହାପ୍ରଭୁଙ୍କର ରତ୍ନସିଂହାସନ ସମ୍ମୁଖରେ ଦଣ୍ଡାୟମାନ ସେବକଗଣ । ସାଙ୍ଗରେ କରଯୋଡ଼ି ଉପସ୍ଥିତ ଗଜପତି ମହାରାଜ; ସାଥିରେ ସଜଳ ଚକ୍ଷୁରେ ବିହ୍ଵଳିତ ନାନକ ଦେବ ଦୁଇବାହୁ ଟେକି ବିଭୋର ନିମଗ୍ନ । ଆଳତି ପରେ ଗର୍ଭଗୃହରୁ ବାହାରି ରାଜାଙ୍କୁ କହିଲେ, “ରାଜନ ! କୋଟି ହୃଦୟକୁ ଜୟ କରିଥିବା ଏ ଯେଉଁ ଠାକୁର ସମ୍ମୁଖରେ ବିରାଜମାନ, ଏହାଙ୍କୁ ଆପଣ କୌଣସି ଜାତି, ଧର୍ମ, ବର୍ଣ୍ଣ ତଥା ସମ୍ପ୍ରଦାୟର ବାନ୍ଧି ରଖିପାରିବେ ନାହିଁ । ଭକ୍ତି ଆଉ ପ୍ରେମର ଗାଥା ଗାଉଥିବା ଏହି ଠାକୁର ଆପଣଙ୍କର ଯେତିକି ମୋର ବି ସେତିକି ।” ଦୁଇ ହାତ ଖୋଲି ସେଥିରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖାଇଦେଲେ ସମସ୍ତଙ୍କୁ । ଚକିତ ରାଜା, ଆଶ୍ଚର୍ଯ୍ୟ ପାଟ ମନ୍ତ୍ରୀଗଣ, ବିହ୍ଵଳିତ ସେବକ ମଣ୍ଡଳୀ ! ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଲା ଶ୍ରୀମନ୍ଦିର ସେଦିନ ସନ୍ଧ୍ୟାରେ ।

ଜଗନ୍ନାଥ ଚେତନାର ଡୋରରେ ବାନ୍ଧିହୋଇ ଶ୍ରୀକ୍ଷେତ୍ରକୁ ଟାଣିହୋଇ ଆସିଛନ୍ତି ଅନେକ ସାଧୁସନ୍ଥ ମହାତ୍ମାଗଣ । ସନାତନ ଧର୍ମର ଧ୍ୱଜା ଉଡ଼ଉଥିବା ଶ୍ରୀମନ୍ଦିର ଚିରକାଳ ବୁଣି ଆସୁଛି ଐକ୍ୟତାର ବିଜମନ୍ତ୍ର । ସେଥିପାଇଁ ଏଠିକୁ ଆସିଛନ୍ତି ଶଙ୍କରାଚାର୍ଯ୍ୟ, ରାମାନୁଜ, ନିମ୍ବାର୍କ, କବୀର, ଶ୍ରୀଚୈତନ୍ୟ, ନାନକ ଦେବ ତଥା ଗୋପାଳ ଭଟ୍ଟ ଭଳି ମାନିଷୀମାନେ । ଜଗନ୍ନାଥଙ୍କ ଠାରେ ପାଇଛନ୍ତି ସେ ନିଜକୁ, ନିଜ ଆରାଧ୍ୟଙ୍କୁ । ଏକାନ୍ତ ରୂପେ ଅତ୍ମୀୟତା ଅନୁଭବ କରିଛନ୍ତି ତାଙ୍କଠାରେ । ସେଥିପାଇଁ ଏ ଧର୍ମ ମହାନ, ଏ କ୍ଷେତ୍ର ମହାନ, ଏବଂ ଏ କ୍ଷେତ୍ର ସହ ଜଡ଼ିତ ଆଜଡ଼ ଜୀବ ସମସ୍ତେ ମହାନ ।

ବିଗତ ସଂଖ୍ୟାମାନଙ୍କରେ ସହଯୋଗ ପାଇଁ ଆପଣ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ।

ନୀଳାଦ୍ରିବିଜେର ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସହ
ଜୟ ଜଗନ୍ନାଥ ॥

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।