You are currently viewing ଆଦିଗୁରୁ ଶଙ୍କରାଚାର୍ଯ୍ୟ
ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜୀବନି (Biography of Adiguru Shankaracharya)

ଆଦିଗୁରୁ ଶଙ୍କରାଚାର୍ଯ୍ୟ

ଯେତେବେଳେ ସମଗ୍ର ଭାରତ ବର୍ଷରେ ଆଦି ଧର୍ମ ସନାତନ ଧର୍ମର ପତନ ହେବାକୁ ଲାଗିଥିଲା, ସେତେବେଳେ ଜନ୍ମଗ୍ରହଣ କରିଥିଲେ ଜଣେ ଯୁଗପୁରୁଷ, ଯିଏକି ମାତ୍ର ଅଳ୍ପ ବର୍ଷର ଜୀବନକାଳ ମଧ୍ୟରେ ସନାତନ ଧର୍ମ ବା ହିନ୍ଦୁ ଧର୍ମର ପୁନଃ ସ୍ଥାପନା କରିବାରେ ସକ୍ଷମ ହୋଇଥିଲେ । ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର କାଖଲ ଗ୍ରାମରେ ପାଖାପାଖି ଖ୍ରୀଷ୍ଟପୂର୍ବ ୫୦୭ରେ (କେତେକ ସ୍ଥାନରେ ୭୮୮ ଖ୍ରୀଷ୍ଟାବ୍ଦରେ ବୋଲି ବର୍ଣ୍ଣନା କରାଯାଇଛି) ପୁନର୍ବଶୁ ନକ୍ଷତ୍ରରେ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ଜନ୍ମଗ୍ରହଣ କରିଥିବା ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏକାଧାରରେ ଥିଲେ ଜଗତର ଧର୍ମଗୁରୁ, ଦାର୍ଶନିକ, ସମାଜ ସଂସ୍କାରକ ଓ ବେଦାନ୍ତର ମୁଖ୍ୟ ପ୍ରବକ୍ତା । ଅଦ୍ୱୈତ ବେଦାନ୍ତର ଶେଷ୍ଠ ପ୍ରବକ୍ତା ରୂପରେ ସେ ବିଶ୍ୱର ଦାର୍ଶନିକ ମଣ୍ଡଳୀରେ ଆଜି ମଧ୍ୟ ବେଶ୍ ପ୍ରସିଦ୍ଧ । କେତେକଙ୍କ ମତରେ ତାଙ୍କ ଜନ୍ମ ଖ୍ରୀଷ୍ଟମାସର ୫ ଶତାବ୍ଦୀ ପୂର୍ବରୁ ହୋଇଥିଲା ।

ଶଙ୍କରାଚାର୍ଯ୍ୟଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା । ତାଙ୍କ ପିତାମାତା ତାଙ୍କୁ ଶିବଙ୍କୁ ପୂଜା କରି ପ୍ରାପ୍ତ କରିଥିଲେ ବୋଲି ତାଙ୍କ ନାମ ରଖିଥିଲେ ଶଙ୍କର ଏବଂ ପରବର୍ତ୍ତୀ ସମୟରେ ତାଙ୍କର କାର୍ଯ୍ୟ ପାଇଁ ସେ ଶଙ୍କରାଚାର୍ଯ୍ୟ ଭାବରେ ଅନ୍ୟମାନଙ୍କ ଦ୍ୱାରା ସମ୍ବୋଧିତ ହୋଇଥିଲେ । ଶଙ୍କରାଚାର୍ଯ୍ୟଙ୍କୁ ୩ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା, ଏହାପରେ ତାଙ୍କ ମାତା ସୁଭଦ୍ରାଦେବୀ ତାଙ୍କର ଲାଳନପାଳନ କରିଥିଲେ । ଶଙ୍କରଙ୍କର ୬ ବର୍ଷ ବୟସରେ ଉପନୟନ କାର୍ଯ୍ୟ କରାଯାଇଥିଲା ଏବଂ ସେତେବେଳେ ସେ ପଣ୍ଡିତ ହୋଇଥିଲେ ଏବଂ ଗୁରୁକୁଳକୁ ଶିକ୍ଷାଗ୍ରହଣ ସକାଶେ ଯାଇଥିଲେ ।

ମାତ୍ର ଦୁଇବର୍ଷରେ ସେ ତାଙ୍କର ଗୁରୁକୁଳ ଶିକ୍ଷା ସମାପ୍ତ କରିଥିଲେ ଏବଂ ୮ ବର୍ଷ ବୟସରେ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ । ତାଙ୍କର ସନ୍ୟାସ ଧର୍ମ ଗ୍ରହଣ କରିବା ସମୟରେ ଏକ ଅଲୌକିକ ଘଟଣା ଘଟିଥିଲା; ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମାତା ତାଙ୍କୁ ସନ୍ୟାସ ଧର୍ମ ଗ୍ରହଣ କରିବାକୁ ଅନୁମତି ଦେଉନଥିଲେ । ଏକଦା ଶଙ୍କର ନଦୀରେ ଗାଧଉଥିବାବେଳେ ଏକ କୁମ୍ଭୀର ଶଙ୍କରଙ୍କର ଗୋଡ଼କୁ ଟାଣିଧରିଥିଲା ଏବଂ ସେତେବେଳେ ତାଙ୍କ ମାତା ତାଙ୍କୁ ସନ୍ୟାସ ଧର୍ମ ଗ୍ରହଣ କରିବାର ଅନୁମତି ଦେବାରୁ ସେ କୁମ୍ଭୀରଟି ତାଙ୍କୁ ଛାଡ଼ି ଚାଲିଯାଇଥିଲା ।

୧୨ ବର୍ଷ ବୟସରେ ଶଙ୍କର ଗୃହତ୍ୟାଗ କରି ସମଗ୍ର ଭାରତ ଭ୍ରମଣ କରି ବିଭିନ୍ନ ଗୁରୁମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଯଦିଓ ସେ ସନ୍ୟାସ ଧର୍ମ କରିଥିଲେ, କିନ୍ତୁ ତାଙ୍କ ମାତାଙ୍କର ଶେଷ ସମୟରେ ସେ ଗୃହକୁ ଫେରି ରୁଗ୍ଣା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ମାତାଙ୍କର ପରଲୋକ ପ୍ରାପ୍ତି ଘଟିବା ପରେ ସେ ଗୃହତ୍ୟାଗ କରି ପୁଣି ଧର୍ମପ୍ରଚାରାର୍ଥେ ଭାରତ ଭ୍ରମଣରେ ବାହାରିଯାଇଥିଲେ ।

ଶଙ୍କରଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା; ସେତେବେଳେ ସେ ପରମହଂସତ୍ୱ ଲାଭ କରିଥିଲେ । ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ପ୍ରବଳ ହୋଇ ଉଠିଥିଲା କିନ୍ତୁ ଶଙ୍କର ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତିଦ୍ୱାରା ପରାସ୍ତ କରି ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃ ସଂସ୍ଥାପନ କରିଥିଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ ।

ଭାରତର ଚାରି ଦିଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ଚାରିଗୋଟି ମଠ ଆଜି ପର୍ଯ୍ୟନ୍ତ ସନାତନ ହିନ୍ଦୁ ଧର୍ମର ପ୍ରଚାରରେ କାର୍ଯ୍ୟ କରିଆସୁଛି, ଯେଉଁ ମଠର ମହନ୍ତମାନେ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ ହୋଇଥାନ୍ତି । ଏହି ଚାରୋଟି ମଠ ମଧ୍ୟରୁ ଉତ୍ତରରେ ଜ୍ୟୋତିର୍ମଠ ଉତ୍ତରାଖଣ୍ଡର ବଦ୍ରିକା ଆଶ୍ରମରେ ଅବସ୍ଥିତ । ଜ୍ୟୋତିର୍ମଠର ମହାବାକ୍ୟ ହେଉଛି “ଅୟମାତ୍ମା ବ୍ରହ୍ମା” ଏବଂ ଏହି ମଠରେ “ଅଥର୍ବ ବେଦ” ସ୍ଥାପନ କରାଯାଇଛି ।

ଭାରତର ପଶ୍ଚିମରେ ଦ୍ୱାରକା ଧାମରେ ସେ ପ୍ରତିଷ୍ଠା କରିଥିଲେ ଶାରଦା ମଠ । ଏହି ମଠର ମହାବାକ୍ୟ ହେଉଛି “ତତ୍ୱମସି” ଏବଂ ଏହି ମଠରେ “ସାମ ବେଦ” ସ୍ଥାପନ କରାଯାଇଛି । ଭାରତର ଦକ୍ଷିଣରେ ରାମେଶ୍ୱରମଠାରେ ପ୍ରତିଷ୍ଠା କରିଥିଲେ ଶୃଙ୍ଗେରୀ ମଠ । ଏହି ମଠର ମହାବାକ୍ୟ ହେଉଛି “ଅହଂ ବ୍ରହ୍ମାସ୍ମି” ଏବଂ ଏଠାରେ “ଯଯୁଃ ବେଦ” ସ୍ଥାପନା କରାଯାଇଛି ।

ଏହି ଚାରିମଠ ମଧ୍ୟରୁ ପୂର୍ବରେ ଅଛି ଶ୍ରୀକ୍ଷେତ୍ର ପୁରୀଠାରେ ଗୋବର୍ଦ୍ଧନ ମଠ, ଯେଉଁଠାରେ ଦୀକ୍ଷା ନେଉଥିବା ସନ୍ୟାସୀମାନଙ୍କ ନାମରେ ‘ଆରଣ୍ୟ’ ନାମ ବିଶେଷଣ ଲଗାଯାଇଥାଏ । ଏହି ମଠର ମହାବାକ୍ୟ ହେଉଛି “ପ୍ରଜ୍ଞାନଂ ବ୍ରହ୍ମା” ଏବଂ ଏହି ମଠରେ “ଋକ୍ ବେଦ” ସ୍ଥାପନା କରାଯାଇଛି । ଶଙ୍କରାଚାର୍ଯ୍ୟ ପୁରୀ ଆସିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପାତାଳୀ ଥିଲା ଏବଂ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପୁନଃ ପ୍ରତିଷ୍ଠା ହୋଇଥିଲା ।

ଯଦିଓ ଶଙ୍କରାଚାର୍ଯ୍ୟଙ୍କୁ ସନାତନ ଧର୍ମର ପୁନଃ ସଂସ୍ଥାପକ ବୋଲି ଗ୍ରହଣ କରାଯାଏ, କିନ୍ତୁ କେତେକଙ୍କ ମତରେ ସେ ଶୈବ ଧର୍ମର ମଧ୍ୟ ପ୍ରଚାର କରିଥିଲେ ଏବଂ ତାଙ୍କୁ ଭଗବାନ ଶିବ ମଧ୍ୟ ଦର୍ଶନ ଦେଇଥିଲେ ବୋଲି ମଧ୍ୟ ଲୋକକଥାରେ ପ୍ରଚଳିତ । ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ “ଶଙ୍କରଃ ଶଙ୍କରଃ ସାକ୍ଷାତ୍” । ଶଙ୍କରାଚାର୍ଯ୍ୟ ଖାଲି ଭାରତ ନୁହେଁ ଭାରତ ବାହାରେ ମଧ୍ୟ ସନାତନ ଧର୍ମର ପୁନଃ ପ୍ରତିଷ୍ଠା ପାଇଁ ଭ୍ରମଣ କରିଥିଲେ । ତାଙ୍କର ଏହି ଧର୍ମପ୍ରଚାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ହିନ୍ଦୁ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା । ୩୨ ବର୍ଷ ବୟସରେ କେଦାରନାଥ ତୀର୍ଥରେ ସେ ପରଲୋକ ଗମନ କରିଥିଲେ ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।