You are currently viewing ମନେପଡ଼ନ୍ତି: ‘ରାମକୃଷ୍ଣ କଥାମୃତ’ର ରଚୟିତା- ମହେନ୍ଦ୍ରନାଥ ଗୁପ୍ତ
‘ରାମକୃଷ୍ଣ କଥାମୃତ’ର ରଚୟିତା- ମହେନ୍ଦ୍ରନାଥ ଗୁପ୍ତ

ମନେପଡ଼ନ୍ତି: ‘ରାମକୃଷ୍ଣ କଥାମୃତ’ର ରଚୟିତା- ମହେନ୍ଦ୍ରନାଥ ଗୁପ୍ତ

ରାମକୃଷ୍ଣ ପରମହଂସଙ୍କ ପ୍ରମୁଖ ଶିଷ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ରନାଥ ଗୁପ୍ତ ଅନ୍ୟତମ । ସେ ‘ମ’ ତଥା ‘ମାଷ୍ଟର‌୍‌ ମହାଶୟ’ ଭାବେ ପ୍ରସିଦ୍ଧ ଥିଲେ । ମହେନ୍ଦ୍ରନାଥଙ୍କର ସବୁଠାରୁ ଉଲ୍ଲେଖନୀୟ ଅବଦାନ ହେଉଛି ‘ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ’ର ରଚନା । ସେ ବାଂଲା ଭାଷାରେ ‘ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ’ ରଚନା କରିଥିଲେ, ଯାହା ପରେ ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକ-ପ୍ରିୟତା ହାସଲ କରିଥିଲା । ୧୪ ଜୁଲାଇ ୧୮୫୪ରେ କଲକାତାର ଏକ ବୈଦ୍ୟ-ବ୍ରାହ୍ମଣ ପରିବାରରେ ମହେନ୍ଦ୍ରନାଥ ଜନ୍ମ ହୋଇଥିଲେ । ୧୮୭୪ରେ କଲକାତାର ପ୍ରେସିଡ଼େନ୍‌ସି କଲେଜ୍‌ରୁ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ମହେନ୍ଦ୍ରନାଥ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରିଥିଲେ । କେତେକ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ସେ ଇଂରେଜୀ, ମନୋବିଜ୍ଞାନ ଓ ଅର୍ଥଶାସ୍ତ୍ର ପଢ଼ାଉଥିଲେ । ଶେଷରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଏଠାରେ ହିଁ ସେ ଲୋକମୁଖରେ ପାଲଟିଥିଲେ ‘ମାଷ୍ଟର‌୍‌ ମହାଶୟ’ । ପରେ ମହେନ୍ଦ୍ରନାଥ ବାଳକମାନଙ୍କ ନିମନ୍ତେ ଏକ ଛୋଟ ଉଚ୍ଚ ବିଦ୍ୟାଳୟ ମଧ୍ୟ ଚଳାଇଥିଲେ । ‘ବ୍ରାହ୍ମ ସମାଜ’ ସହ ତାଙ୍କର ସଂପୃକ୍ତି ଥିଲା ଏବଂ କେଶବ ଚନ୍ଦ୍ର ସେନଙ୍କ ସଂପର୍କୀୟା ନିକୁଞ୍ଜ ଦେବୀଙ୍କୁ ବିବାହ କରିଥିଲେ । ୧୮୮୨ରେ ପାରିବାରିକ ଅଶାନ୍ତି ଓ ଝଗଡ଼ା-ଝାଟି ଯୋଗୁଁ ଭାଙ୍ଗିପଡ଼ି ମହେନ୍ଦ୍ରନାଥ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିବା ବେଳେ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ରାମକୃଷ୍ଣ ପରମହଂସଙ୍କ ସହ ସାକ୍ଷାତ୍‌ ହୋଇଥିଲା ଏବଂ ତାଙ୍କର ଜୀବନର ଗତି ପଥ ବଦଳିଥିଲା । ରାମକୃଷ୍ଣଙ୍କୁ ସେ ‘ଠାକୁର’ ଭାବେ ସମ୍ୱୋଧିତ କରୁଥିଲେ । ଅନ୍ୟ ଏକ ବିବରଣୀ ଅନୁଯାୟୀ ଚାରି ବର୍ଷର ହୋଇଥିବା ବେଳେ ସେ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ, ପ୍ରଥମ ଥର ରାମକୃଷ୍ଣଙ୍କୁ ଭେଟିଥିଲେ । ମାଆଙ୍କଠାରୁ ଅଲଗା ହୋଇ କାନ୍ଦୁଥିବା ବେଳେ ଯୁବକ ରାମକୃଷ୍ଣ, ତାଙ୍କ ପାଖକୁ ଆସି, ତାଙ୍କୁ ପ୍ରବୋଧନା ଦେଇ ଶାନ୍ତ କରିଥିଲେ ।

ରାମକୃଷ୍ଣ ତଥା ତାଙ୍କର ଆଧ୍ୟାତ୍ମିକ ମାର୍ଗ ଓ ଦର୍ଶନ ଦ୍ୱାରା ମହେନ୍ଦ୍ରନାଥ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ସେ ମଧ୍ୟ ଥିଲେ ଆଧ୍ୟାତ୍ମବାଦୀ ଏବଂ ପାରିବାରିକ ଜଂଜାଳ ସତ୍ତ୍ୱେ ସଦା ରାମକୃଷ୍ଣ ଦେଖାଇଥିବା ଭକ୍ତି-ମାର୍ଗରେ ପରିଚାଳିତ ହୋଇଥିଲେ । ମହେନ୍ଦ୍ରନାଥ ଥିଲେ, ପରମହଂସ ଯୋଗାନନ୍ଦ(‘ଅଟୋବାଓଗ୍ରାଫି ଅଫ୍‌ ଏ ଯୋଗୀ’ର ଲେଖକ)ଙ୍କ ପ୍ରଥମ ଗୁରୁ । ଯୋଗାନନ୍ଦ ନିଜର ଆତ୍ମଚରିତରେ ମହେନ୍ଦ୍ରନାଥଙ୍କ ସଂପର୍କରେ ଅନେକ କଥା ଲେଖିଯାଇଛନ୍ତି । ସେମାନେ କିପରି ଅନେକ ସମୟରେ ଏକତ୍ର ଦକ୍ଷିଣେଶ୍ୱର କାଳୀ ମନ୍ଦିର ଯାଉଥିଲେ ଏବଂ କାଳୀ ରୂପିଣୀ ସ୍ୱର୍ଗୀୟ ମାତାଙ୍କ ଉପାସନା କରୁଥିଲେ । ଯୋଗାନନ୍ଦଙ୍କ ଭାଷାରେ ମହେନ୍ଦ୍ରନାଥ ଥିଲେ ‘ଶୁଦ୍ଧତାର ମୂର୍ତ୍ତିମନ୍ତ ପ୍ରତୀକ’ ଏବଂ ସେ ନିଜ ଜୀବନରେ ଭେଟିଥିବା ‘ସବୁଠାରୁ ବିନୟୀ ମଣିଷ’ । ମହେନ୍ଦ୍ରନାଥ ଚଳାଉଥିବା ବିଦ୍ୟାଳୟରେ ହିଁ ଯୋଗାନନ୍ଦ ପଢ଼ୁଥିଲେ ।

ତେର ବର୍ଷ ବୟସରୁ ମହେନ୍ଦ୍ରନାଥଙ୍କ ଡାଏରି ଲିଖନ ଅଭ୍ୟାସ ଥିଲା । ରାମକୃଷ୍ଣଙ୍କ ନିକଟରେ ବସି ନୀତି କଥାମାନ ଶୁଣି ସେ ମନେରଖୁଥିଲେ ଏବଂ ପରେ ଡାଏରିରେ ଲେଖୁଥିଲେ । ରାମକୃଷ୍ଣ କେଉଁ ଦିନ, କେଉଁ ସମୟରେ କ’ଣ କହିଥିଲେ, ତାହା ତାଙ୍କ ଡାଏରିଗୁଡ଼ିକରୁ ମିଳେ । ତେବେ, ସେ ପ୍ରଥମେ ପ୍ରକାଶ କରିବା ପାଇଁ ଚାହୁଁ ନ ଥିଲେ । ସ୍ୱାମୀ ବିବେକାନନ୍ଦ, ମହେନ୍ଦ୍ରନାଥଙ୍କ ମୂଳ ଡାଏରିଗୁଡ଼ିକ ପଢ଼ି, ପ୍ରକାଶ କରିବା ପାଇଁ ତାଙ୍କୁ ଉତ୍ସାହିତ କରିଥିଲେ । ୧୯୦୨-୧୦ ଭିତରେ ଡାଏରିଗୁଡ଼ିକ ‘ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ’ ଭାବେ ‌େମାଟ ଚାରି ଖଣ୍ଡରେ ପ୍ରକାଶିତ ହୋଇଥିଲା । ପଞ୍ଚମ ତଥା ଶେଷ ଖଣ୍ତ ୧୯୩୨ରେ ମହେନ୍ଦ୍ରନାଥଙ୍କ ମୃତ୍ୟୁ ପରେ ପରେ ପ୍ରକାଶ ପାଇଥିଲା । ଡାଏରି ଲେଖା ଆରମ୍ଭ ହୋଇଥିଲା ୧୯ ଫେବ୍ରୁଆରି ୧୮୮୨ରେ ଏବଂ ସରିଥିଲା ୨୪ ଏପ୍ରିଲ୍‌ ୧୮୮୬ରେ । ମହେନ୍ଦ୍ରନାଥଙ୍କ କଲକାତାସ୍ଥିତ ବାସଭବନ(ଠେନଠେନିଆ କାଲୀବାଡ଼ି ନିକଟରେ)ର ନାମ ‘କଥାମୃତ ଭବନ’ । ସେଠାରେ ବହୁ ବାର ରାମକୃଷ୍ଣ ଓ ଶାରଦା ଦେବୀଙ୍କ ପାଦ ପଡ଼ିଥିଲା । ଘରଟି ଏବେ ବି ଅଛି ଏବଂ ରାମକୃଷ୍ଣଙ୍କ ଭକ୍ତଙ୍କ ପାଇଁ ଏକ ପବିତ୍ର ତୀର୍ଥ । ୧୯୩୨ ଜୁନ୍‌ ୪ରେ ମହେନ୍ଦ୍ରନାଥଙ୍କ ଦେହାନ୍ତ ହୋଇଥିଲା ।

ସିନ୍ଧୁଜ୍ୟୋତି ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର "ସମ୍ବାଦ" ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।