You are currently viewing ଏଣ୍ଡୁରି ପିଠା
ଏଣ୍ଡୁରି ପିଠା ପ୍ରସ୍ତୁତି ପ୍ରଣାଳୀ

ଏଣ୍ଡୁରି ପିଠା

ଯଦିଓ ଆମର ଓଡ଼ିଆରେ କୁହାଯାଏ ବାର ମାସରେ ତେର ପର୍ବ, କିନ୍ତୁ ସାଧାରଣତଃ ଦେଖିବାକୁ ଗଲେ ତେର ନୁହେଁ ବରଂ ତିରିଶ କି ତା’ଠାରୁ ଅଧିକ ପର୍ବ ଆମେ ପାଳନ କରିଥାଉ ଏବଂ ସେ ଭିତରୁ ଅଧିକାଂଶ କୃଷି ଭିତ୍ତିକ ପର୍ବ ।

କୃଷି ଭିତ୍ତିକ ପ୍ରତ୍ୟେକ ପର୍ବର ବିଶେଷତ୍ୱ ଯେମିତି, ସେହି ପର୍ବ ସହ ଜଡ଼ିତ ଖାଦ୍ୟ ପାନୀୟର ସ୍ୱତନ୍ତ୍ରତା ମଧ୍ୟ ସେମିତି । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଆ ଘରର ପ୍ରଥମ ଜନ୍ମ (ପ୍ରଥମ/ଅଷ୍ଟମ ଗର୍ଭ/ସନ୍ତାନ)ଙ୍କୁ ନବବସ୍ତ୍ର ପରିଧାନ ପୂର୍ବକ ପୂଜା କରିବାର ବିଧି ରହିଆସିଛି । ନୂଆ ଅରୁଆ ଚାଉଳ ଆଉ ନୂଆ ବିରିରେ ଏଣ୍ଡୁରି ପିଠା ପ୍ରସ୍ତୁତ କରିବାର ପ୍ରଥା ବି ରହିଆସିଛି କେଉଁ କାଳରୁ । ଯଦିଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପତ୍ରରେ ଏଣ୍ଡୁରି ପିଠା ତିଆରି ହେଇଥାଏ; ଯେମିତିକି କଦଳୀ, ଓଉ, ଶାଳ, ପଳାଶ, ବର ଏହି ଭଳି ଅନେକ କିଛି, କିନ୍ତୁ ପ୍ରଥମାଷ୍ଟମୀ ବା ପଢ଼ୁଆଁଷ୍ଟମୀ ଦିନ ହଳଦୀ ପତ୍ରରେ ହେଉଥିବା ଏଣ୍ଡୁରି ପିଠାର ମହକ ଯେମିତି ମନଲୋଭା, ସ୍ୱାଦ ସେମିତି ଅନନ୍ୟ ତଥା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ତା’ହେଲେ ଆସନ୍ତୁ ଶିଖିବା କେମିତି ପ୍ରସ୍ତୁତ ହୁଏ ଏହି ଏଣ୍ଡୁରି ପିଠା ।

ଆବଶ୍ୟକ ସାମଗ୍ରୀ

* ଅରୁଆ ଚାଉଳ- ୨ କପ
* ନୂଆ ବିରି- ୨ କପ
* ନଡ଼ିଆ କୋରା
* ଗୁଡ଼
* ଅଳ୍ପ ଗୋଲମରିଚ ଗୁଣ୍ଡ
* ଅଳ୍ପ ଅଦା ଛେଚା
* ସ୍ୱାଦ ଅନୁସାରେ ଲୁଣ
* କିଛି ହଳଦୀ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ଯଦିଓ ପୂର୍ବରୁ ଢିଙ୍କିରେ ଚାଉଳ ଚୁନା କରି ବା ଶିଳରେ ବିରିକୁ ବାଟି ସେଥିରେ ଚୁନା ମିଶାଇ ଏଣ୍ଡୁରି ପିଠା ହେଉଥିଲା, ଏବେ କିନ୍ତୁ ସେ ସବୁ ସ୍ୱପ୍ନ ହେବାକୁ ବସିଲାଣି । ଏବେର ବ୍ୟସ୍ତ ବହୁଳ ଜୀବନରେ ଆମେ ଏହିପରି ଭାବରେ ଅତି ସହଜରେ ଏଣ୍ଡୁରି ପିଠା ପ୍ରସ୍ତୁତ କରି ପାରିବା ।

ପ୍ରଥମେ ଅରୁଆ ଚାଉଳ ଓ ବିରିକୁ ୬/୭ ଘଣ୍ଟା ଅଲଗା ଅଲଗା ପାଣିରେ ବତୁରେଇବେ । ବିରି ଚୋପା ଛଡ଼େଇ ଚାଉଳ ସହ ଶିଳରେ ବାଟି ଟିକେ ବହଳ ଆଣ ପ୍ରସ୍ତୁତ କରିବେ । ସ୍ୱାଦ ଅନୁସାରେ ଲୁଣ ପକେଇ ୨/୩ ଘଣ୍ଟା ଫୁଲିବା ପାଇଁ ଛାଡ଼ିଦେବେ । ଏହା ଭିତରେ ପୁର ପ୍ରସ୍ତୁତ ପାଇଁ ଗୋଟେ ପାତ୍ର ଗରମ କରି ନଡ଼ିଆ କୋରା ଦେବେ । ସେଥିରେ ଆବଶ୍ୟକ ଅନୁସାରେ ଗୁଡ଼ ଦେଇ ଭଲରେ ମିଶେଇବେ । ଟିକେ ପାଣି କମି ଆସିଲେ ସେଥିରେ ଗୋଲ ମରିଚ ଗୁଣ୍ଡ ଓ ଅଦା ଛେଚା ଦେବେ । ପୁର ପ୍ରସ୍ତୁତ ହେଲାପରେ ଓହ୍ଲେଇ ଥଣ୍ଡା ହେବାକୁ ଛାଡ଼ିଦେବେ । ତା’ପରେ ହଳଦୀ ପତ୍ରକୁ ଛୋଟ ଛୋଟ କାଟି ସଫାକରି ରଖିବେ । ଅଥାର* ପାଇଁ ଡେକଚି ଆକାରର ଗୋଟେ ମାଟିପାତ୍ର ନେବେ (ଯଦି ମାଟିପାତ୍ର ନାହିଁ ତେବେ ସାଧାରଣ ଡେକଚି ମଧ୍ୟ ନେଇପାରିବେ) । ସେଥିରେ ଏକ ଚତୁର୍ଥାଂଶ ପାଣି ନେଇ ଛୋଟ ଛୋଟ ବାଉଁଶ କାଠି ଖଞ୍ଜି ରଖିବେ । ବାଉଁଶ କାଠିକୁ ଆଚ୍ଛାଦିତ କରି କିଛି କୁଟା ରଖିବେ । ଏବେ ହଳଦୀପତ୍ର ଉପରେ ଟିକେ ଲମ୍ବା କରି ଆଣ ନେଇ ନଡ଼ିଆ ପୁର ଦେବେ ଓ ପତ୍ରକୁ ଭାଙ୍ଗି ଅଥାର ହାଣ୍ଡିରେ ଗୋଟି ଗୋଟି ସଜେଇ ରଖି ଘୋଡ଼େଇ ଦେବେ । ହାଣ୍ଡିକୁ ଚୁଲିରେ ବସେଇ ବାମ୍ଫ ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ପ୍ରାୟ ୧୫-୨୦ ମିନିଟ ପରେ ଘୋଡ଼ଣି ଖୋଲି ଖଡ଼ିକା ମାରି ଦେଖିବେ । ଯଦି ଖଡ଼ିକାରେ ଆଣ ଲାଗୁନଥିବ, ଜାଣିବେ ଆପଣଙ୍କ ପିଠା ପ୍ରସ୍ତୁତ ହେଇଗଲା ।

* ଏଣ୍ଡୁରି ପିଠା ସିଝିବାପାଇଁ ବ୍ୟବହୃତ ପାତ୍ରକୁ ଅଥାର ବା ଅଥାର ହାଣ୍ଡି କୁହାଯାଏ ।

ମନସ୍ୱିନୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମନସ୍ୱୀନି ସାହୁ ଓଡ଼ିଆ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଉପରେ ଭିଡିଓ ପ୍ରସ୍ତୁତ କରନ୍ତି, ସୋସିଆଲ୍ ମିଡିଆରେ ବିଭିନ୍ନ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ବ୍ଲଗ୍ ଲେଖନ୍ତି ।