ଏମିତିବି ପ୍ରେମ ହୁଏ
ଏମିତିବି ପ୍ରେମ ହୁଏ

ଏମିତିବି ପ୍ରେମ ହୁଏ

ପ୍ରେମପ୍ରକାଶର ସେଦିନ ଜଲଦି ନିଦ ଭାଙ୍ଗି ଯାଇଥିଲା । କବାଟ ଖୋଲିଲା, ଚାରିଆଡ଼କୁ ଚାହିଁଲା- ଅନ୍ଧକାର ସମ୍ପୂର୍ଣ୍ଣ ଛାଡ଼ି ନଥିଲା । ଶୀଘ୍ର ଉଠିପଡ଼ିଥିବାରୁ ଭାବିଲା ଆଜି ଗାଡ଼ିଟିକୁ ରଖି ଚାଲି ଚାଲି ମର୍ଣ୍ଣିୱାକ ଯିବାକୁ । ମର୍ଣ୍ଣିୱାକ ପାଇଁ ତାକୁ ଦୁଇ କିଲୋମିଟର ଯିବାକୁ ପଡ଼େ । ଦୁଇ କିଲୋମିଟର ପରେ ପଡ଼ିଥାଏ ସେହି ପାର୍କଟି ଯେଉଁଠି ସିଏ ମର୍ଣ୍ଣିୱାକ କରେ । ସେଦିନ ଶୀଘ୍ର ଯାଇଥିଲେବି ଫେରିବାରେ ବିଳମ୍ବ ହୋଇଥିଲା । କାହିଁକିନା ବାଇକ ପରିବର୍ତ୍ତେ ସେଦିନ ସିଏ ପାଦଚାଳନା କରିଥିଲା । ପାଦଚଲା ରାସ୍ତା ଆଉ ଗାଡ଼ି ରାସ୍ତା ଥିଲା ଭିନ୍ନ ।

ସେଦିନ ଫେରୁ ଫେରୁ ଭେଟ ହୋଇଥିଲା ସକାଳର ଅଞ୍ଜଳି ସାଥିରେ । ଅଞ୍ଜଳି ହାତରେ ଥିଲା ଫୁଲଡାଲା । ଫୁଲପକା ଧଳା ଶାଢ଼ୀରେ ଦିଶୁଥିଲା ବହୁତ ସୁନ୍ଦରୀ । ଶାଢ଼ୀର ଗୋଟାଏ କାନି ବାମପଟ କାନ୍ଧ ଦେଇ ଲୋଟି ପଡ଼ିଥିଲା ପାଦ ପର୍ଯ୍ୟନ୍ତ । ସଜଫୁଟା ଫୁଲମାନଙ୍କ ସହ ସିଏ ଦିଶୁଥିଲା ଯେମିତି ସଜଫୁଟା ଗୋଲାପଟେ । ପ୍ରେମପ୍ରକାଶ ଚାଲି ଚାଲି ବହୁତ ଥକି ପଡିଥିଲା । ସେଥିପାଇଁ ସିଏ ସେଠାରେ ପଡ଼ିଥିବା ଏକ ପଥର ଉପରେ ବସିପଡ଼ିଥିଲା, ଯେଉଁଠି ତା’ର ନଜରରେ ପଡ଼ିଥିଲା ଅଞ୍ଜଳି । ଅଞ୍ଜଳି ଭକ୍ତିର ସହ ପୂଜାରେ ମଗ୍ନ ଥିଲା । ବୃନ୍ଦାବତୀ ପୂଜା ସାରିବା ପରେ ସୂର୍ଯ୍ୟଙ୍କୁ ନମସ୍କାର କରିଥିଲା ସେ । ଆଉ ଫେରିବା ସମୟରେ ଚାହିଁଦେଇଥିଲା ରାସ୍ତା ଆଡ଼େ, ଯେଉଁଠି ବସିଥିଲା ପ୍ରେମପ୍ରକାଶ । କେହି କାହାରିକୁ ଚିହ୍ନି ନଥିଲେ । ଅଞ୍ଜଳି ଚାଲିଗଲା ଘର ଭିତରକୁ ଆଉ ପ୍ରେମପ୍ରକାଶ ଫେରି ଆସିଥିଲା ନିଜ ଘରକୁ ।

ସେହିଦିନରୁ ମର୍ଣ୍ଣିୱାକ ନିମନ୍ତେ ସେ ଆଉ ବାଇକ ବ୍ୟବହାର କରୁନଥିଲା । କାହିଁକିନା ସକାଳର ଅଞ୍ଜଳି ସାଥିରେ ଅଞ୍ଜଳି ପରି ଝଟକି ପଡ଼ୁଥିବା ସେହି ଝିଅଟି ତାକୁ ଯେମିତି ତା’ର ପ୍ରେମ ବନ୍ଧନରେ ବାନ୍ଧି ନେଇଥିଲା । ପ୍ରତିଦିନ ପ୍ରେମପ୍ରକାଶ ସେହି ପଥର ଉପରେ ତାର ଥକ୍କା ମେଣ୍ଟାଉଥିଲା । ଆଉ ଦେଖୁଥିଲା ସେହି ସରସ, ସୁନ୍ଦର ଆଉ ସରଳ ପରୀଟିକୁ । ଅଞ୍ଜଳି ପ୍ରତିଦିନ ସକାଳେ ଉଭା ହେଉଥିଲା ସସଦୀ ଚଉଁରା ମୂଳରେ । ସେ ମଧ୍ୟ ନିତି ଲକ୍ଷ କରୁଥିଲା ପ୍ରେମପ୍ରକାଶକୁ । ପୂଜାସାରି ଫେରିବାବେଳେ ଟିକେ କଣେଇ ଚାହିଁ ଦେଉଥିଲା ପ୍ରେମପ୍ରକାଶକୁ ।

ସେଦିନ ପ୍ରେମପ୍ରକାଶ ବସିଥିବା ସମୟରେ ତା’ର ଆଖିରେ କ’ଣ ଗୋଟେ ପଡ଼ିଯାଇଥିଲା । ଯେଉଁଥିପାଇଁ ପ୍ରେମପ୍ରକାଶର ହାତଦୁଇଟା ଆଖି ପାଖକୁ ଚାଲି ଯାଇଥିଲା । ଆଉ ଆଖିରୁ ଦୁଇ ବୁନ୍ଦା ପାଣି ବାହାରି ଆସିଥିଲା । ଅଞ୍ଜଳି ଯେତେବେଳେ ଜାଣିଲା ଲୋକଟିର ଆଖିରେ କ’ଣ ପଡ଼ିଯାଇଛି ବୋଲି, ନିଜର ଭୋଗଡାଲାଟିକୁ ବାରଣ୍ଡାରେ ରଖି ଦୌଡ଼ି ଆସିଥିଲା ତା’ ପାଖକୁ । ଆଉ ନିଜର ଶାଢ଼ୀ କାନିରେ କାଢ଼ି ଦେଇଥିଲା ଆଖିରେ ପଡ଼ିଥିବା ପୋକଟିକୁ । ପ୍ରେମପ୍ରକାଶ ଧନ୍ୟବାଦ ଜଣାଇଥିଲା । ଆଉ ସ୍ମିତହସଟିଏ ହସି ଗ୍ରହଣ କରିଥିଲା ଅଞ୍ଜଳି ।

ପ୍ରେମପ୍ରକାଶ ପ୍ରତିଦିନ ଅଞ୍ଜଳି ପାଖରୁ ତା’ର ଦିନର ଶୁଭାରମ୍ଭ କରୁଥିଲା । ଆଉ ଅଞ୍ଜଳି ଥିଲା ଏମିତି ଏକ ଲକ୍ଷ୍ମୀବ୍ରତା କନ୍ୟ, ତା’ର ମୁହଁ ଚାହିଁଦେଲେ ସବୁକିଛି କାର୍ଯ୍ୟ ସଫଳ ହୋଇ ଯାଉଥିଲା ପ୍ରେମପ୍ରକାଶ ପାଇଁ । ପ୍ରେମପ୍ରକାଶ ଅଞ୍ଜଳି ପ୍ରେମରେ ଉବୁଡୁବୁ ହେଉଥାଏ । କିନ୍ତୁ ଅଞ୍ଜଳି ମନରେ ସୃଷ୍ଟି ହେଉନଥିଲା ପ୍ରେମଭାବନା ।

ଅଞ୍ଜଳି ସ୍ନାତକ ପରେ ଡାକ୍ତରୀ ପଢ଼ୁଥିଲା । କିନ୍ତୁ ସାଧାରଣ ଝିଅଟେ ପରି ସକାଳୁ ଉଠି ଗାଧୋଇ ପାଧୋଇ ସକାଳର ଅଞ୍ଜଳି ସାଥିରେ ଉଭା ହେଉଥିଲା ଅଞ୍ଜଳି ପାଖରେ । ପୂଜା ସରିବା ପରେ ନିଜ ହାତରେ ଚାହା କରି ନେଇ ବାପା-ମା, ଭାଇ-ଭାଉଜ, ଜେଜେବାପା-ଜେଜେମାଙ୍କୁ ଦିଏ । ଗୁରୁଜନମାନଙ୍କୁ ସମ୍ମାନ କରୁଥିଲା, ଲଘୁଜନମାନଙ୍କୁ ସ୍ନେହ କରୁଥିଲା, ସତ୍‌ମାର୍ଗରେ ଚାଲୁଥିଲା କିନ୍ତୁ ଗର୍ବୀ ନଥିଲା । କହିବାକୁ ଗଲେ ସିଏ କୌଣସି ଗୁଣରେ କମ ନଥିଲା । ଭଗବାନ ତାକୁ ସବୁ ଗୁଣର ଅଧିକାରୀ କରିଥିଲେ ।

ପ୍ରେମପ୍ରକାଶ କିନ୍ତୁ ପ୍ରଥମ ଛୁଆଁରୁ ତା’ର ପ୍ରେମରେ ପଡ଼ିଯାଇଥିଲା । ଅଞ୍ଜଳି ଆସିଥିଲା କଲେଜ ଛୁଟିରେ ନିଜ ଘରକୁ । ଆଉ କଲେଜ ଖୋଲିବାରୁ ସିଏ ଚାଲିଯାଇଥିଲା । ପ୍ରେମପ୍ରକାଶ କିନ୍ତୁ ସକାଳର ମର୍ଣ୍ଣିୱାକରୁ ଫେରିବାବେଲେ ସେହି ପଥର ଉପରେ ବସିବାର ରୁଟିନଟିକୁ କାଢ଼ି ପାରିନଥିଲା । ହେଲେ ତା’ର ମନ୍ତ୍ର ମାନସୀ ସହ ଆଉ ଦେଖା ହେଉନଥିଲା । ମନକୁ ମାରି ଚାଲି ଆସୁଥିଲା ସେ ।

କିଛିଦିନ ପରେ ପ୍ରେମପ୍ରକାଶ ଅଫିସରୁ ଘରକୁ ଫେରୁଥାଏ । ସମୟ ସନ୍ଧ୍ୟା ସାତଟା ପ୍ରବଳ ଥଣ୍ଡା ହେଉଥାଏ; ଏକ ଦୋକାନ ପାଖରେ ଗାଡ଼ିଟିକୁ ରଖି ସିଗାରେଟ ଟାଣିବାକୁ ଗଲା । ସିଗାରେଟଟେ କିଣି ଦି’ ଢୋକ ମରିଥାଏ, ଏକ ବସ ଆସି ସେଠାରେ ରହିଲା । ପ୍ରେମପ୍ରକାଶ ଲକ୍ଷ୍ୟ କଲା ସେହି ବସରୁ ପ୍ରାୟ ସମସ୍ତ ପାଠ ପଢ଼ୁଆ ଯୁବକଯୁବତୀମାନେ ଓହ୍ଲାଇଲେ ଆଉ ଯିଏ ଯାହା ବାଟରେ ଚାଲିଗଲେ । କିନ୍ତୁ ଯୁବତୀଟିଏ ଅଟୋକୁ ଚାହିଁ ରହିଥାଏ । ଶୀତ ଦିନ ହୋଇଥିବାରୁ ସନ୍ଧ୍ୟା ବେଳରୁ ରାସ୍ତାଘାଟ ଶୂନଶାନ ହୋଇପଡ଼ିଥାଏ । ଯୁବତୀଟି ପ୍ରେମପ୍ରକାଶକୁ ଯେମିତି ଚିହ୍ନା ଚିହ୍ନା ଲାଗିଲା । ଗାଡ଼ିଟିକୁ ନେଇ ତା’ପାଖକୁ ଗଲା ଆଉ ଦେଖିଦେଲା ପରେ ତାକୁ ଏମିତି ଲାଗିଲା ଯେମିତି ଚାତକକୁ ଜଳ ମିଳିଗଲା । ସତେ ଯେମିତି ବହୁତ ଦିନ ପ୍ରତୀକ୍ଷାର ଆଜି ଶେଷ ହୋଇ ଯାଇଛି । ସେ ଚିହ୍ନି ନେଇଥିଲା ଅଞ୍ଜଳିକୁ । କହିଲା, “ମାଡାମ ଆସନ୍ତୁ ମୁଁ ଆପଣଙ୍କୁ ନେଇ ଛାଡ଼ିଦେବି ।” ଅଞ୍ଜଳି ଥିଲା ବହୁତ ସରଳ ଅତି ସହଜରେ ସମସ୍ତଙ୍କୁ ବିଶ୍ୱାସ କରି ନେଉଥିଲା । ତେଣୁ ବସିପଡ଼ିଥିଲା ପ୍ରେମପ୍ରକାଶର ଗାଡ଼ି ପଛରେ ।

ଅଞ୍ଜଳି ଆରମ୍ଭ କଲା, “ଆମଘର ବାଲିପାଟଣା । ମୁଁ ଭୁବନେଶ୍ୱରରେ ରହି ଡାକ୍ତରୀ ପଢ଼ୁଛି । ଆମ ଗାଆଁ ରାସ୍ତା ଭଲ ନୁହେଁ, ସେଥିପାଇଁ କେଉଁ ଅଟୋବାଲା ଯିବାକୁ ରାଜି ହେଉନାହାନ୍ତି ।” ପ୍ରେମପ୍ରକାଶ କହିଲା, “ଆପଣ ଏତେ ପାଠ ପଢ଼ିଥିଲେ ମଧ୍ୟ ଆମର ସଭ୍ୟତା ସଂସ୍କୃତିକୁ ଆଉ ପରମ୍ପରାକୁ ଜମା ଭୁଲିନାହାନ୍ତି ।” ଅଞ୍ଜଳିର ଉତ୍ତର ଥିଲା, “କେହି କ’ଣ ନିଜର ବାପା-ମାଆଙ୍କୁ ଭୁଲିପାରେ । ସେହିପରି ଯେଉଁ ପରିବେଶରୁ ଯିଏ ଆସିଥାଏ ତାକୁ କ’ଣ ସିଏ ଭୁଲିପାରେ । ପାଠ ସମସ୍ତଙ୍କୁ ଭଲ ଶିକ୍ଷା ଦେଇଥାଏ, ଖରାପ ନୁହେଁ । ଆମର ସଂସ୍କୃତି ଓ ପରମ୍ପରାକୁ ଭୁଲିଯିବାକୁ ପାଠ କେବେ ଶିଖେଇ ନଥାଏ । ଆମେ ନିଜକୁ ନିଜେ ଅଧିକ ଉନ୍ନତିଶୀଳ ଭାବି ପୁରାତନ ସଭ୍ୟତାକୁ ଭୁଲି ଯାଉଛୁ । ଯାହା ଅତ୍ୟନ୍ତ ପରିତାପର ବିଷୟ ।”

ପ୍ରେମପ୍ରକାଶ ଗାଡ଼ିଟିକୁ ନେଇ ଅଞ୍ଜଳିର ଘର ପାଖରେ ରଖିଦେଲା । ଆଉ କହିଲା, “ଆପଣଙ୍କ ଘର ଆସିଗଲା ।” ଅଞ୍ଜଳି ଆଶ୍ଚର୍ଯ୍ୟ ହେଇଗଲା । ଆମ ଘର ୟାଙ୍କୁ କେମିତି ଜଣା । ଗାଡ଼ିରୁ ଓହ୍ଲେଇ ଅଞ୍ଜଳି ସାହାଯ୍ୟ ପାଇଁ ଧନ୍ୟବାଦ ଜଣେଇ ଲୋକଟିକୁ ତା’ର ନାଆଁ ପଚାରିଥିଲା ।

ପ୍ରେମପ୍ରକାଶ କହିଥିଲା, “ମୋ ନାଆଁ ପ୍ରେମପ୍ରକାଶ ପାଗଳ ।” “ମୁଁ ଅଞ୍ଜଳି ପତ୍ରୀ”, କହିଥିଲା ଅଞ୍ଜଳି । ପ୍ରେମପ୍ରକାଶ ଚାଲି ଯାଇଥିଲା । ଆଉ ତା’ ପରଦିନ ପୁଣି ସେହି ପଥର ଉପରେ ବସିଥିଲା ସେ । ଆଉ ଅଞ୍ଜଳି ସକାଳର ଅଞ୍ଜଳି ସାଥିରେ ଉଭା ହୋଇଥିଲା । ଆଉ ଭଲ ଭାବରେ ଚିହ୍ନି ନେଇଥିଲା ପ୍ରେମପ୍ରକାଶକୁ ।

କିଛିଦିନ ପରେ ଖବରକାଗଜରେ ପ୍ରକାଶ ପାଇଥିଲା ଡ. ଅଞ୍ଜଳି ପତ୍ରୀ ତାଙ୍କର ଗଳ୍ପ “ଜଣେ ଅଜଣା ବ୍ୟକ୍ତି” ପାଇଁ ସାହିତ୍ୟ ସୁଧା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଯେତେବେଳେ ପ୍ରେମପ୍ରକାଶ ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ସେତେବେଳେ ସେ ହସି ଦେଇଥିଲେ । ତା’ପରେ ପ୍ରେମପ୍ରକାଶ ପଢ଼ିବାକୁ ପାଇଥିଲେ ସେହି ଗଳ୍ପଟି । ଯେଉଁ ଗଳ୍ପରେ ଡ. ଅଞ୍ଜଳି ସେହି ବାସ୍ତବ ଘଟଣାଟିକୁ ବାଗେଇ ଚୁନେଇ ଗଳ୍ପର ରୂପ ଦେଇ ଲେଖିଥିଲେ । କିନ୍ତୁ ସେଥିରେ ଡ. ପତ୍ରୀ ଲେଖିଥିଲେ ଯେ ସିଏ ନିଜ ଅଜଣାତରେ ସେହି ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଯାଇଥିଲେ ବୋଲି ।

ପ୍ରେମପ୍ରକାଶ ମନେ ମନେ ଭାବୁଥାନ୍ତି ସତରେ ଲେଖକମାନଙ୍କର କଳା ଅପାର । ଯାହା ଦେଖିଲେ, ତାକୁ ନିଜର ଲେଖା ମାଧ୍ୟମରେ ପ୍ରକାଶ କରିଦିଅନ୍ତି । ସବୁ ପରେବି ସେ ଜାଣି ପାରିଥିଲେ ଯେ ଅଞ୍ଜଳି ମଧ୍ୟ ତାଙ୍କୁ ଭଲପାଏ ବୋଲି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu