ଅଳିଆଗଦା
ଅଳିଆଗଦା

ଅଳିଆଗଦା

ଗତ କିଛିଦିନ ହେଲା ହରେଶର ବ୍ୟବହାର, କାମ କରିବାର ଶୈଳୀ, ସବୁରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ସମ୍ବିତ । ଅଫିସ କାମ ସରିବା ପରେ ସନ୍ଧ୍ୟାରେ ଏକାଠି ହୋଇ ତା’ ସଙ୍ଗେ ଘରକୁ ଯିବ ବୋଲି ମନସ୍ଥ କଲା ସେ । ଆଜି ଯାହା ହେଲେ ବି ସତ କଥା ପଚାରି ବୁଝିବ ବୋଲି ମନେ ମନେ ଠିକ କଲା ।

ସମ୍ବିତ ଓ ହରେଶ କେବଳ ସହକର୍ମୀ ନୁହଁନ୍ତି ବରଂ ଦୁହେଁ ସହପାଠୀ ମଧ୍ୟ । ଇଞ୍ଜିନିୟରିଂ ବେଳେ ଦୁହେଁ ବହୁତ ଭଲ ସାଙ୍ଗ ହୋଇଯାଇଥିଲେ । ଆଉ ତା’ପରେ କ୍ୟାମ୍ପସ ସିଲେକ୍ସନରେ ଦୁହେଁ ଏକ ସାଙ୍ଗରେ ଇନ୍ଫୋସିସ୍‌ରେ ସଫ୍ଟୱେର ଇଞ୍ଜିନିୟର ଭାବେ ଚାକିରୀ ପାଇଥିଲେ । ଦୁଇ ସାଙ୍ଗ ବହୁତ ଖୁସିହୋଇଥିଲେ ସେଦିନ । ତାଙ୍କ ବନ୍ଧୁତା ଅତୁଟ ରହିବ ବୋଲି ମନେ ମନେ ସେଦିନ ଶପଥ ନେଇଥିଲେ । ଦୁହେଁ ପରସ୍ପରର ଦୁଃଖ-ସୁଖ ସବୁ ମିଳିମିଶି ବାଣ୍ଟିବେ ବୋଲି କଲେଜ ଛାତ ଉପରେ ବସି ସେଲିବ୍ରେଟ କଲାବେଳେ କଥା ଦେଇଥିଲେ ଜଣେ ଆରକୁ । ତା’ପରେ ତାଙ୍କ ବନ୍ଧୁତା ଆଉ ନିଜ ଭିତରେ ସୀମିତ ନ ରହି ପାରିବାରିକ ବନ୍ଧୁତାରେ ପରିଣତ ହୋଇଯାଇଥିଲା ।

ସେଥିପାଇଁ ଆଜି ହରେଶର ଏମିତି ଅଡ଼ୁଆ ମନୋଭାବ ଦେଖି କିଛି ଗୋଟେ ସମସ୍ୟାର ଆଭାସ ପାଇଥିଲା ସମ୍ବିତ । ଭାବିଥିଲା ସାଙ୍ଗକୁ ଏ ସମସ୍ୟାରୁ ମୁକ୍ତି ସେ ନିଶ୍ଚୟ ଦେବ ।

ସନ୍ଧ୍ୟାବେଳକୁ ଅଫିସ ସରିବା ପରେ ସମ୍ବିତ ସିଧା ହରେଶ ଡେସ୍କ ପାଖରେ ଛିଡ଼ା ହେଇଗଲା । ସ୍ମିତହାସ୍ୟ ଦେଇ ଗାଡ଼ି ଖରାପର ବାହାନା କଲା, ଯେମିତି ତା’ ସଙ୍ଗେ ସେ ଯିବ । ଗୋଟେ ଗାଡ଼ିରେ ଦୁଇ ସାଙ୍ଗ ବହୁତ ଦିନ ପରେ ଆଜି ଘରକୁ ବାହାରିଲେ ।

“ଆଜିକାଲି ତୋ ମୁଡ୍ କିଛି ଠିକ ରହୁନି ମୁଁ ଦେଖୁଛି, କଥା କ’ଣ ହରେଶ?”
“ନାଇଁ ସାଙ୍ଗ, ସେମିତି କିଛି କଥା ନାହିଁ । ବାସ୍ କାମର ପ୍ରେସର ଟିକେ ବଢ଼ିଯାଇଛି ତ’ ସେଥିପାଇଁ ଏମିତି ଲାଗୁଛି ।” ସମ୍ବିତ ପ୍ରଶ୍ନର ଉତ୍ତରରେ ହରେଶ ଜବାବ ଦେଲା ।
“ସେ ବାହାନା ତୁ ଆଉ କାହା ଆଗେ ଦେଖେଇବୁ । ସିଧା ସିଧା କଥା କ’ଣ କହିଦେ, ନହେଲେ…”
“ତୋ ଆଗରେ କିଛି ଲୁଚେଇହେବନି ଦେଖୁଛି । ସବୁ କଥାକୁ ତୁ ଧରିପକୋଉ, ନାଇଁ?”
“ଆମେ ପରା କଲେଜ ଦିନର ସାଙ୍ଗ, ନିଜଠୁ ବେଶି ପରସ୍ପରକୁ ଜାଣୁ ଆମେ ।”

“ମୋ ଜୀବନରେ ଧୀରେ ଧୀରେ ବହୁତ ଝଡ଼ଝଞ୍ଜା ଦେଖା ଦେଲାଣି ସାଙ୍ଗ । ପ୍ରିୟା ସହ ଏଇ କିଛି ଦିନ ହେଲା ବହୁତ ପାଟିତୁଣ୍ଡ ହେଉଛି ମୋର । ଅଫିସ କାମରେ ବ୍ୟସ୍ତ ରହି ତାକୁ ଠିକରେ ସମୟ ଦେଇପାରୁନି ବୋଲି ତା’ର ଅଭିଯୋଗ । ତୁ କହ, ମୁଁ କ’ଣ କରିବି?”

ହରେଶ ଠାରୁ ଏସବୁ ଶୁଣିଲା ପରେ ସମ୍ବିତ ତାକୁ କେମିତି ବୁଝେଇବ ସେଇ କଥା ଭାବିଲା । ହଠାତ ତା’ର ନଜର ପଡ଼ିଲା ରାସ୍ତା ସେକଡ଼େ ଜମା ହେଇଥିବା ଅଳିଆ-ଆବର୍ଜନର ପାହାଡ଼ ଉପରେ । ସେଇ ଅଳିଆର ପାହାଡ଼ ଭିତରେ ୨-୩ ଜଣ ଛୋଟ ଛୋଟ ପିଲା କିଛି ଖୋଜିବାରେ ଲାଗିଥାନ୍ତି । ଦେହରେ ଚିରା ଫଟା ଡ୍ରେସ, ହାତରେ କାଠି ଖଣ୍ଡେ ଓ ଜରି ମୁଣିଟିଏ ଦେଖି ସମ୍ବିତ ଠଉରେଇ ପାରିଥିଲା ସେମାନଙ୍କର କାମ ।

“ରାସ୍ତା ସେପଟେ ସେ ପିଲାମାନଙ୍କୁ ଦେଖିପାରୁଛୁ?” ହରେଶକୁ ସେ ପିଲାମାନଙ୍କୁ ଦେଖେଇ ଦେଇ ପଚାରିଥିଲେ ସମ୍ବିତ ।
“ସେଇ ଭିକାରୀ ଛୁଆ ଗୁଡ଼ା? କିଭଳିଆ ମ୍ଳେଛ ପିଲାଗୁଡ଼ା, ଅଳିଆ ଗଦା ଭିତରେ ପଶିଛନ୍ତି ।”

“ଭଲକରି ଦେଖ, ସେମାନେ ଭିକାରୀ ନୁହନ୍ତି । ସେମାନେ ହେଉଛନ୍ତି ଅତ୍ୟନ୍ତ ଗରିବ ଘରର ସ୍ୱାବଲମ୍ବୀ ପିଲା । ଅଳିଆ-ଆବର୍ଜନାର ପାହାଡ଼ ହେଉଛି ସେମାନଙ୍କର ଜୀବିକା ଉପାର୍ଜନର ମାଧ୍ୟମ । ଜାଣିଛୁ, ଯେଉଁ ଅଳିଆକୁ ଆମେ ଏଠି ଫିଙ୍ଗିଦେଇ ଯାଉ ସେଇ ଅଳିଆ ଭିତରୁ ଏମାନେ ନିଜର ଉପାର୍ଜନ ପାଇଥାନ୍ତି । ନିଜ ସାଙ୍ଗେ ସାଙ୍ଗେ ନିଜ ପରିବାରର ପେଟ ମଧ୍ୟ ପୋଷନ୍ତି ଏଇ କୁନି ପିଲାମାନେ । ଯେତେ ବେଶି ଅଳିଆ, ସେତେ ବେଶି ଉପାର୍ଜନ ଆଉ ସେତେ ବେଶି ଖୁସି ଏମାନଙ୍କ ପାଇଁ ।”

“ହେଲେ ତୁ ମତେ ଏସବୁ କ’ଣ ପାଇଁ ଦେଖୋଉଛୁ?”
“ଆମ ଜୀବନ ବି ଠିକ ଏହିଭଳି ।”
“ମାନେ?”

“ଆମ ଜୀବନ ବି ବେଳେ ବେଳେ ଏଇ ଅଳିଆ ଗଦା ଭଳି ହେଇଯାଏ । ବହୁତ ସମସ୍ୟା ଭିତରେ ମଣିଷ ଜୀବନ ଛନ୍ଦି ହେଇ ଏମିତି ଅଳିଆ ଭଳି ଲାଗେ । ଲାଗେ ଯେମିତି ଜୀବନରେ ଆଉ ଭଲ ସମୟ କିଛି ଆସିବନି କି ସମସ୍ୟାର ସମାଧାନ କେବେ ହେବ ନାହିଁ । ହେଲେ ଆମେ ଭୁଲିଯାଏ ଯେ ଏଇ ଅଳିଆ ଗଦା ଭିତରେ ଲୁଚି ରହିଛି ଆମର ଖୁସି । ଦରକାର କେବଳ କାଠି ଖଣ୍ଡିଏ ଧରି ସେଇ ଅଳିଆ ଭିତରୁ ନିଜ ମୁତାବକ ଖୁସିକୁ ସାଉଁଟି ପରିବାର ରୂପକ ଜରିମୁଣି ଭିତରେ ପୁରେଇବାକୁ । ଦରକାର କେବଳ ସାହସ, ସେଇ ଅଳିଆ ଗଦା ଭିତରେ କୁଦା ମାରି ନିଜ ଖୁସିକୁ ଖୋଜିବା । ଯେତେ ବେଶି ଆବର୍ଜନା, ସେତେ ବେଶି ଖୁସି ଦବିରହିଥିବାର ସମ୍ଭାବନା । କିନ୍ତୁ ଆମେ ଜୀବନରେ ଆସୁଥିବା ସମସ୍ୟାକୁ ଅଳିଆ ଭାବି ତା’ ଭିତରେ ଛନ୍ଦି ହେଇଯାଉ ।”

ସମ୍ବିତର କଥାଗୁଡ଼ା ହରେଶକୁ ଭାବିବା ପାଇଁ ବାଧ୍ୟ କରିଦେଲା । ନିଜ ମନ ଭିତରେ ହରେଶ ଭାବିଲା- ସତେ ତ, ଠିକ କଥା କହୁଛି ସମ୍ବିତ ! ଜୀବନରେ ସବୁ ସମସ୍ୟାର ସମାଧାନ ଯେ ଭଗବାନ ଆଗରୁ ଠିକ କରିନଥାନ୍ତି, ଏକଥା ମୁଁ ଭୁଲିଯାଇଥିଲି ।

ସମ୍ବିତକୁ ତା’ ଘରେ ଛାଡ଼ିଲା ପରେ ଘର ଅଭିମୁଖେ ଗାଡ଼ି ମୁହାଁଇଲା ହରେଶ ନିଜ ଖୁସି ଉପରେ ପଡ଼ିରହିଥିବା ଅଳିଆ-ଅବର୍ଜନାକୁ କାଠିଟିଏ ଧରି ଖୋଜିବାକୁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu