ସତୀ
ସତୀ

ସତୀ

ସମୟ ପ୍ରାୟ ୪ଟା ପାଖାପାଖି । ଘର ଅଗଣାରେ ସ୍ୱାତୀ ଚୌକି ଉପରେ ବସି ଅପରାହ୍ନ‌କୁ ଉପଭୋଗ କରୁଥିଲା । ଘର କ‌ହିଲେ, ଗୋଟିଏ ମହଲା ବିଶିଷତ ଘର, ସେଥିରେ ଆବଶ୍ୟକ ପରିମାଣର ରୁମ୍ ଥିଲା । ଘରର ବାହାରକୁ ଅଗଣାଟିଏ ଓ ଅଗଣାକୁ ଲାଗିକରି ସୁଉଚ୍ଚ ପାଚେରୀ । ପରିବାର କ‌ହିଲେ, ସ୍ୱାତୀ, ତା’ର ସ୍ୱାମୀ ଅରୁଣ, ଶାଶୁ ଓ ଶ୍ୱଶୁରଙ୍କ ସ‌ହ ରହୁଥିଲା । ଦେଢ଼ଶୁର ଓ ବଡ଼ଯାଆ ତା’ର ବେଙ୍ଗାଲୁରୁରେ ତା’ଙ୍କ ପରିବାର ନେଇ ରହୁଛନ୍ତି ।

ସମୟ କେମିତି ବିତି ଯାଇଛି, ତାକୁ ସ୍ୱାତୀ କଳନା କରୁଥିଲା । କାଲି ଭଳି ଘରେ ନୂଆବୋହୂ ଭାବେ ଗୃହପ୍ରବେଶ କରିଥିଲା । ହଁ… ଏହା ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଥିଲା । ଭଗବାନଙ୍କ କୃପାରୁ କିଛି ବି ଅସୁବିଧା ନଥିଲା… ମାତ୍ର… କୋଳଟି ତା’ର ଅସଂପୂର୍ଣ୍ଣ ଥିଲା ।

ସନ୍ତାନର ସୁଖ ଇଚ୍ଛା କରୁଥିବା ସ୍ୱାତୀ ଆଜି ଅନ୍ତସତ୍ତ୍ୱା । ଗର୍ଭରେ ତା’ର ଆଠମାସର ସନ୍ତାନ ଯେପରି ଦୁନିଆକୁ ଦେଖିବାକୁ ବିକଳ ହେଉଛି । ଏହା ତା’ ପାଇଁ କୌଣସି ଚମତ୍କାରରୁ ମଧ୍ୟ କମ୍ ନୁହେଁ । ହଁ… ବିବାହ ପରେ ହିଁ ତାକୁ ଅରୁଣ ସବୁ କଥା କ‌ହି ଦେଇଥିଲା ଯେ ତା’ର ସମସ୍ତ ପ୍ରକାର ସମସ୍ୟା ଥାଇ ମଧ୍ୟ ସନ୍ତାନ ସୁଖକୁ ସ୍ୱାତୀ ଜିନ୍‌ଗତ କାରଣରୁ ନ‌ଦେଇ ପାରିବା… କିନ୍ତୁ ଏ କଥା ସ୍ୱାତୀ ଛଡ଼ା ଅରୁଣ ନିଜ ପରିବାରରେ କାହାକୁ ମଧ୍ୟ ଜଣାଇ ନଥିଲା ।

ସ୍ୱାମୀଙ୍କ ଅକ୍ଷମତାକୁ ଲୁଚାଇବାକୁ ଯାଇ ତା’କୁ “ବନ୍ଧ୍ୟା” ଶବ୍ଦର ନିହାଣ ମୁନର ଯନ୍ତ୍ରଣାକୁ ମଧ୍ୟ ସ‌ହ୍ୟ କରିବାକୁ ପଡ଼ିଛି । ହେଲେ ଅରୁଣ ଏ ଶବ୍ଦକୁ, ଏ ତାତ୍ସଲ୍ୟକୁ ସ‌ହ୍ୟ କରିପାରି ନଥିଲା । ସେ ଜାଣିଥିଲା ଯେ, ସ୍ୱାତୀ ତା’ର ତନୁ, ମନୁରେ କେବଳ ନିଜ ସ୍ୱାମୀଙ୍କୁ ହିଁ ଭଲ ପାଉଥିଲା । ତ‌ଥାପି ସେ ନିରୂପାୟ ହୋଇ ଏକ ବଡ଼ ପଦକ୍ଷେପ ନେଇଥିଲା ।

ପ୍ରଥମେ ସ୍ୱାତୀ ତା’ର ପ୍ରସ୍ତାବ ଶୁଣି ଭାଙ୍ଗି ପଡ଼ିଥିଲା, ଭୋ… ଭୋ… ହୋଇ କାନ୍ଦିଥିଲା… କେମିତି ସେ ତା’ ନିଜକୁ ଅନ୍ୟ ଏକ ପୁରୁଷ ପାଖରେ ସମର୍ପି ଦେବ ? ଆଖି ବନ୍ଦ କଲେ ତା’କୁ ଅରୁଣ ଛଡ଼ା ଆଉ କେହି ଦେଖା ଯାଉନଥିଲେ । ଅନେକ ବୁଝାସୁଝା ପରେ ସେ ଅରୁଣ କଥାରେ ରାହି ହୋଇଥିଲେ ମଧ୍ୟ ନିଜ ମନ‌କୁ ବୁଝେଇ ପାରୁନଥିଲା । “ବନ୍ଧ୍ୟା ଶବ୍ଦର ପ୍ରତିକାର ପାଇଁ ଯେ ତା’କୁ ନିଜର ସତୀତ୍ୱରେ ଦାଗ ଲଗେଇବାକୁ ପଡ଼ିବ…” ଏ କଥାକୁ ସେ ସ‌ହଜରେ ଗ୍ରହଣ କରିପାରୁ ନଥିଲା ।

ଅଗଣାରେ ବସି ଅତୀତର ପୃଷ୍ଠାକୁ ଲେଉଟାଉଥିବା ବେଳେ ଆଖିରୁ ଲୁହ ଝରିଯାଉଥିଲା ।… ସେଦିନ ଥିଲା ଏକ କାଳବୈଶାଖୀର ଦିନ । ଶାଶୁ ଓ ଶ୍ୱଶୁର ଦୁହେଁ ବଡ଼ପୁଅ ପାଖକୁ ଯାଇଥିଲା । ଅବଶ୍ୟ ତାଙ୍କୁ ଯୋଜନାବଦ୍ଧ ଭାବେ ଅରୁଣ ପଠେଇଥିଲା । ସନ୍ଧ୍ୟା ପ୍ରାୟ ୭ଟା ହୋଇଥାଏ । ଘରର କଲିଂବେଲ୍ ବାଜିଲା ।… ସ୍ୱାତୀର ହୃଦସ୍ପନ୍ଦନର ଗତି ମଧ୍ୟ ବଢ଼ିଯାଇଥିଲା । କବାଟ ଖୋଲିବାରୁ ଅରୁଣ ଆଉ ତାଙ୍କର ପିଲାଦିନର ବନ୍ଧୁ ପ୍ରକାଶଙ୍କୁ ଦେଖିଥିଲା । ପ୍ରକାଶ, ଅରୁଣର ଅତି ଅନ୍ତରଙ୍ଗ ବନ୍ଧୁ ଥିଲା, ଯାହାକୁ ଅରୁଣ ବିନା ଦ୍ୱିଧାରେ ତା’ର ସମସ୍ତ ଭଲମନ୍ଦ କଥା କ‌ହୁଥିଲା । ହଁ, ସ୍ୱାତୀ ବ୍ୟତୀତ କେବଳ ପ୍ରକାଶ ହିଁ ଥିଲା ଯିଏ କି ଅରୁଣର ଦୁର୍ବଳତା ଜାଣିଥିଲା ।

ପ୍ରକାଶକୁ ଡ୍ରଇଂରୁମ୍‌ରେ ବସେଇ ଦେଇ ଅରୁଣ ସ୍ୱାତୀକୁ ନେଇ ରୁମ୍‌କୁ ଚାଲିଯାଇଥିଲା । ସ୍ୱାତୀ ତା’କୁ ଜାବୁଡ଼ି ଧରି ପୁଣି ଏକ ଅସ‌ହାୟ ଚାହାଣୀରେ ଚାହିଁ କାନ୍ଦିବାକୁ ଲାଗିଥିଲା । ଅରୁଣ ତା’ ଆଖିରୁ ଲୁହ ପୋଛି ତା’କୁ ସାନ୍ତ୍ୱନା ଦେଇ କ‌ହିଥିଲା, “କାନ୍ଦନି ସ୍ୱାତୀ… ବାସ୍ ଥରୁଟିଏ…. ଆମ ଭବିଷ୍ୟତ କଥା ଭାବି… ବୁଝିପାରୁଛ ତ…” ବାସ୍ ତା’ପରେ ସେ ରୁମ୍‌ରୁ ବାହାରି ଆସିଥିଲା ଓ ପ୍ରକାଶକୁ ସ୍ୱାତୀ ରୁମ୍‌କୁ ଯିବାପାଇଁ କ‌ହିଥିଲା । ପ୍ରକାଶ ରୁମ୍‌ରେ ଯାଇ ସ୍ୱାତୀକୁ ପ୍ରଶ୍ନଭରା ନୟନରେ ଚାହିଁ କ‌ହିଲା, “ଦେଖ ଭାଉଜ, ମୁଁ ତୁମକୁ ବ‌ହୁତ ସମ୍ମାନ ଦିଏ । ମୁଁ ଅରୁଣର ଏ ପ୍ରସ୍ତାବକୁ ପ୍ରଥମେ ଗ୍ରହଣ କରିନଥିଲି… ମାତ୍ର… ମୁଁ ରାଜି ନହେଲେ ସେ ଆତ୍ମହତ୍ୟା କରିଦେବ ବୋଲି କରୁଣ ଭାବରେ କ‌ହିବାରୁ… ।” ଆଉ କିଛି କ‌ହିପାରିନ ଥିଲା । ତା’ପରେ…., ସ୍ୱାତୀର ଆଖି ଖୋଲି ନଥିଲା । ଯାହା କିଛି ବି ଘଟୁଥିଲା… ତା’ ହୃଦୟ, ମସ୍ତିଷ୍କ ସବୁଠାରେ ସେ କେବଳ ଅରୁଣର ଛବି ଦେଖୁଥିଲ… ତାକୁ ଅନୁଭବ କରୁଥିଲା…. ।

“ସ୍ୱାତୀ… ଏ ସ୍ୱାତୀ…” ହଠାତ୍ ସ୍ୱାତୀ ଏ ଶବ୍ଦକୁ ଶୁଣି ଅତୀତରୁ ଲେଉଟି ଆସିଲା । ଶାଶୁ ତା’ର ଡାକୁଥଲେ… “ଆରେ ମା’ ସନ୍ଧ୍ୟା ହେଲାଣି ପରା… ଆ ଘରକୁ ପଳେଇ ଆସେ… ।”
ଇତି ମଧ୍ୟରେ ଆଉ ଏକ ମାସ ଅତିକ୍ରାନ୍ତ କରିସାରିଛି । ସ୍ୱାତୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତା’କୁ ତୁରନ୍ତ ଡାକ୍ତରଖାନାକୁ ନିଆଗଲା । ସ୍ୱାତୀ ଯନ୍ତ୍ରଣାକୁ ଯେତିକି ଅନୁଭବ କରୁନଥିଲା, ନିଜ ସନ୍ତାନର ରୂପ ନେଇ ବେଶୀ ଚିନ୍ତିତ ଥିଲା । କାରଣ, ତା’ ବାପଘର ଓ ଶାଶୁଘର ଲୋକ ସମସ୍ତେ ଗୌର ବର୍ଣ୍ଣ ଥିଲା, ମାତ୍ର “ପ୍ରକାଶ” ଶ୍ୟାମଳ ବର୍ଣ୍ଣର ଥିଲା । ସାହି ପଡ଼ିଶାର ଟାହି ଟାପରା ସ‌ହି ପାରିବ ତ’…? ଏମିତି ଭାବୁ ଭାବୁ ସେ କେତେବେଳେ ଯେ ଅଚେତ ହୋଇଯାଇଥିଲା ଜାଣିପାରି ନଥିଲା । ଚେତା ଫେରିଲା ପରେ ସମସ୍ତେ ତା’କୁ ଅଭିନନ୍ଦନ ଜଣାଉଥିଲେ । ସେ ଅତ୍ୟନ୍ତ ଭୟଭୀତ ଭାବେ ତା’ର ନବଜାତ ଶିଶୁକୁ ଯେବେ ଚାହିଁଲା… ଏକ ଦୀର୍ଘ ଶ୍ୱାସ ପକାଇ ଶିଶୁଟିକୁ ଆଲିଙ୍ଗନ କରି ପକାଇଲା । ଶିଶୁଟି ତୋଫା ଗୋରା ଥିଲା ଏବଂ ସମସ୍ତେ କୁହାକୁହି ହେଉଥିଲେ ଯେ ପିଲାଟି ଠିକ୍ ତା’ର ବାପା ପରି ହୋଇଛି… ଠିକ୍ ଅରୁଣ ମୁହଁକୁ ଛିଡ଼ାଇ ଆଣିଛି ।

“ଏ କି ଚମତ୍କାର…?” ସ୍ୱାତୀ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଅରୁଣ ପରି ଆଖି, ନାକ, କାନ, ରଙ୍ଗ… କିପରି? ଏହା କୌଣସି ଚମତ୍କାରଠାରୁ କମ୍ ନଥିଲା । ନିଜର ସତୀତ୍ୱକୁ ବନ୍ଧା ପକାଇ “ବନ୍ଧ୍ୟାତ୍ୱ”କୁ ମୁକୁଳେଇ ପାରିଥିଲା ସେ… କିନ୍ତୁ, ସେ ସତୀତ୍ୱକୁ ତ’ ସେ ହରାଇ ସାରିଥିଲା । ଦୁନିଆଠାରୁ ସିନା ଅଛପା, ମାତ୍ର ଅରୁଣ ଓ ପ୍ରକାଶ ସାମ୍ନାରେ ସେ କିପରି ନିଜକୁ “ସତୀ” ବୋଲି କ‌ହିପାରିବ? କିପରି ନିଜ ପ୍ରତିଛବିକୁ ସାମ୍ନା କରିବ…? ଠିକ୍ ଏତିକିବେଳେ ଅରୁଣ ଆସି ସ୍ୱାତୀ କାନ ପାଖରେ ଧୀର ସ୍ୱରରେ କ‌ହିଲା, “ସ୍ୱାତୀ, ତୁମେ ବ୍ୟସ୍ତ ହୁଅନି… ତୁମେ ସତୀ ଥିଲା, ଅଛ ଓ ମୋ ପାଇଁ ସବୁବେଳେ ସତୀ ରହିଥିବ…. ।” ସତେ ଯେପରି ସ୍ୱାତୀର ହୃଦୟର ଭାଷାକୁ ବୁଝି ଅରୁଣ ଉତ୍ତର ଦେଇଥିଲା । ସ୍ୱାତୀ ନିଜ ନବଜାତ ପୁଅକୁ କୋଳକୁ ଆଣି ସ୍ନେହରେ ଚୁମ୍ବନ ଦେଉଥାଏ, ଯପରି ତା’ ମୁଣ୍ଡରୁ ଏକ ବଡ଼ ବୋଝ ହାଲୁକ୍ ହୋଇଯାଇଛି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu