You are currently viewing ଚଷମା
ଚଷମା

ଚଷମା

ନାତିକୁ କୋଳରେ ବସାଇ ସାହୁ ବାବୁ ଦେଖାଉଥିଲେ, “ଦେଖ, ଇଏ ତୋର ମାଆ, ଜେଜେମା’.. ତୋର ମନେ ନଥିବ, ହେଲେ ସେ ତତେ ବହୁତ ଭଲ ପାଉଥିଲା, ତୋ ମାଆ, ମାନେ ତୋ ମମ୍‌ଠୁ ବି ଅଧିକ । ବହୁତ ସେବା କରିଛି ତୋର ପିଲା ଦିନେ । ଜାଣିଛୁ ତୁ ଯୋଉଦିନ ପ୍ରଥମ କରି ମା ଡାକିଲୁ ତା ଆଖି ଲୁହ ଛଳ ଛଳ ହୋଇଯାଇଥିଲା । ଯୋଉଦିନ ତୁ ପ୍ରଥମ କରି ଚାଲିଥିଲୁ ସେଦିନ ଖିରି କରି ସମସ୍ତଙ୍କୁ ଖୁଆଇଥିଲା ସେ ।”

“ବାପା ମତେ ଛାଡ଼, ଆଉ କେତେ ଥର ସେଇ ଗପ କହିବ । ମୁଁ ଶୁଣି ଶୁଣି ବୋର୍ ହେଲିଣୀ ।” ଏତିକି କହି ବାପ କୋଳରୁ ଖସିଗଲା ନାତି ।

ସାହୁ ବାବୁ ସେମିତି ଫୋଟୋଟିକୁ ଧରି ବସିଥାନ୍ତି । ଝାପ୍ସା ଅଲୁଅରେ ଖୋଜିବାକୁ ଚେଷ୍ଟା କରୁଥାନ୍ତି କୋଡ଼ିଏ ଜଣିଆ ଫ୍ୟାମିଲିଫୋଟୋରେ ଓଢ଼ଣୀତଳୁ ନିଜ ସ୍ତ୍ରୀର ଲାଜୁଆ ଚେହେରାକୁ ।

“ହଁ ଏଇଠି ତ, ଏଇଠି ଠିକ ମଝିରେ । ଆମ ବାହାଘର ଦିନର ଫୋଟୋ ଇଏ । ବହୁତ ପୁରୁଣା । ଆଉ କ’ଣ ମୁଁ ଦେଖିପାରୁଚି । ଆରେ ଟୋକା ସୁନିଲୁ ମୋ ଚଷମାଟା ଦେଲୁ ହାତକୁ ।”

ଚାରି ମାସ ତଳୁ ଭାଙ୍ଗିଯାଇଥିବା ଫାଳେ କାଚଥିବା ଚଷମାଟିକୁ ଧରି ଆସୁଆସୁ ନାତିର ହାତରୁ ପଡ଼ିଗଲା । ମାସକୁ ଗୋଟେ ନୂଆ ଗଗଲେସ୍ ପିନ୍ଧୁଥିବା ପୁଅ ବୋହୁ ପାଖରେ ସମୟ ନାହିଁ । ଚଷମାର ନିହାତି ଆବଶ୍ୟକତା କିଛି ନାହିଁ କହି କଥାଟିକୁ ଆଡ଼େଇ ଦେଇଥିଲେ ସେମାନେ ।

ବାପା.. ସରି.. କହି କିଇଁ କଇଁ କାନ୍ଦିଉଠିଲା ନାତି । ଆଉ ନିଜେ ପିନ୍ଧିଥିବା ନାଲି ଚଷମାକୁ ବାପ ଆଖିରେ ଦେଇ କହିଲା ବାପା ଦେଖ ଏଥିରେ ସବୁ ଦେଖାଯିବ । ସବୁ ପ୍ରାଞ୍ଜଳ ଭାବେ ଦେଖି ପାରୁ ଥିଲେ ସାହୁ ବାବୁ ଲୁହ ଛଳ ଛଳ ଆଖିରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶାଲତା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।