You are currently viewing ଅବୁଝା ମନ
ଅବୁଝା ମନ

ଅବୁଝା ମନ

ଅବୁଝା ମନ ସହରର ସୀମାନ୍ତରେ ଥିବା ଇନ୍ଫୋସିଟିର ଅଫିସ୍‌ରେ ବସି ବାରମ୍ବାର ଘଣ୍ଟାକୁ ଅନାଇ ଚାଲିଥାଏ ରାକେଶ, ଘଣ୍ଟାର କଣ୍ଟା ଯେତେ ଆଗେଇ ଯାଉଥାଏ ତା’ ମୁହଁରେ ଚିନ୍ତାଟା ସେତେ ସ୍ପଷ୍ଟ ବାରି ହେଇ ଯାଉଥାଏ । କାନ୍ଥ ଘଡ଼ିଟା ପାଞ୍ଚଟା ବାଜିବାର ସୂଚନା ଦେଲା । ପାଖରେ ବସିଥିବା ସହକର୍ମୀ ଅମର ପଚାରିଲା, “କିରେ ରାକେଶ କ’ଣ ହେଲା, ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ?” ରାକେଶ କ‌ହିଲା, “ଦେଖୁନୁ ପାଞ୍ଚଟା ବାଜିଲାଣି, ଏ ପର୍ଯ୍ୟନ୍ତ ମୋର କାମ କିଛି ସରିନି, ସାତଟା ବେଳେ ସୀମାକୁ ମାର୍କେଟ ବିଲ୍ଡିଙ୍ଗରେ ଦେଖା କରିବାର ଅଛି, ତୁ ତ’ ଜାଣିଛୁ ଯଦି ଟିକେ ଡେରି ହେଇଯିବ, ତେବେ ସେଇଠି ରାମାୟଣ ମହାଭାରତ ସବୁ ହେଇଯିବ ।” ଅମର ହସି କରି କହିଲା, “ମୁଁ ତତେ କେତେ ଥର କହିଛି ଏ ଝିଅଙ୍କ ପଛରେ ପଡ଼ନା, ହେଲେ ତୁ ମୋ କଥା ଶୁଣିଲେ ସିନା, ଏବେ ପଡ଼ିଛୁ ତ’ ଭୋଗ”…

ବାକିଥିବା କାମରେ ଲାଗି ପଡ଼ିଲା ରାକେଶ କିନ୍ତୁ ମନେ ମନେ ସୀମା କଥା ଭାବୁଥାଏ । ବର୍ଷେ ତଳେ ସୀମା ସହିତ ଦେଖା, ସବୁ ଭଲ କିନ୍ତୁ ରାଗଟା ସବୁବେଳେ ତା’ ନାକ ଉପରେ ଥାଏ, ଆଉ ଯେତେ ଶୀଘ୍ର ଆସେ ସେତେ ଡେରିରେ ଯାଏ ସେ ରାଗ, ସେ ପୁଣି ଦି ଚାରିଟା ଗିଫ୍ଟ ଦେଇ ମନାଇବା ପରେ । ବହୁ କଷ୍ଟରେ ସାଢ଼େ ଛ’ଟା ସୁଦ୍ଧା କାମ ସାରି ଅଫିସରୁ ବାହାରିଲା ରାକେଶ, ମେନ୍‌ରୋଡ୍ ଧରିଲା ବେଳକୁ ରାସ୍ତାରେ ପ୍ରବଳ ଟ୍ରାଫିକ, କିଛି ବାଟ ଆସିଲା ପରେ ପୋଲିସ ଚେକିଙ୍ଗ ଚାଲିଥାଏ, ସୀମାକୁ ସାମ୍ନା କଲେ ନିଜ ଅବସ୍ଥା କ’ଣ ହେବ ଭାବି ଫୋନ କରିବାକୁ ଚେଷ୍ଟା କଲା, ହେଲେ ପୋଡାମୁହାଁ ନେଟୱର୍କ ବି ଖରାପ, ଫୋନ ଲାଗିଲା ନାହିଁ, ମାର୍କେଟ ବିଲ୍ଡିଙ୍ଗ ପହଞ୍ଚିଲା ବେଳକୁ ପ୍ରାୟ ଆଠଟା । ସୀମାର ଆଖିରୁ ଯେମିତି ଖାଲି ନିଆଁ ବର୍ଷୁଥାଏ । ଯେମିତି ରାକେଶକୁ ଦେଖିଲା ଆରମ୍ଭ ହେଲା ରାମାୟଣ ମହାଭାରତ, ଚୁପଚାପ ବସି ଶୁଣୁଥାଏ । ଦଶ ମିନିଟ ଯାଏଁ ଯାହା ତା’ ମନରେ ଆସିଲା କହିଗଲା । ଧୀରେ ଧୀରେ ରାଗ ଶାନ୍ତ ହେଲା ପରେ ତାକୁ ନେଇ ଗୋଟେ ଦୋକାନକୁ ଯାଇ ଦୁଇଟା ଡ୍ରେସ କିଣି ଦେବାକୁ ପଡ଼ିଲା, ତା’ପରେ ମାଡାମଙ୍କର ମୁହଁରେ ଟିକେ ହସ ଆସିଲା ।

କିଛି ମାସ ପରେ ସୀମାର ଜନ୍ମଦିନ ଥିଲା । ରାକେଶ ଭାବୁଥିଲା ଏଥର ଜନ୍ମଦିନଟା ଭଲରେ ଏକାଠି କଟେଇବୁ, ଗୋଟେ ଦିନ ଆଗରୁ ସୀମାକୁ ଫୋନ କଲା, କିନ୍ତୁ ସେ ଥିଲା ଯାଇ ରାଉରକେଲାରେ । ଭାରି ରାଗ ଲାଗିଲା ତା’ ଉପରେ, ଯିବା ପୁର୍ବରୁ ଟିକେ କହିଥିଲେ କ’ଣ ହେଇନଥାନ୍ତା? “ହଠାତ୍ ଅଫିସ୍ କାମରେ ଆସିବାକୁ ପଡ଼ିଲା, ତମେ ଯଦି ଚାହିଁବ ତା’ହେଲେ ରାଉରକେଲା ଆସି ପାରିବ, ମୁଁ ବି ସେ ଦିନଟା ଛୁଟି ନେଇଯିବି, ସାଙ୍ଗ ହେଇ ସେଲିବ୍ରେଟ କରିବା…,” ସୀମା କ‌ହିଲା ।

ଅଫିସରେ ଟିକେ କାମ ଅଛି ଯାଇ ପାରିବି ନାହିଁ ବୋଧେ, ଠିକ୍ ଅଛି ଟିମ୍‌ଲିଡର ସହ କଥା ହେଇ ତୁମକୁ ଜଣାଇବି । ଅଫିସର ସବୁ କାମ ସାରି ଗୋଟେ ଦିନ ଛୁଟି ପାଇଁ ଆବେଦନ କରିଦେଲା, ଛୁଟି ମିଳିବାରେ କିଛି ଅସୁବିଧା ବି ହେଲାନାହିଁ । ରାତି ବସ୍‌ରେ ଯିବା, ଦିନଟା ସେଠି ସୀମା ସହ ବିତାଇ ପୁଣି ରାତି ବସ୍‌ରେ ଫେରି ଆସିବା, ସନ୍ଧ୍ୟାରେ ଅଫିସରୁ ବାହାରି ସୀମାକୁ ଫୋନ କରି କହିଲା ସକାଳୁ ପହଞ୍ଚି ଯିବି ବୋଲି । କାମ ବ୍ୟସ୍ତରେ ମୋବାଇଲ ଚାର୍ଜ କରିବାକୁ ବି ଭୁଲି ଯାଇଥାଏ । ବସ୍‌ରେ ବସୁ ବସୁ ମୋବାଇଲ ବି ବନ୍ଦ ହେଇଗଲା । ଆଉ ସୀମା ସହ କଥା ହେଇ ପାରିଲାନି ରାତିରେ । ସକାଳୁ ସକାଳୁ ପହଞ୍ଚି ସୀମାକୁ ଫୋନ କରି ତା’ର ହୋଟେଲ ଠିକଣା ନେଇ ସେଠି ପହଞ୍ଚିଲା ପରେ ସୀମା କହିଲା, “ଟିକେ ରେଷ୍ଟ ନେଉଥାଅ, ମୁଁ ଟିକେ ବାହାରକୁ ଯାଉଛି କିଛି ସମୟ ପରେ ଆସିବି..”

ତମରି ପାଇଁ ମୁଁ ଏଠାକୁ ଆସିଲି ଆଉ ତମେଏବେ ଯାଉଛ..? ଆଜି ଟିକେ ଅଫିସ କାମରେ ବାହାରକୁ ଯିବାର ଅଛି, ତୁମେ ଏଠି ଥାଅ, ମୁଁ କାମ ସାରି ଶୀଘ୍ର ଫେରିବି, ଆସିଲେ ଆମେ ବୁଲିବାକୁ ଯିବା । ରାଗ ଓ ଅଭିମାନରେ କିନ୍ତୁ କିଛି କହିଲାନାହିଁ ରାକେଶ, ରାତ୍ରି ଯାତ୍ରାର ଥକ୍କାରେ ଆଖି ବୁଜିଯାଇଥିଲା, ହଠାତ୍ ଆଖି ଖୋଲିଲା ବେଳକୁ ଦିନ ୧୨ଟା, ସୀମାର ଦେଖା ନ ଥାଏ…

ପୁଣି ଥରେ ଫୋନ, କହିଲା ତା’ର କାମ ସରିନି ଆଉ କିଛି ସମୟ ପରେ ଆସିବ… ସୀମା ଏ କ’ଣ ଚାଲିଛି? ତମ ପାଇଁ ଅଫିସ ବନ୍ଦ କରି ଏଠାକୁ ଆସିଲି କେବଳ ଆମେ କିଛି ସମୟ ଏକାଠି ବିତାଇ ପାରିବା, କିନ୍ତୁ ତମେ ଗୋଟେ ଦିନ ଛୁଟି ନେଇ ପାରିଲ ନାହିଁ? ମୁଁ ବା କ’ଣ କରିବି, ଗୋଟେ ଜରୁରୀ କାମ ଥିଲା, ସେଥିପାଇଁ ଛୁଟି ନେଇ ପାରିଲି ନାହିଁ, ମୁଁ ତ’ କହୁଛି ଆଉ କିଛି ସମୟ ପରେ ଆସିବି ବୋଲି, ତମେ ମୋ ପାଇଁ ଏତିକି କରିପାରିବ ନାହିଁ କହି ଫୋନ କାଟି ଦେଲା ସୀମା…

ସେ ବନ୍ଦ ରୁମ ଭିତରେ ଏମିତି ଲାଗୁଥିଲା ଯେମିତି ଅଣନିଶ୍ୱାସୀ ହେଇ ପଡ଼ିବ ରାକେଶ, ସେତେବେଳେ ଅମରର କଥା ଗୁଡ଼ାକ ତା’ କାନ ଚାରିପଟେ ଖାଲି ପ୍ରତିଧ୍ୱନି ହେଇ ବୁଲୁଥିଲା, ମନେ ମନେ କହିଲା ବହୁତ ହେଇଗଲା, ବ୍ୟାଗ ପ୍ୟାକ କରି ଆଉ ରୁମ ଚାବିକୁ ରିସେପ୍ସନରେ ଦେଇ ପାଦ ଦୁଇକୁ ଆଗକୁ ବଢ଼ାଇଲା ଫେରିବା ପାଇଁ, ପ୍ରାୟ ୪ଟା ପାଖାପାଖି ସୀମାର ଫୋନ, ଅଭିମାନ ଭରା ମନରେ ଫୋନକୁ କାଟି ଗୋଟେ ମେସେଜ ପଠେଇଲା ରାକେଶ “ସୀମା ମୁଁ ଗୋଟେ ସାଧାରଣ ପିଲା, ଗୋଟେ ସାଧାରଣ ଜୀବନ ବଞ୍ଚିବାକୁ ଚାହେଁ, ତମକୁ ବୁଝିବାକୁ ବହୁତ ଚେଷ୍ଟା କଲି କିନ୍ତୁ ପାରିଲି ନାହିଁ, ମୋତେ କ୍ଷମା କରି ଦେବ ।”

ହଠାତ୍ କାହାର ଗୋଟେ ଡାକରେ ନିଦଟା କାହିଁକି ଭାଙ୍ଗିଗଲା, ଉଠି ଦେଖିଲା ସମସ୍ତେ ଶୋଇଛନ୍ତି, ବସ୍‌ଟି ଜୋରରେ ତାର ଗନ୍ତବ୍ୟ ସ୍ଥଳ ପଥେ ଆଗେଇ ଚାଲିଛି । ମନ ଭିତରଟା ଯେମିତି ଛଟପଟ ହେଉଥାଏ, ଚାରିପଟେ ଗୋଟିଏ ନାଁ ଶୁଣା ଯାଉଥାଏ । ସବୁ କଥାକୁ ଭୁଲି ପୁଣି ଥରେ ଶୋଇବାକୁ ଚେଷ୍ଟା କଲା, ହେଲେ ନିଦ ଯେମିତି ଆଖିରୁ ହଜି ଯାଇଥାଏ ରାକେଶର, ମନେ ମନେ ଭାବୁଥାଏ ଯାହା କଲି ଠିକ୍ କଲି ତ? ନା ସୀମା ସହ ଗୋଟେ ଥର କଥା ହବା ଉଚିତ ଥିଲ!!

ଅଫିସ ଯିବାକୁ ବିଲକୁଲ ଇଛା ନ ଥାଏ।, କିନ୍ତୁ କାମ ପ୍ରେସର ଯୋଗୁଁ ଯିବାକୁ ବାଧ୍ୟ, ପହଞ୍ଚୁ ପହଞ୍ଚୁ ଅମର ସବୁ କଥା ଖୋଳତାଡ଼ କରି ପଚାରିବା ଆରମ୍ଭ କଲା, ସବୁ ଭଲ କହି ନିଜ କାମ ଆରମ୍ଭ କରିଦେଲା ରାକେଶ, କିଛି ସମୟ ପରେ ସୀମାର ଫୋନ, ସାଇଲେଣ୍ଟ ମୋଡ଼ ଆକ୍ଟିଭେଟ, ବାରମ୍ବାର ଫୋନ୍ କରି ଚାଲିଥାଏ, କିନ୍ତୁ ତା’ର କୌଣସି କଲ୍‌ର ଉତ୍ତର ଦେବା ଅବସ୍ଥାରେ ନଥିଲା ରାକେଶ, ଏସବୁ ଦେଖି ଅମରର ବି ଟିକେ ଟିକେ ସନ୍ଦେହ ହେଲା, ବାରମ୍ବାର ପଚାରି ଚାଲି ଥାଏ ସେ, ସବୁ ଭଲ କହି କଥା ଏଡାଇବାର ଚେଷ୍ଟା କଲା ରାକେଶ ।

ସେଦିନ ସନ୍ଧ୍ୟାରେ ସୀମା ଆସି ପହଞ୍ଚି ଗଲା ଘରେ, ତା’ମନରେ ହଜାରେ ପ୍ରଶ୍ନ, କିନ୍ତୁ ରାକେଶ ପାଖରେ କିଛି ଉତ୍ତର ନଥାଏ, ଛଳ ଛଳ ଆଖିରେ ସେଠାରୁ ଚାଲି ଗଲା ପରେ ରାକେଶ ଭାବୁଥିଲା ଯେମିତି କିଛି ଗୋଟେ ଭୁଲ୍ ହଉଛି, ମନ ଆଉ ହୃଦୟ ଭିତରେ ଯେମିତି ଗୋଟେ ଲଢ଼େଇ ଚାଲୁଥାଏ, ଆସ୍ତେ ଆସ୍ତେ ଅମର ବି ବୁଝି ପାରିଲା କିଛି ଗୋଟେ ଅସୁବିଧା ଚାଲିଛି ରାକେଶ ଆଉ ସୀମା ଭିତରେ । କିଛି ଦିନ ଯାଏଁ ପଚାରି ବୁଝିବାକୁ ଚେଷ୍ଟା ବି କରିଥିଲା, ହେଲେ ରାକେଶର ଉତ୍ତର ନପାଇ ସେ ବି ନିରାଶ ହେଲା…

ମନ ଆଉ ହୃଦୟ ଭିତରେ ଲଢ଼େଇ ହେଇ ହେଇ ଦି’ମାସ ବିତିଗଲା, ସୀମା ସହ ଆଉ ଦେଖା ହେଇ ନ ଥାଏ, ହେଲେ ମନର ସେ ବିଚଳିତ ଅବସ୍ଥାକୁ ଅମର ଠିକ୍‌ରେ ପଢ଼ି ପାରିଥାଏ । ଦିନେ ମାଷ୍ଟର କ୍ୟାଣ୍ଟିନରେ ବୁଲୁଥିବା ବେଳେ ରାକେଶ ଆଖିରେ ପଡ଼ିଲା, ଅମର ଆଉ ସୀମାର ଏକାଠି ଶପିଙ୍ଗ କରିବା । ତାଙ୍କୁ ସେଠି ସେ ଅବସ୍ଥାରେ ଦେଖି ମନଟା ଯେମିତି ଛଟାପଟ ହେଇ ଗଲା, ମୁଣ୍ଡରେ କିଛି ପଶୁ ନ ଥାଏ, ବିଶ୍ୱାସ ବି କରି ପାରୁ ନ ଥାଏ ଅମର ଏମିତି କରିବ ବୋଲି?

କିଛି ସମୟ ପରେ ଯାଇ ଅମର ଘରେ ପହଞ୍ଚି ତାକୁ ପଚାରିଲା ସେ ସୀମା ସହ କ’ଣ କରୁଛି ବୋଲି? ସେ ବି ତାଚ୍ଛଲ୍ୟ କରି କହିଲା କିଛି ନାହିଁ, ତୁ ତ’ ତାକୁ ଛାଡ଼ିକି ଚାଲିଗଲୁ, ମୁଁ ତା’ ପାଖରେ ପହଞ୍ଚି ଗଲି ତା’ ଦୁଃଖର ସାଥି ହେବା ପାଇଁ ।

ତୁ ମୋର ସବୁଠୁ ଭଲ ସାଙ୍ଗ ହେଇ ମୋ ସହ ଏମିତି କେମିତି କରି ପାରିଲୁ?
ମୁଁ ତ କିଛି ଖରାପ କରିନି?

ତୋତେ ବହୁତଥର ପଚାରିଛି ତମ ଦି ଜଣଙ୍କ ଭିତରେ କି ଅସୁବିଧା ଚାଲିଛି? ତୁ ମତେ କହିଥିଲୁ କି, “ଆମର ପ୍ରବ୍ଲେମ ଆମେ ସମାଧାନ କରିବୁ, ତୁ କାହିଁକି ଭିତରେ ପଶୁଛୁ? କେମିତି ତୁ ସମାଧାନ କରିବୁ? ତୁ ସୀମା ସହ କଥା ବି ହଉନୁ, ତାକୁ କଲ ବି କରୁନୁ, ସେ ଘରକୁ ଆସିଲେ ତାକୁ ଘରୁ ବାହାର କରି ଦଉଛୁ?”

ତୁ ଏସବୁ କେମିତି ଜାଣିଲୁ? ସୀମା ତତେ ସବୁ କହିଛି??
ମୁଁ କେମିତି ଜାଣିବି ସେଇଟା ବଡ଼ କଥା ନୁହେଁ,ଯଦି ତମ ଭିତରେ କିଛି ସନ୍ଦେହ ଅଛି ତେବେ କଥା ହେଇ ସମାଧାନ କର..
ତୋର ଏଥିରେ ମୁଣ୍ଡ ଖେଳେଇବା ଦରକାର ନାହିଁ, ସମୟ ଆସିଲେ ମୁଁ ସୀମା ସହ କଥା ହେବି..

“ଆଉ ସେ ସମୟ କେବେ ଆସିବ” କହି ହଠାତ୍ ପାଖ ଘର ଭିତରୁ ସୀମା ବାହାରି ଆସିଲା । ଅମର କହିଲା ଏମିତି ଆଶ୍ଚର୍ଯ୍ୟ ହବ ଦରକାର ନାହିଁ, ମୁଁ ତତେ ଦି ମାସ ହେଲା ଦେଖି ଆସୁଛି, ତୁ ଯୋଉ କଷ୍ଟରେ ଅଛୁ ମୁଁ ଜାଣିଛି, କିନ୍ତୁ ଏହି ସମସ୍ୟାର ସମାଧାନ କେବଳ ତମେ ଦୁଇ ଜଣ କଥାବାର୍ତ୍ତା ହେଇ ବାହାର କରି ପାରିବ, ମୋର କାମ ଅଛି, ମୁଁ ବାହାରକୁ ଯାଉଛି କହି ସେ ଚାଲି ଗଲା….

ଦୁଇ ଜଣ ସେ’ଠି ଛିଡ଼ା ହେଇ ପରସ୍ପରକୁ ଦେଖି ଚାଲି ଥାଆନ୍ତି, କିଛି ସମୟ ନିରବତା ପରେ ସୀମା କହିଲା ଯଦି ମୋ ଉପରେ ରାଗ ଆସିଥିଲା ମତେ ଦି ପଦ କଥା କହି ଦେଇଥାନ୍ତା, ମତେ ଛାଡ଼ି ପଳେଇ ଆସିଲ କାହିଁକି?? ସେଇ ଗୋଟିଏ କଥାକୁ ବାରମ୍ବାର କ‌ହି କିଛି ଆଉ ଲାଭ ନାହିଁ, ମୁଁ ରାଗି କରି ଚାଲି ଆସିଥିଲି, ସେଥିପାଇଁ ମୋର ଭୁଲ ହେଇ ଯାଇଛି.. କ୍ଷମା କରିଦିଅ…

ସୀମା କହିଲା, “ଭୁଲ ତ’ ମୋର, ତମେ କାହିଁକି ସରି କହୁଛ??”
ନାହିଁ ସୀମା…
ଭୁଲ କାହାର ସେଇଟା ବାହାର କରୁ କରୁ…
ହଠାତ୍…. ଚାରି ଆଡେ ଅନ୍ଧାର… କରେଣ୍ଟଟା ଚାଲି ଗଲା ବୋଧେ….
ବୋଉଲୋ କହି ଆଲିଙ୍ଗନରେ ଆବଦ୍ଧ କରିଥିଲା ରାକେଶକୁ, ତା’ ପରେ…….
ସେ ଅମାନିଆ ପ୍ରିୟା ହେଲେ କ’ଣ ହବ… ରାକେଶର ମନଟା ତ’ ଅବୁଝା…

ଡ. ରଶ୍ମି ରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ରଶ୍ମିରଞ୍ଜନ ସାହୁ ଜଣେ ରସାୟନ ବିଜ୍ଞାନର ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।