ମୟୂର ଚନ୍ଦ୍ରିକା

ମୟୂର ଚନ୍ଦ୍ରିକା

ଦିନ ନିଛାଟିଆ ଖରାବେଳଟାରେ ଖସି ପଡ଼ିଥିବା ମୟୂର ଚନ୍ଦ୍ରିକାକୁ ପାଗଳୀ ଭଳି ଗୋଟେଇ ଚାଲିଥିଲେ ରାଧିକା । ତତ୍ପରତା କହୁଥିଲା, ସେ ମୟୂର ଚନ୍ଦ୍ରିକାର ଗୁରୁତ୍ୱ ରାଧାଙ୍କ ପାଇଁ । ବେଳେ ବେଳେ ଅତି ଆପଣାର ଦ୍ରବ୍ୟକୁ ଭୂମିରେ ପଡ଼ିଥିବାର ଦେଖିଲେ ଆଖି କୋଣରେ ଜକେଇ ଆସେ । ଠିକ ସେଦିନ, ରାଇଙ୍କ ଆଖି ବି ଭିଜି ଆସିଥିଲା ଭୂମିରେ ଲୋଟି ପଡ଼ିଥିବା ମୟୁର ଚନ୍ଦ୍ରିକା ଦେଖି । ଏସବୁ ଘଟଣା ବଳିକୁ ସାମାନ୍ୟ ଦ୍ଵନ୍ଦ, ସାମାନ୍ୟ ବିସ୍ମୟ ଆଉ ସାମନ୍ୟ କୌତୁହଳ ନଜରରେ ଏକା ଲୟରେ ଅବଲୋକନ କରୁଥିଲେ କାହ୍ନା ।

ଆଉ ପ୍ରଶ୍ନ କଲେ, “ହେ କୃଷ୍ଣ ପ୍ରିୟା, ତୁମ୍ଭ ସମ୍ମୁଖରେ ମୁଁ ସ୍ୱୟଂ ଦଣ୍ଡାୟମାନ, ତଥାପି ତୁମ୍ଭେ ସେ ମୟୂର ଚନ୍ଦ୍ରିକା ପାଇଁ ଅହେତୁକ ଆବେଗ ପ୍ରଦର୍ଶନ କରୁଛ, କ’ଣ ପାଇଁ?”

ଛଳିଆ କହ୍ନାର ପ୍ରଶ୍ନର ଉତ୍ତର ରଖି କହିଲେ ରାଧିକା, “କାହ୍ନା, ମୁଁ ଜାଣେ ତୁମର ସିନ୍ଦୁର ମୋ ଭାଗ୍ୟରେ ନାହିଁ । କିନ୍ତୁ ଦୁନିଆ ଯଦି ପ୍ରଶ୍ନ କରିବ, ରାଧିକା କ’ଣ ସତରେ କାହ୍ନାଙ୍କର ପ୍ରାଣ ପ୍ରିୟାଥିଲା, ରାଧିକା କ’ଣ କୃଷ୍ଣଙ୍କ ଶ୍ରେଷ୍ଠ ଗୋପି ଥିଲା? ତେବେ ସେତେବେଳେ ଏଇ ମୟୂର ଚନ୍ଦ୍ରିକା ହିଁ ଦେବ ଉତ୍ତର, କାରଣ ସେ ହେଉଛି ଆମ ପ୍ରେମର ସାକ୍ଷୀ, ଏହି ଚନ୍ଦ୍ରିକା ହିଁ ହେବେ ଆମ ଭଲପାଇବାର ସ୍ମୃତି ଆଉ ଆମ ଛୋଟ ବଡ଼ ଘଟଣାର ଶିଳାଲିପି । ଏହି ଚନ୍ଦ୍ରିକା ଶୁଣିଛି ତୁମ ବଂଶୀରୁ ବାହାରୁଥିବା ରାଧା ରାଧା ଡାକ, ଆଉ ଏଇ ଚନ୍ଦ୍ରିକା ଦେଖିଚି ତୁମ ପାଇଁ ମୋ ହୃଦୟରେ ଲହଡ଼ି ଭାଙ୍ଗୁଥିବା ପ୍ରେମକୁ ।”

ଭିଜି ଆସିଥିବା କୃଷ୍ଣପ୍ରିୟାଙ୍କ ନୟନକୁ ଚାହିଁ କପଟୀ କୃଷ୍ଣ କହିଲେ, “ହେ ରାଧାରାଣୀ… ତୁମ ମୋ ସମ୍ପର୍କ ଗୋଟେ ଜନ୍ମର ନୁହେଁ, ଯୁଗ ଯୁଗର… । ଏ ପୃଥିବୀରେ ଯେବେ କୃଷ୍ଣ ନାମ ଆସିବ ତା’ ପୂର୍ବରୁ ରାଧା ନାମ ଆସିବ, ଯେଉଁଠି ରାଧା ସେଇଠି କୃଷ୍ଣ, ଶରୀର ସିନା ଅଲଗା ଥିବ, ହେଲେ ସମସ୍ତଙ୍କ କଣ୍ଠରେ ରାଧା କୃଷ୍ଣ ଏକ ହୋଇକି ଥିବ । ବାକି ରହିଲା ବିବାହ । ସିନ୍ଦୁର କେବଳ ଗୋଟେ ଜନ୍ମ ପାଇଁ, ରାଧିକା… ହେଲେ ପ୍ରକୃତ ଭଲ ପାଇବା ଜନ୍ମ ଜନ୍ମ ପାଇଁ ।।।”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu