You are currently viewing ଅନୁଭୂତିର ଫର୍ଦ୍ଦ
ଅନୁଭୂତିର ଫର୍ଦ୍ଦ

ଅନୁଭୂତିର ଫର୍ଦ୍ଦ

ପ୍ରତିଦିନ ସକାଳ ଖବର କାଗଜରେ ଏମିତି ଖବର ପ୍ରକାଶ ପାଏ । “ପୁଲିସ ଗୁଳିରେ ୩ ମାଓବାଦୀ ନିହତ । ମାଲକାନଗିରିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ ।” ଆଉ ଏଇ ମାଓବାଦୀ ଆଦିବାସୀ ସମ୍ପ୍ରଦାୟର ବୋଲି ପ୍ରାୟ ଲେଖା ଥାଏ । ଆମ ରାଜ୍ୟର କେ.ବି.କେ ଜିଲ୍ଲା କହିଲେ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଆଦି ଜିଲ୍ଳାକୁ ବୁଝାଏ । ଏହିସବୁ ଜିଲ୍ଲାରେ ଅଧିକ ଜଙ୍ଗଲ ଅଛି ଆଉ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ସେହି ଅଞ୍ଚଳକୁ କେବେ ଯିବାର କଥା ଶୁଣିଲେ ସ୍ୱତଃପ୍ରବୃତ୍ତ ଭାବରେ ଜଙ୍ଗଲ ଆଉ ମାଓବାଦୀଙ୍କ କଥା ମନକୁ ଆସେ । ମନରେ ଭୟ ସଞ୍ଚାର ହୁଏ । ମନରେ ପ୍ରଶ୍ନ ଆସେ ଏଇ ସରଳ ଆଦିବାସୀମାନେ କାହିଁକି ମାଓବାଦୀ ହୁଅନ୍ତି ? ସେମାନେ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଚାଷବାସ କରନ୍ତି ଆଉ ଯଦି କାହାର ଦେହ ଖରାପ ହୁଏ ଗାଁ ଠାକୁରାଣୀ ଆଉ ଚେରମୂଳି ଔଷଧ ଦିଅନ୍ତି । ସେମାନେ ତ ଆଧୁନିକ ଚିକିତ୍ସା ପଦ୍ଧତିରେ ବିଶ୍ୱାସ କରନ୍ତି ନାହିଁ । କ’ଣ ସେମାନଙ୍କ ଅଭିଯୋଗ? କାହିଁକି ସେମାନେ ଏଭଳି ପଥ ଆପଣେଇ ଦେଶଦ୍ରୋହୀ ହୁଅନ୍ତି ? ଆଉ ସମାଜର ମୁଖ୍ୟସ୍ରୋତରୁ ଦୂରେଇଯାଆନ୍ତି ??

ଯୁକ୍ତ ଦୁଇ ବିଜ୍ଞାନ ପଢ଼ି ସାରିଲା ପରେ ପ୍ରାରମ୍ଭିକ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ମୋତେ କଳାହାଣ୍ଡି ଯିବାକୁ ହେଲା । ମୁଁ ତ ଡରି ଯାଇଥିଲି । ସେଠାକୁ ଯିବାବେଳେ ରାସ୍ତାର ଦୁଇ ପାର୍ଶ୍ୱର ଘଞ୍ଚ ଜଙ୍ଗଲ ଆଉ ସତେ ଯେମିତି ପାହାଡ଼ର ଛାତି ଚିରି ରାସ୍ତା ତିଆରି ହୋଇଛି । ବନ୍ଧୁର ଆଉ ସଂକୀର୍ଣ୍ଣ ରାସ୍ତାରେ ବସ୍ ଯେମିତି ହୁଏ, ରାତିରେ ନିଦ ହୁଏନି ।

ଯେଉଁ ଅନୁଷ୍ଠାନରେ ମୋର ଆଡ଼୍‌ମିଶନ ହେଲା ସେଇଟା ଥିଲା ଗୋଟେ ଛୋଟ ସହର “ଧର୍ମଗଡ଼” । ଭବାନୀପାଟଣାଠାରୁ ୪୦ କିଲୋମିଟର ଦୂର । ସେଠାରେ ରହିବାର ବନ୍ଦୋବସ୍ତ ବି ହୋଇଗଲା । ମୋ ସହ ଯେଉଁ ୩ ଜଣ ସହପାଠୀ ରହୁଥିଲେ ସେମାନେ ଥିଲେ ଆଦିବାସୀ । ସେମାନଙ୍କଠାରୁ ମାଓବାଦୀଙ୍କ କାହାଣୀ ଶୁଣିଥିଲି । ସେମାନେ ରାତିରେ ଆସି ଗାଆଁରେ ପୋଷ୍ଟର ଲଗେଇଦେଇ ଯାଆନ୍ତି । ସଭା ହୁଏ ଏମିତି ଜାଗାରେ ଯେମିତି ବକ୍ତାଙ୍କୁ କେହି ଦେଖିପାରିବେନି, କେବଳ ଶୁଣିପାରିବେ । ସେମାନେ କିପରି ଗାଆଁରେ ଭୟଭୀତ ଆଉ ଆତଙ୍କିତ ଜୀବନ ବିତାନ୍ତି ଶୁଣିଲେ ଲୋମ ଟାଙ୍କୁରି ଉଠେ ।

ଥରେ ମୋ ରୁମ୍‌ରେ ରହୁଥିବା ସାଙ୍ଗର ଭାଇ ଆସିଥିଲେ । ସେ ଓଡ଼ିଶା ପୋଲିସରେ ଅଛନ୍ତି । ସେ ତାଙ୍କ ମୋବାଇଲରେ ମାଓବାଦୀ ଅପରେସନ ସମୟର ବହୁତ ଫୋଟୋ ଦେଖେଇଲେ । ସେମାନଙ୍କ ଅସ୍ତ୍ରଶସ୍ତ୍ର ଆଉ ସେମାନଙ୍କ ଫୋଟୋ ବି । ମୁଁ ତାଙ୍କୁ ପଚାରିଲି, “ଆପଣଙ୍କୁ ଡର ଲାଗେନି?” ସେ କହିଲେ, “ନା । ସେମାନଙ୍କ ପାଖରେ ଆମ ପୋଲିସମାନଙ୍କ ତୁଳନାରେ ବେଶି ଅସ୍ତ୍ରଶସ୍ତ୍ର ନଥାଏ । ଗୁଳିବିନିମୟ ହେଲେ ସେମାନେ ଛାଡ଼ିକି ପଳାନ୍ତି ନ ହେଲେ ଅତ୍ମସମର୍ପଣ କରନ୍ତି ।” ମୁଁ ପୁଣି ପଚାରିଲି, “ଆପଣ ପୋଲିସ ହେଇ ଦେଶସେବା କରୁଛନ୍ତି । ଅଥଚ କିଛି ଲୋକ ଏମିତି ରାସ୍ତାକୁ ଯାଉଛନ୍ତି କାହିଁକି ?” ସେ ଯାହା କହିଲେ ତାହା ମୋ କଳ୍ପନାର ବାହାରେ ଥିଲା ।

ସେ କହିଲେ, “ମାଓବାଦୀମାନେ ଆଦିବାସୀ ପୁଅ ଆଉ ଝିଅଙ୍କୁ ସ୍କୁଲ ଯିବାବେଳେ କି ଏକୁଟିଆ ଦେଖିଲେ ତାଙ୍କୁ ଅପହରଣ କରି ନେଇ ଯାଆନ୍ତି ଆଉ ଜଙ୍ଗଲ ଭିତରେ ତାଲିମ ଦେଇ ବାଧ୍ୟ କରନ୍ତି ଏମିତି କାମ କରିବାକୁ । ରାଜି ନହେଲେ ପରିବାର ଲୋକଙ୍କୁ ହତ୍ୟା କରିବାର ଧମକ । ଘଞ୍ଚ ଜଙ୍ଗଲରୁ ନିଜ ଗାଆଁକୁ ଫେରିବାର ରାସ୍ତା ନପାଇ ସେମାନେ ବା କରିବେ କ’ଣ ?”

ସତରେ ନିରୀହ ଆଦିବାସୀ ଝିଅ ଆଉ ପୁଅ କେମିତି ଚକ୍ରବ୍ୟୁହରେ ଫସି ଯାଆନ୍ତି ଯେଉଁଠାରୁ ଫେରିବାର ରାସ୍ତା ନଥାଏ । ଆମ ସମାଜରେ ଚଳପ୍ରଚଳ କରୁଥିବା ରାଜନୈତିକ ଲୋକ ହିଁ ନିଜ ସ୍ୱାର୍ଥ ପାଇଁ ମାଓବାଦୀଙ୍କୁ ଜନ୍ମ ଦେଇଛନ୍ତି । ତା’ର ଶିକାର ହେଉଛନ୍ତି ସରଳ ନିରୀହ ଆଦିବାସୀ ।

ସମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।