You are currently viewing ଅଫେରା ବାଦଲ
ଅଫେରା ବାଦଲ

ଅଫେରା ବାଦଲ

ବାଦଲର (ସ୍ନେହର ନାମ ବୁଲା) ଫୋନ୍ ଆସିଥିଲା । ପଡ଼ିଶା ଘର ମିନତୀ କହିଯାଇଥିଲା କି କାଲି ରାତିକୁ ବୁଲା ଆସି ଘରେ ପହଞ୍ଚିବ । ବୁଢ଼ାବୁଢ଼ୀ ଦୁଇଜଣଙ୍କ ଆନନ୍ଦ କହିଲେ ନ ସରେ । ବୁଢ଼ୀ, ଘର ବାଡ଼ି ସଫା ସୁତୁରାରେ ଲାଗିଥାଏ ଆଉ ମନେ ମନେ ଗୁଣୁ ଗୁଣୁ ହେଉଥାଏ, “ଆମେ ସିନା ଗାଆଁରେ ରହୁଛୁ, ଆମ କଥା ଛାଡ଼; ହେଲେ ବୁଲାଟା ବିଦେଶରେ ରହିଲାଣି, ଆଉ କିଛି ଦିନ ଗଲେ ଚାକିରୀ କରିବ…… ତେଣୁ ସେ କେମିତି ଏ ଅସନାରେ ରହିବ ! ସେ ଆସିବା ପୁର୍ବରୁ ମୁଁ ସବୁ ସଫା ସୁତୁରା କରିଦେବି ।” “ହେଇଟି ଶୁଣୁଛ……” ବୁଢ଼ୀ ଡାକ ଦେଲା ବୁଲା ବାପାକୁ । “ଜଲଦି ହାଟକୁ ଯାଇ ଚୁନା ମାଛ ଆଣିଆସ…… ମୋ ଧନକୁ ଚୁନା ମାଛ ଭାରି ପସନ୍ଦ ।” ବୁଢ଼ା ତୋରାଣି ମୁନ୍ଦେ ପିଇ, ତରତର ହେଇ ହାଟକୁ ବାହାରିଗଲା । ଏଣେ ବୁଢ଼ୀ ନିଜ କାମରେ ଲାଗିଗଲା….. ମନେ ମନେ କହି ହେଉଥାଏ “ହେ ମା’ ଶାରଳା ଲୋ, ମୋ ପୁଅକୁ ଘଣ୍ଟ ଘୋଡ଼େଇ ରଖିଥା, ସେ ଭଲରେ ଭଲରେ ଘରେ ପହଞ୍ଚୁ ।” ପ୍ରାୟ ବର୍ଷେ ହେଇଯିବ, ବାଦଲ ଘରକୁ ଆସି ନଥାଏ ।

ଏଠି କହି ରଖିବା ଉଚିତ୍ ହେବ ଯେ, ଗତ ଚାରି ପାଞ୍ଚ ବର୍ଷ ହେବ, ବାଦଲ ତା’ର କଲେଜର ଜଣେ ଅଧ୍ୟାପକଙ୍କ ସହାୟତାରେ ଦିଲ୍ଲୀରେ (‘ବିଦେଶରେ’, ବୁଲା ବୋଉ ଓ ବାପାଙ୍କ ଭାଷାରେ) ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପଢ଼ାପଢ଼ି କରୁଥିଲା । ପଇସା ପତ୍ରର ଅଭାବ ଯୋଗୁଁ, କୋଚିଂରେ ପଢ଼ୁଥିବା ସାଙ୍ଗସାଥୀ ମାନଙ୍କଠୁ ପଢ଼ା ନୋଟ୍ ଯୋଗାଡ଼ କରି, ସେ ତା’ର ପ୍ରସ୍ତୁତି ଚଳେଇ ଥାଏ । ଭଗବାନଙ୍କ କୃପା ଆଉ ସେହି ଅଧ୍ୟାପକଙ୍କ ସାହାଯ୍ୟରେ ତା’ର ମାସିକ ଘରଭଡ଼ା ଏବଂ ଖାଇବା ପିଇବା ଯେନ ତେନ ପ୍ରକାର ହେଇଯାଉଥାଏ । ବାଦଲ ମଧ୍ୟ ନିଜ ପଢ଼ାପଢ଼ିରେ ହେଳା କରୁନଥାଏ । ନିଜ ପଢ଼ାପଢ଼ି ସହ, ସେ ଦୁଇ-ତିନିଟା ଟ୍ୟୁସନ ଧରିଥାଏ, ସେଥିରୁ କିଛି ପଇସା ବାପାବୋଉଙ୍କ ପାଇଁ ପ୍ରତି ମାସରେ ଘରକୁ ପଠାଉଥାଏ । ରାଜଧାନୀର ସେ ମାୟାପବନରେ, ସେ ନିମିଷକ ପାଇଁ ମଧ୍ୟ ଭୁଲି ନଥାଏ ବାପା ବୋଉଙ୍କୁ, ତା’ର ବାପା ବୋଉଙ୍କର ସ୍ନେହ, ଆଦର ଓ ବିଶ୍ୱାସକୁ । ଭୁଲି ନଥାଏ ତା’ର ଦାରିଦ୍ର୍ୟତାକୁ ଏବଂ ଭୁଲି ନଥାଏ ସେହି ଅଧ୍ୟାପକଙ୍କ ସହାୟତାକୁ । ସବୁ ଦିନ ତା’ ଆଖି ଆଗରେ ସେହି ଗୋଟିଏ ଚିତ୍ର ଭାସି ଆସୁଥାଏ….. ଯେଉଁ ଦିନ ତା’ ବାପା ତା’ର ପଢ଼ାପଢ଼ିରେ ସହାୟତା ପାଇଁ ସେହି ଅଧ୍ୟାପକଙ୍କ ନିକଟରେ ନେହୁରା ହେଇଥିଲେ ଏବଂ କାନ୍ଦି କାନ୍ଦି ନିଜର ଅଭାବକୁ ପ୍ରକାଶ କରିଥିଲେ, ଆଉ ପରିଣାମସ୍ୱବରୂପ ସେହି ଅଧ୍ୟାପକ ଜଣଙ୍କ ସାହାଯ୍ୟର ହାତ ବଢ଼େଇ ଥିଲେ ଏବଂ ପାଲଟି ଯାଇଥିଲେ ବୁଲା ପାଇଁ ଭଗବାନ । ସେ ମଧ୍ୟ ସେଦିନ ପଣକରିଥିଲା ଯେ, ବାପା ବୋଉ ଆଉ ଅଧ୍ୟାପକଙ୍କ ବିଶ୍ୱାସ ଓ ଭରସାକୁ ଫଳବତୀ କରିବ ବୋଲି ।

ଏଣେ ସିଭିଲ୍ ସର୍ଭିସ୍ ପରୀକ୍ଷାର ରେଜଲ୍ଟ ବାହାରିବା ପରେ, ଘରକୁ ଯିବା ପାଇଁ ବାଦଲର ମନ ବଳେଇଲା । ପ୍ରାୟ ବର୍ଷେ ପରେ ଘରକୁ ଯିବାର ଆନନ୍ଦରେ, ବାଦଲର ପାଦ ଭୂମି ସ୍ପର୍ଶ କରୁନଥାଏ । ଏ ଖୁସିକୁ ଦ୍ୱିଗୁଣିତ କରୁଥାଏ, ତା’ର ସିଭିଲ୍ ସର୍ଭିସ୍ ପରୀକ୍ଷାର ରେଜଲ୍ଟ । ସର୍ବ ଭାରତୀୟ ସ୍ତରରେ, ୧୦୦ ଜଣଙ୍କ ମଧ୍ୟେ ତା’ର ନାମ ଥାଏ । ନିଜର ପରିଶ୍ରମ, ବାପା ବୋଉଙ୍କ ଆଶୀର୍ବାଦ, ଏବଂ ଭଗବାନଙ୍କ କୃପା ବଳରେ ସେ ଆଜି ଏ ସଫଳତା ପାଇଛି । ରେଜଲଟ୍ ବାହାରିବା ପରେ, ମିନତୀ ଭାଉଜ ମାଧ୍ୟମରେ ସେ ଘରକୁ ଜଣେଇ ଦେଇଥିଲା । ବୁଢ଼ା ବାପା ବୋଉଙ୍କ ଖୁସି କହିଲେ ନ ସରେ । ଏପରିକି, ସାରା ଗାଆଁଟା ଆନନ୍ଦରେ ନାଚି ଉଠିଥିଲା ଏ ଖବର ଶୁଣି । କିଏ କେବେ ବିଶ୍ୱାସ କରି ପାରିନଥିଲେ କି ସେହି ମଫସଲ୍ ଗାଆଁର ଗୋଟେ ପିଲା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ ହେବ ବୋଲି ! ଏ ଭିତରେ ସବୁଠୁ ଅଧିକ ଆନନ୍ଦିତ ହେଇଥିଲେ ସେ ଅଧ୍ୟାପକ, ଯାହାଙ୍କର ସାହାଯ୍ୟର ହାତ ଶେଷ ପର୍ଯ୍ୟନ୍ତ ବି ବାଦଲର ମୁଣ୍ଡ ଉପରେ ଥିଲା । କହିବା ବାହୁଲ୍ୟ ଯେ, ରେଜଲ୍ଟ ବାହାରିବାପରେ ବାଦଲ ସର୍ବପ୍ରଥମେ ତାଙ୍କୁ ହିଁ ଜଣାଇଥିଲା ଏବଂ ତାଙ୍କ ଆଶୀର୍ବାଦ ପ୍ରାଥନା କରିଥିଲା ।

କିଛି ଦିନ ଉପରାନ୍ତେ, ଘରକୁ ଯିବ ବୋଲି ସେ ଟ୍ରେନ୍ ଟିକେଟ୍ ବୁକିଂ କଲା, ଏବଂ ପଡ଼ୋଶୀ ମିନତୀ ଭାଉଜ ଦ୍ୱାରା ଘରକୁ ମଧ୍ୟ ଜଣେଇ ଦେଲା । ସନ୍ଧ୍ୟା ୫ଟାରେ ତା’ର ଗାଡ଼ି, ସେଥିପାଇଁ ସବୁ ଜିନିଷକୁ ଯୋଗାଡ଼ କରି ବ୍ୟାଗରେ ରଖୁଥାଏ । କିଛି ଯେମିତି ନ ଭୁଲେ, ସେଥିଲାଗି ତା’ ସାଙ୍ଗକୁ ବି କାମରେ ଲଗେଇ ଦେଇଥାଏ । ଗାଆଁରେ ଥିବା ସାଙ୍ଗ, କାଳିଆକୁ ଫୋନ୍ କରି ଜଣେଇ ଦେଇଥାଏ, ଯଦି ଟ୍ରେନ୍ ଲେଟ୍ ହୁଏ, ତା’କୁ ଆସି କଟକରୁ ବାଇକ୍‌ରେ ନେଇଯିବା ପାଇଁ । ସବୁକିଛି ଠିକ ଠାକ୍ କରି, ନିର୍ଦ୍ଦିଷ୍ଟ ସମୟ ପୁର୍ବରୁ ଦିଲ୍ଲୀ ଷ୍ଟେସନରେ ଆସି ପହଞ୍ଚି ଗାଡ଼ି ଧରି ନେଇଥିଲା । ମନରେ ଅସରନ୍ତି ଆନନ୍ଦ । ବହୁତ ଖୁସି ଆଜି ସେ । ବାପା ବୋଉଙ୍କ ସ୍ୱପ୍ନକୁ ଆଜି ସେ ସାକାର କରିଛି । ଆଉ ତା’ ବାପା ମୂଲ ଲାଗିବେନି, ଦାରିଦ୍ର୍ୟତା ତାଙ୍କର ଦୂରେଇ ଯିବ । ବୋଉ ପାଇଁ ଦିଲ୍ଲୀରୁ ଖୋଜି ଖୋଜି ଭଲ ଶାଢ଼ୀଟିଏ ନେଇଛି, ଆଉ ବାପାଙ୍କ ପାଇଁ ଧୋତି-ସାର୍ଟଟିଏ । ଟ୍ରେନ୍ ତା’ ପରଦିନ ସନ୍ଧ୍ୟା ୫-୫.୩୦ଟାରେ ପହଞ୍ଚିବାର ଥାଏ । କଟକରେ ପହଞ୍ଚି, ପୁଣି ତାକୁ ବସ୍ ଧରିବାର ଅଛି; ଶେଷ ବସ୍ ୬.୩୦ରେ ଥାଏ । ତାକୁ ନ ଧରି ପାରିଲେ, ପୁଣି ଘରେ ପହଞ୍ଚିବା ପାଇଁ ବହୁ ଅସୁବିଧା । ଏମିତି ଅନେକ କଥା ମୁଣ୍ଡରେ ଘାଣ୍ଟିଚକଟି ହେଉଥାଏ । ସତକୁ ସତ ତା’ ଅନୁମାନ ସତ ହେଲା, ଟ୍ରେନ୍ ୧ ଘଣ୍ଟା ୨୦ ମିନିଟ୍ ବିଳମ୍ବରେ ପହଞ୍ଚିଲା । ତରତର ହୋଇ, ନିଜ ବ୍ୟାଗକୁ ସାଙ୍ଗରେ ନେଇ ଷ୍ଟେସନ ବାହାରକୁ ବାହାରି ଆସିଲା ଏବଂ କାଳିଆକୁ ଫୋନ୍ ଲଗେଇଲା । କାଳିଆ ନିଜ କିଛି କାମ ସାରି ତା’କୁ ୧୦ ମିନିଟ୍ ପରେ ରିସିଭ୍ କଲା ଏବଂ ଦୁଇ ସାଙ୍ଗ କିଛି ଖାଇନେଇ ଗାଁ ଅଭିମୁଖେ ବାଇକ୍ ଧରି ବାହାରି ପଡ଼ିଲେ । କଟକରୁ ତା’ ଗାଁ ୩ ରୁ ୩.୩୦ ଘଣ୍ଟାର ବାଟ । ବାଟରେ କାଳିଆ ତାକୁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବଧେଇ ଜଣେଇଲା ଏବଂ ଦୁହେଁ ପିଲାବେଳର ଅନେକ କଥା ମନେପକାଇ ଅତି ଆନନ୍ଦରେ ଯାଉଥାଆନ୍ତି । ମନରେ ଅସୁମାରୀ ଆନନ୍ଦ, କେମିତି ପହଞ୍ଚିବ ଘରେ, ବାପା ବୋଉଙ୍କୁ ଦେଖିବ । ଏହା ଭିତରେ ଗତ ୨୫-୨୬ ଘଣ୍ଟାର କ୍ଲାନ୍ତ ଯାତ୍ରା ଏବଂ ରାତ୍ରିର ସୁଲୁସୁଲିଆ ପବନ, କେତେବେଳେ ଯେ ତା ଆଖିରେ ନିଦ ଆଣିଦେଇଛି ବାଦଲ ଜାଣେ ନାହିଁ ।

ଏଣେ ଘରେ ବୁଢ଼ାବୁଢ଼ୀ ଦି’ଜଣ, ପୁଅର ଫେରିବା ବାଟକୁ ଚାହିଁ ବସି ଥାଆନ୍ତି । ବୁଢ଼ୀ, ପୁଅ ବାଦଲ ପାଇଁ ଅତି ସରାଗରେ ପଖାଳ କଂସା ଆଉ ତା’ ସାଙ୍ଗକୁ ଚୁନା ମାଛ ଭଜା, ବଡ଼ି ଚୁରା, ଆଉ ଆଳୁ ଦମ୍ ଆଦି ସଜେଇକି ରଖିଥାଏ । ବୁଲାର ପଖାଳ ଭାରି ପସନ୍ଦ, କି ଦିନ କି ରାତି, କି ବର୍ଷା କି ଶୀତ ସେ ମାନେ ନାହିଁ । ଘରକୁ ଆସିଲେ ବୋଉ ହାତରୁ ଟିକେ ପଖାଳ ନ ଖାଇବା ପର୍ଯ୍ୟନ୍ତ ତା’ର ତର ନଥାଏ । ରାତି ଆସି ୯ ଘଡ଼ି ହେଲାଣି, ବୁଲା ଏ ପର୍ଯନ୍ତ ବି ଆସି ପହଞ୍ଚିନି । କଟକରେ ପହଞ୍ଚିବା ପରେ ବି ବୁଲା ଘରକୁ ଜଣେଇ ନଥିଲା । ଗାଡ଼ି ବିଳମ୍ବ କାରଣରୁ ସେ ଜଣେଇବାକୁ ଭୁଲି ଯାଇଥିଲା । ବେଳକୁ ବେଳ ରାତି ବଢ଼ୁଥିବା ସହିତ, ବୁଢ଼ାବୁଢ଼ୀ ଦି’ଜଣଙ୍କର ଚିନ୍ତା ବି ବଢ଼ି ଚାଲିଥାଏ ।

ଏପଟେ ବିଳମ୍ବ ହେଇଯିବା କାରଣରୁ, କାଳିଆ ଗାଡ଼ିର ଗତି ଟିକେ ବଢ଼େଇଦେଇଥାଏ । ପଛପଟେ ବାଦଲ ଗୋଟେ ନିରୀହ ଶିଶୁଟିଏ ପରି କାଳିଆ ପିଠିରେ ଆଉଜି ହେଇ ଶୋଇଥାଏ । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ରାତ୍ରିର ନିଶବ୍ଦତାକୁ ଗ୍ରାସ କରିଗଲା । କିଛି ବୁଝିବା ପୁର୍ବରୁ, ସେ ଦୁଇ ଜଣ ଚେତା ହରେଇ କଂକ୍ରିଟ ରାସ୍ତା ଉପରେ ପଡ଼ିଥାଆନ୍ତି । ଘଟଣାଟା ଏମିତି…….. ଆଉ କେବଳ ଘଣ୍ଟେ କି ଦେଢ଼ ଘଣ୍ଟାର ବାଟ ବାକି ଥାଏ; ଘର ଲୋକେ ବ୍ୟସ୍ତ ହେବେଣି ଭାବି କାଳିଆ ଗାଡ଼ିର ଗତି ଆଉ ଟିକେ ବଢ଼େଇଦେଲା । ନିର୍ଜନ ରାସ୍ତା, ନିଶବ୍ଦ ରାତି, ମେନ୍ ରୋଡର ସାଇଡ୍‌ରେ ଥିବା ଠାଏ ଠାଏ ବଜାର ବି ସେତେବେଳକୁ ବନ୍ଦ ହେଇଗଲାଣି, କାହିଁ କାଁ ଭାଁ କେତୋଟି ଦୋକାନ ଖୋଲାଥାଏ । ରାତ୍ରିର ଅନ୍ଧକାରକୁ ଚିରି ବାଇକ୍‌ଟି ଆଗକୁ ମାଡ଼ିଚାଲୁଥାଏ । ଗୋଟିଏ ବଡ଼ ବାଙ୍କ ମୋଡ଼ ଦେଇ ଗଲା ବେଳେ, କାଳିଆ ଦେଖେ ତ ଗୋଟେ ଭାରୀ ଓଜନ ଟ୍ରକଟିଏ ନିଜର ଭାରସାମ୍ୟ ହରେଇ ଦୃତ ଗତିରେ ବିପରୀତ ଦିଗରେ ମାଡ଼ି ଆସୁଥାଏ । ଟ୍ରକର ହେଡ୍ ଲାଇଟ୍ ଆଖିରେ ପଡ଼ିବାରୁ, କାଳିଆକୁ କିଛି ଦେଖାଗଲା ନାହିଁ । ପରିସ୍ଥିତି ଅଣାୟତ ହେବା ଲକ୍ଷ କରି, ନିଜକୁ ଓ ସାଙ୍ଗ ବାଦଲକୁ ବଞ୍ଚେଇବା ପାଇଁ ସେ ଗାଡ଼ିକୁ ଗୋଟେ ସାଇଡ୍‌କୁ ନେବା ପାଇଁ ଚେଷ୍ଟା କରେ ତ କାଳର କରାଳ ରୂପ ନେଇ ଆସିଥିବା ସେଇ ଟ୍ରକଟି ସେମାନଙ୍କ ଆଡ଼କୁ ମାଡ଼ି ଆସିଲା । ବାଦଲ ବାଦଲ କହି ଚିତ୍କାର ଛାଡ଼ିଲା କାଳିଆ । ହେଲେ ଦୁହେଁ ସତର୍କ ହେବା ପୁର୍ବରୁ, ଟ୍ରକର ଶକ୍ତ ଧକାରେ ଛିଟିକି ପଡ଼ିଥିଲେ ଦୁଇଜଣ । ପାଖରେ ଥିବା ଏକ ବଡ଼ ଗଛରେ ବାଦଲ ପିଟିହେଇ ପୁନଶ୍ଚ ମେନ୍‌ରୋଡରେ ପଡ଼ିଥିବା ବେଳେ, କାଳିଆ ଟ୍ରକର ଚକା ତଳେ ଆସିଯାଇଥିଲା । ଖଣ୍ଡ ବିଖଣ୍ଡିତ ହେଇଯାଇଥିଲା ଦୁଇ ଜଣଙ୍କର କୋମଳ ଶରୀର, ବହିଚାଲିଥିଲା ଲହୁଲୁହର ଧାର । ବେସାହାରା ହେଇ କଂକ୍ରିଟ ରାସ୍ତାରେ ପଡ଼ିଥିଲା ଦୁହିଁଙ୍କ ଶରୀର, ନାଇଁ ଶରୀର ତ ନୁହେଁ; ଛିଣ୍ଡି ଯାଇଥିବା ହାତ ଗୋଡ଼, ରକ୍ତ ଭିଜା ସାର୍ଟ-ପ୍ୟାଣ୍ଟ, ରକ୍ତ ଭିଜା ବ୍ୟାଗ, ଆଉ ବ୍ୟାଗରେ ଥିବା ବୋଉ ପାଇଁ ଶାଢୀ ଏବଂ ବାପାଙ୍କର ଧୋତି । ରାତ୍ରୀର ସେହି ନିର୍ଜନ ସ୍ଥାନରେ, ନିଜର ଅଳ୍ପ ଟିକକ ଜୀବନ ଧରି ପଡ଼ିରହିଥିଲା ଦୁଇଟି ନିରୀହ ଜୀବନ । ଦୁର୍ଘଟଣାର ସେହି ଭୟଙ୍କର ଶବ୍ଦ ଓ ଚିତ୍କାର ଶୁଣି, ପାଖ ବଜାରରୁ ଲୋକମାନେ ଆସିବା ପୁର୍ବରୁ ସେଇ ଦୁଇ ନିରୀହ ଜୀବନର ଜୀବନ ଦୀପ ଲିଭି ଯାଇଥିଲା । ଧରା ପଡ଼ିଯିବା ଭୟରେ ସେ ଟ୍ରକବାଲାଟି ଟ୍ରକ ନେଇ ସେଠୁ ଚମ୍ପଟ ମାରିଥିଲା ।

ରାତି ଆସି ଅଧ ହେଲାଣି, ତଥାପି ବାଦଲ ଆସି ପହଞ୍ଚି ନାହିଁ । ବୁଲା ବାପା ତିନି ଚାରି ଥର ମିନତୀ ଘର ଆଡ଼େ ଯାଇ ବୁଲି ଆସିଲାଣି, କାଳେ ପୁଅର ଫୋନ ଆସିଥିଲାକି, ହେଲେ ମିନତୀ ମନା କରୁଥିଲା । ଏତେ ଡେରି ହେବାର କାରଣ ସେ ଜାଣିପାରୁନଥା’ନ୍ତି, ମନକୁ ଭାରି ପାପ ଛୁଁ’ଥାଏ । ବୁଢ଼ାବୁଢ଼ୀ ଦି’ଜଣ, କୁଆଡ଼େ ବା ଯିବେ…. ରାତି ଅଧଟାରେ ଏତେ ବଡ଼ ଗାଆଁରେ କାହାକୁ ବା କ’ଣ ପଚାରିବେ, ଡିବିଟିଏ ଜଳେଇ ଘରଦ୍ୱାର ପାଖେ ପୁଅର ବାଟକୁ ସେମିତି ଅନେଇ ବସିଥାଆନ୍ତି । ରାତି ପାହି ସକାଳ ହେଲା, ତଥାପି ବାଦଲ ଆସିଲାନି । ବାପା ମିନତୀ ଘରକୁ ଦଉଡ଼ି ଗଲେ ପୁଅର କିଛି ଖବର ଆଶାରେ, ହେଲେ ସେଠୁ ନିରାଶ ହେଇ ଫେରିଲେ । କିଛି ସମୟ ପରେ ଗୋଟେ ଆମ୍ବୁଲାନସ୍ ଆଜି ଘର ଆଗେ ଅଟକିଲା । ସକାଳୁ ସକାଳୁ ଆମ୍ବୁଲାନସ୍ ଗାଡ଼ି ଦେଖି ସାହିପଡ଼ିଶା ସବୁ ରୁଣ୍ଡ ହେଇଗଲେ । ପରେ ପରେ, ପୋଲିସ ଲୋକଟିର ଅନୁମତିରେ ଗାର୍ଡ଼ ଦୁଇ ଜଣ ଧଳା କପଡ଼ାରେ ଗୁଡ଼େଇ ହେଇଥିବା ଦୁଇଟି ମଣିଷକୁ ଆଣି ତଳେ ରଖିଦେଲେ । ପର ମୁହୁର୍ତ୍ତରେ କପଡ଼ାର କିଛି ଅଂଶ ଖୋଲିବା ପରେ, ସମସ୍ତେ ହତବାକ୍ ହେଇଯାଇଥିଲେ……. କିଛି ସମୟ ପାଇଁ ସେ ଜାଗା ଶବ୍ଦହୀନ ପାଲଟି ଯାଇଥିଲା…… ତା’ପରେ ଭିଡ଼ ଭିତରୁ କେହି ଜଣେ କହିଲା… ଆ’ରେ ୟେ… ୟେ…. ପରା ଆମ ବାଦଲ ଆଉ କାଳିଆ… ଏମାନଙ୍କର ପୁଣି କ’ଣ ହେଲା !!….. ଏମାନଙ୍କ ଏ ଅବସ୍ତା??…. “ଗତକାଲି ରାତିରେ ଏକ ଦୁର୍ଘଟଣାରେ ଏମାନେ ପ୍ରାଣ ହରାଇଛନ୍ତି….” ପୋଲିସ୍ ଲୋକଟି କହିଲା । ଏହାପରେ କାନ୍ଦ ବୋବାଳିରେ ସାରା ଗାଆଁଟା ଫାଟିପଡ଼ିଲା । ବୁଲା ବାପା ଆଉ ବୋଉ କାନ୍ଦି କାନ୍ଦି ପୁଅର ଶରୀର ଉପରେ ଲୋଟି ପଡ଼ିଥାଆନ୍ତି… ଛାତି ପିଟି ପିଟି ବୁଢ଼ାବୁଢ଼ୀ ଦି’ଜଣ ତଳେ ଗଡ଼ୁଥାଆନ୍ତି…. ବୁଢ଼ୀ ଚିତ୍କାର ଛାଡ଼ୁଥାଏ… ହେ ଧନ ତୁ’ କୁଆଡ଼େ ଗଲୁରେ… ଆମକୁ ଛାଡ଼ି ତୁ କାହିଁକି ଗଲୁରେ…. ଫେରିଆ ମୋ ଧନ…. ତୁ ଫେରିଆ…. । କେହି ଜଣେ କହୁଥାଏ… ବିଚରା କେତେ କଷ୍ଟ କରି ପଢ଼ାପଢ଼ି କରି ଶେଷରେ ଫଳ ପାଇଥିଲା, ବୁଢ଼ା-ବୁଢ଼ୀ ଦି’ଜଣ କେତେ ଯେ ଖୁସି ନ ହେଇଥିଲେ….. ହେଲେ ଦଇବ…… ତା’କୁ ବି ରଖିଲାନି !! ସେହି ଦିନଠୁ ବୁଲା ବାପା ଓ ବୋଉ ପୁଅକୁ ଝୁରି ଝୁରି ପାଗଳ ପ୍ରାୟ ହେଇଯାଇଛନ୍ତି, ଏବେବି ବାଦଲର ଫେରିବା ବାଟକୁ ଚାତକ ପରି ଚାହିଁ ବସିଛନ୍ତି । ସତରେ କ’ଣ ବାଦଲ ଫେରିବ !!….. ମମତାର ବନ୍ଧନ କ’ଣ ସତରେ ବାଦଲକୁ ଫେରାଇ ଆଣିବ….. କେଜାଣି?? ହେଲେ ସେହି ଆଶାରେ ବୁଲା ବାପା ଓ ବୋଉ ଏବେବି ଅଛନ୍ତି ।

ଶୂନ୍ୟ ହେଇଗଲା ଦୁଇ ମା’ର କୋଳ….. ଅଧା ରହିଗଲା ଗରିବ ବାପାର ସ୍ୱପ୍ନ…… ଶ୍ରୀହୀନ ହେଇଗଲା ଦୁଇ ପରିବାର……

ସତରେ, ଏ ଦୁର୍ଘଟଣା ପାଇଁ କାହିଁ କେତେ ମା’ର କୋଳ ଶୂନ୍ୟ ହେଇଯାଉଛି….. କେତେ ସ୍ତ୍ରୀ ବିଧବା ହେଉଛନ୍ତି….. କେତେ ସନ୍ତାନ ବାପା ଛେଉଣ୍ଡ ହେଉଛନ୍ତି…. କେତେ ପରିବାର ନିଶ୍ଚିହ୍ନ ହେଇଯାଉଛି…… କେତେ ଆଶା କେତେ ସ୍ୱପ୍ନ ଅଧାରେ ରହିଯାଉଛି……. । ନିଜ ନିଜର ସମାନ୍ୟ ତତ୍ପରତା, ଅସାବଧାନତା, ଭୋଗ ବିଳାସ, ଆମୋଦ ପ୍ରମୋଦ ଆଦି ପାଇଁ ଆମେ ଆଣି ଦେଉଛୁ ଅନ୍ୟମାନଙ୍କ ଜୀବନରେ ଅନ୍ଧକାର ଆଉ ଖାଲି ଅନ୍ଧକାର…….
ଏ ସମ୍ବଦ୍ଧରେ ଆମ୍ଭମାନଙ୍କର ଜାଗ୍ରତ ହେବା କ’ଣ ଉଚିତ ନୁହେଁ???

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ମୃତି ରଞ୍ଜନ ସାହୁ ଜଗତସିଂହପୁରସ୍ଥିତ ଗନାଇଲୋଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।