You are currently viewing ସାମ୍ନା ଘର ଝରକା
ସାମ୍ନା ଘର ଝରକା

ସାମ୍ନା ଘର ଝରକା

ସାମ୍ନା ଘର ଝରକା ଖୋଲା ହେବା ଦିନରୁ ଛୋଟୀ ଝିଅର ମନର ଝରକା ଯେମିତି ଖୋଲି ଯାଇଥିଲା । ନିଦ ଭାଙ୍ଗିବା କ୍ଷଣି ନିଜ କୋଠରୀର ଝରକା ପାଖରେ ବସି ସେ ଚାତକ ଭଳି ଚାହିଁ ରହୁଥିଲା ସାମ୍ନା ଘର ଝରକାକୁ । କିଛିଦିନ ଆଗରୁ ଅନେକ ମାସ ଧରି ବନ୍ଦ ରହିଥିବା ଘର ପୁଣି ମରାମତି ହେଇଥିଲା । ଘର ଦୁଆର ଆଉ ଝରକାରେ ନୂଆ ପରଦା ଲାଗିଥିଲା ଆଉ ସାମ୍ନାରେ କିଛି ନୂଆ ଫୁଲଗଛ ବି ଲାଗିଥିଲା ।

ସେଇ ଫୁଲଗଛରେ ଯେବେ ଫୁଲ ଫୁଟିଲା, ସେବେ ସେଇ ଫୁଲର ମହକରେ ଛୋଟୀ ଝିଅର ମନ ବି ମହକି ଉଠିଥିଲା । ସେଇ ଫୁଲ ଗୁଡ଼ିକରେ ଯେବେ ପ୍ରଥମଥର ପାଇଁ ପ୍ରଜାପତି ବସିଥିଲେ ସେବେ ଛୋଟୀ ଝିଅକୁ ଲାଗିଥିଲା ସେ ପ୍ରଜାପତି ଗୁଡ଼ିକ ଯେମିତି ଫୁଲରେ ନୁହେଁ ତା’ ଦେହରେ ବସିଛନ୍ତି ।

ସବୁଦିନ ସକାଳ ସାଢ଼େ ସାତଟା ବେଳକୁ ଦୁଇଟି ବଳିଷ୍ଠ ହାତ ଝରକାର କବାଟକୁ ବାହାର ଆଡ଼କୁ ଠେଲି ଦଉଥିଲା । ସେଇ ହାତର ଦର୍ଶନରେ ଦିନର ଆରମ୍ଭ ହଉଥିଲା ଛୋଟୀ ଝିଅର । ମୁହଁରେ ମିଠା ହସଟିଏ ଖେଳି ଯାଉଥିଲା ଆଉ ଛାତି ଭିତରେ ଯେମିତି ଗୋଟିଏ ହାତୁଡ଼ିର ଦୁମ୍‌ଦୁମ୍ ଶବ୍ଦ ।

ତା’ପରେ ଝରକା ଆଡ଼ୁ ଭାସି ଆସୁଥିଲା ଗୋଟିଏ ପରେ ଗୋଟିଏ ରୋମାଣ୍ଟିକ ସିନେମା ଗୀତ । ସେଇ ଗୀତର ତାଳେ ତାଳେ ହସୁଥିଲା ଆଉ କାନ୍ଦୁଥିଲା ଛୋଟୀ ଝିଅ । ତାକୁ ଲାଗୁଥିଲା ଯେମିତି ତାଆରି ପାଇଁ ବାଜୁଛି ସବୁତକ ଗୀତ । ସବୁ ଗୀତରେ ସେ ନିଜକୁ ଖୋଜି ପାଉଥିଲା ଆଉ ସାଙ୍ଗରେ ପାଉଥିଲା ସେଇ ଗହମ ରଙ୍ଗର ସୁଠାମ ମଣିଷକୁ । ଲାଜରେ ମୁହଁ ନାଲି ହେଇଯାଉଥିଲା ତା’ର । ହସିଲା ମୁହଁରେ ଭଉଁରୀ ଖେଳି ଯାଉଥିଲା ।

ସକାଳ ଠିକ ସାଢ଼େ ନ’ଟା ବେଳକୁ ନିଜ ବାଇକ କାଢ଼ୁଥିଲା ସେଇ ମଣିଷଟି । ନିଜ ଘର ଗେଟରୁ ବାଇକ ଗଡ଼େଇ ବାହାରକୁ ଆସିଲା ପରେ ପାଞ୍ଚ ସେକେଣ୍ଡ ପାଇଁ ଦେଖୁଥିଲା ଛୋଟୀ ଝିଅର ଝରକା ଆଡ଼କୁ । ଆଖିରେ ଆଖି ମିଶି ଯାଉଥିଲା । ନିଜ ସୁନ୍ଦର ମୁହଁରେ ଅପରୂପ ହସଟିଏ ଖେଳେଇ ମୁଣ୍ଡ ଟୁଙ୍ଗାରି ଅଭିବାଦନ କରୁଥିଲା ଛୋଟୀ ଝିଅକୁ । ଏଇ ପାଞ୍ଚ ସେକେଣ୍ଡରେ ଯେମିତି ସୁନାମୀ ମହାବାତ୍ୟା ଭୂମିକମ୍ପ ସବୁ କିଛି ଘଟି ଯାଉଥିଲା ଛୋଟୀ ଝିଅର ହୃଦୟ ଭିତରେ । ଲାଗୁଥିଲା ଏଇ ପାଞ୍ଚ ସେକେଣ୍ଡ ପାଇଁ ହିଁ ଯେମିତି ଜୀବନ ଧରି ବଞ୍ଚି ରହିଛି ସେ ।

ତା’ପରେ ହେଲମେଟ ଲଗେଇ ନିଜ ବାଇକରେ ବସି ଅଫିସ ଚାଲି ଯାଉଥିଲା ପିଲାଟି । କିନ୍ତୁ ଛୋଟୀ ଝିଅକୁ ଦିଶୁ ନଥିଲା ବାଇକ ବରଂ ଦିଶୁଥିଲା ମନପବନ ଘୋଡ଼ା । ମନପବନ ଘୋଡ଼ାରେ ଛୁଟିଛି ତା’ ସ୍ୱପ୍ନର ରାଜକୁମାର ଆଉ ରାଜକୁମାର ସାଙ୍ଗରେ ବସିଛି ସେ ନିଜେ । କାନରେ ହସିହସି କିଛି ଗୋଟିଏ କହୁଛି ରାଜକୁମାର । ଛୋଟୀ ଝିଅ ଲାଜେଇ ଯାଇ ମୁଣ୍ଡ ତଳକୁ କରିଦଉଛି । ଦୁହେଁ ଉଡ଼ି ଯାଉଛନ୍ତି ଜହ୍ନର ରାଇଜକୁ । ସେଇ ରାଇଜରେ ଲୁହ ନାହିଁ ଦୁଃଖ ନାହିଁ ଭୋକ ନାହିଁ ରୋଗ ନାହିଁ ଶୋକ ନାହିଁ । ଖାଲି ଅଛି ପ୍ରଚୁର ହସ, ଖୁସି ଆଉ କୁଢ଼ କୁଢ଼ ପ୍ରେମ ।

ସନ୍ଧ୍ୟା ସାତଟା ବାଜିଲେ ରାଜକୁମାରକୁ ନେଇ ମନପବନ ଘୋଡ଼ା ପୁଣି ଫେରିଆସେ ରାଜ ଉଆସକୁ । କେବେ କେବେ ଟିକିଏ ଡେରି ବି ହୁଏ । ସେଦିନ ଛୋଟୀ ଝିଅର ମନ ଦୁକୁଦୁକୁ ହୁଏ । ସବୁ ଠିକ ତ? ଆଜି ଏତେ ଡେରି କାହିଁକି? ହେଲେ କିଛି ସମୟ ପରେ ବାଇକ ଶବ୍ଦରେ ପୁଣି ଏପଟେ ମୁହଁରେ ହସ ଚହଟେ ଛୋଟୀ ଝିଅର । ଆଉ ସେପଟେ ଘର ଭିତରେ ଲାଇଟ ଜଳେ । ଝରକାର ପରଦା ହଲଚଲ ହୁଏ । ଜଗଜିତ ସିଂହର ଗଜଲ ଶବ୍ଦ ଶୁଭେ । ସେଇ ଗଜଲର ମିଠା ମିଠା ଶବ୍ଦରେ ନିଜକୁ ହଜେଇ ଦିଏ ଛୋଟୀ ଝିଅ ।

ତେବେ ଦିନେ ସକାଳୁ ସେଇ ହାତ ଦୁଇଟି ଝରକା ଖୋଲିଲାନି । ସକାଳୁ ଗୀତର ସୁର ଛୁଟିଲାନି । ଫୁଲ ବଗିଚାରୁ ମହକ ଆସିଲାନି ଛୋଟୀ ଝିଅର ଝରକା ଆଡ଼କୁ । ମନପବନ ଘୋଡ଼ା ବାହାରିଲାନି ରାଜକୁମାରକୁ ନେଇ । ସନ୍ଧ୍ୟାରେ ଗଜଲ ଶୁଭିଲାନି । ଛୋଟୀ ଝିଅର ମନରେ ଝଡ଼ । କୁଆଡ଼େ ଗଲା ସେ? କେବେ ଆସିବ? ତା’ ବିନା ଦିନଗୁଡ଼ା ଯେମିତି କଟିବାକୁ ମନା କରୁଛନ୍ତି । କେମିତି ରହିବ ଏବେ ସେ? ଦିନେ ଗଲା । ଦୁଇଦିନ ଗଲା । ଛୋଟୀ ଝିଅ ଭାବିଥିଲା ପୁଅଟି ନିଶ୍ଚୟ ଫେରି ଆସିବ ଦୁଇ ଦିନରେ । ହେଲେ କାହିଁ!! ସାତ ଦିନ ହେଇଗଲା । ତା’ର ଯେ କିଛି ଖୋଜ ଖବର ନାହିଁ । ସାମ୍ନାର ଫୁଲ ଗଛ ଶୁଖିବାକୁ ବସିଲାଣି । ପ୍ରଜାପତି ବି ଆଉ ଯେମିତି ଆସିବାକୁ ନାରାଜ ।

ଛୋଟୀ ଝିଅକୁ ଆଉ କିଛି ଭଲ ଲାଗେନି । ତା’ର ଦିନରାତି ଏବେ ସମାନ । ଟିକିଏ ଖୁଡ଼୍ ଶବ୍ଦ ହେଲେ ଝରକାରୁ ଉହୁଙ୍କି କି ଦେଖେ । କାଳେ ସେ ଆସିଗଲା କି? କାଳେ କବାଟଟା କିଏ ମେଲା କଲା କି? କାଳେ ଶୋଇବା ଘରର ଝରକାଟା ପୁଣି ଖୋଲିଗଲା କି? କାଳେ ଘର ଭିତରେ ପୁଣି ବିଜୁଳି ବତୀ ଜଳିଲା କି? ଜଗଜିତ ସିଂହ ଆଉ ଥରେ ଗୀତ ଗାଇବା ଆରମ୍ଭ କରିଦେଲେ କି? ହେଲେ ନା!! ସେମିତି କିଛି ହୁଏନି । ଝରକା ଆଡ଼ୁ ଦିଶେ ସବୁ କିଛି ଧୂସର । ଦୁନିଆରୁ ଯେମିତି ବସନ୍ତ ଚାଲି ଯାଇଛି । ଆଉ ଛୋଟୀ ଝିଅର ମନରୁ ବି ।

ତେବେ ସେଦିନ ସକାଳୁ ସକାଳୁ ଗୋଟିଏ ସୁନ୍ଦର ପ୍ରେମଭରା ଗୀତରେ ନିଦ ଭାଙ୍ଗିଗଲା ଛୋଟୀ ଝିଅର । ଝରକା ଖୋଲି ଦେଖିଲା ସାମ୍ନା ଘର ଦରଜା ଖୋଲା । ଦରଜାରେ ନୂଆ ପରଦା । ଫୁଲ ଗଛମୂଳେ ବି ପାଣି । ଛାତି ଜୋରରେ ଧଡ଼ଧଡ଼ ହେଲା ଛୋଟୀ ଝିଅର । ଫୁଲରେ ବି ଆଜି ପ୍ରଜାପତି ବସିଛନ୍ତି? ଏ କେମିତି ସମ୍ଭବ?? କାଲି ଯାଏଁ ଶୁଖିଲା ଫୁଲକୁ ବାସି ପାଣିରେ ପଚାରୁନଥିବା ପ୍ରଜାପତି ଯେ ଆଜି ଆସି ଏଠି ହାଜର । ଏଇଟା ସତ ନା ସ୍ୱପ୍ନ? ତା’ ନିଜ ମନର ପ୍ରଜାପତିକୁ ଦେଖୁଛି ଛୋଟୀ ଝିଅ ।

ପ୍ରଥମେ ଅଭିମାନରେ ଟିକିଏ ମୁହଁ ଫୁଲେଇଲା ସେ । ତା’ପରେ ନିଜେ ନିଜେ ହସିଦେଲା । ସେ ଯା ହଉ । ତା’ ରାଜକୁମାର ଏବେ ତା’ ପାଖକୁ ଫେରି ଆସିଛି । ଦିନଗୁଡ଼ା ଏବେ ପୁଣି ସୁନ୍ଦର ହେଇଯିବ ଆଉ ରାତିଗୁଡ଼ା ମଧୁମୟ । ମନପବନ ଘୋଡ଼ାରେ ଏବେ ସବୁଦିନ ସେ ବୁଲିବ ଆଉ ଗଜଲର ଶବ୍ଦରେ ସ୍ୱପ୍ନ ବୁଣିବ । ଲାଜଲାଜ ହେଇ ନିଜ ଝରକାଟିକୁ ଆଉ ଟିକିଏ ଭଲରେ ଖୋଲିଦେଲା ଛୋଟୀ ଝିଅ । ପୁଅର ଶୋଇବା ଘର ଝରକାଟି କିନ୍ତୁ ବନ୍ଦ । ତା’ମାନେ ପୁଅଟି ଏବେ ଝରକା ଖୋଲିବ । ଇସସସସ!! ସତରେ ଦଶ ଦିନର ଏଇ ବିଚ୍ଛେଦ ତାଙ୍କୁ କେତେ ଯେ ପାଖକୁ ନେଇ ଆସିଛି!! ଆଜି ଏତେ ଦିନପରେ ତାକୁ ଆଜି ମନ ପୁରେଇ ଦେଖବ ସେ । ନିଜ ଆଖିର ଦର୍ପଣରେ ବନ୍ଦୀ କରିଦେବ ତାକୁ । ଛୋଟୀ ଝିଅ ଝରକାରେ ମୁହଁଟିକୁ ଭରା ଦେଇ ସେଇଠି ବସି ରହିଲା ।

ହେଇଟି!!! ଝରକାର ଦରଜା ହଲଚଲ ହେଲା । ଏବେ ଖୋଲିବ ବୋଧେ!! ପେଟ ଭିତରେ ଗୁଡ଼ୁଗୁଡ଼ୁ ଶବ୍ଦ ହେଲା ଛୋଟୀ ଝିଅର । ସେ ଆଉରି ଅଧିକା ଆଉଜେଇ ପଡ଼ିଲା ଝରକା ଉପରକୁ । ଧଡ଼କିନି ଖୋଲିଗଲା ଝରକାଟି । ଭିତରୁ ଲମ୍ବି ଆସିଲା ଦୁଇଟି ହାତ ଝରକା ଖୋଲୁଖୋଲୁ । ତେବେ!!! ଇଏ କ’ଣ? ଏ ଯେ ସେଇ ହାତ ନୁହେଁ । ଦୁଇଟି ଗୋଲ ଗୋଲ ହଳଦିଆ ହାତ । ହାତ ଦୁଇଟିରେ ମେଞ୍ଚେମେଞ୍ଚ ନାଲି କାଚ ହଳଦିଆ ସୁନାଚୁଡ଼ି ଆଉ ଦୁଇ ପଟ ଧଳା ଧଳା ଶଙ୍ଖା । ମେହେନ୍ଦୀ ରଙ୍ଗ ଏବେ ବି ସତେଜ । ଛାତିରେ ଯେମିତି କଣ୍ଟା କିଏ ଫୋଡ଼ିଦେଲା ଛୋଟୀ ଝିଅର । ତାକୁ ଲାଗିଲା ଝରକା ଖୋଲିବା ଶବ୍ଦରେ ଚମକି ପଡ଼ି ପ୍ରଜାପତି ଗୁଡ଼ା ଉଡ଼ି ଆସିଲେ ତା’ ପାଖକୁ ଆଉ ସମ୍ବାଳୁଆ ହେଇ ତା’ ଦେହସାରା ଚଢ଼ିଗଲେ । ଛୋଟୀ ଝିଅ ଚମକି ପଡ଼ି ସେଇଠି ପଡ଼ିଗଲା ନିଜ ହ୍ୱିଲ ଚେୟାରରୁ । ତା’ ପରଠୁ ଛୋଟୀ ଝିଅ କେବେ ଆଉ ଉଡ଼ିବାର ସାହସ କରିନି ।

ଡ. ସୁଲଗ୍ନା ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।