You are currently viewing ସେବେର ଓ ଏବେର ଗଣତନ୍ତ୍ର
ସେବେର ଓ ଏବେର ଗଣତନ୍ତ୍ର

ସେବେର ଓ ଏବେର ଗଣତନ୍ତ୍ର

ମୋର ଜନ୍ମ ହୋଇନଥିଲା,
ବାସ୍ ଜୋର୍ ଜବରଦସ୍ତ ଜୀବନ ଦାନ ଦିଆ ହେଇଥିଲା ୧୯୫୦ରେ ଗଣ ଓ ତନ୍ତ୍ରକୁ ଏକାଠି କରିବାକୁ,
ସେବେ ତ ମୁଁ ଭାବିଥିଲି ମୋ ନିଜକୁ ଏକ ଦେବତୁଲ୍ୟ ଅବତାର,
କିନ୍ତୁ ଆଜି ମୋର ପରିଚୟ କେବଳ ସୀମିତ ଏକ ନିର୍ଜୀବ ଯାନ୍ତ୍ରିକ କଣ୍ଢେଇରେ,
ଯାହାର ଚାବିକାଠି ଏ ଦେଶର ରାଜନୀତିର ଚକ୍ରବ୍ୟୁହରେ ବନ୍ଧା ।

ମୋର ବା କ’ଣ ଭୁଲ୍ ଥିଲା,
ମୋର ରକ୍ତରେ ଅନ୍ୟ ଦେଶର ସାମ୍ବିଧାନିକ ରକ୍ତକୁ ଖଞ୍ଜିବା ବେଳେ ମୋର କ’ଣ ନିଜସ୍ଵ ବୋଲି କିଛି ନଥିଲା?
ମୋର କ’ଣ ନିଜର ରକ୍ତ ନଥିଲା କାଶ୍ମୀରରୁ କନ୍ୟାକୁମାରୀ ଯାଏ ଶାନ୍ତିରେ ବଞ୍ଚିବାକୁ?

ମୋର ବି ଇଚ୍ଛା ଥିଲା,
ମୋର ବି ରହିବ ସ୍ଵାଧୀନତା ଆଉ ମୁଁ ବି ହେବି ଅଦ୍ୱିତୀୟ,
ମୋର ରକ୍ତରେ ବହିବ କେବଳ ନିଜସ୍ଵ ସାମ୍ବିଧାନିକ ନିୟମାବଳୀ ।
କିନ୍ତୁ ମୁଁ ପାଇଲି କ’ଣ?
ଯେଉଁମାନେ ୨୦୦ ବର୍ଷ ଧରି ମୋର ଶରୀରକୁ ରକ୍ତାକ୍ତ କଲେ ସେହିମାନଙ୍କ ସାମ୍ବିଧାନିକ ରକ୍ତରେ ମୋତେ ବଞ୍ଚିବାକୁ ଦିଆଗଲା ।

ମୋର ବି ଇଚ୍ଛା ଥିଲା,
ମୁଁ ବି ବଡ଼ ହେଲେ ହେବି ଆହୁରି ସଞ୍ଜତ ଓ ଉନ୍ନତ,
ହେଲେ ଆଜି ମୁଁ ଉପେକ୍ଷିତ, ଅସଞ୍ଜତ ଓ ଅନୁନ୍ନତ ।
ସମୟଚକ୍ରରେ ଘୁରିବୁଲି ମୁଁ ଆଜି କ୍ଳାନ୍ତ,
ତେବେ ସବୁ କିଛି ଥାଇ ବି ଏକ ପଙ୍ଗୁ ହୋଇ ଯାଇଥିବା ତନ୍ତ୍ର ଓ ମୋ ଭିତରେ ତଫାତ କ’ଣ?

କେତେ ବା ଆଉ ଦେଖିବି ଗଣତନ୍ତ୍ର ନାମରେ କେବଳ ହିଂସାତନ୍ତ୍ର?
କେତେ ଆଉ ଦେଖିବି ନାରୀ ନିର୍ଯାତନା, ବଳାତ୍କାର, ହିଂସା ଓ ସ୍ୱାର୍ଥନ୍ଵେଶୀ ଦାନବମାନଙ୍କୁ?
ଏହିସବୁ କ’ଣ ସେଇ ଆମଦାନୀ ହୋଇଥିବା ସାମ୍ବିଧାନିକ ରକ୍ତର ଲକ୍ଷଣ?
କିମ୍ବା ଏହି ସବୁ ମୋର ସାମ୍ବିଧାନିକ ରକ୍ତ ବିଷାକ୍ତ ହେବାର ଲକ୍ଷଣ !

ଆଜି ମୋତେ ୭୨ ବର୍ଷ,
ଆଜି ମୁଁ ବୃଦ୍ଧାବସ୍ଥାର ଶେଷ ପର୍ଯ୍ୟାୟରେ,
ଆଜି ମୁଁ ନିସ୍ତେଜ, ଶକ୍ତିହୀନ ଓ ଜରାଜୀର୍ଣ,
କୁହନ୍ତି ମୋର ଅନ୍ୟ ନାମ ଧର୍ମ-ନିରପେକ୍ଷ ।
ମୁଁ ତ ସଦାସର୍ବଦା ଧର୍ମର ପକ୍ଷରେ ରହିବାକୁ ଚାହିଁଥିଲି,
ତେବେ ଧର୍ମ ନାମରେ ଅଧର୍ମ ଓ ଅହିଂସାର ଅଗ୍ରଗତି କାହାର ପ୍ରରୋଚନାରେ?

କାହାକୁ ମୁଁ ଆଜି ଦେବି ଦୋଷ,
ମୋତେ ଏ ଦୁନିଆକୁ ଆଣି ଏକ ସମୃଦ୍ଧ ଓ ସମ୍ଭ୍ରାନ୍ତ ଭାରତର ସ୍ୱପ୍ନ ଦେଖିଥିବା ଆମ୍ବେଦକରଙ୍କୁ,
ନା ମୋତେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରି ମୋର ଆଭ୍ୟନ୍ତରୀଣ ଶରୀରକୁ ଖିନଭିନ କରିଥିବା ରାଜନୈତିକ ଦଳମାନଙ୍କୁ?

କିଏ ମୋତେ ଦେବ ଶକ୍ତି?
କିଏ କରିବ ମୋର ଏ ଅସୁସ୍ଥତାର ଉପଚାର?
ଧନୀର ଗର୍ବରେ, ମଧ୍ୟବିତ୍ତର ଜୀବନ ଜଞ୍ଜାଳରେ, ନା ଗରୀବର ଅସହାୟତାରେ ମୁଁ ହେବି ସୁସ୍ଥ?
ମନେ ପଡେ ଆଜି ମୋର ଦେଖିଥିବା ସେଦିନର ସ୍ୱପ୍ନ ସବୁ ।
କିନ୍ତୁ ମୋ ପାଖେ ଅଛି ବା କ’ଣ ଆଉ,
ସେବେର ଓ ଏବେର ଗଣତନ୍ତ୍ର ଭିତରେ ତଫାତ ପରଖିବା ଛଡ଼ା !

ଯଜ୍ଞେଶ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।