ତରୁ-ଗୁଣଗାନ
ତରୁ-ଗୁଣଗାନ

ତରୁ-ଗୁଣଗାନ

ମୃତ୍ତିକା କର୍ଷଣ ପରେ ବୀଜ ବୁଣାଯାଏ,
ତହିଁ ବୀଜରୁ ଜନମ ବୃକ୍ଷ ହୋଇଥାଏ ।
ତା’ପରେ ଜନମ ହୁଏ ଶାଖା ଓ ପ୍ରଶାଖା,
ନବୀନ ପଲ୍ଲବେ ଏହା ଦିଶଇ ଶୋଭିତା ।
କିଛିଦିନ ପରେ ଏହା ବୃଦ୍ଧି ପାଇଥାଏ,
ବିରାଟ ତରୁର ରୂପେ ଇଏ ଉଭା ହୁଏ ।
ଶାଖା ଓ ପ୍ରଶାଖା ଆଦି ବିସ୍ତାରିତ ହୁଏ,
ଯାତାୟାତ ପଥିକ ତହିଁ କ୍ଲାନ୍ତି ମେଣ୍ଟାଏ ।
ଶୀତଳ ଛାୟାରୁ ସିଏ ଆନନ୍ଦିତ ହୁଏ,
ପ୍ରଫୁଲ୍ଲ ବଦନେ ଇଏ ଶୀତଳତା ଦିଏ ।
ସେଠାରେ କରେ ପଥିକ ତରୁ ଗୁଣଗାନ,
ଧନ୍ୟ ହୁଅଇ ଏଠାରେ ବୃକ୍ଷର ଜୀବନ ।
ଏଣୁ ଜନେ ଘେନ ତୁମ୍ଭେ ମୋର ନିବେଦନ,
ବୃକ୍ଷଟି ରୋପଣ କରି କରନ୍ତୁ ଯତନ !

ଶୀତଳତା ସାଥେ ତରୁ ଫଳ ମୂଳ ଦିଏ,
ପୁଣି ଚେର କାଣ୍ଡ ପତ୍ର ଔଷଧ ମିଳେ ।
ଶରୀରର ବୃଦ୍ଧି ପାଇଁ ଫଳ ମୂଳ ଦେଇ,
ନିରୋଗେ ବଞ୍ଚିବା ପାଇଁ ଔଷଧ ଦିଅଇ ।
ତା’ ସାଥେ ଦିଅଇ ପୁଣି ଶୁଦ୍ଧ ଅମ୍ଳଜାନ,
ବଞ୍ଚିବା ପାଇଁକି ଏହା ମୁଖ୍ୟ ଉପାଦାନ ।
ଜାଳେଣି ପାଇଁକି ଦିଏ ଶୁଷ୍କ କାଠ ଆଦି,
ଗୃହ ନିର୍ମାଣ ନିମିତ୍ତ ଗଣ୍ଡି ଆଦି ଦେଇ ।
ମାତା ପରି ତରୁ ଦିଏ ନିଜସ୍ୱ ସମସ୍ତ,
ତାର ସୁରକ୍ଷା ବ୍ୟବସ୍ଥା ଆମର କର୍ତ୍ତବ୍ୟ ।
ବୃକ୍ଷ ବିନା ଜୀବ ଜମା ବଞ୍ଚି ନ ପାରଇ,
ଏହାର ସୁରକ୍ଷା ଆମେ କରିବା ହେ ଭାଇ !
ଏଣୁ ଜନେ ଘେନ ତୁମ୍ଭେ ମୋର ନିବେଦନ,
ବୃକ୍ଷଟି ରୋପଣ କରି କରନ୍ତୁ ଯତନ !

ସମସ୍ତ ସଜୀବ ହୃଦେ ରହିଛି ପରାଣ,
ଏମାନଙ୍କ ମଧ୍ୟୁ ଏକ ବୃକ୍ଷର ଜୀବନ ।
ପ୍ରାଣୀ ପରି ତରୁ ସବୁ ଅନୁଭବ କରେ,
କଷ୍ଟ ଦ୍ୱେଷ ପୀଡ଼ା ଆଦି ସବୁ ସହିଥାଏ ।
ଜୀବ ପରି ଇଏ ପୁଣି ଖାଦ୍ୟ ଆଦି ଖାଏ,
ସୂର୍ଯ୍ୟାଲୋକ ଠାରୁ ନିତି ସଂଗ୍ରହ ଯେ କରେ ।
ଚେର ସାହାଯ୍ୟରେ ପୁଣି ଜଳ ଜମା କରେ,
ନିଜେ ଜୀଇଁ ପାନକରି ଅପରକୁ ଦିଏ ।
ଜଳସ୍ତର ଉପରକୁ ସଦା ହୋଇଥାଏ,
ମୃତ୍ତିକା ରକ୍ଷଣ ଭାଇ ସଦା ଭଲ ହୁଏ ।
ଠିକ୍ ସମୟରେ ପୁଣି ବର୍ଷା ଯେ ହୁଅଇ,
ତରୁ ଆମେ ନିତି ପ୍ରତି ରୁଇବା ହେ ଭାଇ!
ଏଣୁ ଜନେ ଘେନ ତୁମ୍ଭେ ମୋର ନିବେଦନ,
ବୃକ୍ଷଟି ରୋପଣ କରି କରନ୍ତୁ ଯତନ !

କହ କହ କହ ଭାଇ କହ ମନ ଦେଇ,
ଅଦରକାରୀ ଗଛଟି ଅଛିକି ଏ ମହି?
କାହାର ପତ୍ର ହିତ ପୁଣି ଫଳ କାହାର,
ମୂଳ ପୁଣି କାହାର କାଷ୍ଠ ହିଁ ଦରକାର ।
ଫୁଲ ଶାଖା ଆଦି ହୁଏ ପୁଣି ଲୋଡ଼ା ସଦା,
ପୁଣି ଲୋଡ଼ା ହୁଏ ଛାଲି ରୋଗ ଦୂର ହେବା ।
ହୋମ ଯଜ୍ଞ ପାଇଁ ଲୋଡ଼ା ଯେ କାଠ ଓ ଧୂପ,
ଏହା ସଂଗ୍ରହ ହୁଏ ବଣ ଜଙ୍ଗଲୁ ମିତ!
ଆଧୁନିକ ଔଷଧ ନିର୍ମିତ ହୁଅଇ,
ଅଧିକାଂଶ ଲୋଡ଼ା ହୁଏ ଜଙ୍ଗଳରୁ ପୁଣି ।
ଏହିପରି କେତେ ହିତ ଗଛ ଆମ ପ୍ରାଣେ,
ବୃକ୍ଷଲତା ଥିଲେ ମିଲେ ସଦା ତଦକ୍ଷଣେ ।
ଏଣୁ ଜନେ ଘେନ ତୁମ୍ଭେ ମୋର ନିବେଦନ,
ବୃକ୍ଷଟି ରୋପଣ କରି କରନ୍ତୁ ଯତନ !
ଯତ୍ର ତରୁ ଲତା ଥାଏ ତତ୍ର ମୁକ୍ତ ବାୟୁ,
ସଦା ଶୀତଳତା ଦିଏ କ୍ଲାନ୍ତି ମେଣ୍ଟେ ଦେହୁ ।
ମଧୁର ମଳୟ ବହେ ହୃଦ ମନଲୋଭା,
ମନରେ ଆସଇ ଶାନ୍ତି ସଦା ତରୁ ଲୋଡ଼ା ।
ତରୁ ଶାଖାରେ ପକ୍ଷୀଏ ଗୀତ ଗାନ କରି,
ଗୁଣୁ ଗୁଣୁ ହେଉଥାନ୍ତି ଡାଳୁ ଡାଳ ଉଡ଼ି ।
ପୁଣି ବନ୍ୟଜନ୍ତୁ ଆସି କରନ୍ତି ବିହାର ,
ବୃକ୍ଷ ତଳେ ଥାଇ ସର୍ବେ ଚରନ୍ତି ଆହାର ।
ଏହିପରି ଦୃଶ୍ୟମାନ କେଡ଼େ ମନଲୋଭା,
ବୃକ୍ଷର ଛେଦନ ହେଲେ କାହୁଁ ବା ପାଇବା?
ଗ୍ରାମାନ୍ତରେ ଶୋଭାପାଏ ବଡ଼ ବଡ଼ ବୃକ୍ଷ,
ଦୂରରୁ ଦିଶଇ ଏହା ଆମ ଗ୍ରାମ ବାସ ।
ଏଣୁ ଜନେ ଘେନ ତୁମ୍ଭେ ମୋର ନିବେଦନ,
ବୃକ୍ଷଟି ରୋପଣ କରି କରନ୍ତୁ ଯତନ !

ଶୁଣିଅଛି ରାମାୟଣେ ରହିଛି ବର୍ଣ୍ଣନ,
ଚଉଦ ବରଷ ପ୍ରଭୁ ଯାଇଥିଲେ ବନ !
ଘଞ୍ଚ ଅରଣ୍ୟରେ ରହି ଫଳମୂଳ ଖାଇ,
ଅନୁଜ ସାଥେ ଶ୍ରୀରାମ ସଙ୍ଗେ ବଇଦେହି !
ପଞ୍ଚବଟୀ ବନେ ରହି ସୀତା ହରାଇଲେ,
ଦେବୀଙ୍କୁ ହରାଇ ପ୍ରଭୁ କେତେ ଯେ ଖୋଜିଲେ ।
ଖୋଜିବା ସମୟେ ରାମ ଆଶ୍ରୟ ବୃକ୍ଷର,
ଶ୍ରମଥକା କରି ପ୍ରଭୁ ମଧୁବାଣୀ ଧିର !
ଦେଖିଛକି ବୃକ୍ଷଲତା ଜାନକି ମୋହର,
କେଣେଗଲେ ଛାଡ଼ି ମୋତେ ପ୍ରିୟତମା ମୋର !
ଏହି ସମୟରେ ତରୁ ସବୁକିଛି ଶୁଣେ,
ପ୍ରଭୁଙ୍କୁ ଆଶ୍ରୟ ଦେଇ ଧନ୍ୟ ମନେ କରେ !
ଏଣୁ ଜନେ ଘେନ ତୁମ୍ଭେ ମୋର ନିବେଦନ,
ବୃକ୍ଷଟି ରୋପଣ କରି କରନ୍ତୁ ଯତନ !

ଅଜ୍ଞାତ ବାସରେ ପଞ୍ଚୁପାଣ୍ଡବ ବନକୁ,
ଯାଇଥିଲେ ପାଞ୍ଚ ଭାଇ ଘଞ୍ଚ ବିପିନକୁ ।
କ୍ରୋଧାବସେ ଭୀମସେନ ଛେଦିଲେ ତରୁ ଯେ,
ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର ଉପଦେଶ ଦେଲେ !
ଆବଶ୍ୟକ ଠାରୁ ଅଧିକ ଭଲଟି ନୁହଁ,
ଧରଣୀର ସନ୍ତୁଳନ ବିଗିଡ଼ଇ ଧନ !
ଏଠାରୁ ବିରତ ହୁଅ ଆହେ ପ୍ରିୟ ଭାଇ,
ସଭିଙ୍କର ବଞ୍ଚିବାର ଅଧିକାର ଅଛି ।
ଆବଶ୍ୟକଠାରୁ ଅଧିକ ନୁହେଁଟି ଭଲ,
ଜଳଚର ବନଚର ବିଲୁପ୍ତ ହୋଇବ ।
ତାପରେ ଭୀମ ଏହାକୁ ବୁଝି ଯେ ପାରିଲେ,
ପ୍ରଣାମ କରିଣ ସିଏ ଶାନ୍ତଟି ହୋଇଲେ ।
ଏଣୁ ଜନେ ଘେନ ତୁମ୍ଭେ ମୋର ନିବେଦନ,
ବୃକ୍ଷଟି ରୋପଣ କରି କରନ୍ତୁ ଯତନ !

ନର ଦେହେ କ୍ଷତ ହେଲେ କେତେ କଷ୍ଟ ହୁଏ,
ରକତ ଧାରଟି ବହେ ଅବିରତ ଭାବେ ।
ଠିକ ସେହିପରି ତରୁ ଛେଦନ ସମୟେ,
ସମସ୍ତ ପୀଡ଼ାଯେ ବୃକ୍ଷ ସହ୍ୟ କରିଥାଏ ।
ତରୁ ହୃଦେ ଅଛି ଭାଇ ଜୀବନ ସଞ୍ଚାର,
ଅନୁଭବ କରେ ସିଏ ଦୁଃଖ କଷ୍ଟ ତା’ର ।
କାନ୍ଦି ପାରେ ସିଏ ପୁଣି କହି ପାରେ ଭାଇ,
ହେଲେ ତରୁ ଡାକ ନର କେବେ ନ ଶୁଣଇ ।
ନିଷ୍ଠୁର ଜୀବନ ନର ଟିକେ ଦୟା ନାହିଁ,
ଅବିରତ ଭାବେ ବୃକ୍ଷ ଛେଦନ କରଇ ।
ତରୁ ପରା ଆମର ଜୀବନର ସାଥୀ ହେ,
ରକ୍ଷା କରିବା ଆମର କର୍ତ୍ତବ୍ୟ ଭାଇ ହେ !
ଏଣୁ ଜନେ ଘେନ ତୁମ୍ଭେ ମୋର ନିବେଦନ,
ବୃକ୍ଷଟି ରୋପଣ କରି କରନ୍ତୁ ଯତନ !

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu