You are currently viewing ନାରୀ ସ୍ୱାଧୀନତା
Odia Poem Nari Swadhinata (ନାରୀ ସ୍ୱାଧୀନତା) by Soubhagyabati Giri

ନାରୀ ସ୍ୱାଧୀନତା

ସ୍ୱାଧୀନତା ଅର୍ଥ ମତେ ପଚାରନା
ଆଜି ବି ମୁଁ ପରାଧୀନ
କାହିଁକି ମିଛରେ ଡିଣ୍ଡିମ ପିଟିବି
ନାରୀ ଅଟଇ ସ୍ୱାଧୀନ ॥

ମାତୃଗର୍ଭେ ଯଦି ସଞ୍ଚରିଯାଏ ମୁଁ
ହୁଏ କନ୍ୟାଭୃଣ ହତ୍ୟା
ପୁଅଝିଅ ଭେଦଭାବ ଶବ୍ଦଟିକୁ
ପରଖେ ମୋ’ ଶୈଶବତା ॥

କିଶୋରୀ ଯୁବତୀ କେଉଁ ରୂପ ମୋର
ଚାଖିନାହିଁ ସ୍ୱାଧୀନତା
ସ୍ୱାଧୀନତା କଥା କହିବାଠୁ ଭଲ
ରଖିବି ମୁଁ ନୀରବତା ॥

ବାରମ୍ବାର ପଡ଼େ ଲୋଲୁପ ଚାହାଣୀ
ନାରୀମାଂସ ଲୋଭୀଙ୍କର
ଲୁଣ୍ଠିତା ଲାଞ୍ଛିତା ଧର୍ଷିତା ପତିତା
ହୁଏ ପରିଚୟ ମୋର ॥

ନିଜ ପରିଚୟ ଲୁଚିଯାଇଛି ମୋ
ପୁରୁଷର ପାଦ ତଳେ
ସ୍ୱାଧୀନ ହେବାକୁ ଚେଷ୍ଟା କଲେ ମତେ
ନିନ୍ଦା ଅପବାଦ ମିଳେ ॥

ବିବାହ ବେଦୀରୁ ଯୌତୁକ ରାକ୍ଷସ
ଗଳା ମୋର ଚିପି ଧରେ
କେବେ କିରୋସିନ୍ ନିଆଁରେ ମୁଁ ଜଳେ
କେବେ ଶାବଳ ଚାପାରେ ॥

ସଞ୍ଚରିବା ଠାରୁ ମୃତ୍ୟୁ ପରିଯନ୍ତେ
ମୋ ହାତପାଦରେ ବେଡ଼ି
ସ୍ୱାଧୀନ ବୋଲି ମୁଁ କାହିଁକି କହିବି
ପୁରୁଷ ସାଥିରେ ପଡ଼ି ॥

– ସୌଭାଗ୍ୟବତୀ ଗିରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌଭାଗ୍ୟବତୀ ଗିରି ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।