You are currently viewing ମାୟା
ମାୟା - ଏକ ଭୂତକୋଠୀର କାହାଣୀ

ମାୟା

ଡରଭୟ… କ’ଣ ଜାଣିନଥିଲେ ସେ, ସୀମାରେ ଶତ୍ରୁବାହିନୀ ଉପରେ ଭୟଙ୍କର ଆକ୍ରମଣ ସମୟରେ ବି ତାଙ୍କ ହାତ କେବେ ଥରି ଉଠି ନଥିଲା ଯାହା କୁହନ୍ତି ମେଜର ପ୍ରତାପଙ୍କର ସହକର୍ମୀମାନେ, ହେଲେ ଡର ଯେ ଦିନେ ତାଙ୍କ ମନରେ ଘର କରିଯିବ ତାହା ସେ କେବେ କଳ୍ପନା କରିନଥିଲେ ! ନିଜ ମୃତ୍ୟୁକୁ ନୁହେଁ ବରଂ ପରିବାର ପ୍ରିୟଜନଙ୍କୁ ହରାଇବାର ଭୟ !

ମେଜର ପ୍ରତାପ ଭାରତୀୟ ସେନାରୁ ଅବସର ପ୍ରାପ୍ତ ହେବାପରେ ତୁରନ୍ତ କାମରେ ଲାଗିପଡ଼ିଲେ ତାଙ୍କର ବହୁ ପ୍ରତିକ୍ଷୀତ ତଥା ଅନେକ ଦିନରୁ ମନରେ ବସା ବାନ୍ଧୁଥିବା ଅଭିଳାଷଟିଏ । “ଅପନା ଘର” ! ସହରରେ ଥିବା ତାଙ୍କ ପୈତୃକ ସମ୍ପତିର କିଛି ଭାଗକୁ ବିକି ଭାଙ୍ଗି ଏବଂ ଅବସର ଉପରାନ୍ତେ ପାଇଥିବା ଧନରାଶିକୁ ମିଶେଇ କଣିଲେ ଗୋଟିଏ ସୁନ୍ଦର ବଙ୍ଗଳାଟିଏ, ହିଲ-ଷ୍ଟେସନରେ । ବହୁତ ବର୍ଷରୁ ସେଇ ବଙ୍ଗଳାଟି ଖାଲି ପଡ଼ିଥିଲା ବିକ୍ରୟ ହେବା ଉଦ୍ୟେଶରେ । ଦୋକାନ ବଜାରଠାରୁ ଦୂର ନିରୋଳା ଜାଗାଟିଏ, ବିଭିନ୍ନ ବୃକ୍ଷଲତାରେ ପରିପୂର୍ଣ ବଙ୍ଗଳାର ଚତୁଃପାର୍ଶ୍ୱ !

ସପରିବାର ନୂଆ ବଙ୍ଗଳାକୁ ଆସି ଗୃହପ୍ରବେଶ ଉତ୍ସବ ଆୟୋଜନରେ ଲାଗିଥାନ୍ତି ମେଜର ପ୍ରତାପ । କିଛି କାର୍ଯ୍ୟବଶତଃ ସେ ଯାଇଥାନ୍ତି ନିକଟସ୍ଥ ବଜାରକୁ ! ପୂଜା ଦୋକାନରୁ ହୋମ ଇତ୍ୟାଦି ପାଇଁ ଜିନିଷ କିଣୁଥାନ୍ତି… ଦୋକାନୀ ପଚାରିଲେ;
ଦୋକାନୀ – ଆଜ୍ଞା ଆପଣ କ’ଣ ଏଠି ନୂଆ?
ମେଜର – ହଁ ଭାଇ, ଏଇ ସରକାରୀ ଡାକବଙ୍ଗଳା ପାଖ ବଙ୍ଗଳାକୁ ନୂଆ କରି ଆସିଛୁ !

ଠିକଣା ଜାଣିବା ପରେ ଦୋକାନୀ ଟିକେ ଇତଃସ୍ତତ ହେଇ କହିଲେ…

ଦୋକାନୀ – ଆଜ୍ଞା… କାହାରିଠୁ କିଛି ଶୁଣିଛନ୍ତି କି ସେ ବଙ୍ଗଳା ବିଷୟରେ?
ମେଜର – ନା ତ, କିଛି ଶୁଣିନି ! କ’ଣ କିଛି ଅସୁବିଧା ଅଛି କି?
ଦୋକାନୀ – ଆଜ୍ଞା, ମୋ ପିଲାଦିନୁ ଶୁଣି ଆସିଛି ଯେ ସେ ଘରେ କିଛି ଅଦୃଶ୍ୟ ଶକ୍ତିଙ୍କର ବାସସ୍ଥାନ ! ସେମାନେ ଯାହାକୁ ଚାହିଁବେ ସେମାନଙ୍କୁ ଘରେ ରଖିବାକୁ ଦିଅନ୍ତି ନହଲେ କିଛି ଦୁର୍ଘଟଣା ବି ହେଇଛି ସେଇ ଘରେ ।
ମେଜର – (ଠୋ ଠୋ ହେଇ ହସି) ବାବୁ, ସେସବୁ ଅନ୍ଧବିଶ୍ୱାସ… ବେକାର କଥା ।
ଦୋକାନୀ – କିଛି ଖରାପ ଭାବିବେନି ଆଜ୍ଞା, ଯାହା ଶୁଣିଥିଲି କହିଲି ।

ଆବଶ୍ୟକ ସାମଗ୍ରୀ ସବୁ କିଣି ଘରକୁ ଫେରିଲେ ମେଜର । ଘରେ ଆସି ପହଞ୍ଚି ଯାଇଥାନ୍ତି ତାଙ୍କର ପୂର୍ବ ପରିଚିତ ବ୍ରାହ୍ମଣ ଜଣଙ୍କ, ବୟସ ୬୫-୭୦ ହେବ, ପ୍ରଖର ବୁଦ୍ଧିମାନ ଆଉ ଜ୍ଞାନୀ ଜଣାପଡ଼ୁଥାନ୍ତି, ମୁଖ ମଣ୍ଡଳର ତେଜ ତାଙ୍କର ବ୍ୟକ୍ତିତ୍ୱ ପରିପ୍ରକାଶ କରୁଥାଏ ! କିଛି ସମୟ ବଙ୍ଗଳାର ଆଖପାଖ ବୁଲାବୁଲି କଲା ପରେ ଆସି କହିଲେ;

ପଣ୍ଡିତ – ବାବୁ, ବାସ୍ତୁଶାସ୍ତ୍ର ଅନୁସାରେ ତ ବଙ୍ଗଳାର ନିର୍ମାଣ କରାହେଇଛି କିନ୍ତୁ କାହିଁକି କେଜାଣି କିଛି ଭ୍ରାନ୍ତ ଧାରଣା ଆସୁଛି ମନରେ !
ମେଜର – କ’ଣ କହୁନାହାନ୍ତି ପଣ୍ଡିତେ !
ପଣ୍ଡିତ – ନାହିଁ ସେମିତି କିଛି ନାହିଁ… ଚାଲନ୍ତୁ ହୋମ କାର୍ଯ୍ୟ ସବୁ ପ୍ରାରମ୍ଭ କରିବା ।

ଏତିକି କହି ଦୁହେଁ ଘର ଭିତରକୁ ଗଲେ… ପଣ୍ଡିତେ ମନରେ କିଛି ଗୁଣୁ ଗୁଣୁ ହେଉଥାନ୍ତି, ହଠାତ ଟିକେ ଚୁପ୍ ହେଇଗଲେ ଆଉ ପାଖ ଚେୟାର ଉପରେ ବସିଗଲେ… ଯେମିତି ମୌନବ୍ରତରେ ବସିଛନ୍ତି ପଣ୍ଡିତେ ! ମେଜର ଆଶ୍ଚର୍ଯ୍ୟ ହେଇ ପଣ୍ଡିତଙ୍କୁ ଉଠାଇ ଆଣି ସୋଫା ଉପରେ ବସାଇ ଘଟଣା କ’ଣ ପଚାରିବାରୁ… ପଣ୍ଡିତେ କହିଲେ, “ପ୍ରତାପ, ମତେ କିଛି ଠିକ୍ ଲାଗୁନି…” ଦେହ ଟିକେ ଅସୁସ୍ଥ ହେଲା ପରି ଲାଗୁଛି ବୋଲି କହି ପଣ୍ଡିତ ସେଇ ସୋଫାରେ ଟିକେ ଶୋଇ ପଡ଼ିଲେ…

ମେଜର ପ୍ରତାପ ଏସବୁ ଦେଖି ବ୍ୟସ୍ତ ହେଲେଣି ହଠାତ ଉପର ମହଲରୁ ଚିତ୍କାର ଶୁଭିଲା । ଏପରି ଚିତ୍କାର ଶବ୍ଦ ଶୁଣି ସେ ଦୌଡ଼ିଗଲେ ଉପର ମହଲାକୁ ଦେଖିଲେ ଗ୍ୟାସ୍ ପାଇପ ଫାଟି ସିଲିଣ୍ଡର ନୋଜଲରେ ନିଆଁ ଲାଗି ଯାଇଛି ଆଉ ଡାଇନିଙ୍ଗ ହଲର ଗୋଟିଏ କାନ୍ଥ ନିଆଁ ଧାସରେ କଳା ପଡ଼ି… କାନ୍ଥରେ ଝୁଲୁଥିବା କିଛି ବସ୍ତୁରେ ବି ନିଆଁ ଲାଗି ଯାଇଥାଏ… ମେଜରଙ୍କର ତ ଏସବୁ ଦେହସୁହା ଥିଲା କାରଣ ଦେଶସେବାରେ ଥିଲା ବେଳେ ଏମିତି ଦୁର୍ଘଟଣା ବହୁତ କିଛି ଦେଖିଥାନ୍ତି, ତେଣୁ ନିର୍ଭୟ ହେଇ ସେ ଯାଇ ଗ୍ୟାସ ସିଲିଣ୍ଡର ରେଗୁଲେଟର ବନ୍ଦ କରିଦେଲେ… ବାକି ସବୁ ଲୋକ ଆସି ପାଣି ଢାଳି କାନ୍ଥରେ ଲାଗିଥିବା ନିଆଁକୁ ଲିଭେଇଦେଲେ । ଡାଇନିଙ୍ଗ ହଲରେ ରୋଷେଇ କାମ ଯେହେତୁ ହେଉଥିଲା ଖୋଲା ସ୍ଥାନ ଥିବାରୁ ନିଆଁ ଅଧିକ ଘାତକ ହେଲାନାହିଁ ହେଲେ କାନ୍ଥରେ ଲାଗିଥିବା ଗୋଟେ ସୁନ୍ଦର ପେଣ୍ଟିଙ୍ଗ୍‌ରେ ନିଆଁ ଲାଗି ତା’ର କିଛି ଭାଗ ଜଳି ଯାଇଥିଲା । ବହୁତ ବାଧିଲା ମେଜରଙ୍କୁ… କେଡ଼େ ସୁନ୍ଦର ତୈଳ ଚିତ୍ରପଟ୍ଟଟିଏ ଥିଲା, ପୂର୍ବ କାଳରୁ ସେଇ ଘରେ ରହି ଆସିଥିଲା… ଯେପରି ସେ ବଙ୍ଗଳା ସହିତ ସେଇ ଚିତ୍ରପଟ୍ଟର ନୀବିଡ଼ ସମ୍ପର୍କ ! ମନଦୁଃଖରେ ତଳ ମହଲାକୁ ଯାଇ ଦେଖନ୍ତି ତ… ପଣ୍ଡିତେ ଉଠିକି ନିଜ ଆସ୍ଥାନରେ ବସି ହୋମର ଆୟୋଜନ କରୁଛନ୍ତି !

ଶୁଭମୁହୂର୍ତ୍ତ ବିଳମ୍ୱ ହେଇ ଆସିଥିବାରୁ ତରତର ହେଇ କର୍ମ ସବୁ ସାରି ଦିଆଗଲା । ପଣ୍ଡିତେ ଭୋଜନ ସାରି ନିଜ ଘରକୁ ବାହାରିଲେ ! ବିଳମ୍ୱିତ ଅପରାହ୍ନ ସମୟ, ପଣ୍ଡିତେ ବି ତରତର ହେଇ ବାହାରୁଛନ୍ତି ବସ୍ ଧରିବା ପାଇଁ । ଦାନଦକ୍ଷିଣା ଗ୍ରହଣ କରି ସଭିଙ୍କୁ ଆଶୀର୍ବାଦ ଦେଇ ବାହାରୁଥିଲେ କି ହଠାତ ବଗିଚାରେ ଥିବା ବିଶାଳ ଗଛଟିର ଡାଳ ତଳକୁ ନଇଁ ଆସିଲା ଆଉ ଗଛ ମୂଳରେ କ’ଣ ଗୋଟେ ପଡ଼ିବାର ଶବ୍ଦ ହେଲା । ହେଲେ ଅନ୍ୟମନସ୍କ ଥିବାରୁ ପଣ୍ଡିତେ ଘଟଣାଟିକୁ ଅଣଦେଖା କରି ଗେଟ ଖୋଲି ଚାଲିଗଲେ !

Chandi Puja Images by Sangram Keshari Senapati

ସନ୍ଧ୍ୟା ହେଇ ଆସିଲା… ମେଜରଙ୍କ ସହଧର୍ମିଣୀ ସନ୍ଧ୍ୟା ଇତ୍ୟାଦି ଦେଇ, ଘରସାରା ଟିକେ ଦୀପ ଆଉ ଧୂପ ବୁଲେଇ ଦେଲେ । ବେସ୍‌ମେଣ୍ଟ୍‌କୁ ଯିବା ସିଢ଼ି ପାଖରେ ଦୀପ ନିଅନ୍ତେ, ଦୀପଟି ଲିଭିଗଲା । ପବନରେ ଲିଭିଗଲା ଭାବି ସେ ପୁଣିଥରେ ଦୀପ ଲଗେଇ ଆଣି ଠିକ ସେଇ ସ୍ଥାନରେ ପହଞ୍ଚିବା ମାତ୍ରେ ଦୀପଟି ହଠାତ୍ ଏତେ ଗରମ ହେଇଗଲା କି ମାଳତୀ ଦେବୀଙ୍କ ହାତରୁ ଦୀପଟା ଖସି ପଡ଼ିଲା । ଟିକେ ବ୍ୟସ୍ତ ହେଇ ସେତିକିରେ ସନ୍ଧ୍ୟା ଦେବା ସାରି ମାଳତୀ ଦେବୀ ଅନ୍ୟ ସବୁ କାମରେ ଲାଗି ପଡ଼ିଲେ ।

ମେଜରଙ୍କର ସମ୍ପୂର୍ଣ୍ଣ ପରିବାର ଏକାସାଙ୍ଗରେ ବସି ରାତ୍ରଭୋଜନ ପରେ ଗପସପ ହେଇ ଶୋଇବାକୁ ଗଲେ, ହେଲେ ମାଳତୀ ଦେବୀ ତାଙ୍କ ସାଙ୍ଗରେ ଘଟିଥିବା ଘଟଣାଗୁଡ଼ିକ ଭୁଲି ପାରୁନଥାନ୍ତି । ଠିକରେ ନିଦ ଲାଗୁ ନଥାଏ… ନୂଆ ଜାଗା… ନିଦ ନହେବା ସ୍ୱାଭାବିକ । ଏମିତି ଟିକେ ଆଖିକୁ ଝାପ୍ସାନିଦ ଲାଗି ଯାଇଛି ଯେ ହଠାତ ସ୍ୱପ୍ନରେ ଜଳି ଯାଇଥିବା ପେଣ୍ଟିଙ୍ଗର ଦୃଶ୍ୟ ଦେଖି ଦିନବେଳା ପରି ଚିତ୍କାର କରି ମେଜରଙ୍କୁ ଡାକିଲେ । ପାଖରେ ନିଦ୍ରାଗତଥିବା ମେଜର ଚମକି ପଡ଼ି ଉଠିବସିଲେ ଆଉ ଘରର ଅନ୍ୟସବୁ ସଦସ୍ୟ ବି ଠୁଳ ହେଇଗଲେ । କଥା କ’ଣ ପଚାରିବାରୁ ସେ ପେଣ୍ଟିଙ୍ଗ ଜଳୁଥିବା ଦୃଶ୍ୟ କଥା କହିଲେ ! ସ୍ମିତହାସ୍ୟ ଦେଇ ମେଜର କହିଲେ, “ତୁମେ ଦିନବେଳେ ଘଟିଥିବା ଦୁର୍ଘଟଣା ଗୁଡ଼ିକ ଶୋଇବା ପୂର୍ବରୁ ମନରେ ଭାବି ଘାଣ୍ଟି ହେଉଥିଲ ତାହାର ପରିଣାମ ଏ ସ୍ୱପ୍ନ ! ହଉ ଏବେ ଶୋଇପଡ଼ ।” ସକାଳେ କଥା ହେବା କହି ମେଜର ପୁନଃ ନିଦ୍ରା ଗଲେ, ଆଉ ବାକି ସଦସ୍ୟମାନେ ବି ଯେଝା ଯେଝା ଶୋଇବା ସ୍ଥାନକୁ ଫେରିଲା ବେଳକୁ ମେଜରଙ୍କ ଭ୍ରାତାପୁତ୍ର ଡାଇନିଙ୍ଗ ହଲ୍‌ରେ ପୋଡ଼ି ଯାଇଥିବା ତୈଳ ଚିତ୍ରପଟ୍ଟଟିକୁ ଦେଖି ଚମକି ପଡ଼ିଲେ । ସେମାନେ ଘରକୁ ଆସିଲା ବେଳେ ଯେମିତି ସେ ଚିତ୍ରପଟ୍ଟ ଦେଖା ଯାଉଥିଲା ପୂରା ଅବିକଳ ସେଇପରି ଦେଖା ଯାଉଛି । ପାଖକୁ ଯାଇ ଦେଖିଲେ ନିଆଁରେ ଜଳି ଯାଇଥିବାର କୌଣସି ଚିହ୍ନବର୍ଣ୍ଣ ନାହିଁ ! ମୁହଁ, ହାତ ଗୋଡ଼ ଝାଳରେ ଗୋଟାପୁଣି ଓଦା, ପାଦ ଥରୁଛି, ଯାଇତାଇ ଦୁଇ-ତିନି ଶବ୍ଦ ଯୋଡ଼ି ଡାକ ପକେଇଲେ ଅନ୍ୟମାନଙ୍କୁ !

ବିରକ୍ତ ହେଇ ନିଦରୁ ଉଠିଲେ ମେଜର ପ୍ରତାପ, ଆଉ ଡାଇନିଙ୍ଗ୍ ହଲରେ ଯାହା ଦେଖିଲେ ତାଙ୍କର ହୋସ୍ ଉଡ଼ିଗଲା । ସମସ୍ତେ ବୈଠକଖାନାରେ ଯାଇ ଏକଜୁଟ ହେଇ ରାତିସାରା ବସି ରହିଲେ । ଡରରେ କାହା ମୁହଁରୁ ପଦେ ହେଲେ କଥା ବାହାରୁ ନଥାଏ । ରାତିସାରା ଭୟଙ୍କର ଶବ୍ଦ ସବୁ ଛାତି ଥରାଇ ଦେଉଥାଏ, ସମସ୍ତେ ଚାହିଁ ବସିଥାନ୍ତି କେମିତି ସକାଳ ହେବ !

ରାତ୍ରିର ତୃତୀୟ ପ୍ରହାର ବିତି ପାହାନ୍ତିଆ ସମୟ ହେଲାଣି, ସମସ୍ତେ ଜଳଜଳ କରି ଚାହିଁ ବସିଛନ୍ତି ! ସିନ୍ଦୁରା ନ ଫିଟୁଣୁ ସବୁ ଯାଇ ଗାଡ଼ି ପାଖରେ ହାଜର ! ମେଜର ଆଉ ମାଳତୀ ଦେବୀ ଘରେ ତାଲା ପକେଇଲା ବେଳକୁ, ଘର ଭିତରୁ ବିକଟାଳ ହସ ଭାସି ଆସୁଥାଏ ଯେପରି ମେଜର ଆଉ ତାଙ୍କ ପରିବାରକୁ ବଙ୍ଗଳାରୁ ବହିଷ୍କୃତ କରି ବଙ୍ଗଳାର ସ୍ଥାୟୀ ଅନ୍ତେବାସୀମାନେ ଆନନ୍ଦ ମଉଛବ ପାଳନ କରୁଛନ୍ତି ! ସମସ୍ତଙ୍କର ମନରେ ଭୟ ଏତେମାତ୍ରାରେ ବଢ଼ି ଯାଇଥିଲା ଯେ… ସମସ୍ତେ କାଠଗଣ୍ଡି ପରି ପୂରା ନିର୍ବାକ !

ମେଜର ଆଉ ତାଙ୍କ ପରିବାର ଫେରୁଥାନ୍ତି ସହରସ୍ଥିତ ତାଙ୍କ ବାସଭବନକୁ । ରାସ୍ତା କଡ଼ରେ ପାଇଲେ ସେଇ ପୂଜା ଦୋକାନଟି ଯେଉଁଠୁ ସେ ପୂଜା ସାମଗ୍ରୀ ସବୁ କିଣିଥିଲେ । ମନ୍ଦିର ପାଖ ପୂଜା ଦୋକାନ ଯେହେତୁ ସଖାଳୁ ସଖାଳୁ ଖୋଲି ଗଲାଣି, ଗାଡ଼ିକୁ ରାସ୍ତାକଡ଼ରେ ଅଟକାଇ ଆସୁଛି ବୋଲି କହି ମେଜର ଯାଇ ପୂଜା ଦୋକାନ ପାଖରେ ହାଜର ! ଦୋକାନୀ ମେଜରଙ୍କୁ ଏତେ ସକାଳୁ ସଖାଳୁ ଦେଖି ଆଶ୍ଚର୍ଯ୍ୟ । କଥା କ’ଣ ପଚାରିବାରୁ, ମେଜର ଘଟି ଯାଇଥିବା ସମସ୍ତ ଘଟଣା କହିଗଲେ ! ଦୋକାନୀ ପିଲାଦିନୁ ଶୁଣିଥିବା କଥା ସବୁ ସତ ଜାଣି, ଦୋକାନୀଙ୍କର ଅଶରୀରି ମାନଙ୍କର ଅସ୍ତିତ୍ୱ ଉପରେ ବିଶ୍ୱାସ ଆହୁରି ଦୃଢ଼ ହେଇଗଲା । କିଛି କ୍ଷଣ ନିରବ ରହିଲା ପରେ ସେ ମେଜର ପ୍ରତାପଙ୍କୁ କହିଲେ;

ଦୋକାନୀ – ଆଜ୍ଞା… ବର୍ତ୍ତମାନ କୁଆଡ଼େ ଯାଉଛନ୍ତି?
ମେଜର – ଆଉ କିଛି ସାଧନ ନଥିବାରୁ ଆମେ ସହରରେ ଥିବା ନିଜ ଘରକୁ ଫେରିଯାଉଛୁ ସେଠି ଆମର ପୁରୋହିତ ରହୁଛନ୍ତି, ସେ କାଲି ପୂଜା ପାଇଁ ବି ଆସିଥିଲେ ତାଙ୍କ ସହ ଚର୍ଚ୍ଚା କରି କିଛି ସମସ୍ୟାର ସମାଧାନ ବାହାର କରିବାକୁ ଚେଷ୍ଟା କରିବୁ !
ଦୋକାନୀ – ଆଜ୍ଞା, ଟିକେ ଅପେକ୍ଷା କରନ୍ତୁ !

ଏହା କହି ଦୋକାନୀ କୁଆଡ଼େ ଗୋଟେ ଫୋନ୍ କଲେ ଆଉ କିଛି ସମୟ ପରେ ଆସି କହିଲେ;

ଦୋକାନୀ – ଆଜ୍ଞା, ଆପଣ ସହରକୁ ଫେରିଯିବା ପୂର୍ବରୁ ଯଦି ଇଚ୍ଛା କରିବେ ତା’ହେଲେ ଏଇ ପାଖ ଗାଁରେ ଜଣେ ତାନ୍ତ୍ରିକ ରୁହନ୍ତି, ମୁଁ ତାଙ୍କ ଠିକଣା ଦେଇ ଦେଉଛି । ମୋର କକାଙ୍କ କହିବା ଅନୁସାରେ ସେ ପୂର୍ବରୁ ମଧ୍ୟ ସେଇ ବଙ୍ଗଳାକୁ ଆସିଥିଲେ !
ମେଜର – ମୋ ସାଙ୍ଗରେ ତ ପୂରା ପରିବାର ଅଛନ୍ତି ଆଉ ସେମାନେ ପୂରା ଡରି ଯାଇଛନ୍ତି । ଏବେ ଯିବା କ’ଣ ଉଚିତ ହେବ?
ଦୋକାନୀ – ଆଜ୍ଞା, ମା’ର ମନ୍ଦିର ଆଗରେ ଠିଆ ହେଇଛନ୍ତି, ୟାଠୁ ସୁରକ୍ଷିତ ଜାଗା କ’ଣ ହେଇପାରେ, ସେମାନଙ୍କୁ କୁହନ୍ତୁ ଏଇ ମନ୍ଦିର ବେଢ଼ାରେ ବିଶ୍ରାମ ନେବାକୁ, ଆଉ ତାନ୍ତ୍ରିକଙ୍କ ଗାଆଁଟି ବେଶୀ ଦୂର ନୁହେଁ !
ମେଜର – ହଉ… ତାହେଲେ ସେଇଆ କରିବା ।

ମେଜର ଗାଡ଼ି ପାଖକୁ ଆସି ସବୁ କଥା ବିସ୍ତାର ଭାବରେ ସମସ୍ତଙ୍କୁ ବୁଝାଇ, ମନ୍ଦିର ବେଢ଼ାରେ ବିଶ୍ରାମ ନେବାକୁ କହି ତାଙ୍କର କନିଷ୍ଠ ଭ୍ରାତାଙ୍କୁ ସାଙ୍ଗରେ ଧରି ତାନ୍ତ୍ରିକଙ୍କ ଗାଁ’କୁ ଗଲେ ! ତାନ୍ତ୍ରିକଙ୍କର ଘର ପାଇବା କଷ୍ଟ ହେଲା ନାହିଁ । ତାନ୍ତ୍ରିକ ସମସ୍ତ ଘଟଣାକ୍ରମ ଶୁଣି କହିଲେ,

ତାନ୍ତ୍ରିକ – ବାବୁ… ଆପଣ ବଙ୍ଗଳା କିଣିବା ପୂର୍ବରୁ କ’ଣ ବଙ୍ଗଳା ବିଷୟରେ କିଛି ବୁଝିବାକୁ ଚେଷ୍ଟା କରି ନଥିଲେ?
ମେଜର – ମହାଶୟ, ମୁଁ ତ ମୋ ପରିବାର ସଙ୍ଗେ ସହରରେ ରୁହେ, ଏଇ କିଛି ଦିନ ହେବ ସେନାରୁ ଅବସର ନେଇଛି, ପ୍ରାକୃତିକ ପରିବେଶ ମଧ୍ୟରେ ରହିବାର ଇଚ୍ଛା ମୋତେ ଏଇ ପାହାଡ଼ିଆ ଅଞ୍ଚଳକୁ ଟାଣି ଆଣିଲା, ସହରରୁ ବେଶୀ ଦୂର ବି ନୁହେଁ ! ତେଣୁ ମୁଁ ଗୋଟିଏ ଜମିବାଡ଼ି କିଣାବିକା କରୁଥିବା ସଂସ୍ଥା ସହ ଯୋଗାଯୋଗ କଲି, ପୁରୁଣା ବଙ୍ଗଳାଟେ ବୋଲି କିଛି ରିହାତି ଦରରେ ମିଳିଗଲା, ପାଖରେ ସେମିତି କେହି ବିଶେଷ ପଡ଼ୋଶୀ ରହୁ ନଥିବାରୁ, କାହା ସହ ଯୋଗାଯୋଗ କରିବାର ସୁଯୋଗ ପାଇଲି ନାହିଁ !
ତାନ୍ତ୍ରିକ – ବାବୁ… ଘର ବାଡ଼ି କିଣିବା ପୂର୍ବରୁ ସବୁ ବୁଝାବୁଝି କରି କିଣିବା କଥା… ଦେଖନ୍ତୁ, ରିହାତି ଦର ଆପଣଙ୍କର ପାଇଁ ଡର ସାଜି ଆସିଲା ! ହଉ ଶୁଣନ୍ତୁ… ସେ ବଙ୍ଗଳାରେ ତ ଅଶରୀରିମାନଙ୍କର ଆସ୍ଥାନ ବହୁତ ବର୍ଷ ହେଲାଣି ! ମୁଁ ଥରେ ସେ ବଙ୍ଗଳା ମାଲିକଙ୍କର ଅନୁରୋଧ କ୍ରମେ ସେଇ କୋଠିକୁ ଯାଇଥିଲି, ବହୁତ ଚେଷ୍ଟା କଲା ପରେ ବି କିଛି ଲାଭ ହେଲା ନାହିଁ, ଦୁଃଖର କଥା । ବଙ୍ଗଳାର ଇତିହାସ ବିଷୟରେ ମୁଁ ଯାହା ଜାଣିଛି… ଅନେକ ବର୍ଷ ପୂର୍ବେ ଜଣେ ବିଦେଶୀ ବ୍ୟକ୍ତି ସେ ବଙ୍ଗଳାର ନିର୍ମାଣ କରିଥିଲେ କିନ୍ତୁ ସେ ସହରର ଜଣେ ବ୍ୟବସାୟୀଙ୍କୁ ସେଇ ବଙ୍ଗଳା ବିକ୍ରି କରି ତାଙ୍କ ଦେଶକୁ ଫେରିଗଲେ । ବ୍ୟବସାୟୀ ତାଙ୍କର ଖରାଦିନିଆ ଛୁଟିରେ ପରିବାର ସହ ବଙ୍ଗଳାକୁ ବୁଲି ଆସନ୍ତି ଆଉ ସମୟ ସମୟରେ ଇଚ୍ଛା ହେଲେ ଆସନ୍ତି ! ଏମିତି ଗୋଟିଏ ଖରାଦିଆନିଆ ଛୁଟିରେ ପରିବାର ନେଇକି ସେ ଆସିଥିଲେ, କଣ କିଛି ଗୋଟେ ଜରୁରୀ କାମ ପଡ଼ିବାରୁ ତାଙ୍କୁ ସହରକୁ ଯିବାକୁ ପଡ଼ିଲା ! ପରିବାରକୁ ଛାଡ଼ି ସେ ସହରକୁ ଚାଲିଗଲେ… ବ୍ୟବସାୟ କାର୍ଯ୍ୟ ଯୋଗୁଁ ତାଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବାରୁ ବଙ୍ଗଳାକୁ ଫେରିବା କିଛି ଦିନ ଲାଗିଗଲା । ୟା ଭିତରେ ଗୋଟିଏ ମର୍ମନ୍ତୁଦ ଦୁର୍ଘଟଣା ଘଟିଗଲା, ଗ୍ୟାସ ପାଇପ ଫାଟି ନିଆଁ ଲାଗି ଯିବାରୁ ବ୍ୟବସାୟୀଙ୍କ ଧର୍ମପତ୍ନୀ ଆଉ ଛୋଟ ପିଲାର ଘଟଣା ସ୍ଥଳରେ ମୃତ୍ୟୁ ହେଇଗଲା । ଖବର ପାଇ ବ୍ୟବସାୟୀ ଜଣଙ୍କ ତହିଁ ପରଦିନ ଆସି ପହଞ୍ଚିଲେ । ପରିବାରକୁ ହରେଇ ଦୁଃଖରେ ଭାଙ୍ଗିପଡ଼ିଥିବାରୁ କିଛି ଦିନ ସେ ବ୍ୟବସାୟ କାର୍ଯ୍ୟରୁ ବିରତି ନେଇ ସେଇ ବଙ୍ଗଳାରେ ରହିଲେ ! ଏପରି ଏକ ଭୟାନକ ଦୁର୍ଘଟଣାରେ ପରିବାରକୁ ହରେଇ ସାରିବା ପରେ, ତାଙ୍କୁ ଆଉ ସେଠି ରହିବାକୁ ଇଚ୍ଛା ହେଲା ନାହିଁ ! କିଛି ଦିନ ପରେ ସେ ବଙ୍ଗଳାକୁ ବିକ୍ରି କରି ସବୁଦିନ ପାଇଁ ସହରକୁ ଚାଲିଗଲେ !

ଯୋଉ ବ୍ୟକ୍ତି ଜଣଙ୍କ ସେ ବଙ୍ଗଳା କିଣିଥିଲେ ତାଙ୍କର ଘରେ ବି ଜଣେ ଅକସ୍ମାତ ମୃତ୍ୟୁ ବରଣ କରିଥିବାର ଶୁଣିବାକୁ ମିଳିଥିଲା, ଠିକ ସେହିପରି ନିଆଁ ଲାଗିକି । କିଛି ଦିନ ଡାକ୍ତରଖାନରେ ରହି ସେ ମହିଳା ଜଣଙ୍କ ଇହଲୀଳା ସମ୍ୱରଣ କରିଥିଲେ । ଅଳ୍ପ କିଛି ଦିନର ସେଠାରେ ରହିବାର ଅନୁଭୂତିରୁ ସେ ଘର ମାଲିକ ବଙ୍ଗଳାରେ କିଛି ଅସାଧାରଣ ଘଟଣା ହେଉଥିବା ଅନୁଭବ କରି ମତେ ସମ୍ପର୍କ କରହିଥିଲେ ! ସବୁ ଘଟଣା ଶୁଣିବାପରେ ମୁଁ ସହାୟତା କରିବି ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲି କିନ୍ତୁ ମୋର ଗୋଟିଏ ସର୍ତ୍ତ ଥିଲା କି… କେବଳ ଘରର ମାଲିକଙ୍କୁ ଛାଡ଼ି ବାକି ସବୁ ସଦସ୍ୟ ସେଦିନ ଯେପରି ସେ ବଙ୍ଗଳାରେ ନ ରୁହନ୍ତି, ଏମିତିରେ ମୁଁ ମୋର ସାଧନାରେ କୌଣସି ବାଧା ଚାହୁଁ ନଥିଲି କି ଆଉ କାହାର ଜୀବନକୁ ବିପଦରେ ପକେଇବାକୁ ଚାହୁଁନଥିଲି ! ଗ୍ରହ ନକ୍ଷତ୍ରଙ୍କ ଗଣନାରୁ ଏକ ତିଥି ବାହାର କରି ସେଇଘରେ ତନ୍ତ୍ର ସାଧନା ପାଇଁ ସ୍ଥିର କଲି !

ପୂର୍ବ ନିର୍ଦ୍ଧାରିତ ସମୟରେ ମୁଁ ସେ ବଙ୍ଗଳାରେ ଯାଇ ପହଞ୍ଚିଲି ! ବହୁତ ବର୍ଷ ହେଲାଣି, କିନ୍ତୁ ସେ ରାତିର ଘଟଣା ମୋର ସବୁଦିନ ପାଇଁ ମାନେ ରହିବ । ସନ୍ଧ୍ୟା ୫-୬ ଭିତରେ ହେବ ମୋର ସ୍ମରଣ ଶକ୍ତି ଧୀରେ ଧୀରେ କ୍ଷୂର୍ଣ୍ଣ ହେଇ ଆସିଲାଣି ହେଲେ ମୋର ଏବେ ବି ମାନେ ଅଛି… ସେଦିନ ମୁଁ ଗେଟ୍ ଖୋଲି ଭିତରେ ପଶିଲାବେଳକୁ ଲାଗିଲା ଯେମିତି ମୋର ଆସିବା ବଙ୍ଗଳାର କିଛି ସ୍ଥାୟୀ ସଦସ୍ୟ ମାନଙ୍କୁ ନାପସନ୍ଦ ଥିଲା, ବଙ୍ଗଳାର ମୁଖ୍ୟ ଦ୍ୱାର ପାଖରେ ପହଞ୍ଚିଛି କି ନାହିଁ… ଦ୍ୱାରର ଠିକ୍ ଉପରେ ଥିବା ଗୋଟିଏ ପ୍ରାଚୀନ ମୂର୍ତ୍ତିଟେ ଖସି ପଡ଼ିଲା, ମୁଁ ଅଳ୍ପକେ ବର୍ତ୍ତି ଯାଇଥିଲି ଆଉ ସେତେବେଳକୁ ମୁଁ ଜାଣିସାରିଥିଲି ଯେ କାର୍ଯ୍ୟଟି ବଡ଼ କଠିନ ହେବ ! ଏପରି ଦୁର୍ଘଟଣାଯୁକ୍ତ ସ୍ୱାଗତ ପାଇବା ପରେ ମୁଁ କ୍ରୋଧିତ ହେଇ ଯାଇଥିଲି… ଆଉ ସଙ୍ଗେ ସଙ୍ଗେ ପିଶାଚଙ୍କୁ କାବୁ କରିବା କର୍ମର ଯୋଗାଡ଼ ଯନ୍ତ୍ରରେ ଲାଗି ଯାଇଥାଏ, ବିଧିପୂର୍ବକ ସେମାନଙ୍କୁ ଆବାହନ କରିବା ପୂର୍ବରୁ ମୁଁ ଟିକେ ବଙ୍ଗଳାର ଚତୁଃପାର୍ଶ୍ୱ ପରିଦର୍ଶନ କରି ସେମାନଙ୍କର ଉପସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲି ଆଉ ଶତକଡ଼ା ୧୦୦ ମୁଁ ଆଶ୍ୱସ୍ତ ହେଇ ଯାଇଥିଲି ଯେ ଏକାଧିକ ଅଶରୀରୀଙ୍କ ବାସସ୍ଥାନ ଥିଲା ସେଠି । ମତେ ସେଠାରେ ଦେଖିବାକୁ ପାଇ ସେମାନେ ମତେ ତାଙ୍କର ଉପସ୍ଥିତି ଜଣେଇଦେବା ପାଇଁ ବିଭିନ୍ନ ପ୍ରକାରର ସୂଚନା ଦେଉଥାଆନ୍ତି, ଯେପରିକି ଗଛର ଡାଳ ତଳକୁ ଝୁଲି ଭାଙ୍ଗି ପଡ଼ିବାର ଶବ୍ଦ, ବିଭନ୍ନ ପକ୍ଷୀଙ୍କ ଆତ୍ମଚିତ୍କାର ପରି କଳରବ… ହେଲେ ମୁଁ ସେସବୁ ଧ୍ୟାନ ନଦେଇକି ମୋ କାମ କରିଚାଲିଥାଏ ! ୟା ଭିତରେ ସନ୍ଧ୍ୟା ହେଇ ଆସିଥିଲା ଏବଂ ମତେ ଜଣା ପଡ଼ିସାରିଥାଏ କି ସେମାନେ ଧୀରେ ଧୀରେ ଘର ଭିତରକୁ ପ୍ରବେଶ କରି ସାରିଲେଣି ଆଉ ସବୁ ମୋର ଯୋଜନା ଅନୁସାରେ ହେଉଥାଏ, ଯେତେବେଳେ ମୁଁ ପୁରା ଆଶ୍ୱସ୍ତ ହେଇଗଲି ଯେ… ସେମାନେ ବଙ୍ଗଳା ଭିତରକୁ ଯାଇ ସାରିଲେଣି… ମୁଁ ଅଭିମନ୍ତ୍ରିତ ରକ୍ଷାସୁତାକୁ ସମସ୍ତ ପ୍ରବେଶ ଦ୍ୱାରରେ ବାନ୍ଧି ନିଜେ ବଙ୍ଗଳା ଭିତରକୁ ପ୍ରବେଶ କଲି ! ସାଧାରଣ ମନୁଷ୍ୟଙ୍କୁ ଯାହା ଶୁଣାଯାଏ ନାହିଁ କି ଦେଖାଯାଏ ନାହିଁ, ବର୍ଷବର୍ଷ ଧରି କରିଥିବା ସାଧନାରୁ ପାଇଥିବା ଶକ୍ତି ଯୋଗୁ ମୁଁ ଭୂତ ପ୍ରେତ ପିଶାଚମାନଙ୍କର ଗତିବିଧି ଉପରେ ଧ୍ୟାନ ରଖି ପାରିଥାଏ ! ନିର୍ଦ୍ଧିଷ୍ଟ ସମୟରେ ମୁଁ ମୋର ସବୁ କର୍ମ ଆରମ୍ଭ କଲି ହେଲେ ସେମାନେ ସବୁ ବାଧା ସୃଷ୍ଟିକରୁଥିଲେ କିନ୍ତୁ ମୁଁ ସାଧନାସ୍ଥଳୀକୁ ପୂର୍ବରୁ ସେମାନଙ୍କର ପ୍ରବେଶ ନିଷିଦ୍ଧ କରେଇବାର ବ୍ୟବସ୍ଥା କରିଥିଲି ! ଉଚିତ ସମୟ ଆସିବା ପରେ ଯେତେବେଳେ ମୋର ତନ୍ତ୍ର ସାଧନାର ପ୍ରଭାବରେ ସେମାନେ କିଛି କ୍ଷଣ ପାଇଁ ଦୁର୍ବଳ ପଡ଼ିଗଲେ, ମୁଁ ସେମାନଙ୍କୁ ଆବାହନ କଲି, ସେମାନଙ୍କ ଭିତରୁ ଜଣେ ମୋର ତନ୍ତ୍ର ସାଧନାରେ ବଶୀଭୂତ ହେଇ ଆସୁଥାଏ… ବଙ୍ଗଳାରେ ବିକଟାଳ ଚିତ୍କାର ସାଙ୍ଗକୁ କବାଟ ସବୁ ଖୋଲୁ ଥାଏ ବନ୍ଦ ହେଉଥାଏ, ଯେପରିକି ସେମାନେ ବଙ୍ଗଳା ବାହାରକୁ ଯିବାକୁ ଚେଷ୍ଟା କରୁଥାନ୍ତି… କିନ୍ତୁ ମୁଁ ବାନ୍ଧିଥିବା ରକ୍ଷାସୂତ୍ର ଯୋଗୁଁ ସେମାନେ ଅସଫଳ ହେଉଥାନ୍ତି… ଏସବୁ ଭିତରେ ମୋର ତନ୍ତ୍ରସାଧନା ନିରନ୍ତର ଚାଲିଥାଏ, ଆମେ ସେମାନଙ୍କୁ ବଶୀଭୂତ କରିବାରେ ସଫଳ ହେଇ ଆସୁଥାଉ… ହଠାତ କେଉଁଆଡ଼ୁ ଗୋଟିଏ କୁକୁରଟିଏ ବିଜୁଳି ବେଗରେ ଆସି ବଙ୍ଗଳାର ମୁଖ୍ୟଦ୍ୱାର ଦେଇ ବାହାରକୁ ଚାଲିଗଲା, ଏହାଦ୍ୱାରା ବଙ୍ଗଳାକୁ ଚତୁଃପାର୍ଶ୍ଵରୁ ସୁରକ୍ଷିତ କରିଥିବା ରକ୍ଷାସୂତ୍ରଟି ଭଙ୍ଗ ହେଇଗଲା, ଆଉ ସବୁ ପ୍ରେତାତ୍ମା ବଙ୍ଗଳା ବାହାରକୁ ଚାଲିଗଲେ ! ଗୋଟିଏ ମୁହୂର୍ତ୍ତରେ ସବୁ ସାଧନା ନିରର୍ଥକ ହେଇଗଲା ! କୁକୁରଟି କୁଆଡ଼ୁ ଆସିଲା ଜାଣିବାକୁ ଚେଷ୍ଟା କଲାପରେ, ଯାହା ଜାଣିବାକୁ ପାଇଲି ଯେ ସେ ଘରମାଲିକଙ୍କ କୁକୁର ଥିଲା ଆଉ ତା’ ମାଧ୍ୟମରେ ପ୍ରେତାତ୍ମାମାନେ ବଙ୍ଗଳା ବାହାରକୁ ଯିବାକୁ ସାଧନ ପାଇ ଯାଇଥିଲେ ! ମୋର ସାଧନାରେ ଭଙ୍ଗ ନ ଆସିବା ପାଇଁ ଯଦିଓ ମୁଁ ସେମାନଙ୍କୁ ପୂର୍ବରୁ ଅବଗତ କରେଇଥିଲି ହେଲେ ତା’ର ଉପସ୍ଥିତି ଯେହେତୁ ମୁଁ ଜାଣି ନଥିଲି, ନହେଲେ କୁକୁରକୁ ମଧ୍ୟ ରକ୍ଷାସୂତ୍ର ମଧ୍ୟରେ ରଖିବାର ବ୍ୟବସ୍ଥା କରିପାରିଥାନ୍ତି ଆଉ ଆମେ ଆମ କାର୍ଯ୍ୟରେ ପ୍ରାୟତଃ ସଫଳ ବି ହେଇ ପାରିଥାନ୍ତୁ !

ସେଇ ଦିନ ପରେ… ମୁଁ ଆଉଥରେ ଚେଷ୍ଟା କରିଥିଲି ସେମାନଙ୍କୁ ବଶୀଭୂତ କରିବା ପାଇଁ ହେଲେ ସମ୍ଭବ ହେଇପାରିଲାନାହିଁ କାରଣ ବଙ୍ଗଳାରେ କୋଉ ଏକ ସେମିତି ବସ୍ତୁ ପାଇଲି ନାହିଁ… ଯାହାପ୍ରତି ସେମାନଙ୍କର ପ୍ରବଳ ଆସକ୍ତି ରହିଥିବ ! ସେବେଠାରୁ ସେ ବଙ୍ଗଳା ଖାଲିଥିଲା ଆଉ ଏବେ ଆପଣ କିଣିବା କଥା ଶୁଣିଲି, ଆପଣ ବହୁତ ଭାଗ୍ୟବାନ ଯେ ଆପଣଙ୍କର ପରିବାରରେ କାହାର କିଛି ବିଶେଷ କ୍ଷତି ହେଇ ନାହିଁ !

ସମସ୍ତ ଘଟଣା ଶୁଣିସାରିବାପରେ ମେଜର ତାନ୍ତ୍ରିକଙ୍କୁ ପଚାରିଲେ…

ମେଜର – ଆଜ୍ଞା, ଏହାର କ’ଣ ଆଉ କିଛି ଉପାୟ ନାହିଁ?
ତାନ୍ତ୍ରିକ – ଦେଖନ୍ତୁ, ମୋର ଏବେ ବୟସ ହେଇଗଲାଣି… ପୂର୍ବପରି ଆଉ ତନ୍ତ୍ର ସାଧନା କରିପାରୁନାହିଁ. କ୍ଷମା କରିବେ ।
ମେଜର – ଆଉ କେହି ସେମିତି ପ୍ରଭାବଶାଳୀ ତାନ୍ତ୍ରିକ ଅଛନ୍ତି ଆପଣଙ୍କର ଦୃଷ୍ଟିରେ?
ତାନ୍ତ୍ରିକ – ବାବୁ… ଆଜିକାଲିକା ସମୟରେ ଆଉ କୋଉଠି ବେଶୀ ଲୋକ ତନ୍ତ୍ର ସାଧନା କରୁଛନ୍ତି ! ଏଇ ଛୋଟମୋଟ ଗୁଣିଗାରେଡ଼ି କରୁଥିବା କିଛି ମିଳିଯିବେ… ହେଲେ ମୋର ଅଭିଜ୍ଞତାରୁ ଯାହା କହିବି, ସେମାନେ ବହୁତ ଶକ୍ତିଶାଳୀ, ସେମାନଙ୍କୁ ବଶୀଭୂତ କରିବାକୁ ହେଲେ ଅସାଧ୍ୟ ତନ୍ତ୍ର ସାଧନା କରୁଥିବା ତାନ୍ତ୍ରିକଙ୍କର ଆବଶ୍ୟକ ! କ୍ଷମା କରିବେ… ଏବେ ତ ମୋ ଦୃଷ୍ଟିରେ ସେମିତି କେହି ନାହାନ୍ତି ।

ଏହା ଶୁଣି ବିଷାଦଗ୍ରସ୍ତ ମନରେ ମେଜର ପ୍ରତାପ ଆଉ ତାଙ୍କ ଭାଇ ତାନ୍ତ୍ରିକଙ୍କଠାରୁ ନିରାଶ ହେଇ ଫେରି ଆସିଲେ ଆଉ ନିଜ ପରିବାର ଧରି ସହରକୁ ଫେରିଗଲେ ଏବଂ ପରିବାରରେ ସବୁ ଏକମତ ଥିଲେ କି, ସେ ବଙ୍ଗଳାକୁ ପୁନଃ ବିକ୍ରି କରିଦେବା ପାଇଁ… ମେଜର ଆଉ ତାଙ୍କ ପରିବାର ରହିଥିଲେ କେହି ଜଣେ ଗ୍ରାହକ ଅପେକ୍ଷାରେ !

ସେଇ ବଙ୍ଗଳାଟି ସେମିତି ଖାଲି ରହିଥାଏ, କେହି ଗ୍ରାହକ ମିଳୁ ନଥାନ୍ତି ମେଜରଙ୍କୁ ! ବର୍ଷ ପରେ ବର୍ଷ ବିତିଗଲା, ମେଜର ଓ ତାଙ୍କ ସହଧର୍ମିଣୀ ଏ ଦୁନିଆରେ ଆଉ ନାହାନ୍ତି ! ଏମିତି ଦିନେ ନିଜ ଆରାମଚେୟାରରେ ବସି ଝୁଲୁଥାନ୍ତି ମେଜରଙ୍କ ବଡ଼ ପୁଅ ସଞ୍ଜୀବ ! ହଠାତ ଫୋନ୍‌ଟା ବାଜି ଉଠିଲା… ଫୋନ ଉଠାଇବା ପରେ ସଞ୍ଜୀବ ଜାଣିବାକୁ ପାଇଲେ ଯେ ଜଣେ ଭଦ୍ର ମହିଳା ତାଙ୍କର ହିଲ-ଷ୍ଟେସନସ୍ଥିତ ବଙ୍ଗଳାରେ ରହିବାକୁ ଚାହୁଁଛନ୍ତି, ବଙ୍ଗଳାର ଜଗୁଆଳିଠାରୁ ନମ୍ୱର ଆଣି ଫୋନ କରିଥିଲେ ! ସଞ୍ଜୀବଙ୍କ ବାପାମା’ ବଙ୍ଗଳା ବିଷୟରେ କହିଥିବା ପୁରୁଣା ଘଟଣା ସବୁ ନାଚି ଉଠିଲା ତାଙ୍କ ଆଖି ଆଗରେ, ଭାବିଲେ ଯଦିଓ ବଙ୍ଗଳାଟିକୁ ସେ ଭଡ଼ାରେ ଦେବେ ତା’ହେଲେ ପ୍ରାୟତଃ ବଙ୍ଗଳାର ରକ୍ଷଣାବେକ୍ଷଣର ଖର୍ଚ୍ଚ ଉଠିଯିବ ହେଲେ ନିଜ ଲାଭ ପାଇଁ ସେ ଆଉ କାହା ପରିବାରକୁ ବିପତ୍ତିରେ ପକେଇବାକୁ ଚାହୁଁନଥିଲେ, ତେଣୁ ସେ ମହିଳାଙ୍କୁ ଦେଖା କରିବାକୁ କହି ତାଙ୍କ ଘରକୁ ଆସିବାକୁ ନିମନ୍ତ୍ରଣ କଲେ !

ନିର୍ଦ୍ଧାରିତ ସମୟରେ ମହିଳା ଜଣଙ୍କ ଆସି ପହଞ୍ଚିଲେ ତାଙ୍କ ଦୁଇ ପିଲାଙ୍କ ସାଙ୍ଗରେ ! କଥା ହେଉ ହେଉ ସଞ୍ଜୀବ ଜାଣିଲେ ଯେ, ସେ ମହିଳା ଜଣଙ୍କ ଅଲଗା ସହରରେ ରୁହନ୍ତି, ସେଠାରେ ତାଙ୍କର ଭଲ ବ୍ୟବସାୟ ଥିଲା କିନ୍ତୁ ବ୍ୟବସାୟରେ ଭାରି କ୍ଷତି ହେବାରୁ ଋଣ ବୋଝ ସହି ନପାରି ମାନସିକ ଭାରସାମ୍ୟ ହରାଇ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିଲେ କିଛି ମାସ ତଳେ, ଧୀରେ ଧୀରେ ସେମାନେ ସାଧାରଣ ଜୀବନକୁ ଫେରୁଛନ୍ତି । ହେଲେ ତାଙ୍କ ସାନ ଝିଅଟି ମାନସିକ ଆଘାତ ପାଇ ଭାରସାମ୍ୟ ହରାଇ ବସିଛି ! ବିଗତ କିଛି ସପ୍ତାହ ମଧ୍ୟରେ ସେମାନେ ତାଙ୍କର ଘରବାଡ଼ି ବିକ୍ରି କରି ଋଣ ସବୁ ସୁଝାସୁଝି କରି ନୂଆ ଜାଗାରେ ନୂଆ ଜୀବନ ଜାପାନ କରିବାକୁ ଚାହୁଁଛନ୍ତି, ତେଣୁ ପୁରୁଣା ସ୍ମୃତି ସବୁ ସେଇ ସହରରେ ଛାଡ଼ି ଏପରି ଏକ ପାହାଡ଼ିଆ ଅଞ୍ଚଳରେ, ପ୍ରକୃତିର କୋଳରେ ଜୀବନର ପୁନଃ ପ୍ରାରମ୍ଭ କରିବାକୁ ସେମାନେ ସ୍ଥିର କରିଛନ୍ତି ଆଉ ସେଇ ହିଲ୍‌ଷ୍ଟେସନରେ ଥିବା ମାନସିକ ରୋଗୀଙ୍କର ଡାକ୍ତରଖାନାରେ ବି ତାଙ୍କ ଝିଅର ଚିକତ୍ସା କରେଇ ପରିବା ଥିଲା ତାଙ୍କର ଅନ୍ୟତମ ଉଦ୍ୟେଶ !

ଏସବୁ ଶୁଣି ସଞ୍ଜୀବ ଟିକେ ଭବବିହ୍ଵଳ ହେଇ କହିଲେ…

ସଞ୍ଜୀବ – ମାଡ଼ାମ, ଆପଣଙ୍କର ଜୀବନରେ ବହୁତ ଦୁଃଖ ପୂର୍ବରୁ ରହିଛି, ମୁଁ ଚାହୁଁନି ଆପଣମାନେ ସେଇ ବଙ୍ଗଳାରେ ରହି ଆଉ ଅଧିକ ଦୁଃଖ ଭୋଗନ୍ତୁ, ମୁଁ ତ ଜାଣିନି ଯେ ଆପଣ ବଙ୍ଗଳାର ଅତୀତ ଘଟଣା ସବୁ ଉପରେ ଅବଗତ ଅଛନ୍ତି କି ନାହିଁ… ହେଲେ ମୁଁ ଏତିକି କହିରଖିବାକୁ ଚାହେଁ ଯେ ଆପଣ ଭାବିଚିନ୍ତି ବୁଦ୍ଧିବିଚାରି ପଦକ୍ଷେପ ନିଅନ୍ତୁ !
ମାଡ଼ାମ – ସଞ୍ଜୀବ ବାବୁ, ଆପଣ ସେମିତି କାହଁକି ଭାବୁଛନ୍ତି? ଆମେ ବଙ୍ଗଳା ଭିତରେ ବୁଲି ଦେଖିଛୁ, ଖୁବ ସୁନ୍ଦର ବଙ୍ଗଳାଟିଏ ଆପଣଙ୍କର, ବଙ୍ଗଳାର ଜଗୁଆଳିଠାରୁ ବଙ୍ଗଳା ବିଷୟରେ ସମସ୍ତ ଖବର ବି ନେଇଛୁ !
ସଞ୍ଜୀବ – ସେ ବଙ୍ଗଳାଟି ଭଲ ସ୍ଥାନରେ ଅଛି… ସବୁ ଭଲ ବ୍ୟବସ୍ଥା ରହିଛି ହେଲେ ସେଠାରେ କିଛି ପାରାନୋମିଆଲ୍ କାର୍ଯ୍ୟକଳାପ ରହୁଛି, ତାହା ମୋ’ ବାପାମାଆ କହୁଥିବାର ଶୁଣିଛି, ସେଥିପାଇଁ ଏତେ ସୁନ୍ଦର ସ୍ଥାନ ଛାଡ଼ି ସହରର ବ୍ୟସ୍ତତା ଭିତରେ ବାପା ଆଉ ମାଆ ଆସି ରହିଲେ… ଯଦିଓ ବହୁତ ଆଶା ନେଇ ବାପା ସେ ବଙ୍ଗଳାଟି କିଣିଥିଲେ !
ମାଡ଼ାମ – ପାରାନୋମିଆଲ ଆକ୍ଟିଭିଟି? କ’ଣ ଟିକେ ବିଶ୍ଳେଷଣ କରି କହିବେ?

ସଞ୍ଜୀବ କିଛି ସମୟ ଚୁପ ରହି, ବଙ୍ଗଳାର ବିଷୟରେ ଯାହା ସବୁ ଶୁଣିଥିଲେ ତାହା ବର୍ଣ୍ଣନା କଲେ ! ସବୁ ଶୁଣିଲା ପରେ ମହିଳା ଜଣଙ୍କ କହିଲେ, “ଦେଖନ୍ତୁ ସଞ୍ଜୀବ ବାବୁ, ମୁଁ ମୋ ଭାଇଙ୍କ ସାଙ୍ଗରେ ସେ ବଙ୍ଗଳାକୁ ଯାଇ ସେ ଜାଗା ବୁଲାବୁଲି କରି ଆସିଛି, ତା’ ଛଡ଼ା ଅଖାପାଖ ପଡ଼ୋଶୀଙ୍କ ସହ କଥା ହେଇ ଆସିଛି, ସେମିତି କିଛି ବିଶେଷ ଭୟର ଅନୁଭୂତି ହେଲା ନାହିଁ । ଆଉ ସେଇ ବଙ୍ଗଳା ପାଖରେ କିଛି ବଙ୍ଗଳା ଗଢ଼ି ଉଠିଲାଣି । ଲାଗୁଛି ଆପଣ ବହୁତ ବର୍ଷ ହେବ ଆପଣ ନିଜ ବଙ୍ଗଳା ଆଡ଼େ ଯାଇ ନାହାନ୍ତି ! ସେ ଜାଗା ଆଉ ପୂର୍ବପରି ନିର୍ଜନ ହେଇ ରହିନାହିଁ । ବିଶ୍ୱସ୍ତରୀୟ ମଲ୍ଟି-ସ୍ପେସିଆଲିଟି ଡାକ୍ତରଖାନା ଯୋଗୁଁ ଆପଣଙ୍କର ବଙ୍ଗଳାର ଆଖପାଖ ଅଞ୍ଚଳର ବହୁତ ବିକାଶ ହେଇଗଲାଣି ! କିଛି ଦିନ ଭିତରେ ମୋର ଭାଇ ଆସି ରହିବେ ଆମ ସାଙ୍ଗରେ ! ତା’ ଛଡ଼ା ସେସବୁ ପୁରୁଣାକାଳିଆ କଥା । ଆଉ ଅନେକ ଏପରି କଥା ଅନ୍ଧବିଶ୍ୱାସ ମଧ୍ୟ, ଆପଣଙ୍କର ବଙ୍ଗଳା କେୟାର୍‌ଟେକର୍ ବହୁତ ସୁନ୍ଦର ଭାବେ ସମସ୍ତ ଆସବାବପତ୍ର ଗୁଡ଼ିକର ଯତ୍ନ ନେଇକି ରଖିଛନ୍ତି । ଆମର କିଛି ଅସୁବିଧା ହେବନି, ମୁଁ ସେଇ ବଙ୍ଗଳାରେ ରହିବାକୁ ପ୍ରସ୍ତୁତ ଅଛି ! କୌଣସି ଅସୁବିଧା ହେଲେ ଦେଖିବାନି !!”

ହଁ… ନା ଭିତରେ, ସଞ୍ଜୀବ ରାଜି ହେଲେ ଆଉ କହିଲେ, ଠିକ ଅଛି ମାଡ଼ାମ ଆପଣ ରହିପାରନ୍ତି କିନ୍ତୁ କଥା ଦିଅନ୍ତୁ ଯଦି କିଛି ସେପରି ଅସାଧାରଣ ଭାବନା ଅନୁଭବ କରୁଛନ୍ତି କି ଦେଖୁଛନ୍ତି, ଆପଣ ସଙ୍ଗେସଙ୍ଗେ ବଙ୍ଗଳା ଛାଡ଼ିଦେବେ ! ଭଦ୍ର ମହିଳା ଜଣଙ୍କ ସଞ୍ଜୀବଙ୍କ କଥାରେ ରାଜି ହେଇ ସେଠାରୁ ପ୍ରସ୍ଥାନ କଲେ ! କଥା ଅନୁସାରେ ଯଦି ମହିଳାଜଣଙ୍କ ସେଠାରେ କିଛି ଦିନ ରହି ସବୁ ଉଚିତ ମନେକଲେ ତା’ହେଲେ ଏଗ୍ରିମେଣ୍ଟ ଦସ୍ତଖତ କରିବେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ୧ ସପ୍ତାହ ପରେ ସେ ଭଦ୍ର ମହିଳା ଜଣଙ୍କ ତାଙ୍କର ପୁଅ, ଝିଅ ଏବଂ ପିଲାଙ୍କର କେୟାର୍‌ଟେକର୍, ଜଣେ ମଧ୍ୟ ବୟସ୍କ ମହିଳାଙ୍କ ସାଙ୍ଗରେ ସେ ବଙ୍ଗଳାକୁ ଆସିଲେ ! ଖବର ପାଇ ବଙ୍ଗଳାର ଜଗୁଆଳି ସବୁ ସଫାସଫି କରି ଦେଇଥାଏ । ବେଶୀ କିଛି ଜିନିଷ ଅସବାବପତ୍ର ନ ଆଣି ଜରୁରୀକାଳୀନ ଜିନିଷ ସବୁ ନେଇ ଆସିଥିଲେ ! ସନ୍ଧ୍ୟା ହେଇ ଆସିଲା ପରେ ଜଗୁଆଳି ଆସି ଘଣ୍ଟି ବଜାଇଲା । ଜଗୁଆଳି ବଙ୍ଗଳା ଆଗରେ ଗୋଟିଏ ଛୋଟିଆ ଘରେ ରହୁଥାଏ, କିଛି ଜରୁରୀ ପଡ଼ିଲେ ଖବର ଦେବେ କହି ଜଗୁଆଳି ବିଦାୟ ନେଲା ।

ନୂଆ ସ୍ଥାନ, ପ୍ରଥମ ଦିନ… ଆଉ ରୋଷେଇ ଇତ୍ୟାଦି କ’ଣ ଆଉ କରିବେ ଭାବି ବାହାରୁ ଖାଇବା ପ୍ୟାକେଟ କରି ନେଇ ଆସିଥିଲେ । ସମସ୍ତେ ରାତ୍ର ଭୋଜନ କରି ଶୀଘ୍ର ଶୋଇ ପଡ଼ିଲେ ! ଶୋଷ ଲାଗିବାରୁ ନିଦରୁ ଉଠି ମାଡ଼ାମ ପାଣି ପିଉ ପିଉ ପିଲାଙ୍କ କଥା ଭାବି ଟିକେ ପିଲାଙ୍କ କୋଠରୀକୁ ଯାଇ ଦେଖନ୍ତି ତ ଝିଅ ନିଦରୁ ଉଠି କାହା ସାଙ୍ଗରେ କଥା ହେଉଛି… ଯେହେତୁ ମାନସିକ ଭାରସାମ୍ୟ ହରାଇଥିଲା ତାଙ୍କ ଝିଅ, ମାଡ଼ାମ ଏସବୁ ଘଟଣା ଆଗରୁ ଦେଖିଛନ୍ତି… ତାଙ୍କ ପାଇଁ ନୂଆ କଥା ନଥିଲା । ଲାଇଟ ଅନ୍ କରି, ଝିଅକୁ ବିଛଣାରେ ଶୁଆଇ ପୁନଃ ଲାଇଟ ବନ୍ଦ କରି ଫେରି ଆସିଲେ ନିଜ ଶୋଇବା ଘରକୁ !

ସୁନ୍ଦର ପ୍ରାକୃତିକ ପରିବେଶରେ, ବିଭିନ୍ନ ପକ୍ଷୀମାନଙ୍କର କଳରବରେ ସଖାଳୁ ନିଦ ଭାଙ୍ଗିଗଲା ମାଡ଼ାମଙ୍କର, ସେ ତୁରନ୍ତ ଉଠିଯାଇ ପିଲାଙ୍କ ରୁମରେ ଦେଖନ୍ତି ତ ପିଲାମାନେ ଶୋଇଛନ୍ତି ଆଉ ତାଙ୍କ ପାଖ ଖଟରେ ମେଡ୍ ବି ! ମାଡ଼ାମ୍ କବାଟ ଖୋଲି ବାହାର ଆଡ଼େ ଟିକେ ବୁଲି ଆସିଲେ; ମନେମନେ ଭାବୁଥାନ୍ତି, କେତେ ସୁନ୍ଦର ପରିବେଶ ଆଉ ଲୋକେ ୟାକୁ ବଦନାମ କରି ରଖିଛନ୍ତି ! ୟା ଭିତରେ ମାଡ଼ାମ ତାଙ୍କର ନୂଆ କରି ଆରମ୍ଭ କରିଥିବା ବ୍ୟବସାୟରେ ବ୍ୟସ୍ତ ହେଇଗଲେଣି । ଏମିତି ଦିନେ ଅପରାହ୍ନରେ ଘରକୁ ଫେରିଲା ବେଳେ ଦେଖିଲେ ତାଙ୍କ ଝିଅ (ପିଆ) ବଙ୍ଗଳା ପାର୍ଶ୍ୱରେ ଥିବା ସେଇ ପୁରୁଣା ବୃକ୍ଷ ତଳେ ଠିଆ ହେଇ କାହା ସାଙ୍ଗରେ କଥା ହେଉଛି । ମାଡ଼ାମ ଝିଅ ପାଖକୁ ଯାଇ ତାକୁ ନେଇ ଆସିଲେ ଘରକୁ ଆଉ ସଙ୍ଗେସଙ୍ଗେ ଗଛରୁ ତଳେ କ’ଣ ଗୋଟେ ଜୋରରେ ପଡ଼ିବା ଶବ୍ଦ ହେଲା, ପଛକୁ ବୁଲି ଦେଖନ୍ତି ତ କିଛି ନାହିଁ । ମାଡ଼ାମଙ୍କୁ ଟିକେ ଭୟ ଲାଗିଲା ହେଲେ ତାଙ୍କ ଝିଅ ଭୟ ନକରି ସେମିତି ପଛକୁ ଚାହିଁ ରହିଥାଏ । ମାଡ଼ାମ ପୂରା ଡରିଗଲେ ଘଟଣା ଦେଖି… କ’ଣ ଦେଖୁଚି ତାଙ୍କ ଝିଅ ପଛକୁ ଚାହିଁ ଚାହିଁ ! ସେଦିନ ରାତିରେ ମାଡ଼ାମଙ୍କୁ ଆଉ ନିଦ ହେଲା ନାହିଁ, ରାତିସାରା ଉଠି ପିଲାଙ୍କ କୋଠରୀ ଆଡ଼େ ବୁଲି ଆସୁଥାନ୍ତି ! ସକାଳୁ ଉଠିଲା ପରେ ଦେଖିଲେ ଝିଅ ବେସ୍‌ମେଣ୍ଟ୍ ଯିବାକୁ ଥିବା ସିଢ଼ି କବାଟ ପାଖରେ ବସି କାହାସଙ୍ଗରେ କଉଡ଼ି ଖେଳୁଛି… ଆଶ୍ଚର୍ଯ୍ୟ !! ପିଆ କଉଡ଼ି ଖେଳ କୋଉଠୁ ଶିଖିଲା? ମେଡ୍‌କୁ ଡାକି ପଚାରିଲେ… ମାଡ଼ାମ ।

ମାଡ଼ାମ – ପିଆ କଉଡ଼ି କୋଉଠୁ ଆଣିଲା?
ମେଡ୍ – ସଖାଳୁ ଉଠି ପିଆ ମୋ ବେକରେ ଥିବା କଉଡ଼ି ମାଳା ନେବ ବୋଲି ଅଳି କଲା, ମୁଁ ଦେଇ ଦେଲି ! ଦେଖୁ ନାହାନ୍ତି… ତାକୁ ଛିଣ୍ଡେଇ କଉଡ଼ି ଖେଳିବା ଆରମ୍ଭ କରି ଦେଇଛି, ଆପଣ ତାକୁ କଉଡ଼ି ଖେଳିବା ଶିଖେଇଛନ୍ତି କି ମାଡ଼ାମ?
ମାଡ଼ାମ – ନା ତ… ମୁଁ ନିଜେ ବି ଶିଖିନି ଖେଳିବା !
ମେଡ୍ – କୋଉଠି ନହଲେ ଟିଭିରୁ ଦେଖିଥିବ ବୋଧ ହୁଏ ।
ମାଡ଼ାମ – ହଉ ତୁ ଯା… ତୋ’ର କାମ କର, ମୁଁ ଦେଖୁଛି !

ମାଡ଼ାମଙ୍କ ମନରେ ଧୀରେ ଧୀରେ ସନ୍ଦେହ ସୃଷ୍ଟି ହେଉଥାଏ, ତାଙ୍କର ବଙ୍ଗଳା ମାଲିକଙ୍କ କହିବା କଥା ପ୍ରାୟ ମନେ ପଡ଼ୁଥାଏ ! ଝିଅ ପାଖକୁ ଧୀରେ ଯାଇ ପଚାରିଲେ…

ମାଡ଼ାମ – ମୋ’ ବେବି, କ’ଣ କରୁଛି?
ପିଆ – କଉଡ଼ି ଖେଳୁଛି ମମି !
ମାଡ଼ାମ – କଉଡ଼ି, ସେଟା ପୁଣି କି ଖେଳ?
ପିଆ – (ଜୋର୍‌ରେ ହସିକି) ଏତିକି ଜାଣିନ ମମି, ଦେଖା ଏଇଟା କଉଡ଼ି ଆଉ ଏମିତି ଖେଳ ହୁଏ !
ମାଡ଼ାମ – ସତେ…? ହେଲେ କିଏ ଶିଖେଇଲା ଏ ଖେଳ?
ପିଆ – ମୋ’ର ସାଙ୍ଗ ପରା !
ମାଡ଼ାମ – ହେଁ… କୋଉ ସାଙ୍ଗ? ଏଠି ତ ଆମ ଛଡ଼ା ଆଉ କେହି ନାହାନ୍ତି… ତୁମ ସାଙ୍ଗର ନାଁ କ’ଣ?
ପିଆ – ହେସ… କିଏ କହିଲା ! ମୋ ସାଙ୍ଗ ବି ରହୁଛି ଏଠି । ଆମେ ସବୁଦିନ ଗଛ ମୂଳେ ଦୋଳି ଖେଳୁ… ବହୁତ ମଜା କରୁ ! ଆରେ… ମୁଁ ତ ତା’ର ନାମ କ’ଣ ଜାଣିନି, ଆଜି ପଚାରିବି !

ମାୟା - Odia Story

ଏତିକି ଶୁଣି ମାଡ଼ାମ ଚମକି ପଡ଼ିଲେ, ସଞ୍ଜୀବଙ୍କର ଗୋଟି ଗୋଟି କଥା ମନେ ପଡ଼ିଗଲା । ସିଧା ସେଠୁ ଉଠିଗଲେ ନିଜ ଶୋଇବା ଘରକୁ… ଆଣିଥିବା ସବୁ ଜିନିଷ ପତ୍ର ପ୍ୟାକ କଲେ । ଆଉ ପୁଅକୁ ଡାକି କହିଲେ… ଏ ଘରେ କିଛି ଠିକ୍ ନାହିଁ, ଆମେ ପଳେଇବା ଏଠୁ, ସେପଟେ ମେଡ୍‌କୁ ବି ଡାକିକି ସବୁ କଥା ବୁଝେଇ ଦେଲେ ! ଜିନିଷ ପତ୍ର ସବୁ ପ୍ୟାକ ହେବା ଦେଖି ଝିଅ ପଚାରିଲା, “ଆମେ କୁଆଡ଼େ ଯାଉଛୁ?” ୟା ଭିତରେ ମାଡ଼ାମ ଗୋଟିଏ କଥା ପୂରା ଭୁଲି ଯାଇଥିଲେ, ଝିଅ ସ୍ପଷ୍ଟ ରୂପେ କଥା ହେଉଛି; ପଚାରିଲେ ଉତ୍ତର ଦେଉଛି ମାନେ ଧୀରେ ଧୀରେ ସେ ଠିକ୍ ହେବାକୁ ଲାଗିଛି । ସେ ଯାହା ବି ହେଉ ମାଡ଼ାମ ସେ ବଙ୍ଗଳା ସେଇଦିନ ଛାଡ଼ିବା ପାଇଁ ସ୍ଥିର କଲେ! ସବୁ ଜିନିଷ ପ୍ୟାକ୍ କରି ଟ୍ୟାକ୍ସିକୁ ଅପେକ୍ଷା କରିଛନ୍ତି, ମୁଖ୍ୟ କବାଟ ପାଖରେ ! ହଠାତ ଘର ସାରା ରୁଣୁଝୁଣୁ ପାଉଁଜି ଶବ୍ଦ ଭାସି ଆସିଲା, ଆଉ ଘରର ମୁଖ୍ୟ ଦ୍ୱାର ବି ଆପେ ଆପେ ବନ୍ଦ ହେଇଗଲା ! ମାଡ଼ାମ ଏସବୁ ଦେଖି ପୂରା ଛାନିଆ । ପିଲା ଦୁଇଟିଙ୍କୁ ଜାବୁଡ଼ି ଧରିଲେ ଆଉ ଜଗୁଆଳିକୁ ଡାକ ପକେଇଲେ, ହେଲେ କବାଟ ବନ୍ଦ ଥିବାରୁ ବାହାରକୁ ଶବ୍ଦ ଯାଉଥିଲା କି ନାହିଁ ସନ୍ଦେହ ! ଏସବୁ ଭିତରେ ସେ ସଞ୍ଜୀବଙ୍କ କଥା ମାନେ ପକାଉଥିଲେ ! କାହିଁକି ଏଠି ରହିବାକୁ ଆସୁଥିଲି କେଜାଣି… ମୋ ବୁଦ୍ଧି ଭ୍ରଷ୍ଟ ହେଇ ଯାଇଥିଲା ଏ ସୁନ୍ଦର ଜାଗାକୁ ଦେଖିକି । ହେ ପ୍ରଭୁ ଏବେ କଣ କରିବି… ହେଲେ, ବଙ୍ଗଳା ମାଲିକ ତ କହୁଥିଲେ, ସେ ଏ ଘରେ ଥିବା ଅଶରୀରିମାନେ ଘରେ କାହାକୁ ରଖେଇ ଦିଅନ୍ତି ନାହିଁ । ହେଲେ ଆମକୁ ଯିବାକୁ କାହିଁକି ଦେଉ ନାହାନ୍ତି ଏମାନେ, ଏ ପ୍ରଶ୍ନ ମାଡ଼ାମଙ୍କ ମନରେ ଉଙ୍କି ମାରୁଥାଏ ଆଉ ପିଲା ଦୁଇଟିଙ୍କୁ ଜାବୁଡ଼ି ଧରିଥାନ୍ତି । ଝିଅ କିଛି ଗୁଣୁ ଗୁଣୁ ହେଇ କହୁଥିବାର ଶୁଣିଲେ, ଯେମିତି କାହା ସାଙ୍ଗରେ କଥା ହେଉଛି…

ମାଡ଼ାମ – ମା’ ଲୋ… ମୋ ସୁନା ଝିଅଟା ପରା… କାହା ସାଙ୍ଗରେ କଥା ହେଉଛୁ?
ପିଆ – ମାମା… ମୁଁ କହିଥିଲି ନା ମୋ ସାଙ୍ଗ ଅଛି ଏଠି, ଏଇ ତ ତାହାରି ସାଙ୍ଗରେ କଥା ହେଉଛି । ତୁମେ ପଚାରୁଥିଲ ନା, ତା’ର ନାଁ ହେଲା ମାୟା ଆଉ ସେ ଏକା ନାହିଁ, ମାୟାର ମାଆ ବି ରହୁଛନ୍ତି ଏଠି ଆମ ସାଙ୍ଗରେ… ତଳ ବେସ୍‌ମେଣ୍ଟ୍‌ରେ !

ଡରରେ ମାଡ଼ାମ ଆଉ ତାଙ୍କ ମେଡ୍ ବରଡ଼ା ପତ୍ର ପରି ଥରୁଥାନ୍ତି ।

ମାଡ଼ାମ – ପିଆ, ତୁମେ କ’ଣ ସେମାନଙ୍କୁ ଦେଖିପାରୁଛ, ସେମାନେ କ’ଣ କହିବାକୁ ଚାହୁଁଛନ୍ତି ।
ପିଆ – ମାମା… ଆମେ ପଳେଇ ଯିବୁ ବୋଲି ମାୟା ମନ ଦୁଃଖ କରୁଛି । ମାମା ଆମେ ଏଇଠି ରହିବା ମତେ ଏଠି ଖୁବ୍ ଭଲ ଲାଗୁଛି, ମାମା… ମାୟା ଇଜ ମାଇଁ ବେଷ୍ଟ ଫ୍ରେଣ୍ଡ୍ !

ଅପରାହ୍ନ ସମୟ, ହେଲେ କଲା ମେଘ ଘୋଟି ଆସିଥିବାରୁ ଚାରିଆଡ଼େ ଅନ୍ଧକାର ହେଇ ଆସିଲାଣି, ପ୍ରବଳ ଭୟ ସତ୍ତ୍ୱେ ସାହସ ସଞ୍ଚୟ କରି, ମାଡ଼ାମ ସେମାନଙ୍କୁ ଆବାହନ କଲେ ଆଉ କହିଲେ ଦୟାକରି ସେମାନଙ୍କୁ ଛାଡ଼ି ଦେବାପାଇଁ, ପିତାଙ୍କୁ ହରାଇ ପିଲାମାନେ ଏକପ୍ରକାର ନିରାଶ୍ରୟ ହେଇ ଯାଇଛନ୍ତି । ସଦ୍ୟ ପ୍ରାପ୍ତ ଆଘାତ ଯୋଗୁଁ ଜୀବନରେ ହେଇଥିବା ବହୁତ ବଡ଼ ଶୂନ୍ୟସ୍ଥାନର ଭାର ତଳେ ଦାବି ହେଇ ଆମେ ଜୀବନର ନୂଆ ଆରମ୍ଭ କରିବାକୁ ଏଠି ଆସିଥିଲୁ । ଆମେ ଆଉ ଆଘାତ ସହି ପାରିବୁ ନାହିଁ । ଦୟାକରି ଆମମାନଙ୍କୁ ଛାଡ଼ି ଦିଅନ୍ତୁ ! କିଛି ସମୟ ଅପେକ୍ଷା କଲା ପରେ ଯେପରି ବାତାବରଣ ପୂରାପୁରି ନୀରବ ହେଇ ଯାଇଥିଲା ହେଲେ କୌଣସି ଉତ୍ତର ନପାଇ, ମାଡ଼ାମ ଝିଅକୁ ପଚାରିଲେ…

[ଯେହେତୁ ପିଆ କେବଳ ସେମାନଙ୍କୁ ଦେଖି ପାରୁଥିଲା ଶୁଣି ପାରୁଥିଲା, କାରଣ ଅଶରୀରିମାନେ ସର୍ବଦା ଏକ ଶରୀର ଖୋଜନ୍ତି ତାହାଦ୍ୱାରା ସେମାନେ ତାଙ୍କର ଇଚ୍ଛା କିମ୍ୱା ଅଭିଳାଷକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ପାଇଥାନ୍ତି, ତେଣୁ ମାଡ଼ାମ ପିଆଦ୍ୱାରା ସେମାନଙ୍କ ସହ ସାହସ ବାନ୍ଧି କଥା ହେବାକୁ ଚେଷ୍ଟା କରୁଥିଲେ]

ମାଡ଼ାମ – ମା’ ଲୋ ସେମାନଙ୍କୁ ତୁମେ ଦେଖି ପାରୁଛ?
ପିଆ – ହଁ ମାମା… ସେମାନେ ବେସମେଣ୍ଟର କବାଟ ପାଖରେ ଠିଆ ହେଇଛନ୍ତି, ପରା !

ମାଡ଼ାମ ଯୋଡ଼ହସ୍ତରେ ଆଣ୍ଠେଇ ପଡ଼ି, ବିନତି କରି ପ୍ରଳାପ କରୁଥାନ୍ତି । ଆଉ ସେଇ ସମୟରେ ହଠାତ୍ ଯେପରି ହାଲ୍କା ଥଣ୍ଡା ପବନ ତାଙ୍କ ଦେହ ଛୁଇଁ ଚାଲିଗଲା, ଆଉ ପିଆ କହୁଥିଲା…

ପିଆ – ମାମା… ମାୟାର ମାମା କହିବାକୁ ଚାହୁଁଛନ୍ତି, “ଡରନି… ଆମେ ତୁମର କିଛି କ୍ଷତି କରିବୁନି ! ତୁମେ ସବୁ ଏଠି ରୁହ ଆମେ କିଛି ଅସୁବିଧା କରିବୁନି କିନ୍ତୁ ଏଟା ଆମ ଘର, ଆମେ ଏଠୁ ଛାଡ଼ି ଯିବୁନି ।”

ମାଡ଼ାମ – ଦେଖନ୍ତୁ, ଆମେ ତ ଆପଣମାନଙ୍କର ବିଷୟରେ କିଛି ଜାଣିନୁ ହେଲେ ଏତିକି ଜାଣି ପାରୁଛି ଯେ, ଆପଣମାନେ ଅତୃପ୍ତ… ଆପଣମାନେ ଦେହ ତ୍ୟାଗ କରି ଆର ଦୁନିଆରେ… ସଶରୀର ଲୋକମାନେ କ’ଣ ଅଶରିରୀରଙ୍କ ସାଙ୍ଗରେ ରହିପାରିବେ? ଆମେ ଭଗବାନଙ୍କର ଇଚ୍ଛାକୁ କ’ଣ ଅସମ୍ମାନ କରିବା ଉଚିତ? ଆପଣ ନିଜେ ବିବେଚନା କରନ୍ତୁ !

କିଛି ସମୟ ଚୁପ ରହିବା ପରେ ପିଆ…
ପିଆ – ଆପଣ ଠିକ୍ କହୁଛନ୍ତି… ହେଲେ ମୋର ସ୍ୱାମୀ ସେଇ ଦୁର୍ଘଟଣା ପରେ ଏଠି ଆଉ ଆସିଲେ ନାହିଁ, କି ଆମମାନଙ୍କର ଶେଷକୃତ ସମ୍ପନ୍ନ ହେଇନାହିଁ, ତେଣୁ ଆମେ ଅତୃପ୍ତ ହେଇ ରହିଛୁ !
ମାଡ଼ାମ – ଦେଖନ୍ତୁ… ଆପଣମାନଙ୍କର ସାଙ୍ଗରେ ଯାହା ଘଟିଗଲା ତାହା ଅତି ଦୁର୍ଭାଗ୍ୟଜନକ ଥିଲା, ତାହାର ଏବେ କିଛି ସମାଧାନ କରିହେବ ନାହିଁ କିନ୍ତୁ ମୁଁ କଥା ଦେଉଛି… ଆମେ ଆପଣମାନଙ୍କର ଶେଷକୃତ ନିଜ ପରିବାର ପରି ସମ୍ପନ୍ନ କରିବୁ, ମୋ ପୁଅ ସମସ୍ତ କ୍ରିୟା ସମ୍ପନ୍ନ କରିବ, ଆପଣ ଅନୁମତି ଦେଲେ !

ପିଆ – ବହୁତ ବହୁତ ଧନ୍ୟବାଦ ମାଡ଼ାମ ! ଆମେ ଈଶ୍ୱରଙ୍କ ପାଖରେ ଆପଣଙ୍କର ମଙ୍ଗଳ କାମନା କରିବୁ ! ବେସ୍‌ମେଣ୍ଟ୍‌ରେ କେହି ଜଣେ ସମ୍ପର୍କୀୟ ଆମ ଅସ୍ଥି ରଖିଛନ୍ତି ! କିପରି କୃତଜ୍ଞତା ଜଣାଇବି ଭାବି ପାରୁନି, ଏତିକି ଅନୁରୋଧ… ବହୁତ ସ୍ନେହରେ ଆମେ ଏ ଘର ତିଆରି କରିଥିଲୁ, କଥା ଦିଅନ୍ତୁ ଆପଣମାନେ ସବୁବେଳେ ଏଇ ଘରେ ରହିବେ ଆଉ କାହାକୁ ବିକ୍ରି କରିବେ ନାହିଁ !
ମାଡ଼ାମ – ହେ ପୁଣ୍ୟାତ୍ମା… ଶୁଣନ୍ତୁ, ଆମେ ଏ ଘରର ମାଲିକ ନୁହେଁ, ଆମେ ଭଡ଼ା ନେଇକି ଏଠି ରହୁଛୁ, ଆମମାନଙ୍କର ସେତେ ସମ୍ୱଳ ନାହିଁ କି ଆମେ ଏ ବଙ୍ଗଳାକୁ କିଣିପାରିବୁ, ରିହାତି ଦରରେ ମିଳିଥିବାରୁ ଆମେ ଏଠି ଭଡ଼ାରେ ରହୁଛୁ… ଆଉ ମୋ’ ଝିଅ ପିଆର ଚିକିତ୍ସା ପାଇଁ ଏଠି ଆସିଛୁ ! କିନ୍ତୁ… ବଚନ ଅନୁସାରେ ଆମେ ଆମ କର୍ତ୍ତବ୍ୟ ନିଶ୍ଚିତ ପାଳନ କରିବୁ, ଦୟାକରି ଏବେ ଆପଣମାନେ ଆତ୍ମଶାନ୍ତି ସହ ପରଲୋକ ଗମନ କରନ୍ତୁ !

ପିଆ – ବ୍ୟସ୍ତ ହୁଅନ୍ତୁ ନାହିଁ ଭଉଣୀ, ବେସ୍‌ମେଣ୍ଟ୍‌ରେ ଆମ ଅସ୍ଥି ପାଖରେ ଗୋଟେ ସିନ୍ଦୁକ ଅଛି, ସେଥିରେ ମୋ ମାଆଙ୍କର କିଛି ଅଳଙ୍କାର ଅଛି, ଆମର ବାସ ସେଠି ଥିବାରୁ ଆଜି ଯାକେ ତାହା ସୁରକ୍ଷିତ ଅଛି ! ଆପଣଙ୍କର କାମରେ ଆସିବ ! ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ, ଏଥର ବିଦାୟ ଦିଅନ୍ତୁ !

ମାୟା… ତୁ କୁଆଡ଼େ ଯାଉଛୁ, ପ୍ଲିଜ଼ ତୁ ଯାଆନି କହି ପିଆ ଅଶ୍ରୁଳ ବିଦାୟ ଦେଉଥାଏ… ଆଉ ସେମାନେ ଧୀରେ ଧୀରେ ପିଆର ଦୃଷ୍ଟିରୁ ଅଦୃଶ୍ୟ ହେଇ ଯାଉଥାନ୍ତି !

ଦେଇଥିବା ବଚନ ଅନୁସାରେ… ମାଡ଼ାମ ତାଙ୍କ ପୁତ୍ରଙ୍କ ଦ୍ୱାରା ସମସ୍ତ କର୍ମ ସହ ସେମାନଙ୍କର ଶେଷକୃତ ସମ୍ପନ୍ନ କରାଇଲେ ଏବଂ ସେ ଦିବ୍ୟାଙ୍ଗତା ଆତ୍ମାଙ୍କର ଶେଷଇଚ୍ଛା ରଖି ସେ ଉଚିତ ମୂଲ୍ୟ ଦେଇ ବଙ୍ଗଳାଟିକୁ ସଞ୍ଜୀବଙ୍କଠାରୁ କିଣିଲେ ଆଉ ତାହାର ନାମ ରଖିଲେ… ମାୟା !!

ଦୀପଙ୍କର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପଙ୍କର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ଗଳ୍ପ ଓ କାହାଣୀ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗଳ୍ପଗୁଡ଼ିକ ସୋସିଆଲ୍ ମିଡିଆରେ ବେଶ୍ ଆଦୃତି ଲାଭ କରିଛି ।