You are currently viewing ନୀଳିମା
ନୀଳିମା

ନୀଳିମା

ନୀଳ ଗଗନର ଶୋଭା ମାଲ୍ୟମୁକ୍ତ ବିହଙ୍ଗମ
ଦିଗନ୍ତେ ଅସ୍ତମିତ ରବି ରଙ୍ଗେଇ ନଭ ସ୍ୱର୍ଣ୍ଣିମ
ବସୁଧାର ଛତ୍ର ସୌନ୍ଦର୍ଯ୍ୟ ଅତୀବ ମନୋରମ
ନବୋଦିତ ଅଂଶୁମାଳିଙ୍କ ପ୍ରଚ୍ଛଦପଟ ଅପ୍ରତିମ !

ନୀଳ ପୟୋଧିରେ ଖେଳେ ଲହରୀ ପାରଙ୍ଗମ
ହସେ ଉଦିତ ଭାସ୍କର ଦିଶେ କପାଳେ କୁଙ୍କୁମ
ସାଗର ଗର୍ଭର ଦୁନିଆ ଯେ କେଡେ ଅନୁପମ
ସତେ କି ବିଧାତା ଆଙ୍କିଛି ଧରିଣ ରଙ୍ଗ କଲମ !

ନୀଳାମ୍ବୁ ଜଳେ ରଙ୍ଗବିରଙ୍ଗ ଖଗଙ୍କ ପ୍ରତିଫଳନ
ନଭଚରଙ୍କ ସ୍ୱର୍ଗ ପ୍ରସାର କାହିଁ କେତେ ଯୋଜନ
ନୌକାମୟ ଦୃଶ୍ୟ ଦେଖି ତୃପ୍ତ ହେଇଥାଏ ମନ
ଧାରାପୃଷ୍ଠରେ ସ୍ୱର୍ଗ, ଦେବ କରନ୍ତି କି ଅଭିମାନ !

ନୀଳନୟନା ସେ ଚାହାଣି ତା’ କରେ ସମ୍ମୋହନ
ଦରଶନ ମାତ୍ରେ ହୁଏ ପ୍ରୀତ ମରୁତୃଷ୍ଣା ପରି ମନ
ନେତ୍ର ଯୁଗଳ ତା ସାଗରପୃଷ୍ଠରେ କିରଣ ସମାନ
ଚମକ ଯେପରି ଧ୍ରୁବତାରା ହସେ ସାରା ଗଗନ !

ଦୀପଙ୍କର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପଙ୍କର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ଗଳ୍ପ ଓ କାହାଣୀ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗଳ୍ପଗୁଡ଼ିକ ସୋସିଆଲ୍ ମିଡିଆରେ ବେଶ୍ ଆଦୃତି ଲାଭ କରିଛି ।