You are currently viewing କ୍ଷତ
କ୍ଷତ

କ୍ଷତ

ଏକ ଚିହ୍ନ ମାତ୍ରର ଦୈର୍ଘ୍ୟ, ପ୍ରସ୍ଥକୁ ମିଶାଣ କରି କ୍ଷତର ପରିସୀମା ନିର୍ଦ୍ଧାରଣ କରିବା କେବଳ ପାଗଳାମି । କ୍ଷତ ଅତୀତର ଅସ୍ତିତ୍ୱକୁ ବର୍ତ୍ତମାନରେ ଜାହିର କରେ । କାହାଣୀକୁ ଅମ୍ଳଜାନ ଦେଇ ଜୀବିତ ରଖେ । କ୍ଷତ କଷ୍ଟ ଦିଏ, ଏକ ଅଲିଭା ଦାଗ ଛାଡ଼ି ଯାଏ । କ୍ଷତ ସ୍ମୃତିଚାରଣ କରେ । ହେଲେ ସବୁ କ୍ଷତ ଯେ କଷ୍ଟ ଦିଏ ତାହା ନୁହେଁ । ସୂର୍ଯ୍ୟର ପ୍ରଚଣ୍ଡ କିରଣ ମାଟିରେ କ୍ଷତ ସୃଷ୍ଟି କରେ, ବର୍ଷାର ପ୍ରଥମ ବିନ୍ଦୁ ବି । ଶିଶୁକୁ ମା’ର ଶରୀରରୁ ଅଲଗା କରିବା ବେଳେ ନାଭି ପ୍ରଥମ କ୍ଷତ ହୋଇ ସୃଷ୍ଟି ହୁଏ, ସାରା ଜୀବନ ରହେ ଏ ସମ୍ପର୍କର ସାକ୍ଷୀ ପାଲଟି । ନାରୀ ପୁରୁଷର ସମ୍ଭୋଗ ବି କେବେ କ୍ଷତାକ୍ତ କରେ ଶରୀରକୁ, ଇଂରାଜୀରେ ତାକୁ ଲଭ୍ ସ୍କାର୍ କହନ୍ତି; ଓଡିଆରେ ପ୍ରେମ ଦାଗ କେମିତି ଅବାଗିଆ ଶୁଭୁନି । କ୍ଷତ ଅଶରୀରି ବି, ପ୍ରେମର ପ୍ରତ୍ୟାଖ୍ୟାନ କ୍ଷତ ଦେଇପାରେ, ଦୁଇ ପଦ ଟାଣ କଥା ମଧ୍ୟ । କ୍ଷତକୁ ବଞ୍ଚେଇ ରଖିବାକୁ ହେଲେ ତାକୁ ଆହୁରି କ୍ଷତାକ୍ତ କରିବାକୁ ପଡ଼େ । ଆଦର ଯତ୍ନ ପାଇଲେ ସେ ମରିଯାଏ ।

– କି ଅଜବ କଥା କହିଲ ।
– କ’ଣ ଏମିତି ପାଗଳ ଭଳିଆ ଗପୁଛ । ଏ ଲେଖକ ଗୁଡ଼ାକୁ କେବେ ଭଲ ପାଇବନି । ସାଥିରେ ଝିଅଟେ ଶୋଇଛି, କିଛି ପ୍ରେମରେ ଦୁଇ ଧାଡ଼ି କୁହନ୍ତ । ନାଇଁ, ଖାଲି ଏଇ କ୍ଷତ, କଷ୍ଟ କଥା ।
– ଆରେ ଆଗରୁ ତ ଲେଖା ପଢ଼ି ତମେ କେତେ ଖୁସି ହଉଥିଲ । ମଥାରେ ଚୁମ୍ବନ ଆଙ୍କି ଦଉଥିଲ । ତମ ସାଙ୍ଗ ମାନଙ୍କୁ ଜବରଦସ୍ତି ନେଇ ଶୁଣଉଥିଲ । ଆଜି ଏମିତି ଋତୁ ବଦଳିଲା ଭଳିଆ ବଦଳି ଯାଇଛ ଯେ ।
– ସେତେବେଳେ ପ୍ରେମିକା ଥିଲି, ଏବେ ସ୍ତ୍ରୀ ।

ବାସ୍ ଯୁକ୍ତିର ପରିସମାପ୍ତି । ଲେଖକର କଲମର ଶକ୍ତିବି ହାର ମାନିଗଲା ଏ ଧାଡ଼ୁରେ । ବନିତା ଚେହେରାର ସ୍ମିତହାସ୍ୟ ତା’ର ବିଜୟ ଉଲ୍ଲାସର, ପରାଜିତ ସନ୍ଦୀପ ବି ବନିତାର ବିଜୟରେ ବିଶେଷ ମର୍ମାହତ ନୁହଁନ୍ତି । ପାରିବାରିକ ଜୀବନରେ କୌଣସି ତର୍କରେ ପତ୍ନୀର ବିଜୟ ପତି ପାଇଁ ତା’ର ନିଜ ଜିତ୍‌ଠାରୁ ବି ମହନୀୟ ।

– ଆଚ୍ଛା, ସେଠି ବି କ’ଣ ଏମିତି ପାଗଳ ଭଳିଆ ଗପ, ଆବୁରୁ ଜାବୁରୁ ଲେଖିକି ଶୁଣାଅ । କେହି କିଛି କହନ୍ତିନି, ମାନେ ତମ ଅଫିସର ।
– ଆରେ ପାଗଳୀ, ସେଠି ତ କାହାଣୀ ହିଁ କାହାଣୀ । ଯେତେବେଳେ ବେଶ୍ କ୍ୟାମ୍ପ୍ ଛାଡ଼ି ଯାଉ ବିନା ନେଟ୍ୱର୍କରେ ଦିନ ଦିନ । ବରଫ ଖସଡ଼ାରେ ରାସ୍ତା ବନ୍ଦ ହେଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥା । ଆଖି ବୁଲେଇ ଆଣିଲେ କାହାଣୀ ସବୁ ମୁଣ୍ଡ ଟେକି ଚାହାନ୍ତି । କେଉଁଠି ବର୍ଷା ସହ ଭିଜି ଖେଳୁଥିବା ସବୁଜିମା, ବରଫର ଧଳା ଚାଦର ଘୋଡେଇ ଶୋଇଥିବା ହିମାଳୟ, ହିମାଳୟ ମଥାରେ ପ୍ରୀତି ଚୁମ୍ବନ ଆଙ୍କୁଥିବା ବାଦଲ, ବାଦଲକୁ ସାହାରା ଦେଇଥିବା ଆକାଶ । କୋଉ କାହାଣୀ ଲେଖିବି କୁହ । ହିମାଳୟର କଥା- କୋଉ କାଳରୁ ବୁଢ଼ାଟା ଭଳିଆ ପଡ଼ିକି ରହିଛି । କେତେ ବର୍ଷା, ଝଡ଼, ବରଫ ମାଡ଼ ଖାଇ ବି ତା’ ପିଠିରେ ତୃଣରାଜିକୁ ଜୀବନ ଦେଇଛି; ଘରର ବାପା ସତେ । ରକ୍ତର କାହାଣୀ ଶୁଣିବ? କାନରେ ବନ୍ଧୁକର ଗର୍ଜନ ଶିରା ପ୍ରଶିରାରେ ରକ୍ତ ପ୍ରବାହ ବଢ଼େଇ ଦିଏ । ସୈନିକ ଲହୁ ବୁହେଇ ଦିଏ ସେ ପତାକାକୁ ବଞ୍ଚେଇବାକୁ, ଲୁହର ମୁଲ ମୁଲେଇବାର ସମୟ କାଇଁ ।

– ଆଉ ପ୍ରେମ? ପ୍ରେମ ଲେଖିବାକୁ କ’ଣ ପାଉଛ ଟିକେ ଶୁଣେ ।

– ତମେ ପଚାରୁଛ ଏ କଥା । ଯେବେ ତମ ସହ ସପ୍ତାହେ କି ଦଶ ଦିନ ସହ କଥା ହେଇ ନ ଥାଏ, କ୍ୟାମ୍ପ୍‌ରେ ପହଞ୍ଚିଲା କ୍ଷଣି କେମିତି ତମକୁ ଆଗେ ଫୋନ କରେ, ଖାଲି କ’ଣ ମୁଁ ସବୁ ପରା ପାଗଳ ଭଳିଆ ଦୌଡ଼ି ଝାମ୍ପି ପଡ଼ନ୍ତି ଫୋନ ଉପରେ । ଲୁହ ଛଳଛଳ ଦୁଇ ଆଖି ଖାଲି । ପରାକ୍ରମୀ ସୈନିକ ଶିଶୁ ପରି ବିକଳ ହଉଥାଏ । ଭୋକ ଶୋଷ ସେଇ ଫୋନରେ ମରିଯାଏ । କି ସୁନ୍ଦର ନିଦ ହୁଏ ସେ ରାତିରେ । ଏ କଲେଜର ଗଛ ମୂଳିଆ ପ୍ରେମ ଲେଖା ଲେଖକର କଲମ କ’ଣ ୟାକୁ କାଗଜରେ ଉତାରି ପାରିବ ।

-କଷ୍ଟ କ’ଣ ଖାଲି ତମକୁ ହୁଏ । ଗୋଟେ କଲ୍‌କୁ ଦିନ ଦିନ ଅପେକ୍ଷା କରିବା, କିଛି ଖବର ଅନ୍ତର ନଥିବା, ଦିନଟିଏ ଯୁଗ ପାହିଲା ଭଳିଆ ଲାଗେ । ସମାଚାରରେ ବୋମାମାଡ଼, ଗୁଳିଚାଳନା, ଅନୁପ୍ରବେଶ, ସୀମାରେ ହିଂସାର ଖବର ଛାତିରେ ଛନକା ପୁରେଇ ଦିଏ । ବାହାଘରର ସାତ ମାସରେ ଏବେ ଆସିଲ ମାସେ ପାଇଁ, ସେ ମାସ ଦେଖୁ କୁଆଡ଼େ ଚାଲିଗଲା କିଛି ଜଣା ବି ପଡିଲାନି । କାଲି ସକାଳୁ ତମେ ବାହାରି ଯିବ ଲାଗୁଚି ଯେମିତି କାଲି ଆସି ପହଞ୍ଚିଥିଲ । ଆର ଥରକୁ କେବେ ଆସିବ ତମକୁ ଜଣା । ଏମିତି ମରି ମରି ବଞ୍ଚିବି ଜାଣିଥିଲେ ପଢ଼ିଲା ବେଳେ ତମକୁ ବିଲକୁଲ ଭଲ ପାଇ ନ ଥାନ୍ତି ।

– ମରି ମରି ବଞ୍ଚିବା କଥା କହୁଛ । ବନ୍ଧୁକ ଗୁଳିରେ, ବୋମାରେ, ଲ୍ୟାଣ୍ଡମାଇନରେ, ବରଫ ଅତଡ଼ା ଖସିବାରେ, ଅତ୍ୟଧିକ ଥଣ୍ଡାରେ ପ୍ରତି ପାଦେ ମରିବାର ଡର । କେବେ କ’ଣ ହବ କିଏ କହିବ ।

ସନ୍ଦୀପ ଓଠରେ ହାତ ରଖିଦେଲା ବନିତା । ରାତି ପାହିଲେ ଫେରିଯିବାକୁ ହବ ସନ୍ଦୀପକୁ । ଆଉ ଏ ସବୁ ଶୁଣିପାରିବନି ସେ । ହେଲେ ସନ୍ଦୀପ ସତେ ସ୍ଥିତପ୍ରଜ୍ଞ । ସାମାନ୍ୟ ହସି ଛାତିରେ ଭିଡ଼ି ଧରିଲେ ବନିତାକୁ । ସୈନିକର ଛାତି ପରା । କାନରେ ଫୁସ୍ ଫୁସ୍ କହିଲା ବନିତା, “ସେ ପ୍ରେମ ଦାଗ କିଛି ମୋ ଦେହରେ ବି ଛାଡ଼ି ଯାଅ, କ୍ଷତାକ୍ତ କରିଦିଅ ମତେ ।”

Kshata Odia Story

ପରଦିନ ଘରୁ ବାହାରି ଯାଇଥିବା ସନ୍ଦୀପ କଥାଦେଇଥିଲା ଛ’ମାସ ପରେ ମାସେ ଛୁଟିନେଇ ଆସିବାକୁ । ଛ’ମାସ ବି ଅପେକ୍ଷା କରିବାକୁ ପଡ଼ିନଥିଲା ବନିତାକୁ । ଦୁଇ ମାସରେ ଫେରିଆସିଥିଲା ସନ୍ଦୀପ । ପ୍ରେୟସୀ ବାହୁ ବନ୍ଧନରେ ବାନ୍ଧିହେବା ପାଇଁ ନୁହେଁ, ମାଟି ମା’ର ପଣତକାନି ତ୍ରିରଙ୍ଗା ଘୋଡ଼େଇ ଆସିଥିଲା ସନ୍ଦୀପ । ବନିତାର ସନ୍ଦୀପ ଶହୀଦ ସନ୍ଦୀପ ମିଶ୍ର ହୋଇ ଫେରିଥିଲେ । ‘ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଶହୀଦ୍ ସନ୍ଦୀପ୍ ମିଶ୍ର ଅମର ରହେ’ ଧ୍ୱନି ପ୍ରକମ୍ପିତ କରି ଶୋଭାଯାତ୍ରାରେ ଆସିଲେ ସନ୍ଦୀପ । ବନିତା ମୂର୍ତ୍ତି ପାଲଟି ସାରିଥିଲା । ଶହୀଦ ବୀରାଂଗନା ପରା ସେ, ନିଜର କ୍ଷତ କାହାକୁ ଦେଖେଇବ । ଆଖିର ଅଶ୍ରୁ ତାକୁ ଦୁର୍ବଳ କରିପାରେ ଯେ । ଆବୁରୁ ଜାବୁରୁ ପୁଳାଏ ଗପି ବନିତାକୁ ବିରକ୍ତ କରୁନଥିଲା ସନ୍ଦୀପ, ଚୁପ୍ ଚାପ୍ ଶୋଇଯାଇଥିଲା । ଶେଷ ଆଲିଙ୍ଗନ ଏ, ବନିତା ନାଚାର । ନା ସେ ‘ନ ପାହୁ ରାତି, ନ ମରୁ ପତି’ କହି ଫେରେଇ ଆଣି ପାରିବ ତା’ ସନ୍ଦୀପକୁ ନା ସାବିତ୍ରୀ ପରି ଜନ୍ତୁରାଣ ସହ ଲଢ଼ିପାରିବ । ଟୋପାଏ ଲୁହ କେତେବେଳେ ଧାର ହୋଇ ବହିଯାଇଥିଲା ଯାହା । ଧୀରେ ଖାଲି ସନ୍ଦୀପ୍ କାନ ପାଖରେ କହିଲା, “ଆଇ ଲଭ୍ ୟୁ ସନ୍ଦୀପ୍,” ୟା ପରେ କେବେ ସନ୍ଦୀପ କାନରେ ସେ ଚପଳାମି କରିପାରିବନି । ଗାର୍ଡ ଅଫ୍ ଅନର୍‌ରେ ବିଦା କରାଗଲା ସନ୍ଦୀପକୁ । ଚାରି କାନ୍ଧରୁ ଗୋଟେ କାନ୍ଧ ବନିତାର । ଏ ଭାର ଶେଷନାଗ ଧରିତ୍ରୀ ଟେକି ଧରିବା ଭାରଠୁ ବି ଭାରୀ, ଏ କ୍ଷତ ଶରଶଯ୍ୟାରେ ଭୀଷ୍ମଙ୍କ କ୍ଷତରୁ ବି ଆହୁରି ଭୀଷ୍ମ । ସ୍ତବ୍ଧ ଯବାନ, ସ୍ତବ୍ଧ ଜନତା । ସେନାର ପରାକ୍ରମ ବି ନତମସ୍ତକ ଥିଲା ସାମାନ୍ୟ ନାରୀର ଅସାମାନ୍ୟ ଧୈର୍ଯ୍ୟ ପାଖରେ । ସନ୍ଦୀପଙ୍କୁ ନିଜେ ମୁଖାଗ୍ନି ଦେଲା ବନିତା । ଜଳୁଥିଲା ସନ୍ଦୀପର ମର ଶରୀର, କ୍ଷତାକ୍ତ ହୋଇସାରିଥିଲା ବନିତା ।

ଉଠି ପାରନ୍ତା ଯଦି ସନ୍ଦୀପ ବନିତା ଚୁଟିରେ ଆଙ୍ଗୁଠି ବୁଲେଇ ନିଜ ଭାଷାରେ ନିଜ ମୃତ୍ୟୁ କାହାଣୀ କହିପାରନ୍ତା । ସେ କାହାଣୀ କିଛି ଏମିତି ହେଇପାରେ, “ରାତ୍ରି, ସ୍ୱପ୍ନର ନଗରୀ । ସବୁ ମସଗୁଲ୍ ଥାଉ ନିଜ ନିଜ ସ୍ୱପ୍ନର ଦୁନିଆରେ । ମୁଁ ତମ ସହ ମିଶି ସ୍ୱପ୍ନ ମହଲ ଗୋଟେ ତିଆରି କରୁଥାଏ, ତମେ ମୋ ମହଲର ରାଣୀ, ଗୋଟେ ରାଜକୁମାର, ଗୋଟେ କୁନି ପରୀ । ବାସ୍ ଏତିକି ମୋ ସାମ୍ରାଜ୍ୟ । ହଠାତ୍ ଅତର୍କିତ ଶବ୍ଦରେ ମୋର ସେ ସାମ୍ରାଜ୍ୟଟା ଭାଙ୍ଗିଗଲା । ଏମିତି କେତେ ସ୍ୱପ୍ନର ମହଲ ଭାଙ୍ଗିଥିବ । ବୁଝିବାକୁ ଡେରି ନଥିଲା । ବନ୍ଧୁକ ଲୋଡ୍ କରି ବାହାରକୁ ଆସିଲା ବେଳକୁ ଓପନ୍ ଫାୟାରିଂ ଆରମ୍ଭ ହେଇସାରିଥାଏ । ପ୍ରଥମ ବମ୍‌ଟା ଆମଠୁ ଦୁଇଟା ଟେଣ୍ଟ୍ ଛାଡ଼ି ପଡିଥିଲା । ତିନି ଚାରି ଜଣ ପେଟେଇ ପେଟେଇ ଗଲେ ସେ ଟେଣ୍ଟକୁ ନୀରବ ଆଶା ନେଇ କେହି ଭାଇ ବଞ୍ଚି ଯାଇଥିଲେ ସାହାଯ୍ୟ ଦବାକୁ । ଆମେ ବି ଫାୟାରିଂ ଆରମ୍ଭ କରିଦେଲୁ । ମଣିଷ ଜୀବନର ଯବନିକା ବାସ୍ କେଇଟା ବୁଲେଟ୍, କିଛି କ୍ଷତ । ମୋରି ସାମ୍ନାରେ ଟଳିପଡ଼ିଲା ସରୋଜ । ସେପଟୁ କଭର୍ ନ ଦେଇଥିଲେ ସହଜ ହୋଇଯାଇଥାନ୍ତା ଶତ୍ରୁ ପାଇଁ । ବିଭୂ ଇସାରା ଦେଲା, ବାସ୍ ସେତିକି ଯଥେଷ୍ଟ ଥିଲା । କିଛି ଦ୍ୱିମତ ନ ହେଇ ଦୁହେଁ ସିଧା ମାଡ଼ିଗଲୁ କଭର୍ କରିବାକୁ । ଏକ, ଦୁଇ, ତିନି, ଚାରି ଆଉ ଆଗକୁ ଗଣିନି । କାନ୍ଧ, ଛାତି, ପେଟ, ଗୋଡ଼ ସବୁଠି ଗୁଳିର କ୍ଷତ । ରକ୍ତ ପିଚକାରୀରେ ହୋଲି ଖେଳୁଥାଏ ମୁଁ । ମୋ ରକ୍ତର ନାଲି ରଙ୍ଗ ବେଶୀ ଗାଢ଼୍ ନା ତମ ସିନ୍ଦୂରର, ତଉଲି ପାରୁ ନ ଥାଏ । ମୋ ସ୍ୱପ୍ନର ରାଜମହଲ ଧୀରେ ଭାଙ୍ଗୁଥାଏ । ରାଜକୁମାର, ପରୀ, ରାଜା ଟଳି ପଡ଼ୁଥାନ୍ତି । ରହିଯାଏ ସେ ଅଭାଗା ରାଣୀ ।” ଚାପି ରଖିଥିବା କୋହ ଛାତିରେ ଚାପି ରଖିପାରିଲାନି ବନିତା । ଲୁହ ବନ୍ଧ ଭାଙ୍ଗିସାରିଥିଲା । ବୀରାଂଗନାର ଅହଂକାରରେ ଶ୍ୱାସରୁଦ୍ଧ ନାରୀ ଭୋ ଭୋ କରି କାନ୍ଦୁଥିଲା, ଏକାକୀ । ସନ୍ଦୀପ କ’ଣ କେବେ ଫେରିବେନି । ବନିତା ହାତରେ କଲମ, ସନ୍ଦୀପର କଲମ । ଲେଖିଲା- “ସମୟ କ୍ଷତସବୁକୁ ପୋଛିଦିଏ ବୋଲି ସେ ବଳବାନ୍ ବୋଲି ଯେଉଁମାନେ କହନ୍ତି, ସେମାନଂକୁ ମୋର ପ୍ରଶ୍ନ, କ୍ଷତ ସୃଷ୍ଟି କରୁଥିବା ଅପରାଧରେ ସମୟକୁ କାଠଗଡ଼ାରେ କାହିଁ ଠିଆ କରା ନଯିବ?”

– ସ୍ୱରୂପ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱରୂପ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ଗପ ରଚନା କରନ୍ତି । ତାଙ୍କ ପ୍ରଥମ ପୁସ୍ତକ ୨୦୨୦ ମସିହାରେ ପ୍ରକାଶିତ ହୋଇଛି ।