You are currently viewing ଗ୍ରୀଷ୍ମ ଅବକାଶାନ୍ତେ
ଗ୍ରୀଷ୍ମ ଅବକାଶାନ୍ତେ

ଗ୍ରୀଷ୍ମ ଅବକାଶାନ୍ତେ

କାଲି ସାକାଳୁ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କର ବଡ଼ ଚିନ୍ତା । ଦେଢ଼ମାସର ଅଧିକ ଦିନ ଧରି ସ୍କୁଲ ଛୁଟି ରହିଥିଲା । ଏହି ସମୟରେ କିଏ କେତେ କ’ଣ ନ କରିଛନ୍ତି । ପିଲାମାନେ ସ୍କୁଲରେ ପଢ଼ାହେବା ଆଗରୁ ଟିଉସନ ଯାଇ ଅଧିକ ପାଠ ପଢ଼ିଦେଇଛନ୍ତି ତ’ କେହି କେହି ବର୍ଷକର ପାଠ ପଢ଼ା ବି ଶେଷ କରିଦେଇଛନ୍ତି । ଆଉ ଛୁଟି ଖୋଲିବା ଆଗରୁ ବି ରଜ ଆସେ । ରଜରେ ବି ଏଥର ଭଲ ମଉଜ ହେଲା, କିନ୍ତୁ ରଜ ସରୁ ସରୁ ସ୍କୁଲ । ଏଇଟା କେମିତିକା କଥା ବୋଲି ବସି ଭାବୁଥିଲା ରବିନ୍ଦ୍ର ।
ରବିନ୍ଦ୍ର ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଛି । ଭାରି ଚୁପଚାପ, ଶାନ୍ତଶିଷ୍ଟ ପିଲାଟି । କେବେ ତା’ର କାହା ସ‌ହ ଝଗଡ଼ା ନାହିଁ । କିନ୍ତୁ ସେ ସବୁବେଳେ ନିଜ ଦୁନିଆରେ, ନିଜ ସ୍ୱପ୍ନ ଭିତରେ ଖୁସି ଥାଏ । ପିଲାଦିନୁ ସେ ଭାବିଥିଲା, ସପ୍ତମ ଶ୍ରେଣୀ ସରିଲେ ଅଧିକ ଦିନ ଛୁଟି ମିଳିବ, ଖରାଛୁଟି ପରେ ଯାଇ ସ୍କୁଲ ଯିବାକୁ ହେବ  ଏମିତି ନୁହେଁ ଯେ ସେ ପଢ଼ାକୁ ଡରେ, କିନ୍ତୁ ତାକୁ ନୂଆ ସ୍କୁଲ, ନୂଆ ଜାଗା, ନୂଆ ବ‌ହି ସବୁ ବ‌ହୁତ ଭଲ ଲାଗେ । ହେଲେ ଏବେ ଆଉ ସେମିତି ହେଉନି, ସପ୍ତମ ଶ୍ରେଣୀର ବୋର୍ଡ଼ ପରୀକ୍ଷା ବି ନାହିଁ, ନୂଆ ସ୍କୁଲ ବି ନାହିଁ । ହାଇସ୍କୁଲରୁ ଏବେ ଅଷ୍ଟମ ଉଠିଆସି ପ୍ରାଇମେରୀ ସ୍କୁଲ ସ‌ହ ମିଶିଯାଇଛି । ତେଣୁ ଏଥର ତାକୁ ପୁଣିଥରେ ସେହି ପୁରୁଣା ସ୍କୁଲକୁ ଯିବାକୁ ହେବ ।
ଏମିତି ଭାବୁ ଭାବୁ ସେ କେତେବେଳେ ଶୋଇ ପଡ଼ିଥିଲା ତାକୁ ଜଣା ନଥିଲା । ସେ ସକାଳୁ ସ୍କୁଲ ବାହାରିଲା, ନୂଆ ସ୍କୁଲ ହେଇଥିଲେ କିଛି ନୂଆ ସାଙ୍ଗ ମିଶିଥାନ୍ତେ, କିନ୍ତୁ ସେ ପୁରୁଣା ସ୍କୁଲରେ ବି ଘନିଷ୍ଠ ସାଙ୍ଗ କମ ନ ଥିଲେ । ପ୍ରାୟ ସଭିଏଁ ସ୍କୁଲ ଆସିଥିଲେ । ପ୍ରାୟ ସମସ୍ତଙ୍କ ସ‌ହ ଏମିତି ହେଉଥିବ, ସକାଳୁ ସ୍କୁଲ ଯିବାକୁ ବ‌ହୁତ କଷ୍ଟ ଲାଗୁଥିବ, କିନ୍ତୁ ଥରେ ସ୍କୁଲରେ ପ‌ହଞ୍ଚିଗଲାପରେ ସେ କଥା ଭୁଲିଯାଇ ସଭିଏଁ ମାତିଯାଆନ୍ତି ସାଙ୍ଗମାନଙ୍କ ସ‌ହ । ଏମିତିରେ ବି ସେମାନଙ୍କର ଦୁଇ ମାସ ହେବ ଦେଖା ହେଇନଥିଲା, ତେଣୁ ପରସ୍ପର ସ‌ହ ଭଲରେ ମିଶିବା ସ୍ୱଭାବିକ ।
ପୁଅଠାରୁ ଝିଅ ସଭିଙ୍କର ପ୍ରାୟ ସେହି ସମାନ କଥୋପକଥନ । ଛୁଟିସାରା କ’ଣ କଲ, କୁଆଡ଼େ ବୁଲିବାକୁ ଯାଇଥିଲ, ରଜର କ’ଣ କଲ, ଏମିତି କେତେ କଥା । ଆଉ ଯେଉଁମାନେ ପାଠୁଆ ପିଲା ଥିବେ, ସେମାନଙ୍କର ପ୍ରଥମ ପ୍ରଶ୍ନ କେତେ ସରିଲା, କାହା ପାଠରେ ଟିଉସନ ହେଉଛୁ, ଇତ୍ୟାଦି ଇତ୍ୟାଦି । ଆଉ ସ୍କୁଲ ଆରମ୍ଭ ପରେ ଶ୍ରେଣୀ ଶିକ୍ଷକ ଆସି ଖରାଛୁଟି ଉପରେ ରଚନା ଲେଖିବାକୁ କୁହନ୍ତି । ଏଇଟା ପ୍ରାୟ ସବୁବେଳ ହୁଏ, ଖରାଦିନ ଛୁଟିରେ, ଦୁର୍ଗାପୂଜା ଛୁଟିରେ, ଧାନ‌କଟା ଛୁଟିରେ ।
ଖାଲି ପିଲାମାନେ ନୁହଁନ୍ତି, ଶିକ୍ଷକ ଶିକ୍ଷୟୀତ୍ରିମାନେ ମଧ୍ୟ ସେହି ସମାନ କଥା ହୁଅନ୍ତି । ଛୁଟିରେ କ’ଣ କୁଆଡ଼େ ବୁଲିବାକୁ ଯାଇଥିଲେ, ବନ୍ଧୁଘରକୁ ଯାଇଥିଲେ କି ନାହିଁ, ପିଲାମାନଙ୍କ ଖବର, ରଜରେ କ’ଣ ସବୁ କଲେ, ଇତ୍ୟାଦି, ଇତ୍ୟାଦି । ଆଉ ଦୁଇଜଣ ଦିଦି ବସିଗଲେ, ସେମାନଙ୍କର ପ୍ରଥମ କଥା ଆରମ୍ଭ ହେବ, ରଜରେ କେଉଁ ନୂଆ କପଡ଼ା କିଣିଲେ, ଏମିତି କେତେ କ’ଣ । ଯାହା ବି ହେଉ ଛୁଟି ଆରମ୍ଭରେ ଯେମିତି ଖୁସି ଆଣି ଆସିଥାଏ, ଛୁଟି ଶେଷରେ ବି ସେମିତି ଟିକିଏ ଦୁଃଖ ଆଣିକିଏ, କିନ୍ତୁ ଘରୁ ବାହାରି ସ୍କୁଲ ପହଞ୍ଚିଲା ପରେ ଖୁସି ଦୁଇଗୁଣା ହେଇଯାଏ । ଖରାଛୁଟି ପ୍ରତିବର୍ଷ ଆସେ ଆଉ ସାଙ୍ଗରେ ଅନେକ ଖୁସି ନେଇଆସେ, ଆଉ ଗଲାବେଳେ ଛାଡ଼ିଯାଏ ଅନେକ ସ୍ମୃତି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।