You are currently viewing ଗୃହସ୍ଥଯୋଗ
ଗୃହସ୍ଥଯୋଗ

ଗୃହସ୍ଥଯୋଗ

ସାଧାରଣଭାବରେ ଆମମାନଙ୍କ ମନରେ ଏପରି ଧାରଣା ରହିଛି କି ଗୃହସ୍ଥରେ ରହିବାର ଅର୍ଥ ହେଉଛି ମାୟା ବନ୍ଧନରେ ବାନ୍ଧିହେବା ଏବଂ ଗୃହସ୍ଥରେ ନରହିବା ହେଉଛି ସ୍ୱର୍ଗର ଚିହ୍ନ ।

କିନ୍ତୁ, ବାସ୍ତବରେ ବନ୍ଧନ ଗୃହସ୍ଥରେ ନୁହଁ ନିଜ ମନୋବୃତ୍ତିରେ ହିଁ ଥାଏ । ମନ ଯଦି କାମ, କ୍ରୋଧ, ଲୋଭରେ ପରିପୂର୍ଣ୍ଣ, ତେବେ ଗୃହସ୍ଥରେ ଯାହା ଘଟିପାରେ ସନ୍ୟାସ ନେଲେ ମଧ୍ୟ ତାହାହିଁ ଘଟିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆଉ ଯଦି ଗୃହସ୍ଥ ଧର୍ମ ପାପ ଓ ମାୟାର ଦ୍ବାର ହୁଏ ଏବଂ ସମସ୍ତେ ଏଥିରୁ ବିରତ ରହିବେ ତେବେ ମାନବସମ୍ବଳ ସୃଷ୍ଟି ହେବେ କିପରି ଆଉ ପୁଣି ମାନବସମ୍ବଳର ଅଭାବରେ ସମାଜ, ରାଜ୍ୟ ଓ ରାଷ୍ଟ୍ରର ନିର୍ମାଣ ହେବ କିପରି?

ଏ ସବୁର ସଠିକ୍ ଉତ୍ତର ପାଇବା ସେତେବେଳେ ସମ୍ଭବ ହେବ, ଯେତେବେଳେ ଆମେ ଗୃହସ୍ଥ ଧର୍ମ ସମ୍ବନ୍ଧରେ ସଠିକ୍ ରୂପେ ଅବଗତ ହେବା । ବାସ୍ତବରେ, ଗୃହସ୍ଥ କେବଳ ଏକ ଧର୍ମ ନୁହଁ ଏହା ଏକ ଯୋଗ ଅଟେ, ଯେଉଁ ଯୋଗ ଅନ୍ୟ ଯୋଗମାନଙ୍କ ତୁଳନାରେ ଅତ୍ୟନ୍ତ ସରଳ, ସ୍ବାଭାବିକ ଏବଂ ସୁଖପ୍ରଦ ଅଟେ । ପୁଣି ଏ ଯୋଗ କ’ଣ?

ସରଳ ଅର୍ଥରେ ବୁଝିଲେ ଗୋଟିଏ ଜିନିଷ ସହିତ ଆଉ ଗୋଟିଏ ଜିନିଷର ମିଶ୍ରଣକୁ ଯୋଗ କୁହାଯାଏ । ସମଜାତୀୟ, ସମଭାବପନ୍ନ, ସମପ୍ରକୃତିର ମିଶ୍ରଣ ହିଁ ଯୋଗ । ଯୋଗଦ୍ବାରା ମନୁଷ୍ୟ ବିଶେଷଭାବରେ ଉପକୃତ ହୋଇଥାଏ ଯେପରି ନିଜର ସ୍ବଭାବ ସହ ଅନ୍ୟ ସ୍ବଭାବ ମିଶିଲେ ବନ୍ଧୁତ୍ୱ ବଢ଼େ ।

ଅନ୍ୟପକ୍ଷରେ ବୁଝିଲେ ମନୁଷ୍ୟ ସର୍ବଦା ତା’ର ସାଧାରଣ ଅବସ୍ଥାରେ ଅପୂର୍ଣ୍ଣ ଥାଏ । ତେଣୁ ଏ ଅପୂର୍ଣ୍ଣ ଅବସ୍ଥାକୁ ଦୂର କରିବା ପାଇଁ ସେ ସର୍ବଦା କୌଣସି ଅନ୍ୟ ଶକ୍ତି ବା ଆଧାର ସହ ନିଜକୁ ସଂଯୁକ୍ତ କରି ଅଧିକ ଶକ୍ତି ସଞ୍ଚୟ କରେ, ସାମର୍ଥ୍ୟ ବୃଦ୍ଧି କରେ ଏବଂ ଅପୂର୍ଣ୍ଣତାକୁ ଦୂର କରିଥାଏ । ଏହି ଉଦେଶ୍ୟ ପୂରଣ କରିବା ପାଇଁ ରାଜଯୋଗ, ହଠଯୋଗ, ଭକ୍ତିଯୋଗ, କର୍ମଯୋଗ, ଜ୍ଞାନଯୋଗ ଆଦି ୮୪ଟି ପ୍ରସିଦ୍ଧ ଯୋଗ ରହିଛି ବୋଲି ଅନେକ ଜାଣନ୍ତି କିନ୍ତୁ ବଡ଼ଦୁଖଃର ବିଷୟ ଗୃହସ୍ଥ ଯୋଗ ସମ୍ବନ୍ଧରେ ଅନେକ ଅବଗତ ନାହାନ୍ତି । ଯୋଉଥିପାଇଁ ସମାଜରେ ଗୃହସ୍ଥ ହେବା ଏକପ୍ରକାରର ଦୁର୍ବଳତା ଓ ପତନର ଚିହ୍ନ ବୋଲି ଅନେକ ମତବ୍ୟକ୍ତ କରନ୍ତି । “ଗୃହସ୍ଥ ହେବା ନର୍କର ପଥ ଏବଂ ଗୃହତ୍ୟାଗକରି ବାବାଜି ହେବା ସ୍ୱର୍ଗର ପଥ”, ଏ ବିଚାରଧାରା ଆଜିବି ଆମ ଭିତରେ ବଳିଷ୍ଠ ଅଛି । କିନ୍ତୁ, ମହର୍ଷି ବଶିଷ୍ଠ କହିଛନ୍ତି-

“ଗୃହସ୍ଥ ଏବ ଯଜତେ ଗୃହସ୍ଥ ସ୍ତୁପ୍ୟତେ ତପଃ,
ଚତୁର୍ଣାମାଶ୍ରମଣାତୁ ଗୃହସ୍ଥ ବିଶିଷ୍ୟତେ ॥”

ଅର୍ଥାତ, ଗୃହସ୍ଥ ହିଁ ବାସ୍ତବିକରୂପରେ ଯଜ୍ଞ କରେ । ଗୃହସ୍ଥ ହିଁ ବାସ୍ତବିକ ତପସ୍ୱୀ ଅଟେ । ଏଥିପାଇଁ ଚାରି ଆଶ୍ରମ ମଧ୍ୟରେ ଗୃହସ୍ଥାଶ୍ରମ ହିଁ ସର୍ବଶ୍ରେଷ୍ଠ । ଏହା ସତ୍ୟ ଯେ ଗୃହସ୍ଥ ଓ ସନ୍ୟାସ ଉଭୟ ଅବସ୍ଥାରେ ସମାନଭାବରେ ଆତ୍ମାନ୍ନତି କରାଯାଇପାରେ । ଉଚିତ ରୀତିରେ ଗୃହସ୍ଥଧର୍ମ ପାଳନ କରାଗଲେ ମନୁଷ୍ୟ ଏ ଯୋଗର ଫଳ ପାଇପାରେ ଏବଂ ସ୍ୱର୍ଗ ତଥା ମୁକ୍ତିର ଅଧିକାରୀ ହୋଇପାରେ ।

ମହର୍ଷି ପତଞ୍ଜଳୀଙ୍କ ମତାନୁସାରେ, “ତୁଚ୍ଛ ଅବସ୍ଥାରୁ ମହାନତା ଦିଗରେ, ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ, ଅସତ୍‌ରୁ ସତ୍ ଦିଗରେ, ତମସାରୁ ଜ୍ୟୋତି ଦିଗରେ ଯେଉଁ ପ୍ରଗତି ହୋଇଥାଏ ତାହାର ନାଁ ଯୋଗ ।” ଏହି ଉଦେଶ୍ୟକୁ ପୁରଣ କରିବା ସକାଶେ ବିଭିନ୍ନ ପ୍ରକାରର ଯୋଗସାଧନା କରାଯାଇଥାଏ । ଗୃହସ୍ଥ ଯୋଗର ସାଧନା ଏମାନଙ୍କ ମଧ୍ୟରେ ଅନ୍ୟତମ । ଅନ୍ୟ ଯୋଗସାଧନା ତୁଳନାରେ ଏହା ଅଧିକ ସରଳ, ସ୍ବାଭାବିକ ଓ ସୁଖପ୍ରଦ ହୋଇଥାଏ । ତେଣୁ ମହାପୁରୁଷମାନେ ଗୃହସ୍ଥଯୋଗକୁ ସହଜ ଓ ବଳିଷ୍ଠ ବୋଲି ମତପୋଷଣ କରିଛନ୍ତି । ଯେପରି ଡାକ୍ତର ଅଳ୍ପ ପଇସାରେ ଔଷଧ ଲେଖିଲେ ରୋଗୀମନରେ ନିରୋଗ ହେବାକୁ ନେଇ ପ୍ରଶ୍ନ ଆସେ, ଠିକ୍ ସେହିପରି ଗୃହସ୍ଥଯୋଗ ଅତ୍ୟନ୍ତ ସରଳ ଓ ସୁଖପ୍ରଦ ହୋଇଥିବାରୁ ଅନେକ ସମୟରେ ଏହାର କାର୍ଯକାରୀତାକୁ ନେଇ ମନୁଷ୍ୟ ମନରେ ସନ୍ଦେହ ଥାଏ । ମନୁଷ୍ୟ ଭାବେ ଗୃହସ୍ଥଯୋଗ ତାକୁ ପୂର୍ଣ୍ଣତାରୁ ଅପୂର୍ଣ୍ଣତା ଆଡ଼କୁ, ସତ୍‌ରୁ ଅସତ୍ ଦିଗରେ ଗତି କରାଏ । ସେ ଭୁଲିଯାଏ ବିବାହ ଭଗବାନଙ୍କ ସୃଷ୍ଟିର ନିୟମ ଅଟେ । ଶକ୍ତି ଓ ପୌରୁଷର ସମନ୍ବିତ ପ୍ରବାହ, ସଂଯୋଗ ନବସୃଜନ ତଥା ନବନିର୍ମାଣ ସକାଶେ ନିତ୍ୟାନ୍ତ ଆବଶ୍ୟକ । ଆଉ ମଧ୍ୟ କଳ୍ପନା କରାଯାଉ, ବୁଦ୍ଧିହୀନ ମନୁଷ୍ୟମାନେ ମାୟା ଏବଂ ନର୍କର ଦ୍ବାର କହୁଥିବା ଗୃହସ୍ଥ ଧର୍ମ ନଥିଲେ କୃଷ୍ଣ, ରାମ, ଯୀଶୁ, ବୁଦ୍ଧ ଆଦି ଆସିଥାନ୍ତେ କୋଉଠୁ !! କିଛିଲୋକଙ୍କ ମଧ୍ୟରେ ଏପରି ଭ୍ରାନ୍ତ ଧାରଣା ମଧ୍ୟ ଅଛି ଯେ ଗୃହସ୍ଥ ହେବାର ମୂଳ ଉଦ୍ଦେଶ୍ୟ କେବଳ ସନ୍ତାନ ଉତ୍ପତ୍ତି ଏବଂ ମଉଜ ମଜଳିସ ହୋଇଥାଏ, କିନ୍ତୁ ବାସ୍ତବରେ ଗୃହସ୍ଥ ଯୋଗର ଲକ୍ଷ ନିଜ ବ୍ୟକ୍ତିତ୍ୱର ଅପୂର୍ଣ୍ଣତାକୁ ଜୀବନସାଥୀର ବ୍ୟକ୍ତିତ୍ୱ ସହିତ ପୂର୍ଣ୍ଣ କରିବା ହୋଇଥାଏ ଏବଂ ପଣ୍ଡିତ ଶ୍ରୀରାମ ଶର୍ମାଙ୍କ ମତାନୁସାରେ ଶକ୍ତି ଓ ପୌରୁଷର ସମନ୍ବିତ ପ୍ରବାହ ସଂଯୋଗ, ଏକତା, ନବସୃଜନ ତଥା ନବନିର୍ମାଣ ସକାଶେ ନିତ୍ୟାନ୍ତ ଆବଶ୍ୟକୀୟ ମଧ୍ୟ ହୋଇଥାଏ ।

ତେବେ ଏଠାରେ ମନକୁ ପ୍ରଶ୍ନ ଆସେ ଗୃହସ୍ଥଧର୍ମ ପାଳନ କରୁଥିବା ସମସ୍ତ ମନୁଷ୍ୟ କ’ଣ ସୁଖ, ଶାନ୍ତି ଏବଂ ପରମାର୍ଥ ଲାଭ କରନ୍ତି?

ଏହାର ଉତ୍ତର ନିଶ୍ଚିତରୂପେ ନାଁ ଅଟେ । କାରଣ, ଏହା ସମ୍ପୂର୍ଣ୍ଣ ରୂପେ ତା’ର ସଂଚାଳନ ଉପରେ ନିର୍ଭର କରେ । ବାସ୍ତବରେ ଗୃହସ୍ଥ ଯୋଗର ସଂଚାଳନ ସମ୍ବନ୍ଧରେ ଦୁଇଟି ଦୃଷ୍ଟିକୋଣ ରହିଛି । ଗୋଟିଏ ହେଉଛି ସ୍ନେହଁ, ପ୍ରେମ, ସଂଯମ, ସେବା ଏବଂ ଅନ୍ୟଟି ହେଉଛି ସ୍ବାର୍ଥ, ଅହଙ୍କାର, ଅସହିଷ୍ଣୁତା ଓ ମାଲିକାନାର । ପ୍ରଥମ ଦୃଷ୍ଟିକୋଣଟି ସୁଖ, ଶାନ୍ତି, ପୁଣ୍ୟ ଏବଂ ମୁକ୍ତି ପ୍ରଦାନ କରେ ଆଉ ଦ୍ୱିତୀୟଟି ମନୁଷ୍ୟକୁ ପାପ, ଅଶାନ୍ତି ଏବଂ ନର୍କକୁ ଘୋଷାଡ଼ି ନେଇଥାଏ । ମହାମନିଷିମାନେ ଯେଉଁ ଗୃହସ୍ଥକୁ ବନ୍ଧନ ବୋଲି କହି ପରିତ୍ୟାଗ କରିବାର ଆଦେଶ ଦେଇଛନ୍ତି ସେ ଦ୍ୱିତୀୟ ଦୃଷ୍ଟିକୋଣପାଇଁ ପ୍ରଯୁଜ୍ୟ କିନ୍ତୁ ସଂଯମ, ସ୍ନେହଁ, ପ୍ରେମ, ସେବାଯୁକ୍ତ ଗୃହସ୍ଥଧର୍ମ ପାଳନ କରିବା ଅତ୍ୟନ୍ତ ସରଳ ଏବଂ ଉଚ୍ଚକୋଟୀର ଆଧ୍ୟାତ୍ମିକ ସାଧନା ହୋଇଥାଏ ଯାହାକୁ ଅନେକ ଋଷିମାନେ ମଧ୍ୟ ଅତୀତରେ ପାଳନ କରିଛନ୍ତି । ଆଉ ଏମିତିବି ଯଦି ଗୃହସ୍ଥଯୋଗ ବନ୍ଧନକାରକ ଓ ନରକମୟ ହୁଅନ୍ତା ତେବେ ସେଠାରେ ଜନ୍ମିତ ସନ୍ତାନ ପୁଣ୍ୟମୟ ହୁଅନ୍ତେ କିପରି !!

ହେଲେ, ଏହା ମଧ୍ୟ ସତ୍ୟ ଯେ ଗୃହସ୍ଥ ଯୋଗ ସରଳ ହେଲେ ମଧ୍ୟ ଏହାକୁ ସଠିକ୍ ରୂପେ ନିୟନ୍ତ୍ରଣ କରିବା କଷ୍ଟକର କାର୍ଯ୍ୟ । ଗୃହସ୍ଥର ମୌଳିକ ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବା ଗୃହସ୍ଥଯୋଗର ମୂଳପିଣ୍ଡ ଅଟେ । ଗୃହସ୍ଥ ଧର୍ମର ସଫଳତା ପାଇଁ ସ୍ବାମୀ ଓ ସ୍ତ୍ରୀ ପରସ୍ପରର ଭାବନା, ଚିନ୍ତାଧାରା ଓ ନିର୍ଦ୍ଦିଷ୍ଟ ଅସ୍ତିତ୍ବ ପ୍ରତି ଧ୍ୟାନଦେଇ ବ୍ୟବହାର କରିବା ଆବଶ୍ୟକ । ଆଉ ପୁଣି ପତିପତ୍ନୀଙ୍କର ଶୁଦ୍ଧ, ସାତ୍ତ୍ବିକ ପ୍ରେମ ମଧ୍ୟ ସୁଖମୟ ଦାମ୍ପତ୍ୟ ଜୀବନର ଆଧାର ହୋଇଥାଏ । ଅନେକ ସମୟରେ ସଦଭାବନାର ପ୍ରଧାନ ଶତ୍ରୁ ନିଜର ବିକ୍ଷିପ୍ତ ମନ ହୋଇଥାଏ ତେଣୁ ମନକୁ ଅକ୍ତିଆର କରିବା ଆବଶ୍ୟକ । ଉଭୟଙ୍କ ମଧ୍ୟରେ ପ୍ରଗାଢ଼ ବିଶ୍ୱାସ ରହିବା ମଧ୍ୟ ଆବଶ୍ୟକ । ନିସ୍ବାର୍ଥ ସେବାଭାବନା ଗୃହସ୍ଥଯୋଗରେ ପ୍ରେମ ବନ୍ଧନକୁ ଦୃଢ଼ କରିଥାଏ । ହେଲେ ଦାସୀ ପରି ପତ୍ନୀଙ୍କୁ ଖଟାଇବା ମୁର୍ଖତା ଅଟେ । ସ୍ବେଚ୍ଛାଚାରିତା ଏବଂ କାମୁକତା ଗୃହସ୍ଥଯୋଗରେ ଦୁଇଟି ବଡ଼ ବାଧକ ଅଟନ୍ତି କିନ୍ତୁ ନିଷ୍ଠାପରତା ଏବଂ ସହନଶୀଳତା ଗୃହସ୍ଥ ଯୋଗକୁ ସଫଳତା ଦିଗରେ ଅଗ୍ରସର କରାନ୍ତି ।ଗୃହସ୍ଥ ଯୋଗର ଏଇସବୁ ମୌଳିକ ସିଦ୍ଧାନ୍ତଗୁଡ଼ିକୁ ଅନୁସରଣ କଲେ ଯାଇ ଏହା ପରମ ପବିତ୍ର, ଆତ୍ମୋନ୍ନତିକାରୀ ଏବଂ ଜୀବନକୁ ବିକଶିତ କରିବାରେ ସହାୟକ ହୋଇଥାଏ ।

– ପ୍ରବୀଣ କୁମାର କବି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରବୀଣ କୁମାର କବି ପେଶାରେ ଜଣେ ଅଧ୍ୟାପକ କିନ୍ତୁ ନିଶା ତାଙ୍କର ସାହିତ୍ୟରେ ଓ ସମାଜସେବାରେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ପ୍ରବୀଣ ବଣମଲ୍ଲୀ ନାମକ ଏକ ବାର୍ଷିକ ଓଡ଼ିଆ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ତାଙ୍କ ରଚନାରୁ କେତୋଟି ପୁସ୍ତକ ମଧ୍ୟ ଆତ୍ମପ୍ରକାଶ କରିସାରିଛି ।