କହରେ କାଳିଆ କେଉଁ ଭୁଲ କଲି
ଶୁଣୁନାହୁଁ ମୋର ଡାକ
ଭକ୍ତ ବିନୋଦିଆ ନାମ ଘେନିଅଛୁ
ରଖିଦେ ତୋହରି ଟେକ ।
ବାର ବାର ମତେ ଫେରେଇ ଦେଉଛୁ
ସିଂହ ଦୁଆରରୁ ତୋର
ଅଣଦେଖା ତୁରେ କାହିଁକି କରୁଛୁ
ମୁଁ କି ଅବା ତୋର ପର ।
ଦାସିଆ ହାତରୁ ନଡ଼ିଆକୁ ନେଲୁ
ବଳରାମେ ରଥେ ଉଭା
ମୋହରି ଆଖିରେ ଲୁହ ଭରି ଦେଇ
ତୋ ଓଠେ, ହସ କି ପାଉଛି ଶୋଭା??
ଦେଉଳରେ ରହି ରତ୍ନ ଖଟେ ଶୋଇ
ଛପନ ଭୋଗକୁ ଖାଇ
ଭୋକର ଜ୍ୱାଳାକୁ ତୁ କାହିଁ ଜାଣିବୁ
ବଡ଼ ଠାକୁର ନା ତୁହି ।
ଦୁଃଖୀ ରଙ୍କି ବୋଲି ଚାଁହୁନାହଁ ମତେ
ନାହିଁକିରେ ତୋର ମନ
ବାରେ ମାତ୍ର ସୁନା ଦେଖା ଦେରେ ମତେ
ଧନ, ନାହିଁ ମୋର ପ୍ରୟୋଜନ ।
ମାଗିବିନି ତତେ ହୀରା ଲୀଳା ମୋତି
ମାଗିବିନି ଘୋଡ଼ା ହାତୀ
ଜୀବ ଗଲାବେଳେ ପାଦେ ଜାଗା ଦବୁ
କରେ ଏତିକି ମିନତୀ ।
– ସରୋଜିନୀ ବେହେରା