You are currently viewing ତୁମକୁ ଅପେକ୍ଷା କରି
Odia Story Tumaku Apeksha Kari (ତୁମକୁ ଅପେକ୍ଷା କରି) by Jyotiranjan Sahu

ତୁମକୁ ଅପେକ୍ଷା କରି

ଆଜି ଅନେକ ଦିନପରେ ଆଦିତ୍ୟ ପୁଣି ଫେରିଛି ନିଜ ଅତୀତ ପାଖକୁ ଯାହାକୁ କୋଡ଼ିଏ ବର୍ଷ ଆଗରୁ ସେ ଛାଡ଼ିଦେଇଯାଇଥିଲା । ବହୁତ ସାହସ ସଞ୍ଚୟ କରି ସିଏ ଆଜି ଆସିଛି କଲ୍ୟାଣୀ ପାଖକୁ । କିଛିପାଇବା ଆଶାରେ ନୁହେଁ କି କିଛି ଦେବା ଆଶାରେ ନୁହେଁ ଆସିଛି ପ୍ରାୟଶ୍ଚିତ ପାଇଁ । ହେଲେ କଲ୍ୟାଣୀ ! ସେ କ’ଣ ତାକୁ କେବେ କ୍ଷମା ଦେଇପାରିବ ! ଏମିତି ଅନେକ କଥା ଭାବିଭାବି ପାଦ ଯୋଡ଼ିଏ ଆଗକୁ ଆଗକୁ ମାଡ଼ିଯାଉଥାଏ । ଯୌବନର ଚମକ ଧୋଇଯାଇ ବାର୍ଦ୍ଧକ୍ୟର ପ୍ରଲେପଟା ଧୀରେଧୀରେ ଶକ୍ତ ହେବାକୁ ଲାଗିଲାଣି ଆଦିତ୍ୟର ମୁଖମଣ୍ଡଳରେ ।

ଦୂରରୁ ନଜର ପଡ଼େ କଲ୍ୟାଣୀର ଖପର ଘରଟା ଉପରେ । ହେଲେ ଏ କ’ଣ । ସେ ଖପର ଘରଟା ଏହା ଭିତରେ ପକ୍କା ହୋଇସାରିଲାଣି । ଧୀରେଧୀରେ ପାଖକୁ ଯାଇ କବାଟ ଖଟଖଟ କଲା ଆଦିତ୍ୟ । ମନରେ ଅନେକ ଭାବନା ଅନେକ ଆଶଙ୍କା । କିଛି ସମୟପରେ କବାଟ ଖୋଲିଲା ହେଲେ ମୁହଁ କିଛି ଚିହ୍ନା ଚିହ୍ନା ଲାଗୁନଥିଲା । ଜାଣିବାକୁ ପାଇଲା କଲ୍ୟାଣୀ ଆଉ ତା’ ପରିବାର ଅନେକ ବର୍ଷ ଆଗରୁ ପାଖ ଗାଁ ମୁଣ୍ଡର ନିଛାଟିଆ ହାଟ ପଡ଼ିଆ ପାଖକୁ ଉଠିଯାଇଛନ୍ତି । ସପ୍ତାହିକ ହାଟର ରବିବାର ଦିନଟିକୁ ଛାଡ଼ିଦେଲେ ବାକି ସବୁଦିନ ସେ ଜାଗା ନିର୍ଜନ, ଖାଁ ଖାଁ । ଠିକଣା ପାଇ ମାଡ଼ିଚାଲିଲା ଆଦିତ୍ୟ । ହେଲେ ଆଉ କେଉଁ ଅଧିକାରରେ? କେଉଁ ଉଦ୍ଦେଶ୍ୟ ପାଇଁ କଲ୍ୟାଣୀକୁ ଆଜି ଖୋଜିବାକୁ ଚାଲିଆସିଛି ସିଏ? କଲ୍ୟାଣୀ ତ ତା’ ଜୀବନରେ ଆଉ କୌଣସି ଗୁରୁତ୍ୱ ରଖେନା । ତଥାପି ଆଜି ଆଦିତ୍ୟର ପାଦ ଯୋଡ଼ିଏ ବୁଲିପଡ଼ିଛି କଲ୍ୟାଣୀର ଠିକଣା ଅନ୍ୱେଷଣରେ । କୋଡ଼ିଏ ବର୍ଷ ପରେ ଆଉ କଲ୍ୟାଣୀକୁ ଖୋଜିବାର ମାନେ କ’ଣ? ଆଜିବି ତା’ର ମନେପଡ଼ିଯାଏ କଲ୍ୟାଣୀ ସହ ବିତାଇଥିବା ପ୍ରତ୍ୟେକଟି ମୁହୁର୍ତ୍ତକୁ । ସେ ମୁହୁର୍ତ୍ତ ସବୁ ଯେତେବେଳେ ମନେପଡ଼ିଯାଏ ଦେହରେ କେମିତି ଗୋଟେ ରୋମାଞ୍ଚ ଖେଳିଯାଏ ଆଦିତ୍ୟର । ସତରେ କ’ଣ ଆଦିତ୍ୟ ମନରେ କଲ୍ୟାଣୀ ପାଇଁ ଏତେ ଭଲପାଇବା ଅଛି? ଯଦି ଏତେ ଭଲ ପାଇବା ଥିଲା ତାହାହେଲେ କେମିତି ଦୂର ଦିଗବଳୟରେ ଅସ୍ତମୀତ ସୂର୍ଯ୍ୟ ପରି ଅସ୍ତ ହୋଇଗଲା ପ୍ରେମରେ ବିଶ୍ୱାସ? ହଁ ! ପ୍ରେମରୂପି ସୂର୍ଯ୍ୟଟା ବୋଧେ ଆଜିବି ଆଦିତ୍ୟର ମନ ଆକାଶରେ କେଉଁଠି ନା କେଉଁଠି ଉଙ୍କି ମାରୁଛି କିନ୍ତୁ ବିଶ୍ୱାସ ରୂପି ତେଜଟା କେଉଁଠି ନା କେଉଁଠି ଗୋଧୂଳି ସଞ୍ଜର ପ୍ରାକ୍ ତମଶାରେ ଆଚ୍ଛାଦିତ ହୋଇଯାଇଛି । ଏମିତି ହଁ ଆଉ ନାହିଁର ଚକ୍ରବ୍ୟୁହ ଭିତରୁ ବାହାରି ଆଦିତ୍ୟ ଯାଇ ପହଞ୍ଚିଗଲା ଉକ୍ତ ଠିକଣାରେ ।

ଦୂରରୁ ଦିଶିଗଲା ସେହି ଚିହ୍ନିଲା ଚିହ୍ନିଲା ମୁହଁ । ହେଲେ ସେହି ମୂହଁରେ ଆଉ ପୂର୍ବ ଚମକ ନଥିଲା କିନ୍ତୁ କଲ୍ୟାଣୀକୁ ଦେଖି ଆଦିତ୍ୟର ଉଦାସିଆ ମନଟାରେ କେମିତି ଏକ ଚମକ ଖେଳିଗଲା । କଲ୍ୟାଣୀର ଦେହକୁ ଘୋଡ଼ାଇ ରଖିଥିବା ଓଢ଼ଣୀଟା ହଠାତ୍ ଖରାବେଳର ଝାଞ୍ଜି ପବନରେ ଉଡ଼ିଗଲା । ଓଢ଼ଣୀକୁ ଟାଣିଆଣୁଆଣୁ ଉଭୟଙ୍କ ଆଖିରେ ଆଖି ମିଶିଗଲା । ହେଲେ ଏ କ’ଣ କଲ୍ୟାଣୀଙ୍କ ଆଖି ଆଜି ଚିହ୍ନି ବି ଅଚିହ୍ନା ବାରୁଛି । କାହିଁକି ବାରିବନି । ଆଜି ଏତେ ବର୍ଷପରେ ହଠାତ୍ ଯେତେବେଳେ ଅତୀତଟା କଲ୍ୟାଣୀ ଆଗରେ ଆସି ଛିଡ଼ା ହୋଇଯାଇଛି ସେତେବେଳେ ଚିହ୍ନି ବି ଅଚିହ୍ନା ବାରୁଛି ତା’ ଆଖି । ହେଲେ ମନ? ସେ ଅଚିହ୍ନା ବାରୁଛି ନା ଅଭିମାନ କରିଛି? ଏଇଟା ଆଉ ଅଭିମାନ ନଥିଲା ତ? ଏଇଟା ଅଭିମାନ ବା କେମିତି ହୋଇପାରେ? ଅଭିମାନ ତ ଆପଣା ଲୋକ ପାଖରେ କରାଯାଏ । ଆଖି ମିଶିଥିବା ଲୋକଟା ସହ କେଉଁ ଆପଣାପଣ ଥିଲା ଯେ? ସେ ଆପଣାପଣର ଜାଗାଟା ତ ଅନେକ ବର୍ଷ ପୂର୍ବରୁ ଘୃଣା ଆଉ କ୍ରୋଧ ନେଇସାରିଛି । ତେବେ ସେ ଯାହାବି ହେଉ ଏହି ସାକ୍ଷାତଟା ଉଭୟଙ୍କ ମନକୁ ସମୟ ରଥରେ ଫେରାଇ ନେଇଛି ଅତୀତର କୋଡ଼ିଏ ବର୍ଷ ପଛକୁ ଯେଉଁଠି କେବେ ଆଦିତ୍ୟର ନାଆଁ ସହ ଯୋଡ଼ିହୋଇ ରହିଥିଲା କଲ୍ୟାଣୀର ନାଆଁ । ଆଜିବି କଲ୍ୟାଣୀକୁ ଦେଖିଲାପରେ ମନେପଡ଼ିଯାଏ ଆଦିତ୍ୟର ସେ ପ୍ରୟାସ ସବୁ ଯାହା ସିଏ କଲ୍ୟାଣୀର ମନ ଜିତିବାକୁ କରୁଥିଲା । ଆଖିର ନିରବ ଭାଷାରେ କଲ୍ୟାଣୀକୁ କିପରି ପ୍ରେମ ନିବେଦନ କରୁଥିଲା । କେବେ ପ୍ରେମରେ ପଡ଼ି ଆଖିର ଭାଷା ପଢ଼ିବା ଶିଖିଯାଇଥିଲା ଆଦିତ୍ୟ ସେକଥା ତାକୁ ନିଜେ ବି ଜଣାନଥିଲା । ଜଣାଥିଲା ଯଦି ଖରାବେଳେ ଗାଧୁଆ ତୁଠକୁ ଯିବା ବାଟରେ ଥିବା ବଉଳ ମୂଳରେ କିଛି ଗୋଟିଏ ବାହାନା କରି କଲ୍ୟାଣୀକୁ ଅପେକ୍ଷା କରିବା । ସେହି ଅପେକ୍ଷାରେ କ୍ଳାନ୍ତି ନଥାଏ କି ନଥାଏ କିଛି ଗୋଟାଏ ପ୍ରାପ୍ତିର ମୋହ । ଥାଏ ଯଦି ବାସ୍ ତୃପ୍ତି ଟିକିଏ କେବଳ ସାକ୍ଷାତର । ଏମିତି ଅତୀତର ଅନେକ ମଧୁର ସ୍ମୃତି ଆଦିତ୍ୟର ଭାବନା ଦୃଶ୍ୟପଟ୍ଟରେ ଦୃଶ୍ୟମାନ ହୋଇଯାଉଥିଲେ ।

ହେଲେ କଲ୍ୟାଣୀ? ତା’ର କ’ଣ ଆଦିତ୍ୟ ପ୍ରତି ସମଧାରଣା ଅଛି ନା ତା’ ମନରେ ଆଜି ଉଜ୍ଜୀବିତ ହୋଇଉଠିଛି ଆଦିତ୍ୟ ପ୍ରତି ଏତେଦିନରୁ ଶୁପ୍ତ ପଡ଼ିଥିବା ଘୃଣାର ଆଗ୍ନେୟଗିରିଟା? ବୋଧେ ଠିକ୍ । କଲ୍ୟାଣୀ ମନରେ ଉଦ୍‌ଗିରଣ ଆଜି ଘୃଣାର ଆଗ୍ନେୟ ପର୍ବତଟା । ଏତେ ଘୃଣା କ’ଣ ପାଇଁ? ଆଦିତ୍ୟ କ’ଣ ତା’ର ମନର ମଣିଷ ନଥିଲା? ନିଶ୍ଚୟ ଥିଲା ! ବୋଧହୁଏ ସେଇଥିପାଇଁ କଲ୍ୟାଣୀ ସାଇତି ରଖିଛି ଆଦିତ୍ୟ ପ୍ରତି ଏତେ ଘୃଣା । ଘୃଣା କରିବନି କେମିତି ଯେ ! ସେଦିନ ଯଦି ସଭିଁଙ୍କ ସମ୍ମୁଖରେ ଥରୁଟିଏ ଆଦିତ୍ୟ କହିଦେଇଥାନ୍ତେ କଲ୍ୟାଣୀର ପେଟରେ ବଢ଼ୁଥିବା ବାଳୁତ ପିଲାଟା ତାଙ୍କର ବୋଲି ତେବେ ହୁଏତ କଲ୍ୟାଣୀର ଜୀବନର ଗତିପଥଟା ଅଲଗା ପ୍ରକାରର ହୋଇଥାନ୍ତା । ହେଲେ କ’ଣ କଲେ ଆଦିତ୍ୟ । ଭଲ ପାଇବାର ସନ୍ତକ ଦେଇ ଅଧା ବାଟରେ ଅଚିହ୍ନା ସଜାଇଦେଲେ । ପ୍ରେମରେ ପ୍ରତାରକ ସାଜିଗଲେ । ଆଦ୍ୟ ଯୌବନର ଖସରା ବାଟରେ ଗୋଡ଼ ଖସାଇ କରିଦେଇଥିବା ଭୁଲର କ’ଣ କୌଣସି ପ୍ରାୟଶ୍ଚିତ ନଥିଲା? ନା ଏ ସମାଜ ଗୋଟିଏ ଦରିଦ୍ର ନିରୀହା ଝିଅଟିକୁ ନିୟମର କଠୋରତାରେ ଶାସ୍ତି ଶୁଣାଇବାଟା ହିଁ ଅନ୍ତିମ ଆଉ ଏକମାତ୍ର ବାଟ ଥିଲା । ସେଦିନ ଗାଆଁର ଅନେକ ଭଦ୍ର ଲୋକଙ୍କ ଆଗରେ ଯେତେବେଳେ କଲ୍ୟାଣୀକୁ ଚରିତ୍ରହୀନା ବୋଲି ପ୍ରମାଣିତ କରାଯାଉଥିଲା ସେତେବେଳେ ନିରବ ଥିଲା ଆଦିତ୍ୟ । ଯେତେବେଳେ ସମସ୍ତେ ତା’ର ଚରିତ୍ରକୁ ନେଇ କଟାକ୍ଷ କରୁଥିଲେ ସେତେବେଳେ ବି ନିରବ ଥିଲା ଆଦିତ୍ୟ । ଆଉ କ’ଣ ଆଶା କରିଥାନ୍ତା କଲ୍ୟାଣୀ ଆଦିତ୍ୟ ପାଖରୁ? ଆଜି ଯେତେବେଳେ ସେଦିନର କଥା ମନେପଡ଼ିଯାଏ ଜୀବନକୁ ହାରିଦେବାକୁ ଇଚ୍ଛାହୁଏ କଲ୍ୟାଣୀର । କିନ୍ତୁ ତା’ ଦେଇ ସେତିକି ହୋଇପାରେନା ।

ତେବେ ଆଜି ଯେତେବେଳେ ଅନେକ ବର୍ଷପରେ ଆଦିତ୍ୟର କଲ୍ୟାଣୀ ସହ ସାକ୍ଷାତ ହୁଏ ଆଦିତ୍ୟ ପଚାରିଦିଏ, “କଲ୍ୟାଣୀ । ହଁ, ମୁଁ ଜାଣିଛି ତୁମେ ମୋ ଉପରେ ରାଗିଥିବ । ରାଗିବନି ବା କାହିଁକି? ରାଗିବାର ପୂର୍ଣ୍ଣ ଅଧିକାର ତୁମର ଅଛି । ତୁମେ ମୋତେ ଘୃଣା କର । ଯେତେ ଇଚ୍ଛା ଆଜି ଘୃଣା କରିଯାଅ କଲ୍ୟାଣୀ । ମୁଁ ତୁମ ଅପରାଧୀ । ସେଦିନ ମୋର ସାହସ ନଥିଲା କହିବାକୁ । ସେଦିନ ମୁଁ ଖୁବ୍ ଅସହାୟ ଥିଲି କଲ୍ୟାଣୀ । ଜାଣିଛ ଯେତେବେଳେ ଆମ ପ୍ରେମ ବିଷୟରେ ଘର ଲୋକ ଜାଣିଲେ ସେତେବେଳେ ସେମାନେ ତୁମକୁ ମାରିଦେବାକୁ ଚିନ୍ତା କରିଥିଲେ । ସେତେବେଳେ ଆମ ବୟସ ବି ଅନୁମତି ଦେଉନଥିଲା ସେମାନଙ୍କ ଆଗରେ ପ୍ରତିବାଦ କି ସେମାନଙ୍କୁ ପ୍ରତିହତ କରିବାର । ଦୁଇଟି ମନ ଭିତରେ ଥଲା ଜାତି ଆଉ ପ୍ରତିପତ୍ତିର ସୁଦୃଢ଼ ସୁଉଚ୍ଚ ପ୍ରାଚୀର, ଯାହାକୁ ଭେଦ କରିବାର ବଳ ସେତେବେଳେ ମୋ ପାଖରେ ନଥିଲା । ତୁମକୁ ଚରିତ୍ରହୀନା ରୂପେ ସଜେଇଦେଇ ଆମ ପରିବାର ଲୋକ ମୋତେ ସହରକୁ ପଠେଇଦେଲେ । ହେଲେ ଜାଣ କଲ୍ୟାଣୀ । ମୁଁ ତୁମକୁ ହିଁ ପ୍ରତିମୁହୂର୍ତ୍ତରେ ଖୋଜି ବୁଲୁଥିଲି । ହେଲେ ଧୀରେଧୀରେ ଖୋଜିବା ଅଭ୍ୟାସଟା ହଜିଯିବା ସହ ଏ ଆଦିତ୍ୟର ମନଟା ବି ସବୁଦିନ ପାଇଁ ମରିଗଲା । ମୁଁ ବିବାହ କଲି ସତ ହେଲେ ସେଥିରେ ବି ସୁଖ ନଥିଲା । କାହିଁକିନା ବିବାହର ଚତୁର୍ଥୀ ରାତିରେ ମୁଁ ଜାଣିବାକୁ ପାଇଲି ସେ ଦୁଇ ମାସର ଅନ୍ତଃସତ୍ତ୍ୱା । ସେ ମୋ ଗୋଡ଼ ଧରିଲା । ନେହୁରା ହେଲା । ସେତେବେଳେ ମୋ ଆଖି ଆଗରେ ନାଚିଯାଉଥିଲ ତୁମେ କଲ୍ୟାଣୀ । ବୋଧହୁଏ ମୋ କୃତକର୍ମର ପ୍ରାୟଶ୍ଚିତ ଥିଲା ତାହା । କୌଣସି ପ୍ରତିବାଦ ନକରି ଆପଣାଇନେଲି ତାକୁ । କେବେ ଜାଣିବାକୁ ଚେଷ୍ଟା କରିନି ମୋ ସନ୍ତାନର ପିତାର ପରିଚୟ । ଦୀର୍ଘ କୋଡ଼ିଏ ବର୍ଷ ଧରି ମୁଁ ଖାଲି ବଞ୍ଚିଛି ପ୍ରାୟଶ୍ଚିତ କରିବାକୁ । ତୁମ ମୁହଁରୁ ଥରଟେ ଶୁଣିବାକୁ ଯେ ଯାଅ ଆଦିତ୍ୟ । ମୁଁ ତୁମକୁ କ୍ଷମା କଲି ।”

ନା… । ଏତେ ଶୀଘ୍ର କ୍ଷମା କେମିତି ମିଳିଯିବ ଆଦିତ୍ୟ । ତୁମର ସେଦିନର ସେ ନିରବତା ମୋତେ ଚରିତ୍ରହୀନା ସଜାଇଦେଲା । ବାରାଙ୍ଗନା ପାଲଟିଗଲି ମୁଁ ଦୁନିଆଁ ଆଖିରେ । ଜାଣିପାରୁଛ ଷୋହଳ ସତର ବର୍ଷର ନିରୀହା ଝିଅଟାକୁ ଯେତେବେଳେ ଏ ଦୁନିଆଁ ଚରିତ୍ରହୀନା ବୋଲି କହେ କେତେ କଷ୍ଟ ହୁଏ ତାକୁ? ଚରିତ୍ରର ସଂଜ୍ଞା ବୁଝିବା ଆଗରୁ ତାକୁ ଯେତେବେଳେ ବାରାଙ୍ଗନା ରୂପେ ସଜାଇ ଦିଆଯାଏ ବୁଝିପାରୁଛ କ’ଣ ଥିବ ସେତେବେଳେ ତା’ର ମାନସିକ ସ୍ଥିତି? ସେଦିନ ଯଦି ଥରୁଟିଏ ତୁମେ ସାହସ କରି ମୁହଁ ଖୋଲିଥାଆନ୍ତ ତାହାହେଲେ ହୁଏତ ମୋ ବାପାଟା ବଞ୍ଚିଯାଇଥାନ୍ତା । ଚରିତ୍ରହୀନାର ଉପାଧିଟା ମୋତେ ବାପ ଛେଉଣ୍ଡ କରିଦେଲା ଆଦିତ୍ୟ ଆଉ ମୁଁ ଜାଣୁଜାଣୁ ପାଲଟିଗଲି ତୁମ ସନ୍ତାନର… ନା… ନା… ମୋ ସନ୍ତାନର ହତ୍ୟାକାରିଣୀ । ତିନି ମାସର ବାଳୁତ ପିଲାଟା ସଂସାର ଦେଖିବା ଆଗରୁ ସବୁଦିନ ପାଇଁ ମା’ ପେଟରେ ଆଖି ବୁଜିଦେଲା । କହିପାରିବ କେଉଁ ପରିଚୟ ନେଇ ବଞ୍ଚିରହିଥାନ୍ତା ସିଏ? କ’ଣ ହେଇଥାନ୍ତା ତୁମେ ଯଦି ସେଦିନ ସତ ଟିକିଏ କହି ଦେଇଥାଆନ୍ତ? ମୋତେ ମାରିଦିଆ ଯାଇଥାନ୍ତା ତ? ଏ ଚରିତ୍ରହୀନା ବାରାଙ୍ଗନାର ପରିଚୟ ନେଇ ବଞ୍ଚିବା ପାଖରୁ ମୋର ମରିଯିବାଟା ଶ୍ରେଷ୍ଠ ହୋଇଥାନ୍ତା ଆଦିତ୍ୟ ।

କଲ୍ୟାଣୀ ମୁହଁରୁ ଏକଥା ଶୁଣି ବିରସ ମନରେ ଫେରୁଥିଲା ଆଦିତ୍ୟ । କଲ୍ୟାଣୀ ନିରବରେ ଦେଖୁଥିଲା ଆଦିତ୍ୟର ଯିବା ବାଟକୁ । ନିକଟରେ ଥିବା କୂଅରୁ ବାଲଟିରେ ପାଣି ବାହାର କରି ନିଜେ ନିଜେ ଢାଳି ହୋଇ ପଡ଼ୁଥାଏ କଲ୍ୟାଣୀ । ଆଜି ସେ ସ୍ନାନ ନୁହେଁ ନିଜକୁ ପବିତ୍ରା କରିବାକୁ ଚେଷ୍ଟା କରୁଥାଏ । ଅଶ୍ରୁ ଭିଜା ନୟନରେ ନିଜେନିଜେ କହିହେଉଥାଏ, “ମୁଁ ଜାଣିଥିଲି ତୁମେ ଦିନେ ନିଶ୍ଚୟ ଆସିବ ଆଦିତ୍ୟ ଏଇ କଲ୍ୟାଣୀ ପାଖକୁ ନିଜ କୃତକର୍ମର ପ୍ରାୟଶ୍ଚିତ ପାଇଁ । ତୁମେ ସିନା ସେଦିନ ନିରବ ରହି ତୁମ ଭାଗର ପ୍ରେମରେ କଳଙ୍କ ବୋଳିଦେଲ ହେଲେ ସେଦିନୁ ଆଜିଯାଏ ମୁଁ ନିରବ ରହି ମୋ ଭାଗର ପ୍ରେମକୁ ସାର୍ଥକ କରିଦେଲି । ମୋର ଏ ଜୀବନର ଆଉ କୌଣସି ଅର୍ଥ ନାହିଁ । ମୁଁ ଆଜିଯାଏ ଜିଇଁ ରହିଥିଲି ଖାଲି ତୁମକୁ ଅପେକ୍ଷା କରି ଆଦିତ୍ୟ । ତୁମକୁ ଅପେକ୍ଷା କରି ।”

– ଜ୍ୟୋତିରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।