You are currently viewing ବାସ୍ତରୀ କି ସତୁରୀ
ବାସ୍ତରୀ କି ସତୁରୀ

ବାସ୍ତରୀ କି ସତୁରୀ

ମୁକୁନ୍ଦ ମୋ ସହ ହାଇସ୍କୁଲରେ ପଢ଼ୁଥିଲା । ଦଶମ ଶ୍ରେଣୀରେ ଫେଲ୍ ହୋଇଯିବା ପରେ ପାଠପଢ଼ା ଛାଡ଼ି ଜଜମାନୀ ଆରମ୍ଭ କଲା । ତା ନନା ଆମ ସେ ଛୋଟିଆ ସହରରେ ଜଣେ ପୁରୋହିତ ଥିଲେ । ମୁଁ ଏକାଦଶ ପାସ୍ କରି କଲେଜରେ ପଢ଼ିବାକୁ କଟକ ଗଲି । ପ୍ରି-ପ୍ରଫେସନାଲ ପରୀକ୍ଷା ପରେ ଖରାଛୁଟିରେ ଘରକୁ ଆସିଥାଏ । ମୁକୁନ୍ଦ ଦେଖାହେଲା । ତା ମୁହଁଟି ସବୁ ବେଳେ ହସ ହସ । ଉପର ଦାନ୍ତଗୁଡ଼ିକ ଟିକିଏ ବାହାରକୁ ବାହାରି ଥିବାରୁ ସେ ନହସିଲେ ବି ହସିଲା ପରି ଦେଖାଯାଏ । ମୂଖ୍ୟ କଥାଟି ହେଲା ତା’ ହସଟା ଥିଲା ନିଷ୍କପଟ ଓ ସଂକ୍ରାମକ । ଯେତେ ଦୁଃଖରେ ଥିଲେ ବି ମୁକୁନ୍ଦର ମୁହଁକୁ ଚାହିଁଦେଲେ ହସଟିଏ ଆପେ ଆପେ ବାହାରି ପଡ଼େ । ମୋତେ ଦେଖି ଖୁସିରେ କୁଣ୍ଢେଇ ପକାଇଲା । ହସି ପକେଇ କହିଲା, “ଆରେ ! କେମିତି ଅଛୁ? ମୋଟା ହୋଇଯାଇଛୁ । ପଢ଼ାପଢ଼ି କେମିତି ଚାଲିଛି? ତୋର ପାଠ ଭଲ ହେବ । ମନ ଦେଇ ପଢ଼ିବୁ ।” ମୁଁ ଥଟ୍ଟା କରି ପଚାରିଲି, “ମୋର ପାଠ ଭଲ ହେବ ବୋଲି ତୁ କେମିତି ଜାଣିଲୁ?” ସେ କହିଲା, “ତୋ କପାଳରେ ପରା ଲେଖା ହୋଇଛି ।” ମୁଁ ପଚାରିଲି, “ତୁ ପୁରୋହିତ କାମ କରୁଛୁ ନା ନାହାକ କାମ କରୁଛୁ?” ମୁକୁନ୍ଦ କହିଲା, “ଲୋକଙ୍କ ଘରେ ଛୋଟ ଛୋଟ ପୂଜା କରୁଛି । ପୀତ ନାହାକଙ୍କ ପାଖରୁ ଗଣନା ବିଦ୍ୟା ଟିକିଏ ଟିକିଏ ଶିଖୁଛି ।”

ପୀତ ନାହାକ ଥିଲେ ଆମ କୂଳ ନାହାକ । ଆମ ସବୁ ଭାଇ ଭଉଣୀଙ୍କ ଜାତକ ସେ ହିଁ ତିଆରି କରିଥିଲେ । ତାଙ୍କ ଗଣନା ଉପରେ ମୋର ବହୁତ ବିଶ୍ୱାସ ଥିଲା । ବର୍ଷେ ତଳେ ମୋ ବୋଉର ଦେହ ଖରାପ ହୋଇଥିଲା । ରସିଦ୍ ଡାକ୍ତର୍, ବୋଷ୍ ଡାକ୍ତର୍ ଓ ପତିବାବୁ ହୋମିଓପ୍ୟାଥି ଡାକ୍ତର୍ ବୋଉର ଚିକିତ୍ସା କରୁଥିଲେ । ସେ ତିନିଜଣ ଆମ ସହରର ସବୁଠାରୁ ବଡ଼ ଡାକ୍ତର୍ ଓ ବାପାଙ୍କର ବ୍ୟକ୍ତିଗତ ବନ୍ଧୁ । ଅଚ୍ୟୁତ କବିରାଜ ବି କିଛି କିଛି କବିରାଜି ଦେଉଥିଲେ । ହେଲେ ବୋଉକୁ ମୋ ଭଉଣୀମାନେ ଔଷଧ ଦେଲେ, ସେ କେମିତିକା କେମିତିକା ଶୁଖିଲା ଅଡ଼ୁଆ ହସଟିଏ ହସି କହୁଥିଲା, “ଏଗୁଡ଼ାକ ମୋତେ କାହିଁକି ଦେଉଛରେ । ମୁଁ କ’ଣ ଏଇଥିରେ ଭଲ ହୋଇଯିବି ବୋଲି ଭାବୁଛ?” ସେତିକି ବେଳେ ଦିନେ ଆମ ଦାଣ୍ଡ ରାସ୍ତାରେ ପୀତ ନାହାକଙ୍କୁ ଦେଖି ବାପା କହିଲେ, “ନାହାକେ କେମିତି ଅଛ?” ନାହାକେ ତାଙ୍କ ଛତାଟି ବନ୍ଦ କରି ବାପାଙ୍କ ପାଖକୁ ଆସିଲେ ଓ ନମସ୍କାର କରି ପଚାରିଲେ, “ମା’ଙ୍କ ଦେହ କେମିତି ଅଛି?” ବୋଉର ଦେହ ଖରାପ କଥା ଆମ ସେ ଛୋଟିଆ ସହରରେ ପ୍ରାୟ ସମସ୍ତେ ଜାଣିଥିଲେ । କାରଣ ବାପା ଆମ ଅଞ୍ଚଳରେ ବେଶ୍ ପରିଚିତ ଏବଂ ମୋ ଜାଣିବାରେ ଆଦୃତ ମଧ୍ୟ ଥିଲେ । ବାପା କହିଲେ, “ମା’ଙ୍କ ଦେହ ସେଇମିତି । ଦିନେ ଭଲ ହେଲେ, ଦି’ଦିନ ଖରାପ । ଔଷଧପତ୍ର, ଖାଇବା ପିଇବା ଭଲ ମନରେ ନକଲେ ଆଉ କ’ଣ ହେବ? ଆପଣ ଟିକିଏ ଗଣନା କରନ୍ତୁ ତ, ଦେଖିବା ।” ପୀତ ନାହାକ ଦାଣ୍ଡ ଘରକୁ ପଶୁ ପଶୁ କହୁଥାନ୍ତି, “ଆପଣ ଜ୍ଞାନୀ ଲୋକ, ଉପକାରୀ ଲୋକ, ଏତେ ଲୋକଙ୍କ ଉପକାର କରିଛନ୍ତି । ଧୈର୍ଯ୍ୟ ଓ ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ ।” ନାହାକଙ୍କ ମୁହଁଟି ସର୍ବଦା ଚିନ୍ତିତ ଦେଖାଯାଏ ।

ଚଟେଇରେ ବସି ବ୍ୟାଗରୁ ଧଳା ମୁଗୁନି ଖଡ଼ିଟିଏ କାଢ଼ି ପକ୍କାରେ ଗୋଟେ ବଡ଼ ଘର କାଟିଲେ । ତା’ ଭିତରେ କଣକୁ କଣ ଆହୁରି କେତେ ଗାର ଟାଣିଲେ । ବୋଉର ରାଶି ନକ୍ଷତ୍ର ସବୁ ନାହାକଙ୍କୁ ଜଣା । ବାପାଙ୍କୁ ପଚାରିଲେ, “ମା’ଙ୍କର ବୟସ କେତେ? ତେୟାଳିଶି ନା ଚଉରାଳିସି?” ବାପା କହିଲେ, “ଗଲା ପୂର୍ଣ୍ଣିମାରେ ଚଉରାଳିସି ପଶିଲା ।” ନାହାକେ ସେ ଧଳା ଘର ଭିତରେ କେଉଁଠି କେଉଁଠି ସଂଖ୍ୟା ଓ କେଉଁଠି କେଉଁଠି ଅକ୍ଷର ଲେଖିବା ଆରମ୍ଭ କଲେ । ମୁଁ ଚାହା ଆଣିବାକୁ ଗଲି । ଚାହା ନେଇକି ଆସିଲା ବେଳକୁ ନାହାକେ ସେ ବଡ଼ ଘର ପାଖରେ ଛୋଟ ଘରଟିଏ କାଟିଥିଲେ । ସେଥିରେ ବି ଅସଂଖ୍ୟ କୋଠରୀ ଟାଣି ସେଥିରେ ଅକ୍ଷର ଓ ସଂଖ୍ୟା ଲେଖିସାରିଥାନ୍ତି । ଘର ଦୁଇଟିକୁ ନିରୀକ୍ଷଣ କରୁଥାନ୍ତି ଓ ତାଙ୍କ ହାତର ରେଖାସବୁ ଗଣୁଥାନ୍ତି, ପୁଣି ନିରିଖେଉଥାନ୍ତି ଓ ପୁଣି ଗଣୁଥାନ୍ତି । ମୁହଁରୁ ଗମ୍ ଗମ୍ ଝାଳ ବହୁଥାଏ । ମୁଁ କହିଲି, “ଚା’ଟା ପି’ ଦିଅନ୍ତୁ । ଥଣ୍ଡା ହୋଇଯିବ ।” ମୋ କଥା ନ ଶୁଣିଲା ପରି ତଳକୁ ମୁହଁ କରି ସେ ବାପାଙ୍କୁ କହିଲେ, “ବାବୁ, ଅମାବାସ୍ୟା କଟିଗଲେ ସବୁ ଠିକ୍ ହୋଇଯିବ ।” ଟିକିଏ ଚୁପ ରହି ପୁଣି କହିଲେ, “ଆପଣ ତ ସବୁ ରକମ ଚିକିତ୍ସା କରୁଛନ୍ତି । କର୍ତ୍ତବ୍ୟ କରୁଛନ୍ତି, ତେଣିକି ଭଗବାନଙ୍କ ଇଛା ।” ଖଣ୍ଡେ ଛୋଟ ଧଳା କନା ବାହାର କରି ପକ୍କାରେ କଟା ହୋଇଥିବା ଘରଗୁଡ଼ିକୁ ପୋଛିଲେ । କାନ୍ଧରେ ପଡ଼ିଥିବା ଗାମୁଛାରେ ମୁହଁ ପୋଛି ଉଠିଲା ବେଳକୁ ବାପା ତାଙ୍କୁ କିଛି ଟଙ୍କା ଯାଚିଲେ । ପୀତ ନାହାକଙ୍କ ସବୁଠୁ ବଡ଼ ଦୁର୍ୱଳତା ଦୁଇଟି ହେଉଛି ପଇସା ଓ ଚା’ । ଆଜି ଚା’ ପିଇଲେ ନାହିଁ ଓ ବାପାଙ୍କୁ କହିଲେ, “ନାଇଁ ବାବୁ, ଆପଣଙ୍କଠୁ ବହୁତ ନେଇଛି । ଏବେ ଆପଣଙ୍କ ଦୁଃଖ ସମୟ । ଏବେ କିଛି ଦିଅନ୍ତୁ ନାହିଁ ।” ବଢ଼େଇବା ହାତଟି ବାପା ଫେରାଇନେଲେ । ମୋତେ ଆଶ୍ଚର୍ଯ୍ୟ ଲାଗିଲା । ନାହାକେ ବାହାରିଯିବା ବେଳେ କହିଲେ, “ମା’ ତ କେତେ ପୁଣ୍ୟ କରିଛନ୍ତି । କେତେ ବିଶ୍ୱାସ ତାଙ୍କର, ସେ କଷ୍ଟ ପାଇବେ ନାହିଁ ।” ନାହାକଙ୍କ ମୁହଁ ଅନ୍ୟ ବେଳଠାରୁ ବେଶୀ ଚିନ୍ତିତ ଦେଖାଯାଉଥିଲା ।

ଏ ଘଟଣାର ଚାରିଦିନ ପରେ ଦିନେ ରାତିରେ ବୋଉ ମୋତେ ଡାକି ତା ପାଖରେ ବସାଇଲା । ମୁଣ୍ଡ ଆଉଁସି ଦେଲା, ଗାଲ ଆଉଁସି ଦେଲା । କହିଲା, “ମନ ଦେଇ ପଢ଼ିବୁ । ଦୁଷ୍ଟାମୀ କରିବୁନି ।” ଟିକିଏ ଗେହ୍ଲା କରିଦେଲା । ମୁଁ ସେତେବେଳକୁ ଛ’ ଦିନ ହେବ ଆସିଥାଏ । ବୁଲାବୁଲିରେ ବେଳ ପଳାଇ ଥାଏ । ଭାବିଲି ତା’ପର ଦିନ ସକାଳେ ବୋଉ ପାଖରେ ବସିବି । କିନ୍ତୁ ବୋଉ ତା’ପର ଦିନ ସକାଳେ ଚାଲିଗଲା । ସେହିଦିନଠାରୁ ଜ୍ୟୋତିଷ ବିଦ୍ୟା ଉପରେ ମୋର ଏକ ଅହେତୁକ ଭରସା ଆସି ଯାଇଥିଲା । ସିଧା ସଳଖ ନ ହେଲେ ବି ପୀତ ନାହାକ ସେଦିନ ମୋତେ ଯେମିତି କହିଦେଇ ଥିଲେ ଯେ ବୋଉ ଆଉ ବେଶି ଦିନ ରହିବନି । ତାଙ୍କ କଥାରେ ମୁଁ ବିଶ୍ୱାସ କରିଥିଲେ ବୋଉର ଶେଷ ଚାରିଦିନ ତା’ ପାଖରେ ବସିପାରିଥା’ନ୍ତି ।

ପୀତ ନାହାକଙ୍କୁ ବୟସ ହୋଇଯାଇଥିଲା । ଆଖିକୁ ଭଲ ଦିଶୁ ନଥିଲା । ତାଙ୍କର କେହି ପୁଅ ନଥିଲେ । ମୁକୁନ୍ଦ ଘର ତାଙ୍କ ଘର ପାଖରେ । ତେଣୁ ମୁକୁନ୍ଦକୁ ଡାକି ବେଳେବେଳେ ଗଣନା ଶିଖେଇ ଦେଉଥିଲେ । ମୁକୁନ୍ଦ କହିଲା, “ତତେ କହୁଛି, କାହାରିକୁ କହିବୁ ନାହିଁ । ନାହାକେ ମୋତେ କେତେକ ପୁରୁଣା ପୋଥି ଦେଇଛନ୍ତି । ସେଥିରେ ବହୁତ ବିଦ୍ୟା ଅଛି ।” ମୁଁ ସାଙ୍ଗେ ସାଙ୍ଗେ ମୋ ଡାହାଣ ହାତ ପାପୁଲିଟା ବଢ଼େଇ ଦେଇ କହିଲି, “ମୋ ହାତ ଦେଖି କହିଲୁ, ମୋ ଭାଗ୍ୟରେ କ’ଣ ଅଛି? ମୋର କ’ଣ ସବୁ ହେବ?” ସେ ଟିକିଏ ଗମ୍ଭୀର ହୋଇ କହିଲା, “ଭାଗ୍ୟ ଓ ଭବିଷ୍ୟତ କଥା କେହି ପୁରା ନିର୍ଭୁଲ କହିପାରିବେ ନାହିଁ । ହେଲେ କର, କପାଳ, କୋଷ୍ଠୀ ଦେଖି ଗଣନା କଲେ ବହୁତ କଥା ଜାଣିହେବ ।” ପୁଣି ଟିକିଏ ହସି କି କହିଲା, “ମାଗଣାରେ ମାଗଣାରେ ଗଣନା କଲେ ଗଣନା ଠିକ ହୁଏନି । ଚା’ ଆଣ୍ ।” ପାଖ ନାରଣ ନନା ଦୋକାନରୁ ଦି’ କପ୍ ଚା’ ଆଣିଲି । ଚା’ ପିଉ ପିଉ ମୁକୁନ୍ଦ କହିଲା, “ତୁ ତ ବାହାରକୁ ପଳେଇଲୁ । ତମ ବାପାଙ୍କୁ ଛାଡ଼ିଦେଲେ ତ ତମ ଘରେ ପୁରୁଷ ପିଲା ଜେହିଁ ରହିଲେ ନାହିଁ । ସଉଦା ପରିବା ସବୁ ତମ ବାପା କରୁଛନ୍ତି । ତାଙ୍କ ଭଳି ଲୋକଙ୍କୁ ଏ ସବୁ କରିବାର ଦେଖିଲେ ଭାରି ଦୁଃଖ ଳାଗୁଛି । କେତେ ଲୋକଙ୍କୁ ଘରେ ରଖି, ଖୋଇ ପେଇ ସେ ମଣିଷ କରିଥିଲେ । ସମସ୍ତେ ଯେଝା ଯେଝା ବାଟରେ ଚାଲିଗଲେ ।” ତା ମୁହଁର କାରୁଣ୍ୟ ଦେଖି ମୋ ଆଖିରେ ବି ଲୁହ ଜକେଇ ଆସିଲା । କାନ୍ଧରୁ ଗାମୁଛା କାଢ଼ି ମୋ ଲୁହ ପୋଛି ଦେଇ ସେ ହସି ଦେଇ କହିଲା, “ଏଥର ଦେ, ତୋ ହାତ ଦେଖିବା ।”

ମୋ ପାପୁଲିର ବିଭିନ୍ନ ଜାଗାରେ ମୁକୁନ୍ଦ ତା ଆଙ୍ଗୁଳି ମାରୁଥାଏ, ଟିକିଏ ଟାଣି ଦେଉଥାଏ, ଟିକିଏ ଚିପି ଦେଉଥାଏ । ରେଖା, ଆଙ୍ଗୁଳି, ଟିପ, ହାତରେ ଉଚ୍ଚା ଜାଗା, ନୀଚା ଜାଗା, ଟାଣ ଜାଗା, ନରମ ଜାଗା, ପାପୁଲିର ତଳ ଗାର, ପାପୁଲିର ପଛପାଖ ସବୁ ଦେଖୁଥାଏ । ଭବିଷ୍ୟତ ବିଷୟରେ ଜାଣିବା ଲାଗି ମୋର ବହୁତ ଆଗ୍ରହ ଓ କୌତୁହଳ ଥିଲେ ବି ମୋ ହାତ ଦେଖିବାରେ ସେ ଏତେ ସମୟ ନେଉଥିଲା ଯେ, ମୋର ବି ଧୈର୍ଯ୍ୟଚ୍ୟୁତ ହୋଇ ଆସୁଥିଲା । ଟିକିଏ ପରେ ସେ ମୋ ହାତ ଛାଡ଼ି ଦେଲା ଓ ହସ ହସ ମୁହଁରେ କହିଲା, “ତୋର ସବୁ ଭଲ । ବହୁତ ପଢ଼ିବୁ । ଭଲ ଚାକିରୀ କରିବୁ । ଭଲ ଜାଗାରେ ବାହା ହେବୁ ।”

ମୁଁ ଥଟ୍ଟା କଲା ଭଳି କହିଲି, “ମୁକୁନ୍ଦ, ତୁ ଏସବୁ ଯାହା କହୁଛୁ, ମୁଁ ତ ଏମିତିକା କଥା କାହାରି ହାତ ନଦେଖିକି ବି କହିଦେବି । ସତରେ ଯଦି ମୋ ଭବିଷ୍ୟତ ବିଷୟରେ କିଛି ଜାଣିଲୁ, କହ ।” ମୁକୁନ୍ଦ କହିଲା, “ତୋର ବହୁତ ବୁଦ୍ଧି । ଯେତେ ଚାହିଁବୁ ସେତେ ପଢ଼ିବୁ, ପଚିଶ ବର୍ଷରେ ବାହା ହେବୁ । ତୋ ହାତରେ ବ୍ୟବସାୟ ନାହିଁ । ଚାକିରୀ କରିବୁ । ଭଲ ଚାକିରୀ, ରୋଜଗାରିଆ ଚାକିରୀ । ଜାଗା କିଣିବୁ, ଘର କରିବୁ, କୋଠା ଘର । ଭଲ ଜାଗାରେ ବାହା ହେବୁ । ବହୁତ ପିଲା ପିଲି ହେବେ । ତୋ ସ୍ତ୍ରୀ ତୋ ଘରକୁ ଏକଦମ ସ୍ୱର୍ଗ କରିଦେବ ।” ମୁଁ କହିଲି, “ଅସଲ କଥାଟା କହ । କେତେ ଦିନ ବଞ୍ଚିବି?” ସେ ଆଡ଼େଇଲା ଭଳି କହିଲା, “ଦୀର୍ଘାୟୁ ହେବୁ । ବହୁତ୍ ଆୟୁଷ ତୋର ।” ମୁଁ ପଚାରିଲି, “କେତେ? ଶହେ? ନା, ଆହୁରି ବେଶୀ?” ମୁକୁନ୍ଦ ହସିଲା ନାହିଁ । କହିଲା, “ନାହାକ ମହାଶୟ ଯେଉଁ ପୋଥି ସବୁ ଦେଇଛନ୍ତି, ସେଗୁଡ଼ା ଯଦି ପୁରା ପଢ଼ିଥା’ନ୍ତି, ଏକଦମ୍ ଠିକ୍ କହିଥା’ନ୍ତି ଆୟୁଷ କଥା ।” ଏତକ କହି ମୋ ପାପୁଲିର ବିଭିନ୍ନ ଜାଗା ଆଉ ଥରେ ପରୀକ୍ଷା ନିରୀକ୍ଷା କରି, ଶେଷରେ ରହିରହି କହିଲା, “ବାସ୍ତରୀ ।” ମୁଁ କହିଲି, “ଏତେ ବର୍ଷ ! ଏତେ ଦିନ ବଞ୍ଚି ମୁଁ କ’ଣ କରିବି?” ଆହୁରି ପଞ୍ଚାବନ ବର୍ଷ !! ବୁଝିଲୁ ମୁକୁନ୍ଦ, ଥରେ ଟୋକା ବୟସ ପାରେଇଗଲେ ଆଉ ବଞ୍ଚିବାର କିଛି ଅର୍ଥ ନାହିଁ, ବୁଢ଼ା ବୟସରେ ଜୀବନ ନିରସ, ଅର୍ଥହୀନ । ତା’ଠୁ ବରଂ ଟୋକା ବୟସରେ ମରିଯିବା ଭଲ ।”

ପଣ୍ଡିତ ସୁଲଭ ହସଟିଏ ହସି ମୁକୁନ୍ଦ ଗୋଟିଏ ଶ୍ଳୋକ ସ୍ପଷ୍ଟ ସଂସ୍କୃତରେ ଆବୃତ୍ତି କଲା ଓ ମୋତେ ବୁଝେଇଦେଲା ଭଳି କହିଲା, “ମଣିଷ ଜୀବନ ଦୁର୍ମୂଲ୍ୟ । ଭିନ୍ନ ବୟସରେ ତା’ର ଭିନ୍ନ ସ୍ୱାଦ, ଭିନ୍ନ ଆନନ୍ଦ । ତୁ ଦେଖିବୁ, ଟୋକା ବୟସରେ ଯାହାସବୁ ତୋତେ ଭଲ ଲାଗିବ, ପରିପକ୍ୱ ବୟସରେ ସେ ସବୁ ଆନନ୍ଦ ଦେବ ନାହିଁ । ସେତେବେଳକୁ ପିଲାଛୁଆ, ନାତି ନାତୁଣୀଙ୍କ ନିଷ୍କକପଟ, ଅନାବିଳ ସ୍ନେହ, ପ୍ରେମ ଭଲ ଲାଗିବ । ସ୍ତ୍ରୀ ତୋର ସମ୍ପୂର୍ଣ୍ଣ ସହଧର୍ମିଣୀ ହୋଇଯିବ । ସେଇ ବୟସରେ ଭଗବତ ଆନନ୍ଦ ପ୍ରାପ୍ତ ହେବ । ସେ ହିଁ ପ୍ରକୃତ ଆନନ୍ଦ ।” ମୁଁ ମୁକୁନ୍ଦ କଥାକୁ ତିଳେ ମାତ୍ର ବିଶ୍ୱାସ କରୁନଥିଲି । ସେ ପ୍ରବଚନ ଦେବା ପରି ଲାଗୁଥିଲା । ମୁଁ ପୁଣି ପଚାରିଲି, “ଦେହ ପା’ କଥା କ’ଣ ଟିକିଏ କହ ।” ସେ କହିଲା, “ପଞ୍ଚାବନରେ ତୋର ଘାଟି ଅଛି । ଦେହ ବହୁତ ଖରାପ ହେବ । କିନ୍ତୁ ବଞ୍ଚିଯିବୁ । ଆଖିରୋଗ ହେବ, ହାତ ଗୋଡ଼ ଗଣ୍ଠି ରୋଗ ହେବ । ତୋତେ କିନ୍ତୁ ବେଶୀ କଷ୍ଟ ଦେବ ଛାତି ରୋଗ ।” ମୁଁ କହିଲି, “ମୋତେ ଡରାନି ।” ସେ କହିଲା, “ନା’ରେ, ତୋର କିଛି କଷ୍ଟ ନାହିଁ । ଲୋକଙ୍କର କେତେ କଷ୍ଟ, କେତେ ପୀଡ଼ା ଥାଏ । ତୋ ଦେହ ଯେତେ ଖରାପ ହେଲେ ବି ସତୁରୀ ଯାଏ ଭଲରେ ବଞ୍ଚିବୁ । ତା’ପରେ ଆଉ କେତେ ଦିନ ବଞ୍ଚିବୁ, ପୁଣି କେବେ ଦିନେ ପୋଥି ଦେଖି କହିବି ।” ମୁଁ କହିଲି, “ସତୁରୀ ମୋ ପାଇଁ ଢେର୍ ।” ସେ ମୋତେ ତାଗିଦା କରି କହିଲା, “ସେମିତି କହନ୍ତି ନାହିଁ । ତୁମେ ତୁଣ୍ଡରେ ଯାହା କହିବ, ସତରେ ସତରେ ସେଇଆ ହୋଇଯିବ ।” ତା’ପରେ ଆମେ ମୁକୁନ୍ଦ ଘରକୁ ଗଲୁ । ତିନି ବଖରାର ଛୋଟ ଚାଳ ଘରଟିଏ । ଜାଗା ଅବଶ୍ୟ ଦୁଇଗୁଣ୍ଠ । ଘର ପଛ ଆଡ଼େ ପରିବା ପତ୍ର ଲଗାନ୍ତି । ସେଇ ଛୋଟ ଘରେ ମୁକୁନ୍ଦ, ତା’ ନନା, ମାଆ, ଜଣେ ବଡ଼ ଓ ଜଣେ ସାନ ଭଉଣୀ ଓ ଗୋଟିଏ ସାନ ଭାଇ, ଏମିତି ଛଅ ଜଣ ରହନ୍ତି । କିଛି ସମୟ ବସି ମୁଁ ଘରକୁ ଆସିଲି । ଏ ଦେଖା ପରେ ଅନେକ ବର୍ଷ ଯାଏଁ ମୁକୁନ୍ଦ ସହ ବିଶେଷ ଦେଖା ହୋଇ ପାରିନଥିଲା । ପଢ଼ା ସରିଲା ପରେ ଚାକିରୀ, ପଚିଶ୍ ବର୍ଷରେ ବାହାଘର । ଘରକୁ ଯିବା ବହୁତ କମି ଯାଇଥିଲା । ବାପା ମଧ୍ୟ ଅଧିକାଂଶ ସମୟ ମୋ ପାଖରେ ରହୁଥିଲେ ।

ମୋ ବଡ଼ ଝିଅ ବାହାଘର ବେଳକୁ କେତେକ ପୁରୁଣା ବନ୍ଧୁଙ୍କୁ ନିମନ୍ତ୍ରଣ କରିବା ପାଇଁ ଆମର ସେଇ ପୁରୁଣା ସହରକୁ ଗଲି । କିଛି କାର୍ଡ଼ ବାଣ୍ଟିବା ପରେ ମୁକୁନ୍ଦ କଥା ମନେ ପଡ଼ିଲା । ତାକୁ ନିମନ୍ତ୍ରଣ ପତ୍ରଟିଏ ଦେବା ପାଇଁ ତା’ ଘର ପାଖକୁ ଗଲି । ଦେଖିଲି ସେ ଘର ଆଉ ନାହିଁ । ଭାବିଲି କାହାକୁ ପଚାରିକି ବୁଝିବି । ଏମିତି ଭାବି ଭାବି ଫେରୁଛି, ଦେଖିଲି ସାମ୍ନାରୁ ମୁକୁନ୍ଦ ଆସୁଛି । ଦେଖିଦେଇ ଖୁସି ହୋଇଗଲା । ତା’ର ଚିରାଚରିତ ହସ ଖଣ୍ଡିକ ହସିଦେଇ କହିଲା, “କୁଆଡ଼େ ପଳୋଉଛୁ?” ମୋ ହାତ ଧରି ତାଙ୍କର ସେଇ ପୁରୁଣା ଜାଗାକୁ ନେଇଗଲା । ତିନି ବଖରା ଚାଳ ଘର ଜାଗାରେ ଦେଢ଼ ମହଲାର ବଡ଼ କୋଠା ଘରଟିଏ । କହିଲି, “ତୁ ତ ପ୍ରାସାଦ କରିଛୁ । ମୁଁ ଚିହ୍ନିବି କେମିତି?” ତା’ ଘର ଲୋକଙ୍କ କଥା ପଚାରିଲି । ମାଆ ଥିଲେ । ବାପା ତା’ର ପାଞ୍ଚ ବର୍ଷ ତଳେ ଶ୍ୱାସରୋଗରେ ଚାଲିଯାଇଥିଲେ । ବଡ଼ ଭଉଣୀ ତା’ର ଆମ ସେଇ ଅଞ୍ଚଳରେ ବାହା ହୋଇଥିଲା । ତା’ ସ୍ୱାମୀ ପୂଜା ସାମଗ୍ରୀର ବଡ଼ ଦୋକାନଟିଏ ବଜାର ଉପରେ କରିଥିଲେ । ତାଙ୍କର ଦୁଇ ପୁଅ । ସାନ ଭଉଣୀ ଜଣେ ଶିକ୍ଷକଙ୍କୁ ବିବାହ କରିଥିଲା । ତା’ର ପୁଅ ଝିଅ ଦୁଇଜଣ । ମୁକୁନ୍ଦର ଗୋଟିଏ ପୁଅ, ଦୁଇ ଝିଅ । ପୁଅଟି ଇଂଜିନିୟରିଂ ପଢ଼ୁଥାଏ । ଝିଅ ଦୁଇଜଣ କଲେଜରେ ପଢ଼ୁଥାଆନ୍ତି ।

ସେ ମୋ କଥା ପଚାରିଲା । ମୋ ଝିଅ ବାହାଘର କାର୍ଡ଼ ଦେଲି । ଖୁସି ହୋଇଗଲା । କହିଲା, “ବଢ଼ିଆ ହେଲା ।” କାର୍ଡ଼ ଖୋଲି ପଢ଼ିଲା । କହିଲା, “ବଢ଼ିଆ ନାଁ । ମିନାକ୍ଷୀ । ଜ୍ୱାଇଁ କ’ଣ କରେ? ତୋର ଆଉ କେତେ ପିଲାପିଲି?” ମୁଁ ସେସବୁ କହିଲା ପରେ, ମୋ ଦେହ କଥା, ମୋ ଚାକିରୀ କଥା, କୋଠା ଘର କଥା ପଚାରିଲା । କହିଲି, “କୋଠା କରିନି । ଗୋଟେ କୋଠା ଘର ପାଇଁ ଅଧା ପଇସା ଦେଇଛି । ଆର ବର୍ଷ ଆଡ଼କୁ ମିଳିଯିବ । ଚାକିରୀ ଓ ପିଲାମାନଙ୍କ କଥା କହିଲି । ଏଥର ସେ ଆହୁରି ଖୁସି ହୋଇ ପଚାରିଲା, “ଆଉ ତୋ ସ୍ତ୍ରୀ?” ମୋ ମୁହଁରେ ବି ସନ୍ତୋଷର ହସଟିଏ ଫୁଟି ଉଠିଲା । କହିଲି, “ଭଗବାନଙ୍କ ଦୟା ।” ସେ ପୁଣିଥରେ ବିଜ୍ଞ ହସଟିଏ ହସି କହିଲେ, “ସବୁ ତୋ ମାଆବାପାଙ୍କ ପୁଣ୍ୟ ।” ଉଠିଲା ବେଳକୁ ମୁଁ ପଚାରିଲି, “ତୁ ଏମିତି ଶୁଖିକି କଣ୍ଟା ହୋଇଯାଇଛୁ କାହିଁକି?” ଶୁଖିଲା ହସଟିଏ ହସି ସେ କହିଲା, “ମୋର ପେଟ ବେମାରୀ ବାହାରିଲା । ଏଠି ଡାକ୍ତରମାନେ ଠିକ କରି କିଛି କହିପାରିଲେ ନାହିଁ । କଟକରେ ଦେଖାଇଲି । ସେମାନେ କହିଲେ ଭଲ ହେବନି । ବମ୍ୱେ ଯାଇ ଦେଖାଇବାକୁ ହେବ ।” ଆଉ ପଚାରିବାକୁ ସାହସ ହେଲାନି । ଏ କଥାବାର୍ତ୍ତାର ଦୁଇବର୍ଷ ପରେ ମୁକୁନ୍ଦ କ୍ୟାନ୍ସରରେ ଚାଲିଗଲା । ତା ପୁଅ ମୋ ପାଖକୁ କାର୍ଡ଼ ପଠାଇଥିଲା । ମୁଁ ଫୋନ୍‌ରେ ଯେତେବେଳେ କଥା ହେଲି, ତା ପୁଅ କହିଲା, “ନନା ବାରମ୍ୱାର କହିଥିଲେ ଆପଣଙ୍କୁ ଜଣେଇବା ପାଇଁ । ଆପଣଙ୍କ ଘର ପ୍ରତିଷ୍ଠା କାର୍ଡ଼ରୁ ଆପଣଙ୍କ ଘର ଠିକଣା ସେ ଦେଇଥିଲେ ।” ମୁକୁନ୍ଦ ଯିବା ବାଇଶି ବର୍ଷ ହୋଇ ଗଲାଣି । ମୋ ପିଲାମାନେ ସମସ୍ତେ ବାହାସାହା ହୋଇଗଲେଣି । ନାତି ନାତୁଣୀ ବି ସବୁ ବଡ଼ ହୋଇଗଲେଣି । ଆମ ଛୋଟ ସହର ବଡ଼ ହୋଇଯାଇଛି । କିନ୍ତୁ ଆମ ଘରଟା ଆଉ ନାହିଁ । ବିକ୍ରୀ ହୋଇଯାଇଛି । ତେଣୁ ସେ ଆଡ଼େ ଆଉ ଯିବା ଆସିବା ନାହିଁ । ମୁକୁନ୍ଦ ପରିବାର ସହ କିଛି ସମ୍ପର୍କ ନାହିଁ ।

ମୋତେ ଆଜି ଅଣସ୍ତରୀ ପୁରି ସତୁରୀ ହେଲା । ଦିନସାରା ଓ ସନ୍ଧ୍ୟାବେଳ ସାରା ପୁଅ, ବୋହୂ, ଝିଅ, ଜ୍ୱାଇଁ ଓ ନଟିନାତୁଣୀଙ୍କ ଫୋନ୍ ଆସୁଥିଲା । ସେମାନେ ଆସିପାରିଲେନି ବୋଲି ମନଦୁଃଖ କରୁଥିଲେ । ସାନ ଝିଅ କାନ୍ଦିଲା । ସମସ୍ତେ ମୋ ଦେହର ଟିକିନିଖି ଖବର ପଚାରି ବୁଝୁଥା’ନ୍ତି । ଆଖି କେମିତି ଅଛି? ଗଣ୍ଠି ଦରଜ କେମିତି ଅଛି? ହାର୍ଟ କେମିତି ଅଛି? କେବେ ଚେକ୍ଅପ୍ କରିଥିଲ? ନାତି ନାତୁଣୀ କହୁଥା’ନ୍ତି, ଆମେ ଆସିଲେ ଆମକୁ ପୁଣି ଥରେ ବାର୍ଥଡ଼େ ପାର୍ଟି ଦରକାର୍ । କେକ୍ କଟା ଫଟୋ ପଠାଇବାକୁ ସମସ୍ତେ କହିଲେ । ବଡ଼ ଝିଅ ବହୁତ ଡେରିରେ ଫୋନ୍ କଲା । ଦୁଇଘଣ୍ଟା ଆଗରୁ । ଅଧ ଘଣ୍ଟା ଗପିଲା । ମୋ ସାଙ୍ଗରେ ଗପିଲା । ତା’ ବୋଉ ସାଙ୍ଗରେ ଗପିଲା । ଶେଷରେ କହିଲା, “ହଉ, ଆଜି ବାର୍ଥଡ଼େ ଥିଲା ବୋଲି କେକ୍ ଖାଇଛ । କାଲି ଗୋଟେ କିଲୋମିଟର ଅଧିକା ଚାଲିବ ।” ମୁଁ ଜୋର୍‌ରେ ହସିଲି । ସନ୍ତୋଷର ହସ, ତୃପ୍ତିର ହସ, ଆନନ୍ଦର ହସ, ପୂର୍ଣ୍ଣତାର ହସ, ଜୀବନ ହସ । ହଠାତ୍ କାହିଁକି ମୁକୁନ୍ଦ କଥା ମନେ ପଡ଼ିଲା ।” ସତୁରୀ ପରେ ତୁ କେତେ ବଞ୍ଚିବୁ, ମୁଁ ପୋଥି ଦେଖି କହିବି ।” ସେ ପୋଥି ଦେଖିଲା କି ନା ମୁଁ କେବେ ବି ଜାଣିପାରିବିନି ।

– ସ୍ୱର୍ଗତ ବିରଜା ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିରଜା ପ୍ରସାଦ ମହାନ୍ତି (ଜନ୍ମ: ୧୮ ସେପ୍ଟେମ୍ବର ୧୯୫୦) ୨୦୧୦ ମସିହାରେ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ଲେଖାଲେଖି ଆରମ୍ଭ କରିଥିଲେ । ଲେଖାଲେଖି ଆରମ୍ଭ କରିବାର ଅଳ୍ପ ଦିନ ମଧ୍ୟରେ ତାଙ୍କ ରଚିତ ବିଭିନ୍ନ ରଚନା ସମ୍ବାଦ, ଗଳ୍ପଭୂମି, ପକ୍ଷୀଘର, ସମ୍ବାଦ କଳିକା, କଥା, ନବଲିପି, କଥା କଳିକା ଆଦି ବିଭିନ୍ନ ଖବର କାଗଜ ଓ ପତ୍ରପତ୍ରିକାଆଦିରେ ପ୍ରକାଶ ପାଇଛି । ଶୁଭପଲ୍ଲବରେ ତାଙ୍କର ବିଭିନ୍ନ ରଚନାମାନ ପ୍ରକାଶ ପାଉଛି ।