You are currently viewing ଅଷ୍ଟମଙ୍ଗଳା
ଅଷ୍ଟମଙ୍ଗଳା

ଅଷ୍ଟମଙ୍ଗଳା

ଲୋକଟା କେତେବେଳେ ବି ଚୁପ୍ ରହେନି । ସବୁବେଳେ ବକର ବକର ହେଉଥିବ । ଗାଡ଼ିକୁ ଫାଙ୍କା ରାସ୍ତାରେ ଫୁଲ୍ ସ୍ପିଡ୍‌ରେ ଦୌଡ଼ାଇବା ବେଳେ ହେଉ ବା ଭିଡ଼ ଭିତରେ ଫସିଥିବା ବେଳେ ହେଉ, ସବୁଠି ତା’ଗପ ଚାଲିଥିବ । ଏମିତି ଗପୁଡ଼ି ମୁଁ ଜୀବନରେ ଆଉ କେଉଁଠି ଦେଖିନି । ତା’ର ଏଇ ଗୁଣପାଇଁ ମୁଁ ପ୍ରାୟ ତା’କାର୍‌ରେ ଯିବାକୁ ପସନ୍ଦ କରେନାହିଁ । ଯେଉଁଦିନ ଅନ୍ୟ ସବୁଆଡ଼ୁ ନିରାଶ ହୁଏ, ସେଦିନ ବାଧ୍ୟହୋଇ ତାକୁ ଫୋନ୍ କରେ । ତା’ର ଗପଗୁଡ଼ାକ ମୋର ଏ କାନରେ ପଶି ସେ କାନରେ ବାହାର କରିଦିଏ । କେବଳ ସୌଜନ୍ଯତା ଦୃଷ୍ଟିରୁ କେତେବେଳେ କେମିତି “ଆଚ୍ଛା” “ଓହୋ” “ହୁଁ” ଏମିତି ଗୋଟେ ଗୋଟେ ଶବ୍ଦ ଫୋପାଡ଼ି ଦିଏ ।

ସେଇ ଗପ ଭିତର ବି ଗାଡ଼ିକୁ ଫୁଲ୍ ସ୍ପିଡ୍‌ରେ ଚଳାଏ । ସମୟେ ସମୟେ ମୁ୍ଁ ତାକୁ କହେ, “ଶୁଣ, ଆମେ ଧୀରେ ସୁସ୍ଥେ ଯିବା । ତରତର ହେବାର କୌଣସି ଆବଶ୍ୟକତା ନାହିଁ ।”

ସେ ‘ହଉ ସାର୍’ ବୋଲି କହି ଗାଡ଼ିର ଗତିକୁ କମାଇଦିଏ । ତା’ର ସେଇ ସବୁ ଗପ ଗୁଡ଼ାକ ଭିତରେ କିଛି ମୁଁ ଶୁଣିଛି । ଖାଲି ଶୁଣିନି ମନେ ବି ରଖିଛି । ସେ କେମିତି ଆଉ ଜଣଙ୍କ ଗାଡ଼ି ଚଳାଉଥିଲା । ପରେ ନିଜେ ବ୍ୟାଙ୍କ ଲୋନ୍ ନେଇ ଏଇ ଗାଡ଼ିକୁ କିଣିଛି । କିସ୍ତି ମାସକୁ ମାସ ଦେବାବେଳେ ଖୁବ୍ କଷ୍ଟରେ ଜୀବନ ବିତାଇଛି । ଦିନେ ଦିନେ ଗାଡ଼ି କିଛି ରିପାରିଂ ଖୋଜିଲେ ପାଖରେ ପଇସା ନଥାଏ । ସେଇ ସମୟରେ ତା’ ସ୍ତ୍ରୀ କେମିତି ପୂର୍ବରୁ ତା’ପକେଟରୁ ପଇସା ଲୁଚାଇକି ସଞ୍ଚୟ କରି ରଖିଥାଏ ସେଇଥିରୁ ଦିଏ ଗାଡ଼ିକୁ ଗ୍ୟାରେଜ୍ ନେଇ ସଜାଡ଼ିବାକୁ । ଏଇ ଗଡ଼ି କୁଆଡ଼େ ତା’ପାଇଁ ଖୁବ୍ ଲକି । ଏ ଗାଡ଼ି କିଣିବା ପରେ ତା’ ବାହାଘର ଗୋଟେ ଭଲ ଝିଅ ସହିତ ହେବା ସହ ପୁଅଟେ ବି ଛଅ ମାସ ତଳେ ହୋଇଛି । ତା’ର ଏମିତି ମନଖୋଲା କଥାବାର୍ତ୍ତା ସମୟେ ସମୟେ ଖୁବ୍ ଭଲ ଲାଗେ । ତା’ ସ୍ତ୍ରୀ କେମିତିଆ ମୁଁ ତାକୁ ପଚାରିନଥିଲି । କିନ୍ତୁ ସେ ତା ସ୍ତ୍ରୀକୁ ଏମିତି ପ୍ରଶଂସା କରିବା ଶୁଣିବାକୁ ଭଲ ବି ଲାଗୁଥିଲା । ମୁଁ ମୋ ସ୍ତ୍ରୀକୁ କେବେ କେଉଁଠି ପ୍ରଶଂସା କରିଥିବି କାଇଁ ଆଦୌ ମତେ ପଡୁନି । ସେ ଯାହାବି ହେଉ ଖୁବ୍ ଖୁସିବାସୀ ପିଲାଟା । ମନକଥା ସବୁ ଏମିତି ଖୋଲିକି ପର ଆଗରେ କହିପକାଇବା ଖୁବ୍ କମ୍ ଲୋକ ଥିବେ ଏ ଦୁନିଆରେ । ତା’କଥାବାର୍ତ୍ତା ହିଁ ଜଣାଇଁ ଦେଉଥିଲା ସେ କେତେ ସରଳ ଓ ନିଷ୍କପଟକ ବୋଲି । ଏମିତି ସବୁ ଘରକଥା, ବାହାର କଥା ସେ ଅନବରତ ଗପୁଥାଏ ।

ଏଥର ଭୁବନେଶ୍ବର ଯିବା ବେଳେ ତା’ ହାବୁଡ଼ରେ ପଡ଼ିଗଲି ଅର୍ଥାତ୍ ତା’ ଗାଡ଼ିରେ ହିଁ ଯିବାକୁ ହେଲା । ଗାଡ଼ିରେ ବସୁବସୁ ଗପ ଷ୍ଟାର୍ଟ । ମୁଁ ଟିକେ ହସିଦେଇ ଇସରାରେ କହିଲି ଚାଲ । କିଛି ବାଟ ଗଲାପରେ ସେ ଯାହା କହିବା ଆରମ୍ଭ କଲା ମୁଁ ପୁରା ସଜାଗ ହୋଇଗଲି ଶୁଣିବାକୁ । ସବୁବେଳେ ପ୍ରାୟ ନ ଶୁଣି ଶୁଣିବାର ଅଭିନୟ କରୁଥିଲି ଏବେ କିନ୍ତୁ ଯେଉଁ କଥା ଆରମ୍ଭ କଲା ତାହା ମୋତେ ବିଦ୍ଯାଳୟର ଶ୍ରେଣୀ ଗୃହରେ ବସିଥିବା ଜଣେ ମେଧାବୀ ଛାତ୍ରରେ ଓ ତାକୁ ଜଣେ ଭଲ ଶିକ୍ଷକ ଭାବରେ ରୂପାନ୍ତରିତ କରିଦେଲା । ଖୁବ୍ ଗୁଡ଼ାଏ ଜିଜ୍ଞାସାରେ ଭର୍‌ପୁର୍ ଆଖିରେ ତା’ ଆଡ଼କୁ ଅନାଇ ରହିଲି ।

ମୋ ଭିତରେ ତା’ କଥା ଆଗ୍ରହର ସହ ଶୁଣିବାକୁ ଯେଉଁ କେଇ ପଦ କଥା ସୃଷ୍ଟି କରିଥିଲା ତାହା ହେଉଛି, “ସାର୍ ଦୁଇଦିନ ତଳେ ରାତିରେ କି ମାଡ ମୁଁ ଖାଇଛି ! କୁହନ୍ତୁ ନାହିଁ ସେକଥା । ଏବେ ବି ଦେହ ହାତରୁ ଦରଜ ଯାଇନି ।”

ମୁଁ ତା’ର ଏଇ କଥାରେ ଖୁବ୍ ଆଶ୍ଚର୍ଯ୍ୟ ଚକିତ ହୋଇଗଲି । କି ପିଲା ଇଏ? ଯିଏ ନିଜେ ମାଡ଼ ଖାଇବାକଥା ମୁହଁରେ ସ୍ୱୀକାର କରିବାକୁ ତିଳେହେଁ ଶଙ୍କୋଚ କରୁନି । ସାଧାରଣତଃ ଯେ କେହି ଲୋକ ନିଜ ଜୀବନରେ ଘଟିଥିବା ଏମିତି ମାଡ଼ ଗାଳି ଖାଇବା କଥା କହିବାକୁ ପଛାଇଥାନ୍ତି । ଏଠି କିନ୍ତୁ ଗୋଟେ ଲୋକ ପୁରା ମନ ଖୋଲିକି ସେଇ କଥା କହିବାକୁ ଟିକେ ବି ଦ୍ୱିଧା କରୁନି ।

ମୁଁ ଏଥର ମୁହଁଖୋଲି ପଚାରୋଲି, “କିଏ କାହିଁକି ଏମିତି ମାରିଲା?”

ସେ କାର୍‌ରେ ଟପ୍ ଗିଅର୍ ଲଗେଇଦେଇ କହିବା ଆରମ୍ଭ କଲା । ସେ ତା’କଥା ସବୁକୁ ବଢ଼ିଆ ଢଙ୍ଗରେ ସଜେଇକି କହୁଥାଏ । ସେଇ କଥା ସବୁ ଏମିତି ଥିଲା ।

“ବୁଝିଲେ ସାର୍ ଦୁଇ ଦିନ ତଳେ ଏଇ ସାଦେଇପୁରରୁ ଗୋଟେ ଭଡ଼ା ପାଇଲି । ଅଷ୍ଟମଙ୍ଗଳା ଦିନ ପୁଅ ବୋହୂ ବୁଲିବାକୁ ଯିବେ ବୋହୂର ବାପ ଘରକୁ । ସକାଳ ଆଠରୁ ବାହାରିଲୁ । ବୋହୂଟିର ବାପ ଘର ସେଇ ସାଲେପୁର ପାଖାପାଖି ଏକ ଗାଆଁରେ । ଆମେ ସାଦେଇପୁରରୁ ରଘୁନାଥପୁର, ସୋମପୁର ଓ କିଶୋନଗର ଦେଇ ପ୍ରାୟ ଦେଢ଼ ଘଣ୍ଟାପରେ ସାଲେପୁରରେ ପହଞ୍ଚିଗଲୁ । ସେ ବୋହୂଟି ତା’ବାପ ଘରକୁ ଯାଉଥିବାରୁ ଖୁବ୍ ଖୁସିଥାଏ । ବେକ, କାନ, ହାତ ଓ ମୁଣ୍ତ ସବୁଆଡ଼େ ଯେମିତି ସୁନାରେ ନେଶି ହୋଇଥାଏ । ବାହାଘରରେ ବାପଘର, ଶାଶୁଘର ଓ ବନ୍ଧୁ ବାନ୍ଧବ ଦେଇଥିବା ସମସ୍ତ ସୁନା ଗହଣାକୁ ଦେହରେ ଲଗାଇଦେଇଥାଏ ବୋଧେ । ସେ ପୁଅଟି ବି ଶ୍ୱଶୁର ଘରକୁ ଜ୍ୱାଇଁ ହିସାବରେ ବାହାଘର ପରେ ପ୍ରଥମଥର ଯାଉଥିବାରୁ ହାତରେ ବ୍ରେସ୍ଲେଟ୍, ବେକରେ ଭଲ ଓଜନଦାର୍ ଚେନ୍ ଓ ହାତରେ ମଧ୍ୟ ଗୋଟେ କି ଦୁଇଟି ମୁଦି ପିନ୍ଧିଥାଏ । ଯାହାକୁ କୁହନ୍ତି ସାର୍ ଆମର ଏତେ ସୁନା ଅଛି ଦେଖାଇହେବା ଠିକ୍ ସେଇଆ । ମୁଁ ତାଙ୍କୁ ଦେଖୁଦେଖୁ ଭାବୁଥାଏ ଏମିତି ପୁଳେ ସୁନା ଆଜିକାଲି ଯୁଗରେ ରାସ୍ତା ଘାଟରେ ପିନ୍ଧି ଯିବା ଆଦୌ ଠିକ୍ ନୁହେଁ । କିନ୍ତୁ ତାଙ୍କ ସୁନା, ସେମାନେ ପିନ୍ଧୁଛନ୍ତି ମୁଁ ଆଜ୍ଞା କହିଥିଲେ କହିଥାନ୍ତେ ସାମାନ୍ୟ ଡ୍ରାଇଭର୍‌ଟା ଏତେ ଉପଦେଶ କ’ଣ ଦେଉଛୁ, ତେଣୁ ମୁଁ ଚୁପ୍‌ଚାପ୍ ଗାଡ଼ି ଚଳାଇଲି ।”

ଏତିକି ଏକା ନିଶ୍ବାସରେ କହି ସେ ଟିକେ ଅଟକିଗଲା । ମୁଁ ତା’ କଥା ମନଧ୍ୟାନ ଦେଇ ଶୁଣୁଛି ବୋଲି ଜଣାଇବା ଉଦ୍ଦେଶ୍ଯରେ କହିଲି, “ହଁ ଝିଅଟି ଯେତେବେଳେ ବାପ ଘରକୁ ବିବାହପରେ ପ୍ରଥମଥର ଯାଏ ଆଉ ସାଙ୍ଗରେ ସ୍ୱାମୀଟି ଥାଏ, ଏମିତି ଖୁସିରେ ସୁନା ଜିନିସ ପତ୍ର ସବୁ ପିନ୍ଧି ଖୁବ୍ ସଜେଇହୋଇ ଯାଏ । ଏଥିରେ କିଛି ଅସୁବିଧା ନାହିଁ ।”

ତାକୁ ଏତିକି କହି ମନେ ମନେ ଭାବୁଥିଲି ମୋ ସ୍ତ୍ରୀ ମଧ୍ୟ ଏମିତି ସଜେଇହୋଇ ଅଷ୍ଟମଙ୍ଗଳା ଦିନ ତା’ବାପ ଘରକୁ ମୋତେ ସାଙ୍ଗରେ ଧରି ଯାଇଥିଲା ।

ମୋ କଥା ଶୁଣି ସେ ବହୁତ ଖୁସି ହୋଇଗଲା । ଖୁସି ହେବାର କାରଣ ହେଉଛି ମୁଁ ତା’କଥା ମନଧ୍ୟାନ ଦେଇ ଶୁଣୁଥିବାରୁ । ସେ ପୁଣି କହିବା ଆରମ୍ଭ କଲା, “ବୁଝିଲେ ସାର୍ ସେ ବୋହୂଟିର ବାପ ଘର ଥିଲାବାଲା ପରିବାର । ଖୁବ୍ ବଡ଼ଲୋକ ଘର କହିଲେ ଅତ୍ୟୁକ୍ତି ହେବନି । ଏ ସାଦେଇପୁର ପିଲାଟି ବୋଧେ ଭଲ ଅଫିସର୍ କି କ’ଣ ଚାକିରି କରିଥିବାରୁ ଝିଅଘର ତା’ ସହିତ ବିଭା କରିଥିଲେ । ସେଠି ପହଞ୍ଚି ଏ ବୋହୂଟି ଯେମିତି ଗାଆଁ ଦାଣ୍ତରେ ହଠାତ୍ ବାଗୁଡ଼ି ଖେଳିବା ଆରମ୍ଭ କରିଦେଲା ।”

ତା’ କଥାରେ ମୁଁ ଜୋର୍‌ରେ ହସି କହିଲି, “ବାଗୁଡ଼ି କ’ଣ ଖେଳିଲା ?”

ସେ କହିଲା, “ହଁ ସାର୍ ସେଇଆ । ଘରେ ପହଞ୍ଚୁ ପହଞ୍ଚୁ ସଙ୍ଗେ ସଙ୍ଗେ ଶାଢ଼ୀ ଓଲ୍ହାଇ ଡ୍ରେସ୍ ପିନ୍ଧି ଗାଆଁରେ ଆ’ଘର ତା’ଘର ଖାଲି ଦୌଡ଼ା ଦୌଡ଼ି କଲା । କେତେବେଳେ ସାଙ୍ଗରେ କାହାକୁ ନେଇ ଯାଉଥାଏ ଜଣା ପଡ଼ୁନଥାଏ । ମଝିରେ ମଝିରେ ତା’ସ୍ୱାମୀକୁ ବି ସାଙ୍ଗରେ ଧରି କାହା ଘରକୁ ଯାଉଥିଲା । ସେତେବେଳେ ସ୍ୱାମୀଟି ଗୋଟେ ସ୍କୁଲ୍ ଛାତ୍ର ଆଉ ସେ ଝିଅଟି ଯେମିତି ତା’ ଶିକ୍ଷୟତ୍ରୀ ସେମିତି ଲାଗୁଥିଲା । ଝିଅଟିର କଥା ମୁତାବକ ସ୍ୱାମୀଟି ପୁରା ଚାଲୁଥାଏ । ଯାହା କୁହନ୍ତି ପୁରା ଆଜ୍ଞାଧୀନ ଛାତ୍ର । ଏମିତି ଲାଗୁଥିଲା ଯେମିତି ସେଇ ଗାଆଁ ଦାଣ୍ତ ଖୁବ୍ ଗର୍ବ କରୁଥିଲା ସେଇ ଝିଅଟିର ଏହି ବେଶଭୁଷା ସହିତ ତା’ପାଦର ପାଉଁଜୀର ଛମ୍ ଛମ୍ ଶବ୍ଦରେ । ସେଇ ଗାଆଁ ଦାଣ୍ତରେ ପିଲାବେଳୁ ଝିଅ ଦିନରୁ କେତେ ଚଲାବୁଲା କରିଥିବ କିନ୍ତୁ ଏ ଚାଲିବା ସେ ଚାଲିବାଠୁ ଖୁବ୍ ନିଆରା ଥିଲା ।”

ଏ ଭିତରେ ଆମେ କେତେବେଳେ କଇଜଙ୍ଗା ପାଖରେ ପହଞ୍ଚି ସାରିଥିଲୁ । ମୁଁ ତାକୁ କହିଲି, “ଏଠି ଗାଡ଼ି ରଖ, ଟିକେ କଫି ପଇକି ଧୀରେ ସୁସ୍ଥେ ଏମିତି କଥା ହୋଇକି ଯିବା ।”

ସେ କିନ୍ତୁ ତା’କଥାରେ ଏତେ ମଜ୍ଜି ଯାଇଥିଲା, ଏମିତି ଅଧାରୁ ବନ୍ଦ କରିବା ମୁଡ୍‌ରେ ଆଦୌ ନଥିଲା । କିନ୍ତୁ ବାଧ୍ୟହୋଇ ମୋ କଥା ମୁତାବକ ଗାଡ଼ି ସାଇଡ୍ କଲା । କଫି ପିଇ ସାରି ପୁଣି ଗାଡ଼ିରେ ବସିଛୁ ତ ତା’ ବକ୍ ବକ୍ ପୁଣି ଆରମ୍ଭ କରିବାକୁ ମନସ୍ଥ କରି ମୋତେ ପଚାରିଲା, “ସାର୍ ଆମର ସେ କଥା କେଉଁ ଯାଏ ଯାଇଥିଲା?”

ମୁଁ ବି ମଜାରେ କହିଲି, “ଗାଁ ଦାଣ୍ତରେ ସେ ଝିଅ ବାଗୁଡ଼ି ଖେଳୁଥିଲା କେତେବେଳେ କାହାକୁ ଧରି କହି ହେଉନଥିଲା ।”

ସେ କହିଲା, “ହଁ ସାର୍ ଠିକ୍ କହିଲେ, ମୁଁ ସେ ପୁଅଟିର ପାଟି ଯାହା ଅଳ୍ପ ବହୁତେ କାର୍ ଭିତରେ ହିଁ ଶୁଣିଥିଲି । କିନ୍ତୁ ଶ୍ୱଶୁର ଘରେ ପହଞ୍ଚିଯିବା ପରେ ସେ ଯେମିତି ପୁରା ମୁକ ପାଲଟିଗଲା । ଯାହା କଥାବାର୍ତ୍ତା କେବଳ ସେଇ ଝିଅଟି ହିଁ କରୁଥିଲା ।”

ମୁଁ ମନେମନେ ଭାବିଲି ପ୍ରାୟେ ଅଧିକାଂଶ ଜ୍ୱାଇଁ ଅଷ୍ଟମଙ୍ଗଳାରେ ଶ୍ୱଶୁର ଘରକୁ ଗଲେ ମୁକ ପାଲଟି ଯିବାକୁ ଉଚିତ ମନେ କରନ୍ତି । ତୋ ଭଳି ସବୁବେଳେ ବକର ବକର ହେବା ଲୋକ ଖୁବ କମ ଥିବେ ଏ ସଂସାରରେ । ତେଣୁ ଶ୍ୱଶୁର ଘରେ ଏ ଲୋକର ମୁକ ହେବା ନିହାତି ଅସମ୍ଭବ କଥା ।

ତଥାପି ତାକୁ ବୁଝାଇବାକୁ ଯାଇ କହିଲି, “ନାଇଁ କଥାଟା ତମେ ଯେମିତି କହୁଛ ସେମିତି ନୁହେଁ, ପ୍ରଥମଥର ପାଇଁ ଶ୍ୱଶୁର ଘରେ ଜ୍ୱାଇଁ ମାନେ ପ୍ରାୟ ଚୁପ୍ ରୁହନ୍ତି । ସେଠି ଝିଅଟି ପୁରା ଆଧିପତ୍ଯ ବିସ୍ତାର କରିନେଇଥାଏ । ବାପ ଘରେ ସବୁ ଝିଅମାନେ ଦେଖାଇବାକୁ ଚାହାନ୍ତି ଯେ ସେମାନେ ବାହାଘରର ଏଇ ଅଠ ଦିନ ଭିତରେ ସ୍ୱାମୀଟିକୁ ନିଜ ହାତମୁଠାକୁ ପୁରା ନେଇ ଆସିଛନ୍ତି । ତାଙ୍କ କଥା ମୁତାବକ ସ୍ୱାମୀଟି ପୁରା ଚାଲିଛି । ଏମିତି ଦେଖି ଝିଅର ବାପାମାଆ ତଥା ପରିବାରର ଅନ୍ୟମାନେ ତାଙ୍କ ଝିଅଟି ବହୁତ ଭଲରେ ଅଛି ଭାବି ଖୁବ୍ ଖୁସି ହୁଅନ୍ତି । ସ୍ୱାମୀମାନେ କେହି ମୂର୍ଖ ନୁହନ୍ତି । ସେମାନେ ଜାଣନ୍ତି ଝିଅଟି ବାପଘରୁ ସବୁଦିନ ପାଇଁ ଶାଶୁଘରକୁ ଯାଇଛି । ସେଠି ନୂଆ ପରିବେଶ ସହିତ ନୂଆ ଲୋକମାନଙ୍କୁ ନିଜର କରିବାକୁ ହୁଏ ଆଉ ସେଇ ସମୟରେ ସ୍ୱାମୀଟି ତା ସ୍ତ୍ରୀକୁ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରିଥାଏ । ମାତ୍ର କିଛି ସମୟ ପାଇଁ ଝିଅଟି ବାପ ଘରକୁ ବୁଲି ଆସିଛି, ଫେରିଗଲେ ପୁଣି ଶାଶୁଘରର ଜାବତୀୟ ଦାୟୀତ୍ୱ । ତେଣୁ କିଛି ସମୟ ପାଇଁ ସ୍ତ୍ରୀଟି ବାପଘରେ ଖୁବ୍ ଖୁସି କରୁ ଆଉ ସେଇଥି ପାଇଁ ବୋଧେ ଜ୍ୱାଇଁମାନେ ମୁକ ପାଲଟି ଯାଇ ସ୍ତ୍ରୀ ଯେମିତି କହେ, ଯୁଆଡ଼େ ଯିବାକୁ କହେ ସ୍ୱାମୀ ସଙ୍ଗେ ସଙ୍ଗେ ରାଜି ହୋଇ ବସିବା ଯାଗାରୁ ଉଠି ସ୍ତ୍ରୀ ପଛେ ପଛେ ଚାଲିବା ଆରମ୍ଭ କରିଦିଏ । ବୋଧହୁଏ ଏହା ହିଁ ଅଷ୍ଟମଙ୍ଗଳାର ସୁନ୍ଦର ସ୍ୱଭାବିକ ନିୟମ । ତମେ କ’ଣ ଅଷ୍ଟମଙ୍ଗଳାରେ ତମ ସ୍ତ୍ରୀଙ୍କ ସହିତ ସେମିତି ଶ୍ୱଶୁରଙ୍କ ପଡ଼ିଶାଘର ସବୁ ବୁଲି ଯାଇନଥିଲ?

ସେ ମୋ କଥାରେ ଟିକେ ଲାଜେଇଯାଇ କହିଲା, “ଯାଇଥିଲି କିନ୍ତୁ ଏ ଝିଅଟି ଯେତେ ଆଡ଼କୁ ତା’ସ୍ୱାମୀକୁ ନେଇ ଯାଉଥିଲା ସେତେ ଆଡ଼କୁ ମୋ ସ୍ତ୍ରୀ ମୋତେ ନେଇ ନଥିଲା ।”

ମୁଁ ହସିଦେଇ କହିଲି, “ତାହେଲେ ତ ଏକା କଥା । ତମ ସ୍ତ୍ରୀ ତମକୁ ଯେତିକି ଆଡ଼କୁ ନେଲା ତମେ ଗଲ ଆଉ ଠିକ୍ ସେମିତି ସେ ଲୋକର ସ୍ତ୍ରୀ ତାକୁ ଯୁଆଡ଼େ ନେଲା ସେ ବି ଗଲା । ସେ ଝିଅଟିର ଟିକେ ଅଧିକ ସମ୍ପର୍କ ଥିବ ସାଇ ପଡ଼ିଶାଙ୍କ ସହ ।”

ମୁଁ କିନ୍ତୁ ଏ ଭିତରେ ମନେ ମନେ ଖୁବ୍ ବ୍ୟତିବ୍ୟସ୍ତ ହୋଇଗଲିଣି ଜାଣିବାକୁ ସେ କାହିଁକି ଗୁଡ଼େ ମାଡ଼ ଖାଇଲା । ଭାବିଲି ବୋଧେ ସେ ସ୍ୱାମୀ ସ୍ତ୍ରୀ ଏପଟ ସେପଟ ହୋଇ ବୁଲୁଥିବାରୁ କିଛି ଗୋଟେ ମନ୍ତବ୍ୟ ଦେଇଛି ଯାହାକୁ ସେ ଝିଅ ଏବଂ ତା’ପରିବାର ଅନ୍ୟ ଅର୍ଥରେ ନେଇ ଗୁଡ଼େ ପିଟିଛନ୍ତି । ସେଇ କଥା ଜାଣିବାକୁ ତାକୁ ପୁଣି କହିଲି, “ଆଛା ତମକୁ ମାରିଲେ କାହିଁକି ସେ କଥା କହିଲ?”

ସେ କହିଲା, “ସେଇ କଥା ପରା କହୁଛି ସାର୍ । ସେମାନଙ୍କର ଏମିତି ବୁଲା ବୁଲି ଭିତରେ ମୋ କଥା କିନ୍ତୁ ସେଇ ଝିଅ ପରିବାର ଠିକ୍ ବୁଝୁଥିଲେ । କେମିତି ବୁଝିବେନି କହୁନାହାନ୍ତି ମୁଁ ପରା ତାଙ୍କ ଜ୍ୱାଇଁଙ୍କ ଘର ପାଖାପାଖି ଲୋକ । ପହଞ୍ଚିବା ପରେ ପରେ ଭଲ ଜଳଖିଆ ଆଉ ତା’ପରେ କେତେବେଳେ ଥଣ୍ତା ପାନୀୟ ତ ଆଉ କେତେବେଳେ କଫି ଏମିତି ମଝିରେ ମଝିରେ ମିଳୁଥାଏ ।”

ମୁଁ ତା’ କଥାରେ ଅଧର୍ଯ୍ୟ ହୋଇ କହିଲି, “ସେ ସବୁ ତ ମିଳୁଥିଲା କିନ୍ତୁ ମାଡ଼ କାଇଁ ମିଳିଲା କହୁନ କାହିଁକି?”

ସେତେବେଳକୁ ଆମେ ନୂଆବଜାର ଭିଡ଼ ଭିତରେ । ସେ କାର୍‌ରେ ଗିଅର୍ ଚେଞ୍ଜ୍ କରି କହିଲା, “ହଁ ସାର୍ ସେଇ କଥା କହୁଛି, ଟିକେ ଧୈର୍ଯ୍ୟ ଧରନ୍ତୁ । ସେଦିନ ବୁଧବାର ହୋଇଥିବାରୁ ମଧ୍ୟାହ୍ନ ଭୋଜନରେ ମଟନ୍ ସହିତ ବଡ଼ ଚିଙ୍ଗୁଡ଼ି ବି ହୋଇଥିଲା । ଖାଇସାରି ପୁଣି ଝିଅ ଜ୍ୱାଇଁ କୁଆଡ଼େ ଗଲେ ଯେ ଫେରିଲେ ଯାଇ ସନ୍ଧ୍ୟା ୭ ପରେ । ବୋଧେ ଗାଆଁର ସବୁଘରେ ମୁହଁ ମାରି ଫେରିଲେ । ରାତ୍ରି ବଢ଼ୁଥାଏ । ମୁଁ ତ ଆଜ୍ଞା ସାରାଦିନ ପାଇଁ ଭଡ଼ାରେ ଯାଇଛି । ଶୀଘ୍ର ଫେରିଯିବା ବୋଲି କହିବା ସମ୍ଭବ ନଥିଲା । ଏ ଭିତରେ ଝିଅ ଘରବାଲା ଫାଇନାଲ୍ କଲେ ଯେ ଏକାଥରେ ରାତ୍ରି ଭୋଜନ କରିସାରି ଝିଅ ଜ୍ୱାଇଁ ଫେରିବେ । ମୁଁ ଦେଖିଲି ଏଠୁ ବାହାରୁ ବାହାରୁ ରାତି ୧୦ ପରେ ନିଶ୍ଚେ ହେବ । ଘରେ ସ୍ତ୍ରୀ ବ୍ୟସ୍ତ ହେବ ଚିନ୍ତାକରି ମୋବାଇଲରୁ କଲ୍ କରି କହିଲି ଏଠୁ ଖାଇକି ଯାଉ ଯାଉ ଡେରି ହେବ । ଠିକ୍ ସେଇଆ ହିଁ ହେଲା ସେଠୁ ଝିଅ ଜ୍ୱାଇଁ ବିଦାୟ ନେଲାବେଳକୁ ରାତି ୧୦.୩୦ ହେଲା ।”

ତା’କଥାରେ ମୁ୍ଁ ଟିକେ ମଜା କରିବାକୁ ଯାଇ କହିଲି, “ହଁ ଏମିତି ହୁଏ । ମୁଁ ପରା ଅଷ୍ଟମଙ୍ଗଳାରେ ଯେଉଁ ବୁଲି ଯାଇଥିଲି ଠିକ୍ ଏମିତି ଖାଇ ପିଇ ରାତି ୧୧ରେ ଫେରିଥିଲି । ଶ୍ୱଶୁରଘର ଲୋକ ବିବାହପରେ ପ୍ରଥମ ଜ୍ୱାଇଁ ଚର୍ଚ୍ଚା ଭଲକରି କରନ୍ତି ।”

ମୁଁ ମନା କରୁନି ସାର୍, ସେମିତି ହୁଏ । ସେମାନେ ଯେତେବେଳେ ଘରୁ ବାହାରି ଆସି କାର୍‌ରେ ବସିଲେ ମୁଁ ଆମ ଏରିଆର ପୁଅ ଅର୍ଥାତ୍ ସେଇ ଜ୍ୱାଇଁକୁ କହିଲି, “ବହୁତ ଲେଟ୍ ହେଲାଣି, ଏପଟେ ସାଲେପୁରର ସୋମପୁର ଯାଏ ରାସ୍ତା ଖୁବ୍ ନିଛାଟିଆ । ସେ ମହାନଦୀ ପୋଲ ପାଖାପାଖି ଏରିଆରେ କିଛି ଲୁଟେରା ଗାଡ଼ିକୁ ଅଟକାଇ ଜିନିଷପତ୍ର ଲୁଟ୍ କରିବାସହ ଖରାପ ବ୍ୟବହାର କରନ୍ତି । ଆମେ ଚାଲ ଏପଟେ କଟକଦେଇ ଯିବା ।”

ସେ ପୁଅଟି ମୋ କଥାରେ ରାଜି ହୋଇ କହିଲା ହଁ ସେଇଆ କରିବା । ଟିକେ ବୁଲାଣି ପଡ଼ୁ ପଛେ କଟକ ବାଟେ ହିଁ ଚାଲ ଯିବା । କିନ୍ତୁ ସେଇ ଝିଅଟି କ’ଣ ଭାବିଲା କେଜାଣି ପୁଅଟିକୁ କାର୍ ବାହାରକୁ ଡାକିନେଇ ଆସ୍ତେ ଆସ୍ତେ କହିଲା, “କାଇଁ ଏତେବାଟ ବୁଲିବା, ସୋମପୁର ଏଠୁ କେତେବାଟ ଯେ, କଟକ ଦେଇ ଗଲେ ବହୁତ ସମୟ ଲାଗିବ ଆଉ ଯେତେ ଅଧିକ କିଲୋମିଟର ଉଠିବ କାର୍‌ବାଲାର ଲାଭ, ତେଣୁ ସେ ସେପଟେ କଟକ ଦେଇ ଯିବାକୁ କହୁଛି ।”

ସେ ଝିଅଟି ଆସ୍ତେ ଅସ୍ତେ କହୁଥିଲେ ବି ତା’ର ସବୁକଥା ମୋତେ କ୍ଲିଅର୍ ଶୁଭୁଥାଏ । ଭାବିଲି ଏତେ ବଡ଼ଲୋକ ଘର ଝିଅ ହୋଇ ବି କେମିତି ଏମିତି ଛୋଟ ଚିନ୍ତାଧାରା ମନରେ ରଖିଛି? ଗୁଡ଼େ ସୁନା ଜିନିଷ ପିନ୍ଧିଥିବାରୁ ତାଙ୍କରି ଭଲ ପାଇଁ କଟକ ଦେଇ ଯିବାକଥା କହିଥିଲି ଅଥଚ ସେ କେମିତି କଥା କହିଲା ଦେଖିଲେ ସାର୍ । ଭାବିଲି ଆଜିକାଲି ଯୁଗରେ କାହାକୁ ଭଲ କଥା କହିଲେ ସେ ନିଶ୍ଚେ ଭାବିବ ଏ ଲୋକର ନିଶ୍ଚୟ କ’ଣ ଉଦ୍ଦେଶ୍ଯ ଅଛି ।”

ମୁଁ ପଚାରିଲି, “ଫାଇନାଲି ତମେ କେଉଁ ବାଟେ ଆସିଲ? ତମ ଗାଆଁ ପାଖର ପୁଅଟି କ’ଣ ତା’ ସ୍ତ୍ରୀ କଥାରେ ରାଜି ହୋଇଗଲା କି?”

ସେ କହିଲା, “କେମିତି ରାଜି ହେବନି କହୁ ନାହାନ୍ତି ! ନୂଆ ନୂଆ ବାହାହୋଇ ସ୍ତ୍ରୀ କଥାକୁ କେମିତି କାଟିଥାନ୍ତା ଯେ? ସେ ତା ସ୍ତ୍ରୀ କଥାରେ ପଡ଼ି ମୋତେ କହିଲା ନାଇଁ ସେପଟେ ଏତେ କାଇଁ ବୁଲିବା, ଏପଟେ ଖୁବ୍ ପାଖ, କେତେ ସମୟ ଲାଗିବ ଯେ, ଚାଲ ଏପଟେ ଯିବା, କିଛି ଅସୁବିଧା ହେବନି ।”

ତା କଥା ମୁତାବକ ମୁଁ ଚୁପ୍‌ଚାପ୍ ଗାଡ଼ି ଚଳାଇଲି । ଠିକ୍ କିଶୋରନଗର ପରେ ପରେ ଗୋଟେ ନିଛାଟିଆ ଯାଗରେ ରାସ୍ତା ଉପରେ କିଛି ପଥର ଥୁଆ ହୋଇଥିଲା । ସେତେବେଳକୁ ରାତି ୧୧ଟା ହେଲାଣି । ଗାଡ଼ି ବ୍ରେକ୍ ମାରି କିଛି ସମୟ ସ୍ଥିର ହୋଇ ରହି ସବୁଆଡ଼କୁ ଚାହିଁଲି । ଆଖପାଖରେ କେହି କୁଆଡ଼େ ନଥିଲେ । ଶେଷକୁ ବାଧ୍ୟହୋଇ କାର୍‌ରୁ ଓଲ୍ହାଇ ସେ ପଥରଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ ଆଗେଇ ଗଲି । ଗୋଟେ ପଥର ଉଠାଇଚି କି ନାହିଁ ହଠାତ୍ ପାଖରେ ଗୋଟେ ବଡ଼ ଗଛ ମୂଳ ସେପଟେ ଲୁଚିକି ଥିବା ୬ ଜଣ ଲୋକ ଦୌଡ଼ିକି ମୋ ଆଡ଼କୁ ମାଡ଼ିଆସିଲେ । ସମସ୍ତେ ମୁହଁକୁ କଳା କପଡ଼ାରେ ଢାଙ୍କି ରଖିଥାନ୍ତି । ସେମାନଙ୍କ ଭିତରୁ ତିନିଜଣ ମୋତେ ସେଇ ଗଛ ମୂଳକୁ ପୁରା ଟାଣିନେଇ ଧୁମ୍ ଧାମ୍ କରି ମାଡ଼ ବସେଇବା ଆରମ୍ଭ କରିଦେଲେ । ଯାହାକୁ କହନ୍ତି ନିସ୍ତୁକ ମାଡ଼ ସାର୍ । ସେମାନଙ୍କ ଭିତରୁ କିଏ ଗୋଟେ ତା’ ଯୋତା ପିନ୍ଧା ଗୋଡ଼ରେ ଶକ୍ତ ଗୋଇଠାଟାଏ ମୋ ଜଙ୍ଘ ପାଖରେ ମାରିଲା । ଯାହାକୁ କୁହନ୍ତି ଅଥାନଥାନ ସେଇଠି ବହୁତ ଯୋର୍‌ରେ ବାଜିଲା । ମୋ ଆଖିରୁ ସାର୍ ଖୁବ୍ ଯନ୍ତ୍ରଣାରେ ଯେମିତି ଜୁଳୁଜୁଳିଆ ପୋକ ବାହାରି ଆସିବା ସହିତ ପାଟିରୁ ବହୁତ ଯୋର୍‌ରେ, “ବୋଉଲୋ ମରିଗଲି” ବୋଲି ଚିତ୍କାରଟିଏ ବାହାରି ଆସିଲା ।

ସେଇ ଗଛ ମୂଳେ ମୋତେ ନିସ୍ତୁକ ମାଡ଼ ହେଉଥିବା ବେଳେ ଆଉ ତିନି ଜଣ ଲୁଟେରା କାର୍ ପାଖରେ ଭୁଜାଲି ବାହାର କରି ସେ ଝିଅ ଜ୍ଵାଇଁଙ୍କୁ ଭୟଭୀତ କରୁଥାନ୍ତି । ମାଡ଼ର ପ୍ରଭାବରେ ମୋ ପାଟିରୁ ଯେତେ ଯୋର୍‌ରେ ଚିତ୍କାର ବାହାରୁଥାଏ ତେଣେ ସେତେ ଅଧିକ ସେ ସଦ୍ୟ ବିବାହିତା ଦମ୍ପତି ଡରୁଥାନ୍ତି । ମାଡ଼ ମୁଁ ଖାଉଥାଏ କିନ୍ତୁ ସେ ମାଡ଼ର ପ୍ରଭାବ ସେ ଦୁଇଜଣଙ୍କ ଉପରେ ପଡ଼ୁଥାଏ । ଖାସ୍ ସେଇଥିପାଇଁ ମୋତେ ଯେତେ ଯୋର୍‌ରେ ସମ୍ଭବ ସେମାନେ ମାଡ଼ ମାରୁଥାନ୍ତି । ଏ ଭିତରେ ମୋତେ ପୁଣି ଟାଣି ଟାଣି କାର୍ ପାଖକୁ ସେମାନେ ନେଇ ମୋ ମୁହଁକୁ ଶକ୍ତ ବିଧାଟେ ଦେଇ କହିଲେ, “ଶଳା ଚୁପ୍ ଚାପ୍ କାର୍ ଭିତରେ ବସ୍ ।” ମୁଁ ଜୀବନ ବିକଳରେ କାର୍ ଭିତରେ ବସି ପଡ଼ିଲି । ଯନ୍ତ୍ରଣାରେ ମୋ ମୁଣ୍ତ କାମ କରୁନଥାଏ । ଏବେ ୬ ଜଣ ଯାକ ପଛ ସିଟରେ ବସିଥିବା ଦୁଇ ଜଣଙ୍କୁ କହିଲେ, “ଯାହା ସବୁ ଅଛି ଶୀଘ୍ର ବାହାର କର । ନଚେତ୍ ପରିଣାମ ଖୁବ୍ ଭୟାବହ ହେବ ।”

ଏମାନଙ୍କ କଥାରେ ଉଭୟେ ସ୍ୱାମୀସ୍ତ୍ରୀ ବରଡ଼ାପତ୍ର ପରି ଥରୁଥିଲେ କିନ୍ତୁ ଚୁପ୍ ଚାପ୍ ହୋଇ ବସିଥିଲେ । ହଠାତ୍ ଝିଅଟି ବସିଥିବା ପାର୍ଶ୍ୱରୁ କାର୍ ଡୋର୍ ଖୋଲି ତାକୁ ରାସ୍ତା କଡ଼କୁ ଜବରଦସ୍ତ ଭିଡ଼ିନେଲେ । ଝିଅଟି ବଡ଼ ପାଟିରେ କାନ୍ଦି ଉଠି ସେମାନଙ୍କୁ ନେହୁରା ହେଉଥାଏ ଛାଡ଼ି ଦେବାକୁ । ଏଣେ ସ୍ୱାମୀଟି ତା ବେକରୁ ଚେନ୍, ହାତରୁ ଘଣ୍ଟା ଓ ଆଙ୍ଗୁଠିରୁ ମୁଦି କାଢ଼ି ସେମାନଙ୍କୁ ଦେବା ସଙ୍ଗେ ସଙ୍ଗେ କହିଲା, “ସବୁ ଜିନିଷ ପତ୍ର ନେଇଯାଅ କିନ୍ତୁ ତାଙ୍କୁ ଛାଡ଼ିଦିଅ ।”

ଝିଅଟି ଏବେ ଜୀବନ ବିକଳରେ ତା’ଦେହରେ ଥିବା ସବୁ ସୁନା ଜିନିଷ କାଢ଼ୁଥାଏ ଆଉ ତା’ସହିତ କଇଁ କଇଁ ହୋଇ କାନ୍ଦୁଥାଏ । ସେମାନେ ସବୁ ଜିନିଷପତ୍ର ନେବା ସହିତ ଝିଅର ଭ୍ୟାନିଟ୍ ବ୍ୟାଗ୍, ପୁଅର ମନିପର୍ସ ସହିତ ଉଭୟଙ୍କ ମୋବାଇଲ୍ ସେଟ୍ ନେଇଯିବା ସହିତ ମୋତେ ମୋ ମୋବାଇଲ୍ ମାଗିଲେ । ମୋ ମୋବାଇଲ୍‌କୁ ମୁଁ କାର୍‌ର ଗିଅର୍ ପାଖରେ ଥିବା ଖୋପରେ ରଖିଥିଲି । ମୁଁ କହିଲି ଦେଖନ୍ତୁ ମୋର ମୋବାଇଲ୍ ନାହିଁ ଆଉ ଠିକ୍ ସେଇ ସମୟରେ ଦୂରରୁ କ’ଣ ଗୋଟେ ଗାଡ଼ିର ଲାଇଟ୍ ପଡ଼ିବାରୁ ସେମାନେ କହିଲେ, “ଶଳା ଯା’ ଏଠୁ ଶୀଘ୍ର ପଳା ।”

ଆଉ ତାଙ୍କ କଥା ମୁତାବକ ମୁଁ ଗାଡ଼ିରେ ଧଡାଧଡ୍ ଗିଅର୍ ପରେ ଗିଅର୍ ଚେଞ୍ଜ୍ କରି ଦୃତ ଗତିରେ ସୋମପୁର ଆଡ଼କୁ ଗାଡ଼ି ଚଳାଇ ପଳାଇ ଆସିଲି । ଏମିତି ମାଡ଼ ବସିଥାଏ ମୋ ଗୋଡ଼ ହାତ ଠିକ୍ ରେ କାମ କରୁନଥାଏ । ତଳିପେଟରୁ ରହି ରହି ହୁବ୍କା ମାରିଲା ପରି ଯନ୍ତ୍ରଣା ବାହାରୁଥାଏ । କିଛି ବାଟ ଆସିଛି ହଠାତ୍ ପଛ ଆଡୁ ସେ ଝିଅଟି ଯୋର୍‌ରେ କାନ୍ଦି ଉଠି କହିଲା, “ଭାଇ ତମକୁ ବହୁତ ମାରିଲେ ଆଉ ଆମର ସବୁ ସୁନା ଜିନିଷ ନେଇଗଲେ ।”

ମୋର ତ ସେତେବେଳକୁ ମାଡ଼ଖାଇ ଘାଇଲା ଅବସ୍ଥା । ତେଣୁ ଯେତେ ରାଗ ମନରେ ଥିଲା ସବୁ ଗୋଟେ ମୁହୂର୍ତ୍ତରେ ବାହାରି ଆସିଲା । ତାକୁ କହିଲି, “ଚୁପ୍ କର୍, କହିଲା କ’ଣ ନା ଭାଇ? କାଇଁ ଯେତେବେଳେ କହୁଥିଲି କଟକ ବାଟ ଦେଇ ବୁଲି ଆସିବାକୁ ସେତେବେଳେ ଏଇ ଭାଇ କଥା ଖୁବ୍ ଗନ୍ଧେଇଲା ।”

ମୋ କଥାରେ ସେ ଚୁପ୍ ହୋଇ ଆଉ କିଛି ନକହିଲେ ବି ଗୁମୁରି ଗୁମୁରି କାନ୍ଦୁଥାଏ । କାନ୍ଦିବନି କେମିତି ଯେ, କେତେଭରି ସୁନା ଯାଇଛି ଆକଳନ କରିବା କାଠିକର ପାଠ । ବାପ ଘର, ଶାଶୁ ଘର, ବନ୍ଧୁ ବାନ୍ଧବ ଦେଇଥିବା ସବୁ ଜିନିଷ ସେଇ ପାଞ୍ଚ ମିନିଟ୍ ଭିତରେ ମାଲିକାନାସତ୍ତ୍ବ ପରିବର୍ତ୍ତନ କରି ତା’ପାଖରୁ ଚାଲିଗଲେ ।

ମୁଣ୍ତ ଖର୍ଚ୍ଚକରି ଗାଡ଼ିକୁ ସିଧା ନେଇ ରଘୁନାଥପୁର ଥାନାରେ ପୁରାଇଲି । ସେ ପୁଅକୁ କହିଲି ଏତଲା ଦେବାକୁ । ସେତବେଳକୁ ରାତି ୧୨ଟା ହେଲାଣି । ଥାନା ବାଲା ସେ ପୁଅ ଆଉ ଝିଅଠୁ ସବୁ ଶୁଣିବା ପରେ ଜଣେ ହଠାତ୍ କହିଲା, “ସବୁ ନାଟ ଏଇ ଡ୍ରାଇଭର୍‌ର । ତାକୁ ଆଗ ହାଜତରେ ପୁରାଇ କିଛି ଉତ୍ତମ ମଧ୍ୟମ ଦେଇଦେଲେ ସବୁ ସତ ଉଗାଳି ପକାଇବ ।”

ସତ କହୁଛି ସାର୍ ସେ ପୋଲିସ୍ କଥା ଶୁଣି ମୋ ମୁଣ୍ତ ପୁରା ଘୁରିଗଲା । ବିନା କାରଣରେ ସେ ଲୁଟେରାମାନଙ୍କ ଠାରୁ ବହେ ଛେଚା ଖାଇଲି ଆଉ ଏବେ ହାଜତରେ ପୁରାଇ ଏ ପୁଲିସ୍ ବାଲା ନିର୍ଦ୍ଧୁମ୍ ପିଟିବେ । କହିଲେଣି ମାନେ ନିଶ୍ଚୟ କାର୍ଯ୍ୟକାରୀ କରିବେ । ସେ ପୁଲିସ୍‌ର କଥା ମୁତାବକ ଜଣେ ହାଜତ ଚାବି ଖୋଲିବା ଆରମ୍ଭ କଲା । ମୁଁ ପୁରା ଭୟରେ ଥରୁଥାଏ । ପୁଲିସ୍ବାଲାଙ୍କ ନିୟମ ବୋଧେ ଆଗ ଗାଡ଼ି ଡ୍ରଇଭରକୁ ହିଁ ସନ୍ଦେହ କରିବା । ସେମାନେ ଭାବିଥିବେ ଏ ଡ୍ରାଇଭର୍ ଏତେ ସୁନା ଜିନିଷ ଦେଖି ନିଶ୍ଚିତ ତା’ସାଙ୍ଗ ସାଥୀଙ୍କୁ ଫୋନ୍ କରି କେତେବେଳେ କେଉଁବାଟ ଦେଇ ଫେରିବେ କହିଥିବ ଆଉ ସେଇ ହିସାବରେ ଏ ଲୁଟ୍ ହୋଇଛି ।

ଭୟରେ ମୋ ଗୋଡ଼ ହାତ ସବୁ ଥରୁଥାଏ । ସେ ଲୁଟେରା ଗୁଡ଼ାକ ଅନ୍ଧାରରେ ମାଡ଼ ମାରିଲେ ଏବେ ଏ ବର୍ଦ୍ଦିବାଲା ଆଲୁଅରେ ପିଟିବେ । କି ବେଳାରେ ଆଜି ଘରୁ ବାହାରିଥିଲି କେଜାଣି? ଯେମିତି ଭଲ ଖାଇବାକୁ ମିଳିଲା ସେମିତି ମାଡ଼ ବି ମିଳୁଛି । ଯେଉଁ ପୁଲିସ୍‌ବାଲା ହାଜତ୍ ଚାବି ଖୋଲିଥିଲା ସେ ଏବେ ପାଟିକରି ମୋତେ କହିଲା, “ସେଠି କ’ଣ ଜଡ଼ଟା ଭଳି ଠିଆ ହୋଇଛୁ ବେ । ହାଜତ ଭିତରକୁ ଆସୁଛୁ ନା ଦେଖିବୁ ଏବେ? ପୁଲିସିଆ ପାହାର ବସିଗଲେ ସବୁ ମାନିବୁ ବୋଲି ବାଟ ପାଇବୁନି ।”

ବୁଝିଲେ ସାର୍, ମୁଁ ପିଲାବେଳୁ ଶୁଣିଥିଲି ଥାନା, ଭୂତଖାନା ଆଉ ଏବେ ଦେଖିଲି ସେ କଥା ଏକବାରେ ସତ । ହାତ ଯୋଡ଼ି ବଡ଼ ବିକଳ ହୋଇ କହୁଥାଏ, “ସତ କହୁଛି ଆଜ୍ଞା, ମୁଁ କିଛି ଜାଣିନି ।”

ମୋ ଅବସ୍ଥା ଦେଖି ସେ ଝିଅଟି ହଠାତ୍ କାନ୍ଦିଉଠି କହିଲା, “ନାଇଁ ସାର୍, ଏ ଭାଇଙ୍କର କିଛି ଦୋଷ ନାହିଁ । ସେ ବରଂ କହୁଥିଲେ ଏତେ ଲେଟ୍ ହେଲାଣି ଆମେ ଏ ନିଛାଟିଆ ବାଟରେ ଯିବା ଠିକ୍ ହେବନି, କଟକ ବାଟେ ବୁଲିଗଲେ ଭଲ ହେବ । କିନ୍ତୁ ମୁଁ ତାଙ୍କୁ ବାଧ୍ୟକଲି ସେଇ କିଶୋରନଗର ବାଟେ ଆସିବା ପାଇଁ ।”

ତା’ କଥାରେ ସେ ପୁଲିସ୍‌ର ମନ ତଥାପି ବୁଝିଲାନି । ମୋ ମୋବାଇଲ୍ ନେଇ ଚେକ୍ କଲା । ଦେଖିଲା କେବଳ ଗୋଟେ କଲ୍ ହୋଇଛି । ମୁଁ କହିଲି ସେଇ ସନ୍ଧ୍ୟାରେ ଡେରିହେବ ବୋଲି ସ୍ତ୍ରୀକୁ ଫୋନ୍ କରି କହିଥିଲି । ସେ ନମ୍ୱରକୁ ଏବେ ଲାଉଡ୍ ସ୍ପିକର୍ ଦେଇ କଥା ହେବାକୁ କହିଲେ । ତାଙ୍କ କଥା ମୁତାବକ୍ ମୁଁ କଥାହେଲି ସ୍ତ୍ରୀ ସହିତ । ସେମାନେ ସବୁ ଶୁଣିବା ପରେ ନିଶ୍ଚିତ ହେଲେ ମୁଁ ସେ ଲୁଟ୍‌ରେ ସମ୍ପୃକ୍ତ ନାହିଁ ବୋଲି । ସେଠୁ ଥାନାରୁ ଫେରି ରାତି ୨ଟାରେ ଘରେ ପହଞ୍ଚିଲି । ଆଜିକି ସାର୍ ଦୁଇ ଦିନ ହେଲାଣି କିନ୍ତୁ ସେ ମାଡ଼ର ଦରଜ ଏଯାଏ ଯାଇନି । ସେଦିନ ସେ ଝିଅଟି ଯଦି ମୋ ପାଇଁ ସେତିକି କହିନଥାନ୍ତା ଆଜି ଗାଡ଼ି ଚଲାଇ ଆପଣଙ୍କ ସହିତ ଯାଇପାରିବା ପ୍ରଶ୍ନ ଉଠୁନି ସାର୍ ।

ମୁଁ ତା’କଥା ଶୁଣି ଭାବୁଥାଏ ଏ ଦେଶ ସ୍ୱାଧୀନତା ପାଇବାର ୭୨ ବର୍ଷ ପରେ ବି ଲୋକମାନେ ରାସ୍ତାରେ ନିରାପଦରେ ଯାଇ ପାରୁନାହାନ୍ତି । ସେଦିନ ସେ ଲୁଟେରାମାନେ କେବଳ ଜିନିଷ ପତ୍ର ଲୁଟିନେଇ ଛାଡ଼ିଦେଲେ । ଆଉ କେଉଁଠି ତ ରାତି କଥା ଛାଡ଼ ସ୍ପଷ୍ଟ ଦିବାଲୋକରେ ନାରୀକୁ ଉଠାଇ ନେଇ କୁକର୍ମ କରିବା ସହିତ ଜୀବନ ନେବାକୁ ମଧ୍ଯ ପଛାଉ ନାହାନ୍ତି । ଶିକ୍ଷିତ ବେକାରି ସଂଖ୍ଯା ଯେମିତି ଭାବରେ ବଢ଼ି ଚାଲିଛି ଆଗକୁ ଆଗକୁ ଏମିତି ଲୁଟ୍, କୁକର୍ମ ଅଦି ବଢ଼ି ବଢ଼ି ଚାଲିବ ପଛେ କମିବାର ନାହିଁ । ଖବରକାଗଜରେ ପ୍ରାୟ ଏମିତି ଖବର ସବୁଦିନେ ବାହାରୁଛି । କେଜାଣି କେବେ ସେଦିନ ଆସିବ ଯେବେ ଗୋଟେ ନାରୀ ରାତି ୧୨ଟାରେ ଏକୁଟିଆ ନିର୍ଭୟରେ ଯେକୌଣସି ସ୍ଥାନରେ ବୁଲି ପାରିବ ! ସତରେ ଯଦି ଏମିତି ସମ୍ଭବ ହୁଅନ୍ତା ଆମ ଭାରତ ରାମରାଜ୍ୟରେ ପରିଣତ ହୋଇଯାଆନ୍ତା । କେବଳ ସମୟକୁ ଅପେକ୍ଷା କରିବା ଛଡ଼ା ଅନ୍ୟକିଛି ଉପାୟ ନାହିଁ ।

– ପ୍ରଶାନ୍ତ କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।