You are currently viewing ହାସ୍ୟ ଅଭିନେତା କାକା ଓରଫ୍ ଗିରିଜା ପଣ୍ଡାଙ୍କ ସହ ମନଖୋଲା ଆଳାପ
Full Interview with Comedia Kaka aka Girija Panda

ହାସ୍ୟ ଅଭିନେତା କାକା ଓରଫ୍ ଗିରିଜା ପଣ୍ଡାଙ୍କ ସହ ମନଖୋଲା ଆଳାପ

ଏହି ଲକ୍‌ଡାଉନ୍ ସମୟରେ ଓଡ଼ିଆ କମେଡ଼ି ଜଗତରେ ଏକ ନୂଆ ନାଁ ଯୋଡ଼ିହୋଇଗଲା, ଗିରିଜା ପଣ୍ଡା । ଯଦିଓ ପୂର୍ବରୁ ସେ ଅନେକ ଥିଏଟର୍, ଦୂରଦର୍ଶନ କାର୍ଯ୍ୟକ୍ରମ ଆଦିରେ କାମ କରିଛନ୍ତି କିନ୍ତୁ କାକା ଚରିତ୍ରରେ ତାଙ୍କର ହାସ୍ୟରସ ଭରା ଅଭିନୟ ଇଣ୍ଟରନେଟ ଦୁନିଆରେ ତାଙ୍କୁ ଲୋକପ୍ରିୟ କରାଇଛି । ତେବେ ଚାଲନ୍ତୁ ତାଙ୍କ ସହ କଥା ହେବା, ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

ପ୍ରଶ୍ନ ୧. ଆପଣ ଏହି କାକା ଚରିତ୍ରକୁ କାହିଁକି ବାଛିଲେ?

ଉତ୍ତର: ଛୋଟବେଳୁ ମୋତେ ମିମିକ୍ରି କରିବାକୁ ଭଲ ଲାଗେ ଆଉ ଏହି ଲକ୍‌ଡାଉନ୍ ସମୟରେ ମୁଁ ଘରେ ଏମିତି ଭିଡିଓ କରୁଥିଲି । ଏହି ଲକ୍‌ଡାଉନ୍ ସମୟରେ ଥରେ ମାର୍କେଟ୍‌ରେ ମୋତେ ପୋଲିସ୍ ବାଡ଼େଇଲା ଆଉ ଫେରିଲାବେଳେ ତାକୁ ନେଇକି କିଛି କରିବାକୁ ମୁଁ ମନସ୍ଥ କଲି । ମିହିରି ଦାସ ମୋତେ ବହୁତ ଭଲ ଲାଗନ୍ତି ଆଉ ମୁଁ ବି ଆଗରୁ ତାଙ୍କର ଅନେକ ମିମିକ୍ରି କରିଛି । ସଂଯୋଗ ବଶତଃ ସେଦିନ ଅଭିମନ୍ୟୁ ଫିଲ୍ମ ବି ଦେଉଥିଲା, ସେଇଥିରୁ ମୁଁ କାକାଙ୍କ ଚରିତ୍ର ଆଉ ସେ ଘଟଣାକୁ ନେଇ ଭିଡିଓ ତିଆରି କଲି । ଆଉ ଏହି ଚରିତ୍ରକୁ ନେଇ ଭିନ୍ନ ଭିନ୍ନ ପାର୍ଟରେ କେମିତି ଦର୍ଶକଙ୍କୁ ଆକର୍ଷିତ କରିହେବ ସେ ବିଷୟରେ କାମ କରିବା ଆରମ୍ଭ କଲି ।

ପ୍ରଶ୍ନ ୨. କେବେ ଅରିଜିନାଲ୍ କାକା ମାନେ ମିହିର ଦାସଙ୍କ ସହ ଏହି ରୂପରେ ଭେଟିଲେ କ’ଣ ରହିବ ଆପଣଙ୍କର ପ୍ରତିକ୍ରିୟା?

ଉତ୍ତର: ଯେତେବେଳେ ମୁଁ ଜିତୁ ସାର୍‌ଙ୍କର ଗୋଟିଏ ଫିଲ୍ମରେ ମୁଁ ଚମ୍ପା ନାମକ ଏକ କିନ୍ନରର ଚରିତ୍ର କରୁଥିଲି । ଏହି ଫିଲ୍ମରେ ପପୁ ପମ୍ ପମ୍‌ଙ୍କ ସମେତ କୁନା ତ୍ରିପାଠୀ ଓ ମିହିର ଦାସ ବି କାମ କରୁଥିଲେ । ସେଇଠି ମୋତେ ସେ ଜାଣିଥିଲେ ଆଉ ଏବେ ବି ସେ ଜାଣିଛନ୍ତି, ସେଦିନ ଚମ୍ପା ଚରିତ୍ରରେ ଅଭିନୟ କରୁଥିବା ପିଲାଟି ଏବେ କାକା ଭାବରେ ଦର୍ଶକଙ୍କୁ ହସାଉଛି ।

Kaka with Bijay Mohanty
Kaka with Odia actor Bijay Mohanty, Braja Singh, Gyana Hota

ପ୍ରଶ୍ନ ୩. ଟିଭିରେ କାମ କରିବାର ପ୍ରଥମ ସୁଯୋଗ କେମିତି ପାଇଥିଲେ, ଆଉ ସେ ପ୍ରଥମଦିନର ଅନୁଭୂତି କ’ଣ ଥିଲା?

ଉତ୍ତର: ମୁଁ ଆଗରୁ ଭୁନେଶ୍ୱରରେ ଥିଏଟରରେ ଅଭିନୟ କରୁଥିଲି ଆଉ ୨୦୧୬ ମସିହାରେ ଯେତେବେଳେ ମୁଁ ଭୁବନେଶ୍ୱରେ ପଢ଼ୁଥିଲି, ସେତେବେଲେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମରେ ପାର୍ଶ୍ୱ ଚରିତ୍ରରେ ଅଭିନୟ କରିଥିଲି । ତା’ପରେ ଜୀ ସାର୍ଥକର “କମେଡ଼ି ଟକ୍କର” ରିଆଲିଟି ଶୋ’ରେ ମୁଁ ଟପ୍-୧୦ରେ ଥିଲି । ପ୍ରମେୟ ନ୍ୟୁଜ୍ ୭ରେ ପ୍ରସାରିତ ରିଆଲିଟି ଶୋ’ “ବ୍ୟଙ୍ଗ ଷ୍ଟାର୍‌”ରେ ମୁଁ ରନର୍‌ଅପ୍ ହେଇଥିଲି । ସେହି ସମୟରେ ମୁଁ ପ୍ରଜ୍ଞା ଭାଇଙ୍କ ମିଷ୍ଟର ନନ୍‌ସେନ୍ସରେ ବି ଅଭିନୟ କରୁଥିଲି । ଓ-ଟିଭିରେ ବି କାମ କରିଛି ।

ପ୍ରଶ୍ନ ୪. ଅନେକ ହାସ୍ୟ କଳାକାରଙ୍କ ସହ ଆପଣ କାମ କରିଛନ୍ତି, ଅନେକଙ୍କର ନକଲ ମଧ୍ୟ କରିଛନ୍ତି, କାହା ସାଙ୍ଗରେ ଅନୁଭୂତି ସବୁଠାରୁ ବଢ଼ିଆ ଅଛି ଆଉ କାହିଁକି?

ଉତ୍ତର: ଯଦିଓ ଅନେକ ହାସ୍ୟ କଳାକାରଙ୍କ ସହ କାମ କରିଛି, କିନ୍ତୁ ପ୍ରଜ୍ଞା ଭାଇଙ୍କ ସହ ଅଧିକ ସମୟ ବିତେଇଛି, ଅଧିକ କାମ ତାଙ୍କ ସହ ହିଁ କରିଛି । ସେ ମୋତେ ସାନ ଭାଇ ଭଳି ଦେଖନ୍ତି ଆଉ ସାଙ୍ଗ ଭଳି ଆମର ସମ୍ପର୍କ । ଅଭିନୟ ଠାରୁ ଆରମ୍ଭ କରି ଅନେକି କିଛି ତାଙ୍କଠାରୁ ଅନେକ କିଛି ଶିଖିଛି ମୁଁ ।

Kaka Comedian Girija Panda

ପ୍ରଶ୍ନ ୫. କାକାଙ୍କୁ ଟିକ୍‌ଟକ୍ ଫୋମସ୍ କରେଇଲା, ହେଲେ କାକା ଟିକ୍‌ଟକ୍ ବ୍ୟାନ୍ ହେବା ଆଗରୁ ତାକୁ ଡିଲିଟ୍ କରିଦେଲେ କାହିଁକି?

ଉତ୍ତର: ମୁଁ ତ ପ୍ରଥମରୁ ଟିକ୍‌ଟକ୍ ବ୍ୟବହାର କରୁନଥିଲି, ହେଲେ ଏହି ଲକ୍‌ଡାଉନ୍ ସମୟରେ ହିଁ ସାଙ୍ଗମାନଙ୍କର ପ୍ରରୋଚନାରେ ସେଇଠି ଭିଡିଓ କରିବା ଆରମ୍ଭ କରିଥିଲି । ହେଲେ ଚୀନର ସୈନ୍ୟମାନଙ୍କର ବିଶୃଙ୍ଖଳା ପାଇଁ ଯେବେ ଜନମାନସରେ ଟିକ୍‌ଟକ୍ ବିରୋଧରେ ସ୍ୱର ଉଠିଲେ । ସେବେ ମୁଁ ଡିଲିଟ୍ କରିଦେଲି । ଲୋକମାନଙ୍କ ପାଇଁ ମୋର ଭିଡିଓ ଭଲ ଚାଲିବା ଆରମ୍ଭ କଲା ଆଉ ସେହି ଲୋକମାନଙ୍କର ମତରେ ହିଁ ମୁଁ ଡିଲିଟ୍ କରିଦେଲି ।

ପ୍ରଶ୍ନ ୬. ମାତ୍ର କେଇଟା ଦିନରେ ୟୁ-ଟ୍ୟୁବ୍‌ରେ କାକାଙ୍କ ଚେନାଲ୍ ଆକଶ ଛୁଆଁ ହେଇଗଲା, ଏହା ଆପଣ କେବେ କଳ୍ପନା କରିଥିଲେ?

ଉତ୍ତର: ଭଗବାନଙ୍କର ଆଶୀର୍ବାଦ ଏବଂ ଆମର ଓଡ଼ିଆ ଦର୍ଶକଙ୍କର ଭଲପାଇବା ପାଇଁ ୟୁ-ଟ୍ୟୁବ୍ ବଢ଼ିଛି । ଆକାଶ ଛୁଆଁ ତ ନୁହେଁ, ହେଲେ ଦର୍ଶକମାନଙ୍କର ଭଲପାଇବା ପାଇଁ ବଢ଼ିଛି । ଆଗକୁ ଏମିତି ଲୋକମାନଙ୍କର ଭଲପାଇବା ମିଳିବ ବୋଲି ଆଶା ।

ପ୍ରଶ୍ନ ୭. ଆଗାମୀ ଦିନର ଯୋଜାନା କ’ଣ ଅଛି କାକାଙ୍କର?

ଉତ୍ତର: କାକାଙ୍କ ନାଁରେ ଯେହେତୁ ମୁଁ ଲୋକପ୍ରିୟତା ପାଇଛି, ତେଣୁ ମୋ ଚ୍ୟାନେଲ୍‌ରେ ମୁଁ କାକାଙ୍କୁ ନେଇକି ଭିଡିଓ କରିବି, କିଛି ଅଲଗା ଅଲଗା ଭିଡିଓ ବି କରିବାର ଅଛି, କିଛି ନୂଆ ନୂଆ ଚରିତ୍ର ମଧ୍ୟ ଦର୍ଶକଙ୍କ ପାଇଁ ଆଣିବାର ଅଛି । ଅନ୍ୟାନ୍ୟ ଚେନାଲ୍‌ରେ ବି ମୋର କାମ ନିଶ୍ଚୟ ଜାରି ରହିବ । ତା’ ସହିତ ଏବେ ଗୀତ ଗାଇବା ପାଇଁ କିଛି ସୁଯୋଗ ମିଳିଛି, ସେଥିରେ ବି ଆଗକୁ ଯିବାର ଅଛି ।

ପ୍ରଶ୍ନ ୮. ଆପଣଙ୍କୁ କାକା ଡାକିଲେ ଭଲ ଲାଗେ ନା ଗିରିଜା ଡାକିଲେ?

ଉତ୍ତର: କାକା ଡାକିଲେ ବି ଭଲ ଲାଗେ, ଗିରିଜା ଡାକିଲେ ବି ଭଲ ଲାଗେ । ଏବେ ତ ପ୍ରାୟ ସମସ୍ତେ କାକା ଚରିତ୍ରକୁ ପସନ୍ଦ କରୁଛନ୍ତି ଏବଂ କାକା ବୋଲି ବି ଡାକୁଛନ୍ତି, ଗିରିଜା ବୋଲି ବି ଡାକୁଛନ୍ତି । ସେମିତି କିଛି ନାହିଁ, ଯାହା ଡାକିଲେ ବି ଭଲ ଲାଗିବ, ନାମରେ କିଛି ନାହିଁ, ମୋ କାମ ଦର୍ଶକମାନଙ୍କୁ ପସନ୍ଦ ଆସୁଛି, ତାହା ମୋ ପାଇଁ ବଡ଼କଥା ।

Comedian Kaka Real Name, Age, Wikipedia Page
Girija Panda with Pragyan Khatua, Gyana Hota

ପ୍ରଶ୍ନ ୯. ଏବେ ଜଣେ ଜଣାଶୁଣା ହାସ୍ୟ ଅଭିନେତା ହେବାପରେ କ’ଣ ପରିବର୍ତ୍ତନ ହେଇଛି ଗିରିଜାଙ୍କ ଠାରେ?

ଉତ୍ତର: ୨୦୧୫ରୁ ଯଦିଓ ମୁଁ କାମ କରିବା ଆରମ୍ଭ କଣିଲି ତଥାପି ଦୀର୍ଘ ଦିନର ପରିଶ୍ରମ ପରେ ଏବେ ଲୋକମାନେ ପସନ୍ଦ କରୁଛନ୍ତି ୟୁ-ଟ୍ୟୁବ୍‌ରେ ଭିଡିଓ ଭ୍ୟୁ ବି ବଢ଼ୁଛି ଆଉ ସବୁଠାରୁ ବଡ଼ କଥା ହେଲା, ଆୟ ବି ଟିକେ ବଢ଼ିଛି । କିନ୍ତୁ ମୋ ନିଜ ଭିତରେ ସେମିତି କିଛି ପରିବର୍ତ୍ତନ ହେଇନାହିଁ । ଆଗରୁ ଯେମିତି ଥିଲି, ଏବେ ସେମିତି ଅଛି, ଆଗରୁ ହସେଇବାକୁ କାମ କରୁଥିଲି, ଏବେ ବି ହସେଇବାକୁ କାମ କରୁଛି ଏବଂ ଆଗକୁ କରିବି ମଧ୍ୟ ।

ପ୍ରଶ୍ନ ୧୦. ଏହି ଲକ୍‌ଡାଉନ୍ ଆପଣଙ୍କ ପାଇଁ କେମିତି ଥିଲା?

ଉତ୍ତର: ଲକ୍‌ଡାଉନ୍ ସବୁ ରୋଜଗାର ବନ୍ଦ ହେଇଯାଇଥିଲା, ଲୋକମାନେ ଦୁଃଖରେ କାଳାତିପାତ କରୁଥିଲେ ଆଉ ସେହି ବେଦନାରୁ ବାହାରିବାକୁ ମୁଁ ଏହି ଭିଡିଓ ସବୁ କରୁଥିଲି ଏବଂ ଭଗବାନଙ୍କ ଦୟାରୁ କିଛିମାତ୍ରାରେ ସଫଳ ବି ହେଲି । ଲକ୍‌ଡାଉନ୍‌ର ପ୍ରଥମ କେଇଦିନ ଯେମିତି ଦୁଃଖଭରା ଥିଲା, ପରବର୍ତ୍ତୀ ସମୟରେ ସେମିତି ଭଲ ହେଇଥିଲା । ମୋଟାମୋଟି ଭାବରେ କହିବାକୁ ଗଲେ ଦୁଃଖସୁଖ ମିଶିକି ଥିଲା ।

ଧନ୍ୟବାଦ ଗିରିଜା ବାବୁ, ଆପଣଙ୍କର ମୂଲ୍ୟବାନ ସମୟ ବାହାର କରି ଆମର ସମସ୍ତ ପ୍ରଶ୍ନର ଉତ୍ତର ରଖିଥିବାରୁ । ଆଗକୁ ଆପଣଙ୍କର ସଫଳତାର କାମନା କରୁଛି । ଜୟ ଜଗନ୍ନାଥ !

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।