You are currently viewing ମୁଁ ଚାଲିଯିବା ପରେ
Odia Poem Mun Chalijiba Pare (ମୁଁ ଚାଲିଯିବା ପରେ) by Sunita Patel

ମୁଁ ଚାଲିଯିବା ପରେ

ମୁଁ ଚାଲିଯିବା ପରେ
ତୁ ନିଜକୁ ଭୁଲିଯିବୁ
ଜାଣିଥିଲେ ମୁଁ ବଞ୍ଚିବା ପାଇଁ
ଆହୁରି ସଂଘର୍ଷ କରିଥାନ୍ତି,
ହଁ ଟିକିଏ କଷ୍ଟ ତ ହୋଇଥାନ୍ତା
ହେଲେ ତୋ’ ପାଇଁ ଖୁସିରେ
ହସି ହସି ସହି ଯାଇଥାନ୍ତି ।

ମୁଁ ଚାଲିଯିବା ପରେ
ନା ହାତରେ ଚୁଡ଼ି
ନା ମଥାରେ ଟିକିଲି
ନା ପାଦରେ ତୋ’ର ପାଉଁଜି ଅଛି,
ବୋଧେ ମୁଁ ଯିବାପରେ
ମୋ ସ୍ମୃତିସବୁ ପାଷାଣ ପାଲଟିଛି,
ସେଥିପାଇଁ ତୁ ସେସବୁ
ନିଜଠାରୁ ଦୂରେଇ ଦେଇଛୁ ।

ମୁଁ ଚାଲିଯିବା ପରେ
ତୋ’ ଶାଢ଼ୀରୁ ରଙ୍ଗ
ତୋ’ ଓଠରୁ ହସ
ଯେମିତି କିଏ ଚୋରାଇ ନେଲା,
ତୋ’ ଆଖିର କଜଳ
ତୋ’ ଲୁହ ସହ ବହିଗଲା ।

ମୁଁ ଚାଲିଯିବା ପରେ
ରଙ୍ଗ ତୋ’ଠାରୁ ଦୂରେଇ ଗଲୁ
ଅବା କହିବି
ତୋ’ ଠାରୁ ରଙ୍ଗକୁ ଦୂର କରିଦିଆଗଲା
ଯେମିତି ମୋ ସହ ତୋ’
ସପନ, ଖୁସି ବି ଶେଷ ନିଃଶ୍ୱାସ ନେଲା ।

– ସୁନିତା ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।