You are currently viewing ଖୋଜେ ମୁଁ ତୁମକୁ
Odia Poem Khoje Mun Tumaku (ଖୋଜେ ମୁଁ ତୁମକୁ) by Basumati Sahoo

ଖୋଜେ ମୁଁ ତୁମକୁ

ଖୋଜେ ମୁଁ ତୁମକୁ
ତୁମ ହାତରେ ହାତ ଛନ୍ଦିବାକୁ
ପାଦରେ ପାଦ ମିଶେଇ ଚାଲିବାକୁ
କହିବା ପୂର୍ବରୁ କଷ୍ଟ ଜାଣିବାକୁ ।

ଖୋଜେ ମୁଁ ତୁମକୁ
ମୋ ଅର୍ଥହୀନ କଥାରେ ହସିବାକୁ
ଦୁଃଖକୁ ମୋର ଅନୁଭବ କରିବାକୁ
ଆଖି ଦେଖି ମନ କଥା ପଢ଼ିବାକୁ ।

ଖୋଜେ ମୁଁ ତୁମକୁ
ରାଗିବା ପର୍ଯ୍ୟନ୍ତ ରଗେଇବାକୁ
ଟିକିଏ ଖୁସିରେ ମନେ ପକେଇବାକୁ
ନିଷ୍ପତ୍ତି ନେବା ଆଗରୁ ପଚାରିବାକୁ ।

ଖୋଜେ ମୁଁ ତୁମକୁ
ସବୁ କଥାରେ ମୋ ସହ ଯୁକ୍ତି କରିବାକୁ
ଟିକେ ପରେ ଟିକେ ବାସ୍ ରାଗିବାକୁ
ବାରମ୍ବାର ଚାଲିଯିବି କହି ଡରେଇବାକୁ ।

ଖୋଜେ ମୁଁ ତୁମକୁ
ଅଜବ ଧରଣର ନାଁ’ରେ ଡାକିବାକୁ
ନ ହସିବା ପର୍ଯ୍ୟନ୍ତ ଚିଡ଼େଇବାକୁ
ଅଭୁଲା ସ୍ମୃତିକୁ ମନେ ପକେଇବାକୁ ।

ଖୋଜେ ମୁଁ ତୁମକୁ
ସାମାନ୍ୟ କଥାରେ ବି ରାଣ ମାଗିବାକୁ
ଛୋଟ ଛୋଟ ଭୁଲ ମୋର ଲୁଚେଇବାକୁ
ରଗେଇ ସାରିଲା ପରେ ପୁଣି ମନେଇବାକୁ ।

ଖୋଜେ ମୁଁ ତୁମକୁ
ଲୁଚି ଲୁଚି ଭଲରେ ଟିକେ ଦେଖିବାକୁ
ସବୁ ଜାଣି ଅଜଣା ହେଇ ମଜା ନେବାକୁ
ବେଳେବେଳେ ତୁମର ଟିକେ ନକଲ କରିବାକୁ ।

ଖୋଜେ ମୁଁ ତୁମକୁ
ଦିନରାତି ତୁମ ସହିତ ଗପିବାକୁ
ରାତି ଅଧରେ ମିଛ କହି ଉଠେଇବାକୁ
ବାସ୍ ମୋତେ ହିଁ ମୋତେ ଭଲ ପାଇବାକୁ ॥

– ବସୁମତୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସୁମତୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।