You are currently viewing ଭୋକ
ଭୋକ

ଭୋକ

ଭାରତ ଚାରି ଦିଗରେ ବ୍ୟାପିଛି, ସଦ୍ୟ ପୂଜିତା ଭରତ ବର୍ଷର ନାଗରିକ ଭାବେ ସବୁଜ ବନାନୀର ଶୋଭା ମଣ୍ଡନ କରି ଧରଣୀ ରାଣୀର ଏକ ଖୁସିର ମାର୍ଜନାକୁ ବଖାଣିବାକୁ ମୁଁ ବ୍ୟାକୁଳ ଥାଏ, ବସର ପଛ ସିଟରେ ବସି ଝରକା ଫାଙ୍କର ଦୃଶ୍ୟକୁ ମୁଁ ଅନୁଭବ କରେ, ହଜି ଯାଏ ସ୍ଵର୍ଗୀୟ ଆନନ୍ଦରେ….. ଦୁନିଆର ସ୍ରୁଷ୍ଟି କେଡ଼େ ମୋନୋବ୍ଲକ ଲୋଭ କଉଠି ନଦୀ ତଟ ତ କଉଠି ସମୁଦ୍ରର ଘୁ ଘୁ ଗର୍ଜନ । କଉଠି ହସଖୁସି ଭରା ପଶୁଙ୍କର ସଂସାର ତ କଉଠି ଦୁର୍ଲଭ ମଣିଷ ସମାଜର ଆପେକ୍ଷିକ ଆଦ୍ରତା, କଉଠି ସଧବା ନାରୀର ସୀମନ୍ତିନୀ ସଂସାର ତ କଉଠି ବିଧବାର ଆର୍ତ୍ତ ଚିତ୍କାର, କଉଠି ଦେହର ଭୋକ ତ କଉଠି ପେଟର ଭୋକ…

ଦିନ ମାସ ବର୍ଷ କହିଦେଲେ ଯଦି ଭୋକର ଦ୍ଵାର ବନ୍ଦ ହେଇଯିବ ତା’ହେଲେ କହି ରଖୁଚି ୨୩ ଅଗଷ୍ଟ ୨୦୧୪, ଗାଡ଼ି ଚାଲୁଥାଏ ବିଶାଖାପାଟଣାରୁ ଭଦ୍ରକ.. ମୁଁ ବି ଝରକା ପାଖେ ବସି ବହୁତ ପ୍ରାକୃତିକ ସୁନ୍ଦରତାକୁ ଅନୁଭବ କରୁଥାଏ.. ଡାଏରୀ ଖୋଲି ବହୁତ ମନୋଲୋଭା କବିତା ଲେଖି ଚାଲି ଥାଏ ।।

ଏମିତି ରାତି ୧୦ଟା ପାଖାପାଖିରେ ବସଟି ଭଦ୍ରକରେ ଲଗିଲା, ସମସ୍ତେ ଓହ୍ଲାଏ ନିଜ ବାଟେରେ ଗଲେ । ମୋ ଘର ଷ୍ଟାଣ୍ଡଠାରୁ ଅଳ୍ପ ଦୂର ବୋଲି ଖୋଲା ଗଗନ ତଳେ ଶୀତଳ ପବନ ଖାଇ ଖାଇ ଘରକୁ ବାହାରି ଥାଏ, ସେଦିନ ଥିଲା ରାକ୍ଷୀ ପୂର୍ଣ୍ଣମୀ, ଆକାଶର ଜହ୍ନ ତା ଆଲୋକରେ ଶୀତଳତା ଢାଳିଥିଲା, ବେଶ୍ ଆରାମରେ ଘରକୁ ଯାଉଯାଉ ଗୋଟେ ଝିଅର ଚିତ୍କାର ଶୁଣିଲି, ଦୌଡ଼ି ଗଲି ସେ ଝିଅ ପାଖକୁ, ଦେଖିଲି ବୁଦା ମୂଳେ ୧୨ କି ୧୩ ବର୍ଷର ଝିଅଟେ ପଡ଼ିଚି, ତାକୁ ଘେରି ରହିଛନ୍ତି ଅସଭ୍ୟ ଅସାମାଜିକ ୪ ଜଣ ପୁରୁଷ । ସଙ୍ଗେସଙ୍ଗେ ମୋବାଇଲ ବାହାର କରି ପୁଲିସକୁ କଲ୍ କଲି, ଜହ୍ନ ରାତି ଥିବାରୁ ମୋତେ ସ୍ପଟ ଦେଖାଉଥିଲା, କିଛି ସମୟରେ ପୁଲିସ ଆସି ପହଞ୍ଚିଲା, ସେ ଦୁର୍ବୁତ୍ତ ଆଉ ସେଠି ନଥିଲେ, ସେହିଦିନ ମୋର ରାକ୍ଷୀ ପୂର୍ଣ୍ଣମୀ ଉପରୁ ବିଶ୍ଵାସ ଉଠିଯାଇଥିଲା, କାହିଁକିନା ବଳତ୍କାର କରୁଥିବା ପତ୍ୟେକ ପୁରୁଷ ହାତରେ ବନ୍ଧା ହୋଇଥିଲା ଗୋଟେ ଗୋଟେ ରାକ୍ଷୀ… ସେଦିନ ସେଇ ଝିଅକୁ ନେଇ ହସ୍ପିଟାଲ୍ ଗଲୁ । ପୁଲିସ ଫାଇଲ କଲା, ମୁଁ ସାକ୍ଷୀ ରହିଲି, ଯେହେତୁ ଝିଅର ବାପାମାଆ କେହି ନଥିଲେ, ମୁଁ ତା’ର କେୟାର ନେବାକୁ ତା’ ପାଖେ ରହିଲି, ସେଇ ବେଡ୍ ପାଖେ ଆଉ ଗୋଟେ ସ୍ତ୍ରୀ ଲୋକଟି ମଧ୍ୟ ଆଡ୍‌ମିଟ୍ ହୋଇଥିଲେ, ତାଙ୍କ ହାତଗୋଡ଼ ଚେନରେ ବନ୍ଧା ହୋଇଥିଲା, ସେ ମଧ୍ୟ ଚିତ୍କାର କରୁଥିଲେ । ନର୍ସଙ୍କୁ ଡାକି ପଚାରିଲି ତାଙ୍କର କ’ଣ ହୋଇଛି? ସେ କହିଲେ ସେ ପାଗଳ ହୋଇଯାଇଛନ୍ତି । ହେଲେ ତାଙ୍କର ଛୋଟ ଛୁଆ ଅଛି, ତାଙ୍କ ଘର ଲୋକ କ’ଣ କେହି ନାହାନ୍ତି???

ସେ କହିଲେ ଯୌବନ ଥାଉ ଥାଉ ସେ ବିଧବା, ହେଲେ ଶାଶୁଶ୍ଵଶୁର ଦିଅର ଯନ୍ତ୍ରଣା ସହି ନ ପାରି, ଘର ଛାଡ଼ି ଚାଲିଯିବାକୁ ଚେଷ୍ଟା କଲେ, ପଳେଇ ଆସିଲେ ମଧ୍ୟ, ହେଲେ ଦୁନିଆର ଲୋଲୁପ ଦୃଷ୍ଟିରୁ ତାଙ୍କୁ କିଏ ବଞ୍ଚେଇବ? ଦୁନିଆର ରଙ୍ଗିନ୍ ସାଜସଜା ଭିତରେ ଧୋବ ଫରଫର ରଙ୍ଗ ଯେମିତି ଝଲସି ଉଠୁଥିଲା, ଉଷ୍ମତାର ତରଙ୍ଗାୟିତ ସ୍ରୋତରେ ଯେମିତି ଧଳା ରଙ୍ଗ ଥିଲା ମେଣ୍ଟିବାର ଭିନ୍ନ ରାସ୍ତା, ସେ ଲୋଲୁପ ଦୃଷ୍ଟିରେ ଶିକାର ହେଇ ସେ ନିଜ ମାନସିକ ଭାରସ୍ୟାମ ହରାଇ ବସିଲେ, ସେ ବି ଜାଣିପାରିଲେ ନାହିଁ ତାଙ୍କ ପେଟରେ ବଢ଼ୁଥିବା ସନ୍ତାନ କାହା ରକ୍ତର, ଧର୍ଷଣର ୬ ଦିନ ପରେ ତାଙ୍କର ହୋସ୍ ଆସିଲା, ହେଲେ ସେ ନିଜକୁ ଚିହ୍ନି ପାରିଲେନି ସେ କିଏ, ରାସ୍ତାରେ ଗର୍ଭର ପେଟ କାଢ଼ି ପେଟର ଭୋକ ମେଣ୍ଟିବା ଲାଗି ଦ୍ଵାର ଦ୍ଵାର ବୁଲିଲେ, ରାତ୍ରିର ଅନ୍ଧାରରେ ସେ ନିଜ ପେଟର ଭୋକ ମେଣ୍ଟାଇବାକୁ ଯାଇ କେତେ ଜଣଙ୍କ ଦେହର ଭୋକର ପୁଣି ଥରେ ଶିକାର ହେଇଗଲେ, ୮ ମାସର ପିଲାଟିକୁ ଜନ୍ମ ଦେଇ ସେ ଏବେ ନିସ୍ତେଜ ହୋଇଯାଇଛନ୍ତି, ଥିବଥିବ ଚିତ୍କାର କରି ଉଠୁଛନ୍ତି, ପୁଣି ବେହୋସ୍ ହୋଇଯାଉଛନ୍ତି, ସେଥିଲାଗି ବେଡ଼ି ପକେଇ ରଖାଯାଇଚି । କଥାଟି ଶୁଣୁ ଶୁଣୁ ଆଖିରୁ ଦୁଇ ଧାର ଲୁହ ବାହାରି ଆସୁଥିଲା, ବିଛଣାରେ ପଡ଼ିଥିବା ଝିଅଟିକୁ ଦେଖି ଭାବୁଥିଲି ଏଇ ଝିଅଟି ବି କାହା ଉଷୁମ ଦେହର ବହ୍ନି, ତା’ପରେ ବି କାହା ଗରମ୍ ଦେହର ଉତ୍ତପ୍ତର ଶିକାର…

ସତରେ ଏ ଦୁନିଆ କେଡ଼େ ବିଚିତ୍ର… ଭାବନାର ଚାରୁ ଚିତ୍ର ପଟରେ ଝିଅଟିଏର ମର୍ଯ୍ୟାଦା କିଛି ନାହିଁ । ଆଜିବି ସେମାନେ ଅବହେଳିତ ନିଷ୍ପେସିତ, ଶୋଷିତ, କେବେ କାହା ଭାବନାର ପ୍ରିୟତମା ତ କେବେ କାହା ଦେହର ଦେହଜୀବୀ ତ ପୁଣି କେବେ ବାପାମାଆଙ୍କ ପାଇଁ ବୋଝ ।

ଝିଅଟିଏ ଯଦି ବାପା ପାଖେ ସୁରକ୍ଷିତ ନୁହଁ, ତେବେ କାହା ପାଖେ ସୁରକ୍ଷିତ?? ବାପା ବୋଲି ବିଶ୍ୱାସ କରିନଥିଲି ଆଶାରାମଙ୍କୁ, ସାରଥିଙ୍କୁ, ହେଲେ ସେ ବାପର ପରିଚୟ ନେଇ ଝିଅର ଶରୀର ପାଇବାକୁ ବ୍ୟାକୁଳ ହୋଇଉଠିଲେ, ତେବେ ମୋ’ପାଇଁ ସୁରକ୍ଷିତ ଜାଗା କଉଠି, କାହିଁକି ଆଜି ଆମେ ଶୋଷିତ??

ଆଜି ଝିଅମାନେ ମହାକାଶରେ ପହଁଞ୍ଚିଲେଣି, ପୁଅଙ୍କ ସହ କାନ୍ଧରେ କାନ୍ଧ ମିଳେଇ ଚାଲିଗଲେଣି, ମୁଁ ଝିଅ କୂଳରେ ଜନ୍ମ ହୋଇ କ’ଣ ମୋ ବାପାମାଆଙ୍କ ପିଣ୍ଡ ଦେବାକୁ ମୋର ଅଧିକାର ନାହିଁ, ଝିଅ ଜନ୍ମ ହେଲି ବୋଲି କ’ଣ ଶ୍ରାଦ୍ଧ କର୍ମ କରିବାର ଅଧିକାର ନାହିଁ??

“ଦୁହିତା ଦୁଇ କୂଳକୁ ହିତା”
ଝିଅଟିଏ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସନ୍ତି, ପୁରୁଷ ନାରୀ ବିନା ଅସମ୍ପୂର୍ଣ୍ଣ, ନାରୀଟିଏ ନଥିଲେ ଦୁନିଆକୁ ନୂତନ ସନ୍ତତି ଦେବ କିଏ, ଯଦି ସନ୍ତତିଟିଏ ଦେଇ ପାରିବି ତା’ହେଲେ ସନ୍ତତିଟିଏ ହୋଇ ଜନ୍ମ ନେବାରେ କ’ଣ ମୋର ଅଧିକାର ନାହିଁ??? ତେବେ ମୋତେ ଦୁନିଆର ଆଲୋକ ନଦେଖିବା ଆଗରୁ କାହିଁକି ମୋତେ ହତ୍ୟା କରାଯାଉଚି???

କେବେ ଝାନ୍‌ସୀ ରାଣୀ ରୂପରେ ଦୁନିଆ ସହ ଲଢ଼େଇ କରି ନିଜର ପରାକ୍ରମ ଦେଖୁଚି ତ କେବେ ମଦର ଟେରେସାଙ୍କ ପରି ଦୁନିଆର ଲୋକଙ୍କୁ ସ୍ନେହ ମମତାରେ ବାନ୍ଧି ଦଉଛି ।

ତେବେ କାହିଁକି ମୁଁ ଦୁନିଆ ସହ ସଙ୍ଘର୍ଷ କରିବି ବଞ୍ଚିବା ପାଇଁ?? ମୋର କ’ଣ ଅଧିକାର ନାହିଁ ବଞ୍ଚିବାକୁ??
ମୋର ଏଇ ପ୍ରବନ୍ଧଟିକୁ ଗଳ୍ପ ଆକାରରେ ପଢ଼ିଦେଇ ଚାଲିଯିବେ ନାହିଁ ।।
ମୋ ସହ ଏଇ ସଂଗ୍ରାମରେ ସହଯୋଗ କରନ୍ତୁ ନୂତନ ଅଧ୍ୟାୟ ସୃଷ୍ଠି କରନ୍ତୁ…

– ଡା. ମୃଣ୍ମୟୀ ଚାନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ମୃଣ୍ମୟୀ ଚାନ୍ଦ ପେଶାରେ ଜଣେ ଡାକ୍ତର, କିନ୍ତୁ ଛୋଟବେଳୁ ନିଶା ତାଙ୍କର କବିତା ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।