You are currently viewing ପ୍ରକୃତ ଧର୍ମ
ପ୍ରକୃତ ଧର୍ମ

ପ୍ରକୃତ ଧର୍ମ

ଓଃ କି ଖରା । ମାନିର ମୁଣ୍ଡ କ’ଣ ହେଇଯାଉଛି । ତାକୁ ଜଲଦି ଜଲଦି ଘରକୁ ଯିବାକୁ ପଡ଼ିବ । ଝିଅର ଖୁସି ପାଇଁ ଏ ଖରାଟାରେ ଡ୍ରେସ କିଣିବାକୁ ଆସିଲା । କାଲି ତା’ ଝିଅର ଜନ୍ମଦିନ । କାମ ଭିତରେ ସେ କେମିତି ଭୁଲିଗଲା ଏକଥା? ଆଜି ଯଦି ସେ ନ କିଣିଥାନ୍ତା ତେବେ ଜନ୍ମଦିନଟାରେ ତା’ ଗେହ୍ଲି ଝିଅ ଲିତୁନ୍ ପୁରୁଣା ଡ୍ରେସ ପିନ୍ଧିବାକୁ ବାଧ୍ୟ ହେଇଥାନ୍ତା । ମାଆ ହେଇ ସିଏ କ’ଣ ଏକଥା ସମ୍ଭାଳି ପାରିବ? ତା’ ନିଜ ଛଡ଼ା ଆଉ କାହାକୁ କହିବ ଝିଅ ପାଇଁ ଡ୍ରେସ କିଣିବାକୁ? ସ୍ୱାମୀ ତ କଲିକତାରେ କମ୍ପାନୀ ଚାକିରୀ କରନ୍ତି । ତିନି ଚାରି ମାସରେ ଥରେ ଘରକୁ ଆସନ୍ତି ନ ହେଲେ ନାହିଁ । ଶାଶୁଙ୍କ ଦେହ ଜମା ଭଲ ରୁହେନି । ଶ୍ୱାସ ରୋଗୀ । ଖଟିଆଟିରେ ପଡ଼ି ରୁହନ୍ତି । ଶ୍ୱଶୁରଙ୍କୁ କହିଥିଲେ ସେ ହଁ ଭରିଥାନ୍ତେ କିନ୍ତୁ ଯେଉଁ ଖରା ତେଜକୁ ମାନି ଭୁଆସୁଣି ହେଇ ସମ୍ଭାଳି ପାରୁନି ସେ ବୁଢ଼ାଲୋକ ପାରିବେ କେମିତି?

ଗାଁ ପାଖ ସରକାରୀ ସ୍କୁଲରେ ଶିକ୍ଷା ସହାୟିକା ଭାବେ ସେ କାମ କରେ । ଜମା ଦି ବର୍ଷ ହେଲା ଚାକିରୀ ପାଇଛି । ସରକାରୀ ଚାକିରୀକୁ ଲୋଭ କରି ସେ ସ୍ୱାମୀ ପାଖକୁ କଲିକତା ବି ଯାଉନି । ପୁଣି ବୁଢ଼ାବୁଢ଼ୀ ଦିଟାଙ୍କର ତା’ ଛଡ଼ା ଆଉ କିଏ ଅଛି?

ଖରାର ତେଜରେ ମାନିର ପାଟି ଅଠା ହେଇଗଲାଣି । ଶୋଷରେ ତଣ୍ଟି ଶୁଖି ଯାଉଛି । ବ୍ୟାଗ ଭିତରୁ ପାଣି ବୋତଲ ବାହାର କରି ଓଠରେ ଲଗେଇଛି କାହାର ହାତ ବାଜି ସବୁ ପାଣି ତଳେ ଢଳିଗଲା । ସେ ରାଗିକରି ଚାହିଁଲା ।

ଏ କ’ଣ… ସବୁ ଲୋକମାନେ ଏମିତି ରାସ୍ତାଟାରେ ପ୍ରାଣମୂର୍ଚ୍ଛା ଦୌଡ଼ୁଛନ୍ତି କାହିଁକି? କ’ଣ ହେଲା? ସେ ତ ଭାବନା ରାଇଜରେ ଏମିତି ବୁଡ଼ି ରହିଥିଲା ଯେ ଆଖପାଖରେ କେତେବେଳେ କ’ଣ ଘଟିଗଲା ସେ ଜାଣିପାରିଲାନି କେମିତି?

କଣ ହେଇଛି? ଯାହାକୁ ପଚାରୁଛି ସିଏ କିଛି ନ କହି ଖାଲି ଦୌଡୁଛି । ବୁଢ଼ା ମଉସା ଜଣେ ନିଜ ଫିଟି ଯାଇଥିବା କଛାକୁ ଧରି ଦୌଡୁଛନ୍ତି । ମାନି ବିକଳ ହେଇ ମଉସାଙ୍କୁ ପଚାରିଲା ମଉସା କ’ଣ ହେଲା? କାହିଁକି ଏମିତି ବିକଳ ହେଇ ସଭିଏଁ ଦୌଡୁଛନ୍ତି? ମଉସା କହିଲେ ଝିଅ ସହରରେ ଦଙ୍ଗା ହେଇଛି । ତୁ ଅଧିକ କିଛି ନ ପଚାରି ଯେତେ ଜଲ୍ଦି ପାରୁଛୁ ଏ ସ୍ଥାନ ଛାଡ଼ି ଚାଲିଯା । ନଚେତ ତୋତେ ସେମାନେ ଛାଡ଼ିବେନି ।

ମଉସାଙ୍କ କଥା ଶୁଣି ମାନି ସତେ ଯେମିତି ସ୍ଥାଣୁ ପାଲଟି ଗଲା । ଥପ୍ କରି ରାସ୍ତା ମଝିରେ ଖସି ପଡ଼ିଲା । ତା’ ଉପରେ ଚଢ଼ି ଲୋକମାନେ ଚାଲି ଯାଉଥାନ୍ତି । କାହାର ପାଦ ତା’ ଛାତି ଉପରେ ତ କାହାର ତା’ ଅଣ୍ଟାରେ । ସେ ଉଠିବାକୁ ଚେଷ୍ଟା କରି ବି ଉଠିପାରିଲାନି । ଘୁଷୁଡ଼ି ଘୁଷୁଡ଼ି କୌଣସି ମତେ ରାସ୍ତା କଡ଼ ବିଲକୁ ଡେଇଁ ପଡ଼ିଲା ।

ଦଳେ ଲୋକ ହାତରେ ଭୁଜାଲି, ଛୁରୀ ଧରି ମାଡ଼ି ଆସୁଥାନ୍ତି ତା’ ପଟକୁ । କୁଆଡ଼େ ଗଲା ସେ ହାରାମଜାଦା, କହି ଚିଲ୍ଲଉଥାନ୍ତି । ମାନି ଗୋଟାପଣେ ଥରି ଉଠିଲା । ସେ ଆମ୍ବଗଛଟିଏ ଦେଖି ତା’ ପଛପଟେ ଲୁଚି ସେମାନଙ୍କ କଥାବାର୍ତ୍ତା ଶୁଣିବାକୁ ଚେଷ୍ଟା କଲା ।

– ଆରେ ଏତେ ସାହସ । ହିନ୍ଦୁ ହେଇ ଆମ ମୁସଲମାନ ବେଟି ସହିତ ନିକାହ କରିବ? ଜବରଦସ୍ତି ଆମ ସୁଲତାନାର ଧର୍ମାନ୍ତରୀକରଣ କରେଇବ?

ରାଗରେ ସେମାନେ ଏପରି ଥରୁଥିଲେ ଯେ ଲାଗୁଥିଲା ସେ ପିଲାକୁ ପାଖରେ ପାଇଲେ ହାଣି ଟିକ୍ ଟିକ୍ କରି ଚିଲ ଶାଗୁଣାଙ୍କୁ ବାଣ୍ଟି ଦେବେ । ସେମାନଙ୍କ ଆଖିରୁ ଅଗ୍ନିର ସ୍ଫୁଲିଙ୍ଗ ନିର୍ଗତ ହେଉଥିଲା ।

ମାନି ଏବେ ଦଙ୍ଗାର କାରଣ ବୁଝି ପାରିଥିଲା । ସୃଷ୍ଟିକର୍ତ୍ତା ଯେତେବେଳେ ନିଜର ସୃଷ୍ଟି ରଚିଲେ ସେ ନାରୀ ଓ ପୁରୁଷ ଏହିପରି ଦୁଇଟି ଜାତିରେ ମନୁଷ୍ୟକୁ ବାଣ୍ଟିଥିଲେ, କିନ୍ତୁ କିଏ ଆସି ଏମାନଙ୍କ ମଧ୍ୟରେ ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ ଆଦି ଜାତିବାଦ ସୃଷ୍ଟି କରି ଫାଟ ପୁରେଇଲେ ସେ ଆଜିଯାଏଁ ବୁଝି ପାରେନି ।

ମାନିର ହାତରେ ତା’ ବ୍ୟାଗଟି ସେମିତି ଝୁଲୁଥିଲା । ନିଜ ଝିଅ ପାଇଁ କିଣିଥିବା କଳା ରଙ୍ଗର ଲାଙ୍ଗାଟିକୁ ଦେଖି ତା’ ଆଖିରୁ ଝର୍ଝର ହେଇ ଲୁହ ବହିଗଲା । ମାଆକୁ ଏତେ ସମୟ ହେଲା ନ ଦେଖି କ’ଣ କରୁଥିବ ତା’ ପାଞ୍ଚ ବର୍ଷର କୁନି ଝିଅ ଲିତୁନ୍ । ଶାଶୁ ଶ୍ୱଶୁର କେମିତି ତାକୁ ବୋଧ ଦେଉଥିବେ? ସେ ଓଢ଼ଣୀଟିକୁ ଧରି ବିକଳରେ ଚୁମିବାକୁ ଲାଗିଲା ।

ହଠାତ ମାନିର ଚୁଟି ଧରି ପଛରୁ କିଏ ଟାଣିନେଲା । ସେ କିଛି ବୁଝିବା ପୂର୍ବରୁ ଜଣେ ପଚାରିଲା

-ତୁ ହିନ୍ଦୁ ଲଡକୀ ହେ ନା? ଅପନା ନାମ୍ ବତା?

ମାନି ଝିଅପାଇଁ ଆଣିଥିବା କଳା ଓଢଣୀଟିକୁ ତା’ ମୁହଁରେ ଢାଙ୍କି କହିଲା, “ମେଁ ମୁନ୍ନୀ ବେଗମ୍ ।”

-ଆରେ ହମାରେ ଧରମ୍ କା ହେ । ଛୋଡ଼ଦୋ ଇସେ ।

କେହି ଜଣେ କହିଲେ, ବୋଧେ ତାଙ୍କ ଲିଡର୍ ହେଇଥିବେ । ମାନିକୁ ସେମାନେ ଛାଡ଼ିଦେଇ ଗଛଲତା ଭିତରେ କୁଆଡ଼େ ଲୁଚିଗଲେ ।

ମାନି କଳା ଓଢ଼ଣୀଟିକୁ ଭଲ ଭାବରେ ତା’ ଦି କାନ ମଝିରେ ରଖି ମୁହଁ ଉପରେ ଢାଙ୍କିଦେଲା । କିଏ ଜାଣେ, ପୁଣି ଯଦି ସେ ଦୁର୍ଦ୍ଦାନ୍ତମାନେ ଫେରି ଆସିବେ ଓ ତାର ଅସଲି ପରିଚୟ ଜାଣି ତାକୁ ଖିନ୍‌ଭିନ୍ କରିଦେବେ?

ଭୟରେ ଶିହିରୀ ଉଠିଲା ମାନି । ଆଖି ଦିଓଟି ବନ୍ଦ କରିଦେଲା । କିଛି ସମୟପରେ ମାନିକୁ ଲାଗିଲା ସତେ ଯେମିତି ଶୂନ୍ୟରେ ସେ ଭାସୁଛି । ଆଖି ଖୋଲି ଦେଖିଲା ଆଠ, ଦଶ ଜଣ ଲୋକ ତାକୁ ଟେକି ନେଉଛନ୍ତି । ସେ ବିକଳରେ ସେମାନଙ୍କ ମୁହଁକୁ ଅନେଇଲା । ସଭିଏଁ ନିଜ ନିଜ ମୁହଁକୁ ଗାମୁଛାରେ ଘୋଡ଼େଇଛନ୍ତି । ହାତରେ ଛୁରୀ ଓ ଖଣ୍ଡିଏ ଖଣ୍ଡିଏ ଠେଙ୍ଗା । ସେଥିରୁ ଜଣେ କହିଲା ଏଇଟା ବୋଧେ ମୁସଲିମ ଝିଅଟା । ୟାକୁ ଜମା ଛାଡ଼ିବାନି । ଦେଖୁନ ମୁହଁକୁ କେମିତି କଳା ପରଦାରେ ଢାଙ୍କିଛି ।

ମାନି ସାଙ୍ଗେ ସାଙ୍ଗେ କଳା ଓଢ଼ଣୀଟିକୁ କାଢ଼ି ବେକ ଚାରି ପାଖରେ ଗୁଡ଼େଇ ଦେଲା ।

କେହିଜଣେ ପଚାରିଲେ, “ଏ ଝିଅ ତୋ ନାଁ କ’ଣ?”
ସେ କହିଲା, “ମାନି ମହାନ୍ତି ।”
“ଆରେ ଆରେ ଆମ ହିନ୍ଦୁ ଝିଅଟାରେ ।” ଛାଡିଦିଅ ତାକୁ ।
ଏହା କହି ସେମାନେ ପାହାଡ଼ ଉହାଡ଼ରେ କେଉଁଠି ଲୁଚିଗଲେ ।

ମାନି ଏକା ନିଃଶ୍ୱାସରେ ଜଙ୍ଗଲ ଭିତରେ ଦୌଡ଼ିବାକୁ ଲାଗିଲା । କୌଣସି ମତେ ସେ ନିଜ ଘରେ ପହଁଚିଲା । ସେତେବେଳକୁ ସନ୍ଧ୍ୟା ହେଲାଣି । ସହରରେ ଦଙ୍ଗା ଆଉ ନାହିଁ । ଠାଏ ଠାଏ ଟାୟାର ଜଳୁଛି । ପୋଡ଼ା ରବର ଗନ୍ଧ ଅସ୍ତବ୍ୟସ୍ତ କରିଦେଉଛି ।

“ପରିସ୍ଥିତି ସୁଧିରିଲାଣି । କେହି କିଛି ଡରିବା ଦରକାର ନାହିଁ । ଦଙ୍ଗା ଉପୁଜେଇଥିବା ଦି ଦଳଙ୍କୁ ପୋଲିସ ଧରି ନେଇ ହାଜତରେ ପୁରେଇଛି ।”

ଏହିକଥା ଡାକବାଜି ଯନ୍ତ୍ରରେ ବାରମ୍ବାର ପ୍ରଚାର କରାଯାଉଛି । ସେ ପ୍ରେମୀଯୁଗଳଙ୍କୁ ନିଜ ନିଜ ପରିବାରକୁ ହସ୍ତାନ୍ତର କରାଯାଇଛି । ଯେହେତୁ ସେମାନେ ସାବାଳକ, କାଲି ସକାଳେ ଦୁହେଁ ଯାହା ନିଷ୍ପତ୍ତି ନେବେ ସମସ୍ତେ ମାନିବାକୁ ବାଧ୍ୟ ବୋଲି ପୋଲିସ ଘର ଘର ବୁଲି ସଭିଙ୍କୁ ଚେତେଇ ଦେଇଛି ।

ଯାହାହେଉ ବିଚରା ଦୁଇ ପ୍ରେମୀଙ୍କ ପ୍ରେମ ଶେଷରେ ସାର୍ଥକ ହେବ । ଦିନସାରା ଏପଟ ସେପଟରେ ମାନସିକ ଓ ଶାରୀରିକ ଭାବେମାନି ସମ୍ପୂର୍ଣ୍ଣ ଥକି ଯାଇଥିଲା । ସେ କେତେବେଳେ ଶୋଇ ପଡିଛି ଜାଣିପାରିଲାନି ।

ସକାଳ ଆଠଟା ବାଜିଲାଣି । ଟିକିଏ ଖିରୀ ପିଠା କରି ସେ ଝିଅର ଜନ୍ମଦିନରେ ଶୁଭ ମନାସିବାକୁ ଷଠି ପୂଜା କରିବ । ଡେରି ହେଇଗଲାଣି । ତରତର ହେଇ ଗାଧୁଆ ଘରକୁ ଯାଉଛି ପୁଣି ତାକୁ ଜୋରରେ ପାଟି ଶୁଭିଲା । ସେ ଦୌଡ଼ିଯାଇ ଝିଅ ଶୋଇଥିବା ଅବସ୍ଥାରେ ତାକୁ କୋଳରେ ଜାବୁଡ଼ି ଧରି ଦାଣ୍ଡକୁ ଧାଇଁଲା ।

ଗାଁ ଦାଣ୍ଡ ଲୋକାରଣ୍ୟ । ସଭିଏଁ ଆହା ଚୁ ଚୁ ହେଉଛନ୍ତି । ଗାଁ ମୁଣ୍ଡ ବରଗଛ ତଳେ ପଡିଛି ଦୁଇ ପ୍ରେମୀଙ୍କ ନିଷ୍ପାପ ପାର୍ଥିବ ଶରୀର । ଦୁହେଁ ଆଲିଙ୍ଗନ ମୁଦ୍ରାରେ । ପାଖରେ କୀଟନାଶକ ବୋତଲ ।

ମାନି ଭାବୁଥିଲା ଏ ଦଙ୍ଗାରୁ କାହାକୁ କ’ଣ ଲାଭ ମିଳିଲା? ହାତଧରି ସାରା ଜୀବନ ସାଥିରେ ଚାଲିବେ ବୋଲି କେତେ ସ୍ୱପ୍ନ ଦେଖିଥିବେ, କିନ୍ତୁ କାଲିର ଏ ଦଙ୍ଗା ନିଶ୍ଚୟ ଚହଲେଇ ଦେଇଛି ପ୍ରେମପକ୍ଷୀଙ୍କ ହୃଦୟକୁ । ସେମାନଙ୍କ ପ୍ରେମକୁ ଏ ସମାଜ ସ୍ବୀକୃତି ଦେବ କି ନାହିଁ ଏହି ସନ୍ଦେହରେ ମୃତ୍ୟୁକୁ ଖୁସିରେ ଆବୋରି ନେଇଛନ୍ତି । ବିନା କାରଣରେ ଠିକ୍‌ରେ ଉଡ଼ା ଶିଖିନଥିବା ଚଢ଼େଇ ଦୁଇଟାଙ୍କ ପ୍ରାଣବାୟୁ ଉଡ଼ିଗଲା । କେତେକଷ୍ଟରେ କେଡ଼େ ଅଲିଅଳରେ ତାଙ୍କ ବାପାମାଆ ଏଡିକିଟେରୁ ଏତେବଡ଼ କରିଥିବେ । କେତେ ଆଶାଥିବ ତାଙ୍କର ।

ଏବେ ଯାହା ଘଟିଗଲା କେଉଁ ଧର୍ମ, କେଉଁ ଜାତି, କେଉଁ ସମାଜ ଫେରେଇଦେବ ତାଙ୍କ ପିଲା ଦୁହିଁଙ୍କୁ? କିଏ ପୂର୍ଣ୍ଣ କରିବ ମା’ର ଶୂନ୍ୟ କୋଳକୁ? କେବେ ମାନବ ସମାଜ ବୁଝିବ ଜାତି ଧର୍ମ ନିର୍ବିଶେଷରେ ଆମେ ସଭିଏଁ ଏକ । ଆମେ ସବୁ ମାନବ । ଆମ ପ୍ରକୃତ ଧର୍ମ ମାନବିକତା ।

ମାନିର ଆଖିରୁ ଝରିଗଲା ଲୁହ କେଇ ବୁନ୍ଦା ଓ ବହିଗଲା କୋଳରେ ଶୋଇଥିବା ଝିଅର ଗାଲ ଉପରେ । ଗରମ ଲୁହ ସଂସ୍ପର୍ଶରେ ଆସି ଲିତୁନ୍ କାନ୍ଦିଲା ଭେଁ….

ମାନି ଛାତିରେ ଆହୁରି ଜୋରରେ ଚାପି ଧରିଲା ତା’ ଝିଅକୁ । ଏକ ଅଜଣା ଭୟ ଜଡ଼େଇ ଧରିଲା ତା’ ସମଗ୍ର ଶରୀରକୁ ।

– ବିସ୍ମିତାରାଣୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିସ୍ମିତା ରାଣୀ ସାହୁ ପେଶାରେ ଜଣେ ଅଧ୍ୟାପିକା ଏବଂ ନିଶା ତାଙ୍କର ଗପ ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜ ଆଦିରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ପ୍ରଥମ ଗଳ୍ପ ସଂକଳନ ଲିପ୍‌ଷ୍ଟିକ୍ ପ୍ରଥମା ପ୍ରକାଶନ ଦ୍ୱାରା ଆତ୍ମ ପ୍ରକାଶ କରିଛି ।