You are currently viewing ସତ୍ୟାନୁମାନ
ସତ୍ୟାନୁମାନ

ସତ୍ୟାନୁମାନ

ଲକ୍ଷ୍ମୀଦେବୀ କହୁଛନ୍ତି ପ୍ରଭୁ ମୁଖଚାହିଁ
ଏ ସୃଷ୍ଟି ବାରତା ମୋତେ କୁହ ହେ ବୁଝାଇ ।
ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖଚାହିଁ
କର୍ଣ୍ଣଡେରି ଶୁଣ ଯାହା କହିବି ବୁଝେଇ ।
ଯୁଗ ମଧ୍ୟେ କଳିଯୁଗ ବଡ଼ ହିଁ ବିଚିତ୍ର
ପାପଭାରେ ପୂର୍ଣ୍ଣ ଏଠି ମାନବ ଶରୀର ।
ମିଥ୍ୟା ବାନ୍ଧିବ ତା’ ବସା ଅଧର୍ମୀର ଘରେ
ଦୁର୍ନିତୀ, ଦୁର୍ଗୁଣ ଯେତେ ରହିବେ ସାଥୀରେ ।
ଗୃହ ବିବାଦରେ ସର୍ବେ ହଣାକଟା ହେବେ
ଆହା କହିବାକୁ ଜଣେ କେହି ନ ଆସିବେ ।
ଶାଶୁକୁ ବୋହୂ ମାରିବେ ବୋହୂକୁ ଶାଶୁଏ
ବାପଭାଇ କଳହରେ ମାତିବେ ସଭିଏଁ ।
ଅର୍ଥ ଉପାର୍ଜନ ପାଇଁ ସର୍ବେ ମାତିଥିବେ
ଦାନ ପୂଣ୍ୟ କଥାକୁ କେ ଗୁରୁତ୍ୱ ନ ଦେବେ ।
ଅର୍ଥ, ଭୂମୀ, ଜଳ, ନାରୀପାଇଁ କଳିସିନା
ମାନବ ଲୋଡ଼ଇ ସଦା କାମନା ବାସନା ।
ପୁଅରେ ବାପ ବିଶ୍ଵାସ କେବେ ନ ରହିବ
ଶାଶୁ-ବୋହୂ କଥାଆଉ କିଏ ବା କହିବ ।
ମଦ୍ୟପାନେ ସର୍ବେ ଜାଣ ମାତାଲ ହୋଇବେ
ନ ଖାଇ ଗୁଟୁଖା ବିଡ଼ି ରହି ନ ପାରିବେ ।
ବଢ଼ିଯିବ ରୋଗ ସଂଖ୍ୟା ନୂଆ ନୂଆ ହୋଇ
ଡାକ୍ତରଙ୍କୁ ଚିହ୍ନିବାକୁ କଷ୍ଟ ଯିବ ହୋଇ ।
ଆୟୁଷ ହୋଇବ ଦେଖ ସତୁରୀ ବରଷ
ଭୋଗୀ ନ ପାରିବେ କେହି ଏତିକି ଆୟୁଷ ।
ଯୁବା ବୟସରେ ଅବା ଅର୍ଦ୍ଧ ବୃଦ୍ଧ ହୋଇ
ମରଣ ଦେଖିବେ ସର୍ବେ ହାହାକାର ହୋଇ ।
ହୃଦ୍‌ଘାତ ଅମ୍ଳରୋଗ କର୍କଟ ରୋଗରେ
ପାଇବେ କଷଣ ବହୁ ମରିବା କାଳରେ ।
ରୋଗ ବଇରାଗ ଭାଇ କଳିର କରାଳ
ବେଳଥାଉଁ ତର୍କି ରୁହ ନ କରିଣ କାଳ ।
କୁଳାରୁ ଛାଞ୍ଚୁଣି ଯାଏ ସବୁ ଛାଡ଼ିଯିବୁ
ମଲାବେଳେ ସୂତାଖଣ୍ଡେ ନେଇ ନ ପାରିବୁ ।
ଯଦିନେବୁ ଧର୍ମ-ପୁନ୍ୟ ଧନ ନେଇ ଯିବୁ
ସଂସାରରେ ଯାହା ନିଜେ ହିତ କରିଥିବୁ ।
ଧର୍ମ ଧନ ନର ନାରାୟଣ ସେବା ବଳେ
ମିଳଇ ସଦା ସର୍ବଦା ଏହି ମହିତଳେ ।
କହେ ମୁଁ ମୁରୁଖ ସତ୍ୟ ଗୀତରେ ବୁଝାଇ
ଦାନ ଧର୍ମଠାରୁ ଆଉ ବଡ଼ କିଛି ନାହିଁ ।
ଲକ୍ଷ୍ମୀଙ୍କର ଅଭିଳାଷ ପୂରଣ ହୋଇଲା
ଜଗନ୍ନାଥଙ୍କର କଥା ମନକୁ ପାଇଲା ।
ଏଠାରେ ମୋ ଅନୁମାନ ସମ୍ପୂର୍ଣ୍ଣ ହୋଇଲା
ଦୋଷଥିଲେ କ୍ଷମାଦେବ ଭାବି ଛୋଟପିଲା ।

– ସତ୍ୟନାରାୟଣ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।