You are currently viewing ସେହି ବୁଢ଼ୀ ମାଉସୀର କଥା
Odia Story Sehi Budhi Mausi Katha (ସେହି ବୁଢ଼ୀ ମାଉସୀର କଥା) by Janmajaya Nayak

ସେହି ବୁଢ଼ୀ ମାଉସୀର କଥା

ଦିନକୁ ଦୁଇ ବା ତିନିଥର ସାମନାସାମନି ହେଇଯାଉଥାଏ ସେହି ବୁଢ଼ୀ ମାଉସୀ ସହ । ବିଦ୍ୟାଳୟ ହତା ମଧ୍ୟକୁ ପ୍ରବେଶ କରୁକରୁ ଫାଟକ କଡ଼ରେ ବସି ରହିଥିବା ସେହି ବୃଦ୍ଧା ମହିଳାଙ୍କ ଉପରେ ନଜର ପଡ଼େ ସମସ୍ତଙ୍କର । ଲୋଚାକୋଚା ହେଇ ଯାଇଥିବା ଚମରେ ଘୋଡ଼େଇ ହେଇ କୋଟରାଗତ ସେଇ ଆଖି ଯୋଡ଼ିକ ସହ ଆଖି ମିଶିଗଲେ କେମିତି କେଜାଣି ଗୋଟିଏ ଆନନ୍ଦ ଖେଳିଯାଏ ସେ ଆଖିର ଚମକରେ । ସହରର ଚାକଚକ୍ୟ ମଧ୍ୟରେ ବଢ଼ି ଆସିଥିବା ମାଧବ ସାର୍ ନୂଆକରି ଯୋଗଦେଇଥାନ୍ତି ସେହି ନିପଟ ମଫସଲ ଗାଁର ଉଚ୍ଚ ବିଦ୍ୟାଳୟରେ । ମାଧବ ସାର୍, ଜଣେ ଶାନ୍ତ, ସରଳ, ନିଷ୍କପଟ, ସ୍ନେହକାଙ୍ଗାଳ, ସ୍ନେହୀ, ଆମାୟିକ ବ୍ୟକ୍ତିତ୍ବ । ସାରଙ୍କ ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରୁଥାଏ ସେହି ବୁଢ଼ୀ ମାଉସୀକୁ ଦେଖି । ସତେ ଯେମିତି ସେ ଏକ ଅସମାହିତ ପ୍ରଶ୍ନବାଚୀ ! ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସି ଏକ ବଡ଼ ସହରରେ ଛୋଟରୁ ବଡ଼ ହେଇଥିଲେ ମଧ୍ୟ ମାଧବ ସାର୍ ଜଣେ ସତ୍ ଚରିତ୍ର, ସଂସ୍କାରୀ, ଦରଦୀ ମଣିଷଟିଏ । ତାଙ୍କ ମତରେ ଜଣେ କେବଳ ଶିକ୍ଷିତ ହୋଇଗଲେ ଦୁନିଆରେ ସଫଳତା ପାଇ ନଥାଏ । ଜୀବନରେ ଶିକ୍ଷା ସହ ସଂସ୍କାର ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶିକ୍ଷା ମଣିଷକୁ ପ୍ରତିଷ୍ଠା ଦିଏ, କିନ୍ତୁ ସଂସ୍କାର ଦ୍ୱାରା ମଣିଷ ସମାଜରେ ସମ୍ମାନିତ ହୁଏ ।

ବୁଢ଼ୀ ମାଉସୀ ସମ୍ବନ୍ଧିତ ପ୍ରଶ୍ନଗୁଚ୍ଛର ସମାଧାନ ପାଇଁ ମାଧବ ସାର୍ ସମୟେ ସମୟେ ବୁଢ଼ୀ ମାଉସୀକୁ ଲକ୍ଷ୍ୟ କରି ରୁହନ୍ତି । ସେହି ମାଉସୀ ସତେ ଯେମିତି କୁହୁକ ପେଡ଼ି ଖୋଲି ବସିଛି ! କେତେ ଆଦରଣୀୟା ସେ । ନିଜ ମିଠା ମିଠା କଥାରେ ପ୍ରଥମରୁ ଦଶମ ସବୁ ପିଲାମାନଙ୍କ ମନ ଜିଣି ନେଉଛି । ସବୁ ପିଲା ତା’ ପାଖରେ ଭିଡ଼ ଜମେଇଥାନ୍ତି । କେତେ ଅଳି ଅର୍ଦଳି ତା’ ପାଖେ ପିଲାଙ୍କର । ପାକୁଆ ପାଟିରେ ଲହଡ଼ି ଭାଙ୍ଗୁଥାଏ ମନଖୋଲା ହସ । ସତେ ଯେମିତି ସେ ସବୁକିଛି ପାଇ ଯାଇଛି ପିଲାମାନଙ୍କର ସେ କୋଳାହଳରେ । ପଇସା ରୋଜଗାର ତା’ର ଲକ୍ଷ୍ୟ ନୁହେଁ କିନ୍ତୁ ଛୋଟଛୋଟ ପିଲାଙ୍କୁ ସ୍ନେହ ଶ୍ରଦ୍ଧା ବାଣ୍ଟିବା ତା’ର ଉଦ୍ଦେଶ୍ୟ ବୋଲି ମାଧବ ସାର୍ ବୁଝିଗଲେ । ପାଖରେ ପଇସା ନଥାଇ ଭୋକିଲା ପିଲାଟିଏ ତାକୁ ଚାହିଁ ରହିଥିଲେ ବୁଢ଼ୀ ମାଉସୀ ତାକୁ ପାଖକୁ ଡାକି ବିନା ପଇସାରେ ବାରମଜା, ପାମ୍ପଡ଼, ନଳ ଦେଉଥିବାର ଦେଖିବାକୁ ମିଳୁଥିଲା । ଖାଲି ଏତିକି ନୁହେଁ ଅସୀମ ସ୍ନେହଶ୍ରଦ୍ଧା ସେ ଢାଳି ଦେଉଥିଲା ଅଯାଚିତ ଭାବେ । ଏହିପରି ବୁଢ଼ୀ ମାଉସୀ ପ୍ରତି ମାଧବ ସାରଙ୍କ ସମ୍ମାନ ଓ ଆନ୍ତରିକତା ଧୀରେଧୀରେ ବଢ଼ି ଚାଲିଥାଏ ।

ବୟସର ଅପରାହ୍ଣରେ ଉପନୀତ ଅଥଚ କାହା ଉପରେ ନିର୍ଭର ନକରି ସ୍ୱାବଲମ୍ବୀ । ଦେହ ହାତ ଥରୁଛି ଅଥଚ ପିଲାମାନଙ୍କ ପାଇଁ କେତେ ସରାଗରେ ଖାଦ୍ୟ ପସରା ନେଇ ଆସୁଛି । ଜୀବନଯାତ୍ରାରେ ତାକୁ ଥକି ପଡ଼ିବାର କେହି ଦେଖି ନାହାଁନ୍ତି । ପରିଶେଷରେ ନିଜର କୋହ ଆଉ ଜିଜ୍ଞାସାକୁ ସମ୍ଭାଳି ନପାରି ମାଧବ ସାର୍ ଯାଇ ବୁଢ଼ୀ ମାଉସୀକୁ ତା’ ବିଷୟରେ ପଚାରିଲେ । ଆଶ୍ଚର୍ଯ୍ୟ ହେଇଗଲେ ସେ ! ଶାମୁକାର ଗର୍ଭରେ ଲୁକ୍କାୟିତ ମୋତି ଥିଲାପରି ତା’ର ଅନ୍ତରରେ ମଧ୍ୟ ଅନେକ ଅକୁହା କଥା ସାଇତି ରଖିଥିଲା ସେ । ମାଧବ ସାର୍ ଜାଣିବାକୁ ପାଇଲେ ଯେ, ନିଜର ସ୍ୱାମୀ ଓ ସନ୍ତାନକୁ ସଡ଼କ ଦୁର୍ଘଟଣାରେ ହରେଇବା ପରଠୁ ସେ ଗାଁର ସବୁ ଶିଶୁକୁ ନିଜ ପରିବାର ଭାବି ନେଇ ତାଙ୍କ ସହ ସମୟ କାଟିବାକୁ ଚାଲିଆସେ ସେହି ସ୍ଥାନକୁ । ପିଲାମାନଙ୍କୁ ଖାଦ୍ୟ ଖୁଆଇବାରେ କାଳେ ଅସୀମ ଆନନ୍ଦ ମିଳେ ତାକୁ! ଛୁଆଙ୍କ କୋଳାହଳ ଆଉ ଖୁସିକୁ ଦେଖି ନିଜ ମନକୁ ତୃପ୍ତ କରିନିଏ ସେ । ଏ ଜୀବନରେ ତା’ର ଆଉ କିଛି ଲୋଡ଼ା ନାହିଁ । ବୁଢ଼ୀ ମାଉସୀଠୁ ଏତିକି ଶୁଣୁଶୁଣୁ ଆଖି ଭରିଆସିଲା ମାଧବ ସାରଙ୍କର । ତା’ର ପିଲାମାନଙ୍କ ପ୍ରତି ନିସ୍ୱାର୍ଥପର ପ୍ରେମ, ଜୀବନ ଜୀଇଁବାର ଅନନ୍ୟ କଳା ଆଉ ସେବା ଆଗରେ ନତମସ୍ତକ ହୋଇଗଲେ ସେ ।

– ଜନ୍ମଜୟ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।