ଜୀବନ ବେଳାରେ କେତେ ଦୂର ବାଟ
ଚାଲି ଆସିଲିଣି ମୁହିଁ,
ପଛ ଲେଉଟାଣୀ ବେଳ ଯେ ହେଲାଣୀ
ମନ ଅବା ବୁଝୁ ନାହିଁ ।
ନୀଳ ଦରିଆର ଅମୀୟ ଶୋଭାରେ
ଜୀବନ ଯାଇଛି ଭୁଲି,
ସୁଶୀତଳ ବାଆ ବାଟ କାଢ଼ି ନିଏ
ସାଗର ତରଙ୍ଗ ମେଲି ।
ଏଇ ବେଳା କିଆଁ ଲାଗିଲା ମନରେ
ପଛରେ କିଏ ମୋ’ ଆସେ,
ଭୁରି ଭୁରି ବାସ ପ୍ରେମ ରଙ୍ଗେ ଅବା
ସୁଗନ୍ଧ ଗଜରା ବାସେ ।
ବୁଲି ମୁଁ ଚାହିଁଲି ଯୋଡ଼ା ପାଦଚିହ୍ନେ
ହସୁଛି ଭିଜିଲା ବାଲି
କିଏ ସାଥେ ଜଣେ ସତରେ ବୁଲୁଛି
ପଛେ ପଛେ ମୋର ଚାଲି ।
ପରଖିଲି ବସି ନାଲି ପାଦଚିହ୍ନ
ମହକ ସୁଗନ୍ଧେ ଭରା
ଏତେ ବେଳେ ଢେଉ ଆସି ଫୋଛି ନେଲା
ସ୍ୱପ୍ନ କି ସେ ଥିଲା ପରା??
– ଆଶୁତୋଷ ମେହେର