କୈବର୍ତ୍ତ ସମ୍ଭୂତ ବିଶ୍ୱାସରେ ରତ
ସ୍ଥାଣୁ କ୍ରିୟା ପାଇଁ ସିନା
ଯବନିକା ଶେଷେ ରଜନୀର ମୃତ୍ୟୁ
ନାଟକର ପାଇଁ ସିନା ।
କଳାକାର ସବୁ ରଙ୍ଗ ବୋଳି ସତେ
ଚାତକର ପ୍ରାୟ ଚାହିଁ
ନୀର୍ଲିପ୍ତ ସେ ଦିଗେ ଉଣ୍ଡୁଥାନ୍ତି ବସି
ଆପଣାର ପାଳି ପାଇଁ ।
ରଜନୀର ଶେଷ ଜହ୍ନର ଯେସନ
ପୁରୁଣା ସେ ରେଳଗାଡ଼ି
ଗାଁ ପ୍ରେମିକାର ଲୁହ ଭରା ଚିଠି
ଲହୁ ଯେ ଦିଏ ନିଗାଡ଼ି ।
ପ୍ରେମର ସେ ଖୁସି ହସ ଆଉ ଲୁହ
ପଡ଼ିଶା ଘର ପ୍ରେମିକା
ଜହ୍ନ ରାତି ସେଜେ ଖେଳ ଅଝଟର
ଆଉ ସେ ଆଖି ମିଟିକା ।
ଇଚ୍ଛାଶୂନ୍ୟ ସତେ ତା’ ମନର ଦୁଃଖ
ବଢ଼ିଯାଏ ପ୍ରତିକ୍ଷଣ
ଉପାୟ ନପାଇ ଗାଁ ଛାଡ଼େ ସିନା
ସୁଝିବାକୁ ପିତୃଋଣ ।
– ସଞ୍ଜୟ କୁମାର ତ୍ରିପାଠୀ