You are currently viewing ନିଆରା ପ୍ରେମ
Odia Story Niara Prema (ନିଆରା ପ୍ରେମ) by Sarmistha Malla

ନିଆରା ପ୍ରେମ

ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର, ଚିର ସବୁଜ ବନାନୀ, ମନୋରମ ମଧୁଶାଳା । ଏ ସବୁର ସୌନ୍ଦର୍ଯ୍ୟରେ ବିମୋହିତ ରୀନି ଓ ରୌନକ । ସ୍କୁଲ ଜୀବନରୁ ଦୁହେଁ ଦୁହିଁଙ୍କ ଅତି ପରିଚିତ । ଦୁଇ ଜଣଙ୍କ ପରିବାର ଏକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମୟ ଚକ୍ରରେ ଦୁହେଁ ବଡ଼ ହେଲେ । ଦୂର ବିଦେଶରେ ଉଚ୍ଚଶିକ୍ଷା ସମାପନ କରି ଏବେ ଦୁହେଁ ସମାଜରେ ଲବ୍ଧ ପ୍ରତିଷ୍ଠିତ । କିନ୍ତୁ କିଛି ବର୍ଷ ତଳର ଏକ ଘଟଣା ଆଜି ବି ଦୁହିଁଙ୍କ ରୋମ ଟାଙ୍କୁରାଇ ଦିଏ ।

କର୍ମମୟ ଜୀବନ ଆରମ୍ଭ କରି ଦୁହେଁ ଦୁହିଁଙ୍କ ଜୀବନସାଥି ହେବାର ସ୍ୱପ୍ନ ନେଇ ଯାତ୍ରା ଆରମ୍ଭ କଲା ବେଳକୁ ଏକ ମୋଡ଼ ଆସିଲା ଦୁଇ ଜଣଙ୍କ ଜୀବନରେ । ଡାକ୍ତରୀ ପରୀକ୍ଷାରୁ ଜଣା ପଡ଼ିଲା ରୀନି ଦୂରରୋଗ୍ୟ ଜରାୟୁ କର୍କଟରେ ଆକ୍ରାନ୍ତ । ଜୀବନରେ ସେ କେବେ ବି ଦୁହିଙ୍କ ପ୍ରେମର ସନ୍ତକକୁ ଦୁନିଆର ଆଲୋକ ଦେଖାଇବାକୁ ସମର୍ଥ ହେବନି, ରୌନକଙ୍କ ବଂଶ ରକ୍ଷା କରିବାକୁ ସେ ଅସମର୍ଥ । ଏ ପରିସ୍ଥିତିରେ ରୌନକଙ୍କ ଘରଲୋକଙ୍କ ମାନସିକ ଅବସ୍ଥା ଏବଂ ତାଙ୍କ ନିଷ୍ପତ୍ତି ଚିରାଚରିତ ଥିଲା । ରୀନିଙ୍କ ଘର ଲୋକ ମଧ୍ୟ ଝିଅର ଏ ପରିସ୍ଥିତିରେ ପୂରାପୂରି ଭାଙ୍ଗି ପଡ଼ିଲେ ।

ଗୋଟିଏ ପରିବାର ପରି ଚଳୁଥିବା ଦୁଇ ପରିବାର ମଧ୍ୟରେ ଦୂରତ୍ୱ ବଢ଼ିଲା । ସମ୍ପର୍କର ସୂତା ଖିଅଟି ଦୋଦୁଲ୍ୟମାନ ଅବସ୍ଥାରେ ରହିଲା । ଏ ସମୟ ଥିଲା ଦୁହିଁଙ୍କ ପ୍ରେମର ପ୍ରକୃତ ପରୀକ୍ଷାର ସମୟ । ଏ ସମୟ କିପରି ବିତିଛି ଭାବିଲେ ଆଜି ବି ଦୁଇ ଜଣଙ୍କ ନିଃଶ୍ୱାସର ବେଗ ପ୍ରଖର ହେଇଯାଏ । ଦୁହେଁ ଦୁହିଁଙ୍କୁ ଜୀବନଠାରୁ ମଧ୍ୟ ବେଶି ଭଲ ପାଉଥିଲେ । ହେଲେ କ’ଣ ଏ ପ୍ରେମର ସନ୍ତକ ପାଇଁ ଦୁହିଙ୍କ ଜୀବନରେ କଳାମେଘ ଘୋଟି ଆସିବ !? ପ୍ରେମର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ !? ସମାଜିକ ଦାୟିତ୍ୱ ବୋଧକୁ ସମ୍ମାନ ଦେଇ ନିଜ ଖୁସିକୁ ଜଳାଞ୍ଜଳି ଦେବାକୁ ପଡ଼ିବ?? ଏ ଭିତରେ କେତେ ବସନ୍ତ ବିତି ଯାଇଛି, କେତେ ଗଛ ପତ୍ରଝଡ଼ା ଦେଇ ସାରିଛନ୍ତି, କେତେ ନଦୀ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଛନ୍ତି ।

ହଠାତ ଦିନେ ଦୁଇଜଣଙ୍କର ଦେଖା ହେଲା ଏକ ସମାଜିକ ଉତ୍ସବରେ । ଦୁହେଁ ଦୁହିଁଙ୍କୁ କିଛି କହିବା ଆଗରୁ ଏକ ଚମତ୍କାର ଘଟଣା ଘଟିଲା । ପ୍ରବେଶ ପଥର ଅନତି ଦୂରରୁ ଶୁଭିଲା ଏକ ଅବୋଧ ଶିଶୁର କୁଆଁ କୁଆଁ ରାବ । ଦୁହିଁଙ୍କ ପାଇଁ ସେ ଥିଲା ଦେବଦୂତ ସଦୃଶ । ନିଃଷ୍ପାପ ଶିଶୁଟି ଆଣିଦେଲା ତାଙ୍କ ଜୀବନରେ ଏକ ଅଦ୍ଭୁତ ପରିବର୍ତ୍ତନ । ଦୁହିଁଙ୍କ ହୃଦୟ ତନ୍ତ୍ରୀରେ ବିଗଳିତ ହେଲା ଏକ ଅପୂର୍ବ ସ୍ପନ୍ଦନ । ତାକୁ କୋଳେଇ ନେବାକୁ ଦୁହେଁ କଲେ ଶପଥ । ଅଧାରେ ରହି ଯାଇଥିବା ପ୍ରେମ କାହାଣୀର ହେଲା ଏକ ନୂତନ ଅୟମାରମ୍ଭ । ଏଥର ଘର ଲୋକ ମଧ୍ୟ ଅରାଜି ହେଲେନି । ସେମାନେ ଦେଖି ସାରିଥିଲେ ରୌନକ ଆଖିରେ ରୀନି ପ୍ରତି ଥିବା ଗଭୀର ନିଃସ୍ୱାର୍ଥପର ଭଲପାଇବା, ତ୍ୟାଗର କଜ୍ଜଳ ।

ସମସ୍ତଙ୍କ ସହମତିରେ ଦୁହେଁ ଦୁହିଁଙ୍କୁ ନିଜର କଲେ, ଜନ୍ମ ଜନ୍ମାନ୍ତରର ସାଥି ହୋଇ ରହିବାର ଶପଥ ନେଇ, ନିଃଷ୍ପାପ ଶିଶୁ ରିତ୍ଵିକ ସହ ପୂର୍ଣ୍ଣ ପରିବାରର ଯାତ୍ରାରେ ।

– ଶର୍ମିଷ୍ଠା ମଲ୍ଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶର୍ମିଷ୍ଠା ମଲ୍ଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।