ସୁନ୍ଦର କରଣି ବିଧାତା ବରଣି
ହେମାଙ୍ଗି ଛବି ଉଜ୍ଜ୍ୱଳ
ରୂପେ ନିରୂପମ ଦିଶେ ଅନୁପମ
ମାଦକ ବର୍ଣ୍ଣ ବିହ୍ୱଳ ।
ଅନିନ୍ଦ୍ୟ ସେ ରୂପ ଆଖି ଲାଗେ ପାପ
ଢାଳନ୍ତି କି ଜ୍ୟୋତି ରବି
ସ୍ୱର୍ଗ ମର୍ତ୍ତ୍ୟ ଧରା ନୁହେଁ ଅପସରା
ଅଟେ କି କନକଦେବୀ?
ସୁରାସୁର ନର ଯକ୍ଷାଦି କିନ୍ନର
ଜ୍ୟୋତିଶ୍ମିତା ରୂପେ ଭୋଳ
ଦର୍ଶନେ ସେ ହସ କରଇ ପ୍ରବାସ
ରସିକ ମଧୁପ ଦଳ ।
ଇର୍ଷା ଜର୍ଜରିତ ହୃଦ କୋପଯୁକ୍ତ
କଳଙ୍କ ବହନ୍ତି ସର୍ବେ
ପାଇଛି ଆଶୀଷ ବିଧାତା ପରଶ
ନିତି ଚାହିଁଥାଏ ନଭେ ।
ନ ଲାଗେ ପୂଜାରେ ଶେଭେ କା ଗଭାରେ
କ୍ଷେତ୍ର ତା’ ନନ୍ଦନ ବନ
ହସି କି ହସାଇ ମନକୁ ଭିଜେଇ
ଭକତି ହୃଦ ଚନ୍ଦନ ।
ନୁହେଁ ରାଜଜେମା ସୁନ୍ଦରୀ ପରମା
ବନ୍ଧନୀ ମୋହର ଫାଶେ
ଦେଇଛ ଆଶରା କୈବଲ୍ୟ ପଶରା
ସୋରିଷ ଫୁଲର ହସେ ।
– ମନୋରଞ୍ଜନ ସୁରୁଜାଲ