You are currently viewing ବାପା
Bapa (ବାପା) by Manas Ranjan Patra

ବାପା

କୋଟି ଓଡ଼ିଆର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଣ୍ଡିଆଟେ ମାରି ଲେଖା ଆରମ୍ଭ କରୁଛି ।

ବାପା ଶବ୍ଦଟି ହେଉଛି ଦୁଇ ଅକ୍ଷର କିନ୍ତୁ ମାଆ ଶବ୍ଦ ପରି ଶ୍ରୁତିମଧୁର ଅଟେ । ବାପା ଶବ୍ଦଟିକୁ ପାଟିରେ ଧରିବା ମାତ୍ରେ ଆମ ଶରୀରରେ ଏକ ପ୍ରକାରର ଶିହରଣ ସୃଷ୍ଟି ହୋଇଥାଏ । ପିଲାର ପ୍ରଥମ ମୁଖ ନିଃସୃତ ବାଣୀ ହେଉଛି ମା’ କିନ୍ତୁ ପରେ ପରେ ବାପା ବୋଲି ଉଚ୍ଚାରଣ କରିଥାଏ । ପିଲାଟି ଜନ୍ମ ହେବା ପରେ ଏଡ଼ିକିଟାରୁ ଏଡ଼େ ହେଲାଯାଏଁ ମା’ର ଭୂମିକା ଯେତିକି ରହିଛି ବାପାଙ୍କ ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ରହିଥାଏ । ମୁଣ୍ଡ ଝାଳ ତୁଣ୍ଡେ ମାରି ସମସ୍ତଙ୍କ ବାପା ଚାହାଁନ୍ତି ମୋ ଛୁଆ କିପରି ଖୁସିରେ ରହୁ, ସେ ଯେପରି କୋୖଣସି ଅଭାବ ଅସୁବିଧା ଅନୁଭବ ନ କରୁ ।

ସଂସ୍କୃତରେ ଗୋଟେ ପଦ ମନେ ପଡ଼ିଯାଉଛି,

ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ
ପିତରି ପ୍ରିତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ ॥

ବାପା ଶବ୍ଦର ପ୍ରତିଶବ୍ଦ ହେଉଛି ପିତା । ପିତା ଶବ୍ଦଟି ଶୁଣିଦେଲେ ଆମ ମନ ଭିତରେ ପ୍ରଥମେ ଖାଦ୍ୟ କଥା ଆସିଯାଏ ଆଉ ତା’ର ସ୍ୱାଦ ଆମ ମନରେ କେମତି ଏକ ବିକାର ଭାବ ଆଣିଦିଏ । ଆମ ଉପରେ ବାପା ହୁଅନ୍ତୁ କି ମାଆ ଟିକେ ଟିକେ ଭୁଲ୍ କଲେ ରାଗନ୍ତି ଓ ତାଗିଦ୍ ମଧ୍ୟ କରନ୍ତି ସେହି କଥାଟି ଆଜି ଆମକୁ ଖରାପ ଲାଗୁଥାଇପାରେ ଆଉ ପିତା ପରି ମନରେ ବିକାର ଭାବ ସୃଷ୍ଟି କରେ, କିନ୍ତୁ ପିତା ଖାଦ୍ୟର ଶାରୀରିକ ମହତ୍ତ୍ୱ ଭଳି ତାଙ୍କର ସେ ରୁକ୍ଷ ତାଗିଦ୍ ଆମକୁ ସେହି ଭୁଲ୍‌କୁ ଭବିଷ୍ୟତରେ ପୁନର୍ବାର ନ କରିବା ପାଇଁ ସଚେତନ କରାଇ ଦେଇଥାଏ । ପିତାଙ୍କଠୁ ବଳି ଭଲ ପରାମର୍ଶ ଦାତା ଦୁନିଆରେ ମିଳିବା ଅସମ୍ଭବ ।

ଚାଣକ୍ୟ ନୀତି ଅନୁଯାୟୀ ଛାତ୍ରଛାତ୍ରୀ ଜୀବନରେ ଶିକ୍ଷିତ ହେବା ନିହାତି ଜରୁରୀ । ଛାତ୍ରଟିଏ ଯଦି ଶିକ୍ଷା ଅର୍ଜନରେ ବିଫଳ ହୁଏ, ତେବେ ତା’ ପାଇଁ ଦାୟୀ ରହିବେ ପିତା । ପିତାଙ୍କ କର୍ତ୍ତବ୍ୟ ପୁତ୍ରକୁ ଅଧିକରୁ ଅଧିକ ଶିକ୍ଷିତ କରିବା ।

ଯାହା ହାତ ଧରି ଚାଲିବା ଶିଖିଲେ, ଯାହା ପାଇଁ ଆମେ ଏହି ବିରାଟକାୟ ଦୁନିଆ ଦେଖିଲେ, ଯାହା ପରିଚୟରେ ଆମେ ପରିଚିତ ହେଲେ, ଆଜିର ଏହି ଶିକ୍ଷିତ ସମାଜରେ କେତେଜଣ ଶିକ୍ଷିତ ବ୍ୟକ୍ତି ବିଶେଷ ତାଙ୍କ ପିତା ମାତାଙ୍କୁ ହତାଦର କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ଓ ପଇସା ଲାଳସାରେ ପାଲଟି ଯାଉଛନ୍ତି ସ୍ୱାର୍ଥୀ । ଦିନେ ପିତୃସତ୍ୟ ପାଳନ କରି ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ଯାଇଥିଲେ, କିନ୍ତୁ ଆଜି ପିତାଙ୍କ ପଦିଏ କଥା ପାଳନ କରିବାକୁ କଷ୍ଟ ହେଉଛି ପିଲାମାନଙ୍କୁ ।

ଶେଷରେ ଏତିକି ମୋର ନିବେଦନ ରହିବ ଯେ ଆମ ପାଇଁ ଯେ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ, ଆମଠାରୁ ତା’ ବଦଳରେ ଆଶା କରିଥାନ୍ତି ଭଲପାଇବା, ସ୍ନେହ, ମଧୁର ସ୍ୱରର ଦୁଇ ପଦ କଥା ଓ ଆମର ଉପସ୍ଥିତି । ଆମେ ଯଦି ଏହାକୁ ପୂରଣ କରିବାକୁ ଚେଷ୍ଟା ନ କରିପାରିବା ଆମ ଜନ୍ମ ହିଁ ସାର୍ଥକ ହେବନାହିଁ ।

– ମାନସ ରଞ୍ଜନ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।