ପ୍ରେମ ଦେଖେ ନାହିଁ ବୟସ ଚେହେରା
ମାନେ ନାହିଁ ସ୍ଥାନ କାଳ,
ଉତ୍ତର ବୟସେ ବେଶୀ ସେ ଉତୁରେ
ପାଚୁଥାଏ ଯେତେ ବାଳ ।
ପ୍ରେମରେ ବାର୍ଦ୍ଧକ୍ୟ ବାଧା ସାଜେ ନାହିଁ
ସଦା ମୁଖେ ଥିଲେ ହସ,
ଏ ଜୀବନେ କିଛି ଲୋଡ଼ା ପଡ଼େ ନାହିଁ
ପାଖେ ଥିଲେ ନିଜ ମଣିଷ ।
ହୃଦୟର ଭାଷା ଆଖି ମାଧ୍ୟମରେ
ମନ ଜାଣେ ସହଜରେ,
ଗୋଲାପର କିଛି ନାହିଁ ଆବଶ୍ୟକ
କାମ ଚଳେ ମନ୍ଦାରରେ ।
ଶରୀରକୁ କାଳ କବଳିତ କରେ
ଯଉବନ ଯାଏ ସରି,
ସୁଖରେ ଦୁଃଖରେ ସାଥୀଟିଏ ଥିଲେ
ଘର ହୁଏ ସ୍ଵର୍ଗପୁରୀ ।
ଲିଭି ଲିଭି ଆସେ ଆୟୁଷର ରେଖା
ପରିଣତ ବୟସରେ
ଶେଷ ସମୟଟା ସୁଖେ ବିତିଯାଉ
ଜୀବନ ସାଥୀର କୋଳରେ ।
– ସ୍ୱାଗତ ମିଶ୍ର