You are currently viewing ପବିତ୍ର ଜୀବନ
Pabitra Jibana (ପବିତ୍ର ଜୀବନ) by Himanshu Bhusan Sahoo

ପବିତ୍ର ଜୀବନ

◆ ରାକ୍ଷୀ’ର ମହତ୍ତ୍ୱ ଜଣା ନଥିଲା । ସମସ୍ତେ ହାତରେ ବାନ୍ଧି ବୁଲୁଥିଲେ, ଜେଜେମା’କୁ ନେଇ ପଚାଶ ପଇସାରେ ଗୋଟିଏ ରାକ୍ଷୀ କିଣିଆଣି ବୋଉକୁ କହିଥିଲି, “ମୋ ହାତରେ ଶୀଘ୍ର ବାନ୍ଧିଦେ, ମୁଁ ଖେଳିବାକୁ ଯିବି ।”

◆ ଟିକେ ଜାଣିବାଶୁଣିବା ହେଲା ବେଳକୁ ସାନ ଭଉଣୀର ଜନ୍ମ । ମାତ୍ର ୬ମାସ ବେଳକୁ ପଡ଼ିଲା ରାକ୍ଷୀପୁର୍ଣ୍ଣିମା । ଜଗନ୍ନାଥଙ୍କ ଫଟଥିବା ଗୋଟିଏ ରାକ୍ଷୀ ନେଇ ପହଞ୍ଚିଲି ତା’ ଝୁଲା ପାଖରେ । ସାନବୋଉ ହସିଦେଇ କହିଲେ, “ସେ ବଡ଼ ହେଉ, ତୋ’ ହାତରେ ରାକ୍ଷୀ ବାନ୍ଧିବ ।” କ’ଣ ଭାବିଲି କେଜାଣି, ତା କୁନି ହାତରେ ମୁଁ ନିଜେ ବାନ୍ଧିଦେଇ କହିଲି, “ମୁଁ ତ ଏବେ ବଡ଼, ମୁଁ ବାନ୍ଧିଦେଉଛି, ସେ ବଡ଼ ହେଲେ ମୋ ହାତରେ ବାନ୍ଧିବ ।”

◆ ଭାଇ-ଭଉଣୀ ଦି’ଜଣଯାକ ଚୁଟି ଝିଙ୍କାଝିଙ୍କି ହୋଇ ଖୁବ୍ ଝଗଡ଼ା ଲାଗିଲୁ ଖେଳନାଟିଏ ପାଇଁ । ମୋ ଓଠ ଓ ଦାନ୍ତ ମୂଳରୁ ରକ୍ତ ବାହାରି ପଡ଼ିଲା । ମୋ ବିଧା ଚାପୁଡ଼ାରେ ତା’ ସୁନାନାକଟା ଫୁଲିଗଲା, ହଳଦିଆ ନାଲି ଦୁଇ-ଚାରଟି ଚୁଡ଼ି ଭାଙ୍ଗିଗଲା । ରାତିରେ ବୋଉ ମୋତେ ବହେ ଛେଚିଲା । ରାଗିକି ଖାଇନଥିଲି ରାତିରେ । ପରଦିନ ଭୋର୍‌ରୁ ଉଠି ଗାଧୋଇ ପଡ଼ିଲି ଚଟାପଟ୍ । ସେ ବଡ଼ ରାକ୍ଷୀ ଗୋଟିଏ ମୋତେ ପିନ୍ଧେଇଦେଇ ମିଠା ଖୁଏଇଦେଲା । ଗତ ସନ୍ଧ୍ୟା କଥା ଭୁଲିଯାଇଥିଲୁ ଦୁହେଁ ।

◆ ରାକ୍ଷୀବନ୍ଧା ସମୟ ପୂର୍ବରୁ ପ୍ରବଳ ଭୋକ । କିନ୍ତୁ ଜେଜେମା ଆକଟ କରି କହିଲା, “ଯାଅ, ପ୍ରଥମେ ସିନ୍ଦୂର, ଫୁଲମାଳ ଓ ରାକ୍ଷୀ ବଳଦ ଶିଙ୍ଗରେ ବାନ୍ଧିଆସ, ତା’ ପରେ ଖାଇବ ।” ମାରଣା ବଳଦ ପାଖରୁ ସବୁଦିନେ ଆଠହାତ ଘୁଞ୍ଚି ରହୁଥିବା ଆମେ ଭାଇ ଭଉଣୀ ସେଦିନ ପ୍ରଥମଥର ତା’ ମଥାକୁ ଛୁଇଁଥିଲୁ । ଆହା…କି ନରମ ! ବାପା ଆଉ ଦାଦା ଆମ ଅଣ୍ଟାକୁ ଧରି ଦୁଇ ବଳଦଙ୍କ ମଥା ପାଖକୁ ଟେକି ରଖିଥିଲେ । ସବୁତକ ଚକୁଳି ଦେବାପରେ ଆମେ ଅଡ଼ିବସିଲୁ ଆହୁରି ଖୁଆଇବା ପାଇଁ ।

◆ ରାକ୍ଷୀପୂର୍ଣିମା ଦିନକୁ ସେ ବଡ଼ ହେବାର ତିନି ଦିନ, ଅଛୁଆଁ । ମୁଁ ଭାରୀମାନ ନେଇ ବାଡ଼ିପଟ ପିଣ୍ଡାରେ ବସିଥାଏ । ହଠାତ୍ ଅନେକ କୋଳାହଳ । ବୁଲିପଡ଼ି ଦେଖେ, ତା’ର ସବୁତକ ବାନ୍ଧବୀ ମୋ ପଛପଟେ । ଖିଲିଖିଲି ହୋଇ ହସୁଥାନ୍ତି । ପ୍ରାୟ ପନ୍ଦରରୁ ଅଧିକ ରାକ୍ଷୀ ବନ୍ଦାହେଲା ମୋ ଦୁଇ ହାତରେ । ଘରକୋଣରେ ଥିଲା ସେ, ମୁଁ ବାହାରେ । ଦୁହେଁ ଖୁବ୍ ଖୁସିଥିଲୁ ।

◆ ମୋର +୩ ଶେଷ ବର୍ଷ ବେଳକୁ ତା’ର +୨ ପ୍ରଥମ ବର୍ଷ । ରାକ୍ଷୀପୂର୍ଣ୍ଣିମା ଦିନ ଛୁଟି ନଥାଏ, କ୍ଲାସ ଚାଲିଥାଏ । ଝରକା ପାଖରେ ମୁଁ ବସେ । ସେ ପହଞ୍ଚିଯାଇ ମୋତେ ଇଶାରା କରି କାଗଜ ଖଣ୍ଡିଏ ଦେଇ ଚାଲିଗଲା । ସେଥିରେ ଲେଖାଥିଲା “ଭାଇ ! ଶୀଘ୍ର ପଳା ଘରକୁ । ତମ କ୍ଲାସର କିଛି ଝିଅ ଆମକୁ କହିଛନ୍ତି ତମ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବାକୁ, ଆଉ ମୋ କ୍ଳାସର ସେ ଝିଅଟି ମଧ୍ୟ ଆସିଛି ଆଜି ଯାହା ପଛରେ ତୁ ପଡିଛୁ ।” କ୍ଲାସ ସାରିନଥାଏ, ସାର୍‌ଙ୍କ ଅନୁମତି ନେଇ ମୁଁ ଚମ୍ପଟ ।

◆ ଆଠମାସ ହୋଇଯାଇଥିଲା ତା’ ବାହାଘରକୁ । ଏଇ ଆଠମାସରେ ମାତ୍ର ସେଇ ଅଷ୍ଟମଙ୍ଗୁଳା ଦିନ ହିଁ ତା’ ସ୍ୱାମୀର ତା’ର ଆସିଥିଲେ । ପରେ ବାଙ୍ଗାଲୋର୍ । ଆଜି ରାକ୍ଷୀପୂର୍ଣ୍ଣିମା । ଜାଣିଶୁଣି ସକାଳ ୯ଟା ବେଳକୁ ଉଠିଲି । ଗାଧୋଇସାରି ସେ ପଠେଇଥିବା ରାକ୍ଷୀ ଓ ଦୁଇହଜାର ଟଙ୍କା ଧରି ବୋଉକୁ କହିଲି, “ତୁ ବାନ୍ଧିଦେ”। ବୋଉ ଚିଡ଼ିଲା; କହିଲା, “ପୁହାଣ ଘର ଝିଅକୁ କହିଛି, ସେ ବାନ୍ଧିଦେବ, ଟିକେ ରହ ।” ମୋ-ମନ କିନ୍ତୁ ମାନୁନଥାଏ, ଲାଗୁଥାଏ ଆଖି ମୋର ଏବେଏବେ ଲୁହ ଜକେଇବ ! ସେବେ ଗୋଟିଏ ଛୁଆ କିଏ ଘରଭିତରକୁ ଧଇଁସଇଁ ହୋଇ ପଶିଆସି କହିଲା, “ମାମୁଁ-ମାମୁଁ, ମଉସା-ମାଉସୀ ଆସିଲେଣି ।” ବିଲକୁଲ କାନ୍ଦିନଥାନ୍ତି ଆଉ କାହା ହାତରୁ ରାକ୍ଷୀ ବାନ୍ଧିଥିଲେ, କିନ୍ତୁ ତା’ ଆସିବା ଖବର ଶୁଣି ଲୁହଗୁଡ଼ିକ ଆଉ ମାନିଲେ ନାହିଁ । ବୋଉ-ସାନବୋଉ ମଧ୍ୟ ଲୁହ ଝରେଇଲେ ।

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।