You are currently viewing ଦୁର୍ଗା
ଦୁର୍ଗା

ଦୁର୍ଗା

ଶୂନ୍‌ଶାନ୍ ସନ୍ଧ୍ୟା । ମିନୁ ତରତର ହୋଇ ବଜାରରୁ ଫେରୁଥାଏ । କାଲି ପରୀକ୍ଷା ଅଛି ଯେ, ସେ ଆଡ୍‌ମିଟ୍ କାର୍ଡ଼୍ ବାହାର କରି ଆସୁ ଆସୁ ସନ୍ଧ୍ୟା ହେଇଗଲା । ୭ଟା ପାଖା ପାଖି ସମୟ, ଦୁର୍ଗା ପୂଜା ସମୟ । ରାସ୍ତାରେ ଚାଲିଥାଏ ଛାତିକୁ ପଥର କରି । କୌଣସି ଅଟୋ ରହୁନଥାଏ । ସେମିତି ଚାଲିଥାଏ ତା’ ପାଦ । ହଠାତ୍ ପଛରୁ ୩-୪ ଜଣ ଲୋକଙ୍କ ପାଦ ଶବ୍ଦ ଶୁଭିଲା, ଛାତିର ସ୍ପନ୍ଦନ ତା’ର ବଢ଼ିଲା । ବର୍ତ୍ତମାନ ସମୟର କରାଳ ଦୃଶ୍ୟ ତ ଭଲରେ ଜଣା, ଦେହଭକ୍ଷୀ ପିଶାଚର ଅଭାବ ନାହିଁ ସମାଜରେ । ତା’ ସନ୍ଦେହ ସତ ହେଲା । ସେ ଆଜି ସେମାନଙ୍କ ହାବୁଡ଼ରେ ପଡ଼ିଛି । ସେ ଯେତେ ପାଦ ଆଗକୁ ଜୋର୍‌ରେ ବଢ଼ାଉଥାଏ, ସେମାନଙ୍କ ଗତି ସେତେ ବଢ଼ୁଥାଏ । ସେ ଭାବିଲା କେମିତି ରକ୍ଷା ପାଇବ? ନହେଲେ ସେ ଆଜି ତାଙ୍କ ଶୀକାର ହେବ । ମନରେ ସାହସ ବାନ୍ଧିଲା, ଭାବିଲା ଯଦି ମରିବାର ଥିବ ମରିବି କିନ୍ତୁ ଏମାନଙ୍କୁ ଉଚିତ୍ ଶିକ୍ଷା ଦେଇ ମରିବି । ଆଜି ଯଦି ସାହସ ନ ଦେଖେଇବି ଅନେକ ନାରୀଙ୍କ ଦୁର୍ବଳତାର ଉଦାହରଣ ପାଲଟିବି ଆଜି ।

ଏମିତି ଭାବୁ ଭାବୁ ସେତେବେଳକୁ ୪ଟି ଲୋକ ତା’ ସାମ୍ନାକୁ ଆସିଗଲେ । ମିନୁ ତା ଆଡ୍‌ମିଟ୍ କାର୍ଡ଼୍, ମୋବାଇଲ ଆଉ ପର୍ସକୁ ଲୁଚାଇଦେଇଥିଲା । ସେମାନେ ଯେମିତି ସାମ୍ନାକୁ ଆସିଲେ ତା’ ସହ ଖରାପ ଆଚରଣ କରିବା ଆରମ୍ଭ କଲେ, ସେ ଠୋ ଠା ହସିବାକୁ ଲାଗିଲା । ସେହି ଦୁର୍ବୃତ୍ତମାନେ ଆଶ୍ଚର୍ଯ୍ୟ ହେଲେ, ଏ ହସୁଛି କାହିଁକି ! କହିଲେ ହେ ତୁ ହସୁଛୁ କାହିଁକି? ମିନୁ କିଛି ନ ଶୁଣିଲା ଭଳି ଅଭିନୟ କରି ସେମିତି ହସି ଚାଲିଲା ଏବଂ ରାସ୍ତା କଡ଼ରେ ଥିବା ବଣ ଆଡ଼କୁ ହାତ ଠାରୁଥାଏ ଆଉ ହସୁଥାଏ । ଦୁର୍ବୃତ୍ତମାନେ ରୁକ୍ଷ ହୋଇ କହିଲେ ତୁ କିଏ? ମୁଣ୍ଡକୁ କୁଣ୍ଡେଇ କୁଣ୍ଡେଇ ଦାନ୍ତ ଦେଖାଇ କହିଲା ମୁଁ ଜାଣିନି ମୁଁ କିଏ ! ମୁଁ କିଏ? ସେଇ ବଣରେ ମୋ ଘର, ଚାଲ ମୋ ଘର ଦେଖିବ । ଯିବ ମୋ ସହ ଯିବ? ଚାଲ ଚାଲ ମୋ ଘରକୁ ଯିବା ଚାଲ । ଦୁର୍ବୃତ୍ତ ମାନେ ଟିକେ ଟିକେ ଭାବିଲେ ଇଏ ନିଶ୍ଚେ ପାଗଳ, କିନ୍ତୁ ଦେହଭକ୍ଷୀ ପିଶାଚର ଲୋଭ କି ଛାଡ଼େ । ମିନୁ ପାଗଳ ପରି ବଣ ଭିତରକୁ ମାଡ଼ି ଯାଉଥାଏ ନିଜ ଆତ୍ମବଳକୁ ଅଳଙ୍କାର ସାଜି । ତାକୁ ସେ ସ୍ଥାନର ପରିଚୟ ବହୁତ ଭଲରେ ଥିଲା, ଗୋଟେ ଛୋଟ ଗୁମ୍ଫା ପଛରେ ଥିବା ଝାଟି ମାଟି ଭଙ୍ଗା କୁଡ଼ିଆ ଦେଖେଇଲା; ଅନ୍ଧାର ସ୍ଥାନ, ଜହ୍ନ ଆଲୁଅ ଏବଂ ଟର୍ଚ୍ଚ ସାହାଯ୍ୟରେ ସେ କୁଡ଼ିଆ ଦେଖି ଦୁର୍ବୃତ୍ତମାନେ ନିଶ୍ଚିତ ହେଲେ ଇଏ ଗୋଟେ ପାଗଳି । ହେଲେ ଭଲ ପୋଷାକ କୋଉଠୁ ଆଣିଲା, ବୋଧେ ଚୋରି କରିଛି କେଉଁଠୁ । ଏମିତି ସେମାନେ ଭାବିବା ସମୟରେ ମିନୁ ପଥରର ଯୋଗାଡ଼ କରି ସାରିଥିଲା । ସିଧା ଆକ୍ରମଣ କଲା ସବୁ ସାହସ ଜୁଟେଇ । ପଥର ଗୋଟା ଗୋଟା ଫିଙ୍ଗିଲା ଜମା ନ ଅଟକି । କାହା ମୁଣ୍ଡ ଫାଟିଲା ତ କାହା ଗୋଡ଼ ଭାଙ୍ଗିଲା । ପାଗଳି ପାଗଳି କହି ପ୍ରାଣ ବିକଳରେ ଦୌଡ଼ିଲେ ଦୁର୍ବୃତ୍ତ । ସେ ତା’ ପଥର ଫିଙ୍ଗା କିନ୍ତୁ ବନ୍ଦ କଲା ନାହିଁ । ଗୋଟେ ଦୁର୍ବୃତ୍ତ ବହୁ ଆହତ ହେଇ ତଳେ ପଡ଼ିଗଲା । ବାକି ରାଗ ସୁଝେଇବାକୁ ଯାଇ ପାଖରେ ଯୋଉ ବାଡ଼ି ପାଇଲା ପିଟି ଦେଇଗଲା ଗୋଡ଼ରୁମୁଣ୍ଡ । ସତେ ଯେମିତି ସମଗ୍ର ନାରୀ ଜାତିର ଅପମାନର ପ୍ରତିଶୋଧ ଆଜି ସେ ନେବ ! ସେ ଦୁଷ୍ଟ ଅଚେତ୍ ହେଇଥିବାରୁ ପାଖରେ ଥିବା ଛୋଟ ଗୁମ୍ଫା ପାଖକୁ ଟାଣି ଟାଣି ନେଇ ପକେଇ ଦେଲା । ସେ ନିଜେ ଜାଣି ନଥିଲା ତା’ ପାଖରେ ଏତେ ସାହସ ଆସିଲା କୁଆଡ଼ୁ ।

ଗୁମ୍ଫା ପାଖରେ ଏକ ଦୀପ ଜଳୁଥିଲା, ଯେଉଁଠୁ ଝୁଣାର ବାସ୍ନା ଆସୁଥଲା । ପଛକୁ ବୁଲି ଦେଖେ ତ ମା’ ଦୁର୍ଗାଙ୍କ ପ୍ରତିମା ପୂଜା ପାଉଛନ୍ତି ଗୁମ୍ଫାରେ । ଗୁମ୍ଫା ସାମ୍ନାରେ ମୁକୁଳା କେଶ, ହାତରେ ବାଡ଼ି, ପଥର ଆଉ ତା ପାଦ ତଳେ ଦେହଭକ୍ଷୀ ପିଶାଚ ଦରମରା ଅବସ୍ଥାରେ, ସତେ ଯେପରି ଦୁର୍ଗା ସାଜିଛି ମିନୁ । ଆଜି ପୁଣିଥରେ ଯେମିତି ଏକ ମହିଷାସୁରର ବଧ ପାଇଁ ମା’ ଦୁର୍ଗା ଧରାରେ ଅବତରଣ କରିଛନ୍ତି । ସେହିଦିନ ପୁଣି ନବରାତ୍ରି । ସେହି ସମୟରେ ଜଣେ ପୂଜାରୀ ଯିଏ ଗୁମ୍ଫାରେ ସ୍ଥିତ ବନଦୁର୍ଗାଙ୍କୁ ପୂଜା କରନ୍ତି, କୌଣସି କାରଣରୁ ଆସି ମିନୁର ଏ ଦେବୀ ରୂପ ଦେଖି ଏବଂ ସେଠିକାର ଅବସ୍ଥା ଦେଖି ସବୁ ବୁଝିଗଲେ ।

ନାରୀରୂପୀ ଦୁର୍ଗାଙ୍କ ଅବତାର ମିନୁଠାରେ ଦେଖି, କହିଲେ ହେ ମା’ ତୁମେ ଧନ୍ୟ ! ଏହିପରି ଧରାରେ ଅବତରଣ କର ମା’ ଏ ଦେହଭକ୍ଷୀ ପିଶାଚର ବଧ ପାଇଁ । ମିନୁର ଭୂରି ଭୂରି ପ୍ରଶଂସା କଲେ; କହିଲେ, “ତୋ ପରି ଦୁର୍ଗା ସବୁ ଘରେ ଜନ୍ମ ନେଉ ।” ମିନୁର ମାନସିକ ଅବସ୍ଥା ଦେଖି ତାକୁ ଘରେ ନେଇ ଛାଡ଼ିଲେ । ମିନୁ ତା’ର ସାହସ ପାଇଁ ସାହସିକତା ପୁରସ୍କାରରେ ସମ୍ମାନିତ ହେଲା ଏବଂ ନିର୍ଭୟର ସହ ଲଢ଼ିବାକୁ ଅନେକ ନାରୀଙ୍କ ପ୍ରେରଣା ସାଜିଲା । ଏ ଦେହଭକ୍ଷୀ ପିଶାଚ ପାଇଁ ସେ ସାଜିଥିଲା “ଦୁର୍ଗା” ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।