ବାପା
ବାପା

ବାପା

ଜୀବନର ଅନ୍ୟନାମ ଯେ ଯନ୍ତ୍ରଣା ଏ କଥା ବୋଉ ଯିବାପରେ ଅନୁଭବ କଲି । ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ତ ଯନ୍ତ୍ରଣାଦାୟକ, କିନ୍ତୁ ମାଆର ମୃତ୍ୟୁ ଯେ ପିଲା ପାଇଁ କେତେ ବେଦନାଦାୟକ ସେ କଥା ଅନୁଭବୀ ହିଁ ଜାଣେ ।

ଚାହୁଁ ଚାହୁଁ ବୋଉ ଯିବାର ତେରଦିନ କଟିଗଲା । ପ୍ରଥମ ଦିନରୁ ନଅ ଦିନ ଯାଏ ଆତ୍ମୀୟ ସ୍ୱଜନଙ୍କର ଆତଯାତ, ଦଶଦିନରେ ଘାଟକାମ, ଏଗାର ଦିନରେ ବ୍ରାହ୍ମଣ ଭୋଜନ, ବାରଦିନରେ ବାରଭାତ, ପୁଣି ତେର ଦିନରେ ପିଠା ଆଉ ଚଉଦ ଦିନରେ ଆମ ପରି ଝିଅଜ୍ୱାଇଁମାନଙ୍କର ଫେରିବାର ପାଳି । ହିନ୍ଦୁ ଧର୍ମର ଏତିକି ସବୁପ୍ରଥା । କାଲି ଯାହାର ମମତାର ସ୍ପର୍ଶରେ ଆମ ଦେହ ମନ ପୁଲକିତ କରୁଥିଲା, ଆଜି ଆମ ପାଇଁ ସେ ପ୍ରେତାତ୍ମାର ରୂପ ନେଲା ।

ଆମେ ଭାଇ ଭଉଣୀ ପାଞ୍ଚଜଣ । ମୁଁ ଆଉ ଅପା ଦୁହେଁ ବାହା ହୋଇ ଓଡ଼ିଶା ଭିତରେ ରହୁଥିଲୁ । ବଡ଼ଭାଇ ଦୁହେଁ ବାହାରେ ରହୁଥିଲେ । ସମସ୍ତଙ୍କର ଶିକ୍ଷା ଦିକ୍ଷା ବେଶ୍ ଭଲରେ ବୋଉ କରି ସାରିଥିଲା । ସମସ୍ତଙ୍କର ପିଲାପିଲି ଆଉ ସୁଖର ସଂସାର ମଧ୍ୟ ବୋଉ ଦେଖି ସାରିଥିଲା ।

ବାପା ପାଞ୍ଚବର୍ଷ ତଳୁ ତାଙ୍କ ଶିକ୍ଷକ ଜୀବନରୁ ଅବସର ନେଇ ସାରିଥିଲେ । ସବୁ ପିଲାଙ୍କର ଶିକ୍ଷାଗତ ଯୋଗ୍ୟତା ଆଉ ପଦ ମର୍ଯ୍ୟାଦାକୁ ନେଇ ତାଙ୍କ ମନରେ ବେଶ ଗର୍ବଥିଲା । ବେଳେ ବେଳେ ମୁଁ ବୁଝିପାରେନି ଏଇଟା ତାଙ୍କର ଅହଂଙ୍କାର ନା ଆତ୍ମସନ୍ତୋଷ ।

କିନ୍ତୁ ବୋଉଟା ଆମର ଭାରି ସରଳ । କାହା ଚାକିରୀ ଓ ପଦ ମର୍ଯ୍ୟାଦାର ଧାର ଧାରେନା ସେ । ସକାଳୁ ରାତିଯାଏ ଖଟି ଚାଲିଥାଏ । ରାତି ପାହିଲେ ରୋଷେଇବାସ, ଠାକୁର ପୂଜା, ବାପାଙ୍କ ପାଇଁ ପାନଭଙ୍ଗା, ଗାଈ ସେବାଠାରୁ ଆରମ୍ଭ କରି ବାର ମାସରେ ତେର ବ୍ରତ । ପାଖ ରଘୁନାଥ ମନ୍ଦିରକୁ ଫୁଲଗୁନ୍ଥି ପଠାଇବାଠାରୁ ପୂଜକଙ୍କ ଭଲ ମନ୍ଦ ଖବର ମଧ୍ୟ ବୁଝେ । ପୁଣି ଦିନରାତି ଘରକୁ ବନ୍ଧୁ ବାନ୍ଧବଙ୍କ ଆତଯାତ ।

ବୋଉ ଭାଷାରେ ମୁଁ ଥିଲି ତା “କୋଳପୋଛା” ଗେହ୍ଲୀ ଝିଅ । ଘରେ ମୋ ପଢ଼ାପଢ଼ି ପରେ ମୁଁ ବୋଉକୁ କେତେବେଳେ କେମିତି ସାହାଯ୍ୟ କରୁଥିଲି । ବାହାଘର ପରେ ବି ମୁଁ ବାପଘରକୁ ଅପାମାନଙ୍କ ତୁଳନାରେ ବେଶୀ ଯାଉଥିଲି । ଘରେ ପହଞ୍ଚିବା ପରେ ତା’ ହାତ ରନ୍ଧା ଗଣ୍ଡେ ଖାଇ ତା’ ଶୋଇବା ଘର ତଳେ ସପ ଖଣ୍ଡେ ପାରି ମୁଁ ଶୋଇଯାଏ । ବୋଉ ମୋ ମୁଣ୍ଡ ପାଖରେ ବସି ପାନ ଭାଙ୍ଗେ, ସାଦା ପାନଟିଏ ମତେ ବଢ଼ାଇ ଦଉଦଉ କେତେ ରାଇଜର ଗପ ମେଲେ । ଭାଇ, ଭାଉଜ, ନାତି, ନାତୁଣୀଙ୍କ କଥାଠାରୁ ଆରମ୍ଭ କରି ପଡ଼ିଶାଘର ଖୁଡ଼ୀଙ୍କ ପୁଅ ବାହାଘରଠାରୁ ମିନି ନାନୀ ଗାଇ ଜନ୍ମ କରିବା ଆଉ ନଖିଆ ଦାଦା ଘର ଧାନ ଚୋରୀ ଗପ ପର୍ଯ୍ୟନ୍ତ । ପୁଣି ତା’ ଭିତରେ ମୋ ଝିଅ ଆଉ ସାନ ଭାଇର ପୁଅ ପାଇଁ କେତେ ଖଣ୍ଡ କନ୍ଥା ତିଆରି କରିଛି ହିସାବ ଦିଏ । ଏମିତି ଅଛିଣ୍ଡା ଗପର ଜାଲ ବୁଣୁ ବୁଣୁ ମୋ ଆଖିକୁ ନିଦ ଆସିଯାଏ ।

ହେଲେ ଆଜି ଏତେ ଲୋକଥିଲେ ବି ଘର ଭିତରେ ଗୋଟାଏ ନାହିଁ ନାହିଁରେ ଭାବ । କାଲି ବୋଉଯିବାର ଚଉଦଦିନ । ସମସ୍ତେ କାଲି ଫେରିଯିବେ । ବଡ଼ ଅପା ଝିଅର ଏ ବର୍ଷ ମ୍ୟାଟ୍ରିକ ପରୀକ୍ଷା । ସାନଅପା ପୁଅ କ’ଣ ସୈନିକ ସ୍କୁଲ ପାଇଁ ଏଣ୍ଟ୍ରାନ୍ସ ଦେବ । ବଡ଼ ଭାଇର ଝିଅ ସ୍କୁଲରେ ନୂଆ କରି ନାମ ଲେଖାଇବ । ଆଉ ସାନ ଭାଇର ଯଦିଓ ଏମିତି କିଛି ଝମେଲା ନଥିଲା, ଭାଉଜ ନୂଆକରି ଅଧ୍ୟାପିକା । ଚାକିରୀରୁ ସେ ଛୁଟି ନେଇ ପାରୁନଥିଲେ ।

ତେଣୁ ବାପାଙ୍କ ପାଖରେ ତାଙ୍କୁ ଏକୁଟିଆ ନ ଲାଗିବା ପାଇଁ କେହି ରହି ପାରିବା ସମ୍ଭବ ନୁହେଁ । ଏ ବୟସରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ବନ୍ଧୁ । ଜଣକ ବିନା ଅନ୍ୟଜଣେ ଅସହାୟ ମନେକରେ । ମୋର ଯଦିଓ କୌଣସି ପାରିବାରିକ ସମସ୍ୟା ନଥିଲା, ତଥାପି ଗୋଟାଏ ଖାଁ ଖାଁ ଭାବ ସେ ଘରେ ମୋତେ ଘାରି ଯାଉଥିଲା । ଯେମିତି ଗୋଟାଏ ମୁହୂର୍ତ୍ତ ମୁଁ ବୋଉ ବିନା ରହିପାରିବିନି । ହେଲେ ରାତି ସାରା ମୁଁ ଶୋଇ ପାରିନି, ସେଇ ଗୋଟିଏ ଚିନ୍ତା, ବାପାଙ୍କ ଚିନ୍ତା ।

ବାପା ତ’ ଘରର କିଛି ବୁଝନ୍ତିନି । ସକାଳୁ ଉଠିଲା ବେଳକୁ ବୋଉ ଦାନ୍ତ କାଠି, ପାଣି ସଜାଡ଼ି ଦୁଆଉ ମୁହଁରେ ରଖିଥାଏ । ପୁଣି ଖରାରେ ଚେୟାର ପକାଇ ଦେଇଥାଏ । ବାପା ବସିଲେ ବାପାଙ୍କ ହାତକୁ ସରବତ ଗିଲାସେ ବଢ଼ାଇ ତା’ ନିଜ କାମରେ ଲାଗେ । ବାପା ଜଳଖିଆ ଖାଇ ବାହାରି ଯାଆନ୍ତି ବୋଉର ବରାଦଦିଆ ସଉଦା ଆଣିବାକୁ । ବେଳେ ବେଳେ ବାପା ବାହାରୁ ଲୋକ ଡାକି ଆଣନ୍ତି ଖାଇବାକୁ । ବୋଉକୁ ଜଣା ନଥାଏ । ସେ ଦେବାକୁ କୁଣ୍ଠିତ ନୁହେଁ, କିନ୍ତୁ ଆଗରୁ ସେ ଜାଣିବା ଦରକାର ବୋଲି କହେ । ବେଳେ ବେଳେ ଥକିପଡ଼ିଲେ ବୋଉ ବିରକ୍ତ ହୋଇ କୁହେ “ପ୍ରଭୁ ଏତେ ଲୋକଙ୍କୁ ନେଉଛ ମୋତେ ନେଇଯାଉନ କିଆଁ ଏ ଜଞ୍ଜାଳରୁ?” ଆଖି ଲୁହରେ ତକିଆ ମୋର ଭିଜିଗଲା । ସତେ ଅବା ଅଭିମାନରେ ସେ ଚାଲିଗଲା । ଅଜାଣତରେ କହିପକେଇଲି – “ବୋଉଲୋ ବୋଉ ଥରୁଟିଏ ଦେଖା ଦିଅନ୍ତୁ ନାହିଁ ।”

ରାତି ପାହି ସକାଳ ହେଲା । ସେ ଗୋଟିଏ ଚିନ୍ତା ମତେ ରାତିସାରା ଅସ୍ଥିର କରିଛି । ଭଉଣୀମାନଙ୍କୁ ଏ ସବୁ କହି ଲାଭ ବା କ’ଣ? ଏ ସବୁ ତ’ ଭାଇମାନଙ୍କ ବୁଝିବା କଥା । ବହୁ ଚିନ୍ତା କଲାପରେ ସେଦିନ ଜଳଖିଆ ଟେବୁଲରେ ମୁଁ ଆରମ୍ଭ କଲି– “ବଡ଼ ଭାଇ, ଝିଅର ଏଡମିଶନ୍ ତ ଡେରି, ଭାଉଜଙ୍କୁ କିଛି ଦିନ ଗାଁ’ରେ ଛାଡ଼ି ଯା । ତୁ ପରେ ଆସି ନେବୁ ।” ଅତି ସହଜ ଭାବରେ ଭାଇ ଯୁକ୍ତି ବାଢ଼ିଲା –“ବୁଗୁଲି କଥା ତୁ ଜାଣିନୁ? ସେ ଗାଁ’ରେ କ’ଣ ପାଠ ପଢ଼ିବ, ସିଟଟିଏ ପାଇଁ ଆଜି କାଲି କେତେ କମ୍ପିଟିସନ ତୁ ଜାଣିଥିବୁ । ବରଂ ବାପା ମୋ ସାଙ୍ଗରେ ଚାଲନ୍ତୁ । ଏ ଘର ଖଣ୍ଡିକରେ କ’ଣ ବା ଅଛି । ବିକ୍ରି କରିଦେବା ବୁଦ୍ଧିମାନର କାମ ।”

ମୋ ଛାତିରୁ ସତେ ଅବା କଲିଜାଟା ଖସି ପଡ଼ିଲା । ବାପା ବୋଉ କେତେ ଅସୁବିଧାରେ ଜୀବନ କାଟିଛନ୍ତି । ଏକାବେଳକେ ପାଞ୍ଚଟା ପିଲାର ଭରଣ ପୋଷଣ । କେବେ ଦିନେ ତ ବୋଉ ତା’ ଚାଷ ଜମି ବିକିବା କଥା କହିନି । ମୋର ମନେ ଅଛି ସାନ ଅପା ବାହାଘର ବେଳେ ବାପା କିଛି ଜମି ବିକ୍ରି କଥା ପ୍ରସ୍ତାବ ଦେଇଥିଲେ । ବୋଉ କିନ୍ତୁ ବିରୋଧ କରିଥିଲା । ହେଲେ ଆଜି ସେ ଯିବା ବାସି ଦିନ ଘର ବିକ୍ରି ହେବ !

ଛାଡ଼ । ଏଥର ପୁଣି ବଡ଼ ସନ୍ତର୍ପଣରେ ସାନ ଭାଇଙ୍କୁ କହିଲି– “ଭାଉଜ ତ ଛୁଟି ବଢ଼ାଇ ପାରିବେନି, ବରଂ ଏଠି ଲୋକ ଜଗାଇ ବାପା ତୋ ସାଙ୍ଗରେ ଯାଆନ୍ତୁ । ଆଜି କାଲି ଯିବା ଆସିବା କଉ ଅବା ଅସୁବିଧା ଯେ? ବାପା ମଝିରେ ମଝିରେ ଆସି ଗାଁ ବୁଲି ଯିବେ । ତାଙ୍କୁ ବି ଟିକେ ଭଲ ଲାଗିବ । ଘରଟା ବିକ୍ରି କାହିଁକି କରିବ?”

ଏଥର ମୋ କଥାର ଉତ୍ତର ଭାଇ ନଦେଇ ଭାଉଜ ଦେଲେ । କହିଲେ – “ଶୁଣ କଥାଟା କହିବା ଯେଡ଼େ ସହଜ, କରିବା ସେତେ ସହଜ ନୁହଁ । ସକାଳୁ ମୋର ଯୋଗ କ୍ଲାସ । ସେପଟୁ ଆସି କ’ଣ ଟିକିଏ କରି ଖାଇ ପୁଅକୁ ସ୍କୁଲ ପଠାଇ ଭାଇ ଆଉ ମୁଁ ବାହାରି ଯାଉ । କଲେଜରୁ ଫେରି କାଲିକା ପାଇଁ ପଢ଼ାପଢ଼ି କରିବାକୁ ପଡ଼େ । ରାତିରେ ନୁଡୁଲସ୍ କି କ’ଣ ଟିକିଏ ଖାଇଦେଲେ କାମ ଶେଷ । ପୁଣି ଯେଉଁ ‘ଜେନି’ ଖଣ୍ଡକ ଅଛି ତା’ କାମ ଡେରି କଲେ ଭୋକି ଭୋକି ଅବସ୍ଥା ଖରାପ କରେ । ଏ ବୟସରେ ବାପାଙ୍କର ସେବା ଯତ୍ନ ଟିକିଏ ଦରକାର ନା । ସେତିକି ନ କରି ପାରିଲେ ମୋତେ ପାପ ଲାଗିବନି?”

ଏ ସବୁର ଉତ୍ତର ମୋ ପାଖରେ ନଥିଲା । ଦାମୀ କୁକୁର ପାଇଁ ସମୟ ଥିଲା ବେଳେ ନିଜ ଜନ୍ନଦାତା ପାଇଁ ସମୟ ନାହିଁ, ବୟସ ହେଲେ ମଣିଷ କେତେ ଅଦରକାରୀ ହୋଇପଡ଼େ ସତେ !

ଆମ କଥୋପକଥନ ଶୁଣି ବାପା ଦାଣ୍ଡଘରୁ ଭିତରକୁ ଆସିଲେ ଆଉ ଅତି ନିର୍ବିକାର ଭାବରେ କହିଲେ– “ମୋ ପାଇଁ କେହି ବ୍ୟସ୍ତ ହୁଅନାହିଁରେ । ମୁଁ ଆଦୌ ଏକୁଟିଆ ନୁହେଁ । ମୋର ବାକି ଜୀବନ ତୋ ବୋଉର ସ୍ମୃତିକୁ ସାଉଁଟି ସାଉଁଟି କଟିଯିବ । ଆଉ ବାଡ଼ି ପଛପଟେ ତ ରାଧାମାଧବଙ୍କ ମନ୍ଦିର । ପ୍ରସାଦ ଓଳିଏ ନେଇଆସିଲେ ଦୁଇ ଓଳି ଚଳିଯିବ ।” ବାପାଙ୍କର ଶ୍ୱାସରୁଦ୍ଧ ହୋଇଆସୁଥିଲା ।

ସକାଳର ଏ ଘଟଣା ପରେ ଅପାମାନେ ଗଲାବେଳେ କାନ୍ଦି କାନ୍ଦି ମୋତେ କହିଗଲେ- “ବାପାଙ୍କର ତ ଏ ସମସ୍ୟା ଦିନକର ନୁହଁ, ସବୁଦିନର । ସବୁ ଠାକୁରଙ୍କ ଉପରେ ଛାଡ଼ି ଦେ” । ତା’ପରେ ବଡ଼ ଭାଇ ସାନ ଭାଇ ବି ଚାଲିଗଲେ । ବଡ଼ଭାଇ ଦୟାକରି ତା ଚାକର ଟୋକାକୁ ବାପାଙ୍କ ପାଖରେ କିଛି ଦିନ ପାଇଁ ଛାଡ଼ିଦେଇଗଲା ।

ଏଥର ମୋ ପାଳି । ବୋଉ ଯିବା ଦିନଠାରୁ ମୁଁ କାନ୍ଦି ନଥିଲି । କୋହକୁ ଚାପି ପାରିଲିନି । ବାପାଙ୍କୁ ପ୍ରଣାମ କଲି । ମୋ ଅଜାଣତରେ ପାଟିରୁ ବାହାରି ଆସିଲା ବୋଉଲୋ ମୋ ବୋଉ । ବାପା ତାଙ୍କ ଛାତିରେ ମୋତେ ଚାପି ଧରି କହିଲେ- “ତୋ ଆଖିରୁ ଲୁହ ଗଡ଼ିଲେ ତୋ ବୋଉର ଆତ୍ମା ଶାନ୍ତି ପାଇବନିରେ ମା’ ।” ମୁଁ ରିକ୍ସାରେ ବସିଲି, ରିକ୍ସା ମୁହାଁଇଲା ବସଷ୍ଟାଣ୍ଡ ଆଡ଼କୁ । ବାପା ପଛରୁ କହୁଥିଲେ ବାଟରେ କ’ଣ ଟିକିଏ ଖାଇନବ । ମୁଁ ପଛକୁ ଫେରି ଚାହିଁପାରୁନଥିଲି ।

ଖାଲି ବାଟସାରା ଭାବୁଥିଲି ପାଞ୍ଚଟା ପିଲାଙ୍କର ଜନକ ହୋଇ ବି କେତେ ଏକୁଟିଆ ତୁମେ ବାପା ! ଖାଲି ଜୀବନସାରା ମୋର ମୋର କହି ମଣିଷ ସମସ୍ତଙ୍କୁ ଜାବୁଡ଼ି ଧରେ ସିନା, ହେଲେ ସତରେ କ’ଣ ଏ ଦୁନିଆରେ କେହି କାହାର ନିଜର??

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu