You are currently viewing ବାଟ
ବାଟ - ବାପୁନ ନାୟକଙ୍କ ରଚନାରୁ

ବାଟ

ରାତି ବେଶୀ ନ ହେଲେ ବି ୧୦-୧୧ଟା ପାଖାପାଖି ହେବ । କଟକ ରିଙ୍ଗ ରୋଡ଼ରେ ଏମିତି ରାତିରେ ହାଲକା ଶୀତୁଆ ପବନଟା ଭାରି ଭଲ ଲାଗେ । ତା’ ସହିତ ନିକୋଟିନ ଧୂଆଁ ଯେତେବେଳେ ଫୁସଫୁସ ସହ କୋଳାକୋଳି ହୁଏ ସେତେବେଳର ଉଦ୍ଧୀପନାଟା କୌଣସି ଇଂରାଜୀ ଫିଲ୍ମର ରୋମାଣ୍ଟିକ ଦୃଶ୍ୟ ସହିତ ହିଁ ତୁଳନୀୟ । ସେ ଝଙ୍କାଳିଆ ବରଗଛ ସହିତ ଏବେ ଚିହ୍ନା ପରିଚୟ ହେଇ ଗଲାଣି ନ ହେଲେ ମୋର କୈଶୋରକୁ ବହୁତ ଥର ଡରାଇବାକୁ ସେ ସକ୍ଷମ ହୋଇଛି; ମଶାଣିଟା ପାଖରେ ଥିଲା ବୋଲି କିଛି ଲୋକ କୁହନ୍ତି । ଜହ୍ନଟା ସେତେବେଳେ ଧୀରେ ଧୀରେ ଉଇଁ ଆକାଶର ଘନନୀଳ ରଙ୍ଗମଞ୍ଚରେ ମୁଖ୍ୟ କଳାକାର ଭଳି ମଝି ଜାଗାଟା ନେବାକୁ ଅଗ୍ରସର ହୋଇଥାଏ, ଲାଗେ ତାରାମାନେ ଆପେ ଆପେ ସଜେଇ ହେଇ ଯାଉଛନ୍ତି ତା’ ଚାରିପଟେ, ଆଉ କିଛି outliers ଭଳି ଛିଟିକି ପଡ଼ି ଆକାଶର ଶୂନ୍ୟତାକୁ ପୂର୍ଣ୍ଣ କରିବାର ପ୍ରୟାସ କରୁଛନ୍ତି ।

ଗାଡ଼ିର ଚେନ୍‌ଟା କେତେ ଦିନରୁ ଖରାପ ହେଇଛି ବୋଧେ ଖଡ଼ ଖଡ଼ ହୋଇ ସେ ହିଁ ରାତିର ମୌନତା ଭାଙ୍ଗୁଛି କି ଏଇ ରଙ୍ଗମର ନୈପଥରେ କୋଇଲିର ମୂର୍ଚ୍ଛନା ସାଙ୍ଗକୁ ଯାନ୍ତ୍ରିକ ଧ୍ୱନି ଦେଉଛି ଠିକ୍ ସେ କହି ହେବ ନାହିଁ । ଏଇ ହାଲକା ଶୀତୁଆ ପବନଟା ଯେତେବେଳେ ଅସଜଡ଼ା କେଶ ରାଜିିକୁ ଆନ୍ଦୋଳିତ କରେ, ସେ ପୁରୁଣା ସୃତି ଟିକେ ଭାସିଯାଏ ଆଖି ଆଗେ, ସେଦିନ ଯେମିତି ପ୍ରେୟସୀ ତା’ର ଚୂର୍ଣ୍ଣ କୁନ୍ତଳକୁ ମୁହଁରୁ ଏଡ଼ାଉଥାଏ ତା’ର ସେ ନାଲି ନେଲପଲିସ୍ ଲଗା ନଖରେ, ଟିକିଏ ଉଦ୍‌ବିଘ୍ନ ବି ଲାଗୁଥାଏ କାଳେ ତା ମୁନିଆଁ ନଖ ବାଜି ତା ଚେହେରାରେ ଦାଗ ହେଇଯିବନି ତ? ସ୍ମୃତିର ପେଡ଼ି ଖୋଲି ହଉ ହଉ କିଛି ବାଟରେ ଦେଖିଲି ଯୁବକଟିଏ ୧୯-୨୦ ବର୍ଷ ହେବ ଲିଫ୍ଟ ମାଗୁଥାଏ । ହଁ ମୋରି ଆଡ଼େ ତା ଇସାରା ଥିଲା । ସେ ପ୍ରତିବନ୍ଧନରୁ ବାହାରିବାକୁ ହେଉ କି ଜିଜ୍ଞାସାବଶତଃ ହେଉ ଗାଡ଼ିଟା ଅଜାଣତରେ କେତେବେଳେ ଅଟକିଯାଇଥିଲା ତା’ପାଖେ । ସାର୍ ବୋଲି ସମ୍ବୋଧନ କଲା ପିଲା, ଆଜିକାଲି ଏଇ ସମ୍ବୋଧନାଟା ହିଁ ଚାଲିଛି, ହୁଏ ତ ଭାଇ ବୋଲି ଡାକିଥିଲେ ମୋ ଫାଙ୍କା ଆତ୍ମସ୍ୱାଭିମାନଟା ମୋତେ ଅଭିମାନ କରିଥାନ୍ତା । ପିଲାଟିର କଥାବାର୍ତ୍ତାରୁ ବେଶୀ ନ ପଡ଼ିଥିଲେ ବି ପିଲାଟା ଯେ ମୂର୍ଖ ନୁହେଁ ବୋଲି ଜାଣି ହେଉଥାଏ । ଧଳାରଙ୍ଗର ହାଫ୍ ସାର୍ଟ, କଳା ପ୍ୟାଣ୍ଟ ସଙ୍ଗେ ଇନ୍ କରିଥିଲା । ସାର୍ଟ କ୍ରମଶଃ କଳା ପଡ଼ି ଆସୁଥାଏ ଓ ପ୍ୟାଣ୍ଟଟି କଳାରୁ ଧଳା ହୋଇ ସରିଥାଏ ବାରମ୍ବାର ଧୁଆରେ । ବେଶୀ ନ ହେଲେ ଆଉ ମାତ୍ର ୨-୩ ଥର ଧୁଆରେ ମୋକ୍ଷ ପାଇବ ଡ୍ରେସ୍ ହଳକ । ମୋଟ୍ ଉପରେ କହିବାକୁ ଗଲେ ଗରିବ ପଦବାଚ୍ୟ ।

ପିଲାଟି କହିଲା ସାର୍ ଟିକେ ଆଗରେ ଛାଡ଼ି ଦେବେ । ମୁଁ ହଁ କହି ବସେଇ ଦେଲି । ଗରିବୀ ସହିତ ଅପରାଧର ଥିବା ସମସ୍ତ ଚିତ୍ରପଟଗୁଡ଼ା ମୋ ପ୍ରଚ୍ଛଦ ପଟରେ ଚାଲିଥାଏ । ପିଲାଟା ଦୁର୍ବଳ ହେଲେ ବି, ବପୁରେ ମୋ’ଠାରୁ ନ୍ୟୁନ ହେଲେ ବି ଯଦି ଅସ୍ତ୍ର ଖଚିତ ହୋଇଥାଏ, ତା’ହେଲେ ଏଇ ଜିମ୍ ଯିବା ଦେହ କ’ଣ ପାରିବ ! ତାକୁ ଡରି ନଥିଲେ ବି ଅବସ୍ଥାଟା ଆଙ୍ଗିକ ରୂପେ ଶଙ୍କାଗ୍ରସ୍ତ ଥାଏ । ପଚାରିଲି କୁଆଡେ଼ ଯାଉଛ । ସେ କହିଲା “ଏଇ ପୀରବଜାରରେ ଆମ ଘର, ପୁରୀଘାଟକୁ ଯାଇଥିଲି କାମରେ ଫେରୁ ଫେରୁ ଡେରି ହୋଇଗଲା ।” “ତମକୁ ତ ବହୁତ ସମୟ ଲାଗିବ ଟେମ୍ପୁ ଧରିଲନି ପୁରୀଘାଟରୁ ଶୀଘ୍ର ହୋଇଥାନ୍ତା ।” ସେ କହିଲା, “ସାର୍ ଟେମ୍ପୁ ୩୦ ଟଙ୍କା କହିଲା, ମୁଁ ଭାବିଲି ଚାଲିକି ପଳେଇବି, ଯେତେ ସମୟ ଲାଗୁଛି ଲାଗୁ ।” ତା’ର ଉତ୍ତରରେ ବାହାସ୍ଫୋଟ ନ ଥିଲା, ଥିଲା ୩୦ ଟଙ୍କାର ମହତ୍ତ୍ୱ ଦର୍ଶାଉଥିବା ଗୋଟେ ପିଲାର ଗାମ୍ଭୀର୍ଯ୍ୟ । ସେଦିନର ଫରାସୀ ଦୁର୍ଭିକ୍ଷ ବେଳେ ଫ୍ରାନ୍ସର ରାଣୀ ଯେତେବେଳେ କହିଥିଲେ ଯଦି ଲୋକମାନେ ରୁଟି ଖାଇବାକୁ ପାଉନାହାନ୍ତି ତା’ହେଲେ କେକ୍ ଖାଆନ୍ତୁ । ତା’ର ଗୋଟେ ଛୋଟ ଦେଶୀୟ ସଂସ୍କରଣଟା ସେତେବେଳକୁ ମୋ ଆଗରେ ମସ୍ତ ହୋଇସାରିଥାଏ । ମୋ ପାଇଁ ସିନା ୩୦ ଟଙ୍କା ଗୋଟେ ସାମାନ୍ୟ କଥା ତା’ ପାଇଁ ସେଇଟା ୧୦ କି.ମି. ନିର୍ଜନ ରାତିର ଚାଲି ।

ତାକୁ ପଚାରିଲି, “କ’ଣ କାମରେ ଯାଇଥିଲ?” ଉତ୍ତରରେ କହିଲା, “ସାର୍ ପୁରୀ ଘାଟରେ ଗାଡ଼ି ଧୁଆଧୁଇ ଦୋକାନରେ ଆଜି ପ୍ରଥମ ଦିନ କାମ ଥିଲା । ଫେରୁ ଫେରୁ ଡେରି ହୋଇଗଲା । ମାଲିକ ଡେରିଯାଏଁ ରଖିଦେଲା ।” ଘରେ ଆଉ କିଏ କିଏ ପଚାରିବାରୁ କହିଲା, “ବାପା, ବୋଉ ଆଉ ସାନ ଭଉଣୀଟା । ବାପାଙ୍କର ସପ୍ତାହ ତଳେ କଚଡ଼ି ହଅଡ଼ ଭାଙ୍ଗି ଯାଇଛି, ସେ ଏବେ ଶଯ୍ୟାଶାୟୀ ମେଡ଼ିକାଲରେ; ଜମା ପୁଞ୍ଜୀ ତକ ସବୁ ସରିଗଲା । ମୁଁ କାମ କଲେ ହିଁ ଘର ଚଳିବ ।” ଜିଜ୍ଞାସାଟା ମୋର ବଢ଼ି ଚାଲିଥାଏ ହେଲେ ସେ ଜିଜ୍ଞାସା ତା’ର ଦୁଃଖରେ ସମଦୁଃଖି ହେବାର କି ମୋ ଜୀବନ ସହିତ ତୁଳନାତ୍ମକ ଅଧ୍ୟୟନରେ ମୋର ଜିତାପଟ ସେତବେଳେ ମୁଁ ବି ଠିକ୍ ସେ କହିପାରିବି ନାହିଁ ।

ସାଧାରଣରେ କୌଣସି ଦୁର୍ଘଟଣାରେ ମଣିଷ ହଠାତ୍ ଦୁଃଖି ହେବାର କାରଣ ସେ ନିଜକୁ ସେ ଘଟଣା ସହିତ ସଂଶ୍ଲିଷ୍ଟ କରିଦିଏ । ତା’ ଦୁଃଖକୁ ନିଜ ଦୁଃଖ ଭାବି ସମଦୁଃଖି ହୁଏ ସେଇଟା ହୁଏ ତର୍କ ସାପେକ୍ଷିକ । ପିଲାଟା ଗପି ଚାଲିଥାଏ । “ବୋଉ କହିଲା ୧୦୦ ଟଙ୍କା ନେଇକି ଆସିବୁ, ବାପାରେ ଚାଉଳ କିଣା ହେବ, ଘରେ ତେଲ ଲୁଣ ନାହିଁ । ଆମେ ସମସ୍ତେ ତ ମେଡ଼ିକାଲରେ ଥିଲୁ ସପ୍ତାହ ଯାଏଁ ଘରେ କେହି ନଥିଲେ । ଆଜି ଯଦି ଟିକେ ଶୀଘ୍ର ଯାଇଥାନ୍ତି ପଇସା ନେଇ ଘରେ ଖାଇବା ପିଇବା ହୋଇଥାଆନ୍ତା । ଘରେ ବୋଉ ଅପେକ୍ଷାରେ ଥିବ ।” ସରକାରଙ୍କ ଟଙ୍କିକିଆ ଚାଉଳ ସବୁ ଗରିବର ଭାତ ହାଣ୍ଡି ଗରମ କରିପାରେେ ନାହିଁ ଏହା ସର୍ବଜନବିଦିତ ସତ୍ୟ । ମୁଁ ପଚାରିଲି, “ହେଲା ତୋର ୧୦୦ ଟଙ୍କା?” ପିଲାଟି ଶ୍ୱାସରୁଦ୍ଧ ହେଲା ପରି କହିଲା, “ନା’ ।” ମୁଁ ତା ମୁହଁଟିକୁ ଦେଖି ପାରୁ ନଥିଲି, ହେଲେ ତା’ର ଆଖି ଜକେଇ ଆସିଥିବା ବୋଲି ଅନୁମାନ କରିହେଉଥାଏ । ତା’ର କଣ୍ଠରେ ଥାଏ ଆଦ୍ରତା । “ସେ ମାଲିକକୁ ପଇସା ମାଗିବାରୁ କହିଲେ ଆଜି ତୋର ପ୍ରଥମ ଦିନ କେମିତି କାମ କରୁଛୁ ଦେଖିଲି, କାଲି ଆସେ ତତେ ଦିନକୁ ୧୫୦ ଟଙ୍କା ଦେବି । ଏହିସବୁ କଥା ଶୁଣି କ’ଣ କରିବି ଭାବି କାଲି ଆଉ ଥରେ ସେଠାକୁ ଯିବି ବୋଲି ଭାବିିିଛି ।”

ଗରିବୀ, ଗରିବ ଆଉ ସେ ଅନୁଭବଟିକୁ କେବେ କହି ହୁଏ ନାହିଁ । ସେଥିରେ ନା ବଞ୍ଚି ହୁଏ, ନା ମରିହୁଏ । ମୃତ୍ୟୁ, ଆତ୍ମହତ୍ୟା, ଇଚ୍ଛାମୃତ୍ୟୁ ଏଇଗୁଡ଼ା ମଧ୍ୟ ସମାଜର ଉଚ୍ଚ ବର୍ଗ ପାଇଁ ସଂରକ୍ଷିତ ଶବ୍ଦ ସମ୍ଭାର । ମନର ଭୟ ହେଉକି, ପରିସ୍ଥିତିରୁ ପଳାୟନ ପନ୍ଥୀ ବିଚାରଧାରା ହେଉ ତାକୁ ନୂଆ ବଜାର ଛକ ପାଖେ ଛାଡ଼ି ଦେଲି । ପକେଟ୍ ଅଣ୍ଡାଳିଲି, ପର୍ସରେ ମାତ୍ର ୫୦ ଟଙ୍କା ଆଉ ପ୍ୟାକେଟ୍ ସିଗାରେଟ୍ ଅଛି । ହଁ…. ଏବେ ହିଁ କିଣିଥିଲି ଟିକେ ପୂର୍ବରୁ । ତାକୁ କହିଲି ତୁ ଏଇଠି ଠିଆ ହୋଇଥା ମୁଁ ଏଟିଏମ୍‌ରୁ ପଇସା ଉଠେଇ ଦେବି । ରାତିର ନିର୍ଜନତା ଟିକେ ଡରଉଥାଏ । ତା’ ପ୍ରତି ଅବିଶ୍ୱାସ ମଧ୍ୟ ଥାଏ । ହୁଏତ ଜବରଦସ୍ତି କରିବ, ଛୁରୀ ଦେଖେଇ ଫୋନ୍‌ଟା ନେଇ ପଳାଇବ ହେଲେ ଅବିଶ୍ୱାସଟା ତା’ ଆଖି ଅପେକ୍ଷା ମୋ ମୁଣ୍ଡରେ ବେଶୀ ଥିଲା ପରି ମନେ ହେଲା । ଏଟିଏମ୍ ପଶିଗଲା ବେଳେ ଭାବୁଥାଏ ଏଇ ପଇସା ଦେବାଟା କ’ଣ ମୋର ତାକୁ ସାହାଯ୍ୟ କରିବାର ମାନସିକତା? ନା, ଥିଲା ବାଲାର ନଥିଲା ବାଲା ପ୍ରତି ଦୟା ଭାବ, ନା, ଦୁଃଖରେ ସମଦୁଃଖୀ ହେଇ ନିଜକୁ ତା’ ଜାଗାରେ ରଖି ନିଜକୁ ନିଜେ ସାହାଯ୍ୟ କରିବାର ମଣିଷର ଆଦିମ ପ୍ରବୃତ୍ତି ।

– ବାପୁନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବାପୁନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।