ଡାର୍ଲିଂ
ଡାର୍ଲିଂ

ଡାର୍ଲିଂ

ଏ, ଶୁଣ, ଶୁଣୁଛ ଡାକୁଥିବା ଶନିଆ ମୁହଁରୁ “ଡାର୍ଲିଂ” ଡାକଟା ଶୁଣି ଚମକି ପଡ଼ିଲା, ଯଶୋଦା । ବାହାଘରର ଦୁଇ ବର୍ଷ ବିତିସାରିଥିଲେ ବି ତା’ ମୁହଁରୁ ଏମିତିକା ଡାକ କେବେ ଶୁଣିନଥିଲା ସେ । ତା’ ଛଡ଼ା ଏଇଟା ତ ତା’ ବାବୁଆଣୀର ନାଁ, ବାବୁଙ୍କ ମୁହଁରୁ କେବେ କେବେ ଡାକିବାର ସେ ଶୁଣିଛି । ସେ ଶନିଆ ପାଖକୁ ଲାଗିଯାଇ ତା’ ମୁହଁକୁ ଶୁଂଘିବାକୁ ଚେଷ୍ଟାକଲା । କାଳେ ବଡି ଭୋରୁ ଉଠି ସେ ଦି’ପାଆ ହାଣ୍ତିଆ ପିଇଦେଇନି ତ !

ଶନିଆ ହସିଲା ଓ ତାକୁ ପାଖକୁ ଭିଡ଼ିଆଣି କହିଲା, ମୁଁ କଣ ମଦୁଆ କି ଲୋ? ଯାହା ପିଉଥିଲି ବାହାଘର ଆଗରୁ । ହଁ, ଅବଶ୍ୟ କେବେ କେମିତି ସାଙ୍ଗସାଥିରେ ଥରେ ଅଧେ ପିଇଛି । କିନ୍ତୁ ତୋ ନିଶାରେ ମୁଁ ମାତାଲ୍ ହେବା ପରଠାରୁ ଆଉ କିଛି ନିଶାର କି ଦରକାର? ଯଶୋଦା ନିଜ ଅଜାଣତରେ ଛନ୍ଦି ହୋଇଯାଇଥିଲା, ତାର ବଳିଷ୍ଠ ବାହୁ ଦୁଇଟିର ଛନ୍ଦରେ ।

ଶନିଆ ବୁଝଉଥିଲା, ସବୁଠାରୁ ଅଧିକ ଭଲ ପାଉଥିବା ଡାକକୁ “ଡାର୍ଲିଂ” ବୋଲି କହନ୍ତି । କାଲି ଜଣେ ପାଠପଢ଼ୁଆ ବାବୁଙ୍କଠାରୁ ସେ ପଚାରି ବୁଝିଛି । ସେଇଟା କାହାର ନାଁ ନୁହେଁ ।

ଯଶୋଦା ଏଇ କେତେଦିନ ହେବ ଲକ୍ଷ୍ୟ କରିଛି, ଶନିଆ କାହିଁକି ବେଶୀ ବେଶୀ ତାକୁ ଭଲପାଉଛି । ପାଇଟି ନ ଯିବାକୁ ଜିଦ୍ କରୁଛି । ବେଳେ କହୁଛି, ସେ କୁଆଡ଼େ ଏକଲା ରିକ୍ସା ଟାଣି ପୋଷିଦେବ ସଂସାର ! ଫୁଟାଣି ଝାଡ଼ୁଛି, “ତୋତେ ପୋଷିବି, ତୋ’ର ଦିଗଣ୍ତା ଛୁଆ ହେଲେ ବି ପୋଷିବି !” କେତେ ବା କମାଇବ ଯେ, ରିକ୍ସା ପେଲି ପେଲି ! ସେଥିପାଇଁ ସେ ତା’ କଥାକୁ ଏ କାନରେ ଶୁଣି ସେ କାନରେ ବାହାର କରିଦିଏ । ତା’ ଛଡ଼ା ବାବୁଆଣୀ ବି ତା’ର ଅସଜ ଅଛନ୍ତି । ପ୍ରଥମ ପିଲା ତାଙ୍କର । ବାବୁ ଅଧିକାଂଶ ସମୟ ବାହାରେ ରହନ୍ତି, ବିଜିନେସ୍‌ରେ । ସେ ହିଁ ତାଙ୍କର ସାହାଭରସା ।

ତା’ର ନିଜର ବି କୋଉ ଦେହ ଭଲ ଅଛି ଯେ ! ମାସ ଗଡ଼ା ହେବା କୋଡିଏ ବାଇଶ ଦିନ ହେଲାଣି । ମୁଣ୍ତ ବୁଲାଇ କେବେ କେବେ ଝଳକେ ଝଳକେ ବାନ୍ତି ହେଉଛି । ବେଳେବେଳେ ଅନ୍ଧାର ଦେଖାଯାଉଛି । ଅଙ୍ଗନବାଡ଼ି ଦିଦି ପାଖକୁ ଯିବାକୁ ତର କାହିଁ?

ଶନିଆ ତ’ ଶୁଣିବା ଦିନରୁ ବେଶୀ ବେଶୀ ସୋହାଗ ଦେଖାଉଛି । ଶାଗ ମାରିଶ କିଣି ଆଣୁଛି । ବେଳେବେଳେ ସିଝା ଅଣ୍ଡା ଗୋଟେ ବା ଦୁଇଟା ଅବା ଖାସିଗୋଡ଼ି ଧରି ଘରକୁ ଫେରୁଛି । ନିଜେ କ’ଣ କ’ଣ ପକାଇ ରାନ୍ଧିବସୁଛି । ଦରସିଝା ଝୋଳକୁ ବାଧ୍ୟକରି ପି ପି କହୁଛି । ବାପା ହେବା ଖୁସିରେ ଫାଟିପଡ଼ୁଛି କେଜାଣି !

କ’ଣ ଏ ବାପା ହେବାରୁ ମିଳେ କେଜାଣି? ସବୁ ପୁରୁଷ ଗୁଡ଼ା ପାଗଳ ହୋଇଯାନ୍ତି ସେଇଥିପାଇଁ । କ’ଣ ପାରିବା ପଣର ସ୍ୱୀକୃତି ନା ପୌରୁଷତ୍ୱର ସଫଳ ପରିପ୍ରକାଶ । ଯଦିଓ ସେମାନେ ଜାଣିଥାନ୍ତି, ତା’ପରେ ତାଙ୍କୁ ଅଧିକ ବୋଝ ବୋହିବାକୁ ପଡ଼ିବ, ଭାରବାହୀ ବଳଦ ପରି ବଞ୍ଚିଥିବା ଯାଏ ।

ବାବୁଙ୍କର ଡାର୍ଲିଂ ଡାକରେ ମାଆ ଓଃ କହିବା ଆଗରୁ ସେ ଚମକିପଡ଼େ ଓ ମନେମନେ ହସି ପକାଏ । କାଲି ରାତିରୁ ଫେରିଛନ୍ତି ବାବୁ । ବଡ ବ୍ୟସ୍ତ ହୋଇ ସେ ଆଜି ମାଆଙ୍କୁ ଡାକ୍ତରଖାନା ପଠାଇବାର ବନ୍ଦୋବସ୍ତ କରିସାରିଲେଣି । ତାକୁ ବି ତାଗିଦ୍ କରିସାରିଲେଣି, ପାଖେପାଖେ ରହି ମାଆଙ୍କ ଯତ୍ନ ନେବାପାଇଁ । ମା କିନ୍ତୁ ଅମଙ୍ଗ । ହେଲେବି ବାବୁଙ୍କ କଥାରେ ଅରାଜି ହେବାର ଯୁ କାହିଁ?

ସବୁଦିନ ପରି ଆଜି ମଧ୍ୟ କ୍ଷୀର ଗରମ କରି ନେବା ପାଇଁ ଆସିଥିବା ବେଳେ ସେ ଚମକି ପଡ଼ିଲା ବାବୁଙ୍କର ଡାର୍ଲିଂ ଡାକରେ । ସେ ଥମ୍ କରି ବସିପଡ଼ିଲା ଚଟାଣରେ । କୈତୁହଳ ବଶତଃ ଛୁପିଛୁପି ସେ ପାଦ ବଢ଼ାଇଲା ବେଡ୍‌ରୁମ୍‌ର ଝରକା ପାଖକୁ । ଘୃଣାରେ ତା’ ଛାତି ଫାଟି ଯାଉଥିଲା । ମାଆଙ୍କ ପ୍ରତି ବିଶ୍ୱାସଘାତକତାରେ ତା’ ମୁଣ୍ଡ ଝାଇଁଝାଇଁ କରୁଥିଲା । ଲକ୍ଷ୍ମୀପ୍ରତିମା ପରି ମାଆଙ୍କ ସୁନାସଂସାରକୁ ଚୁନାକରିବାକୁ ଆସିଥିବା ଡାହାଣୀର ତଣ୍ଟି ଚିପିଦେବାକୁ ମନ କହୁଥିଲା । ଇଚ୍ଛା ହେଉଥିଲା ସେ ଗରମ ଖୀରତକ ଛାଟି ଦିଅନ୍ତା ବାବୁଙ୍କର ଡାର୍ଲିଂର ମୁହଁକୁ । ଚିରଦିନ ପାଇଁ ବିଭତ୍ସ କରିଦିଅନ୍ତା ତା’ ମୁହଁକୁ ଯେ ବାବୁ ଆଉ କେବେବି ତା’ ମୁହଁକୁ ଚାହାନ୍ତେନି । ଅଣନିଶ୍ୱାସୀ ହୋଇ ଏକ ମୁହାଁ ଦୌଡ଼ିଲା ସେ ଡାକ୍ତରଖାନାକୁ । ମାଆଙ୍କ ବେଡ୍ ପାଖରେ ଥର୍ମୋଫ୍ଲାକ୍ସ୍‌ଟି ଥୋଇଦେଇ ସେ ଭୋଭୋ କାନ୍ଦିବାକୁ ଲାଗିଲା । ବାବୁଆଣୀ କ’ଣ ହେଲା କ’ଣ ହେଲା ପଚାରିବାରୁ, “ମୋ ମରଦ—ମୋ ମରଦ—” କହି କହି ସେ ଦୌଡ଼ିବାକୁ ଲାଗିଲା ତା’ ଘରକୁ । ସବୁ ପୁରୁଷଗୁଡ଼ା ଧୋକାବାଜ୍ ପରି ମନେ ହେଉଥିଲେ ତାକୁ । ବିଷେଇ ଯାଉଥିଲା ସେ ।

ସେ ଟିଣ କବାଟଟିକୁ ଏକପ୍ରକାର ଧକ୍କାଦେଇ ଧସେଇ ପଶିଲା, ଘର ଭିତରକୁ । ଶନିଆ ଦୌଡ଼ିଆସି ଡାର୍ଲିଂ, ଡାର୍ଲିଂ କହି ବାନ୍ଧି ଧରିଲା ତାକୁ ତା’ ବାହୁ ଯୁଗଳରେ । ତା’ର ଅଣ୍ଟାଚାରିପଟେ ଗୁଡ଼ା ହୋଇଥିବା ଶନିଆର ହାତ ଦୁଇଟି ତାକୁ ନାଗଫାଶ ପରି ବୋଧ ହେଉଥିଲା । ତା’ର ଝାଳୁଆ ଦେହର ଗନ୍ଧରେ ସେ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା । କ୍ଷତାକ୍ତ ନାଗୁଣୀ ଫଣା ତୋଳି ଗର୍ଜନ କରିବା ପରି ସେ ଗର୍ଜିବାକୁ ଲାଗିଲା । “ଛାଡ଼୍ ମୋତେ ! ସେ ସୋହାଗିଆ ଡାକ, ଡାର୍ଲିଂ ବୋଲି କେବେବି ଆଉ ଡାକିବୁନି । ଏ, ଶୁଣ, ଶୁଣୁଛ, ତୁ, ତା, ବେ, ବା, ଯାହାବି ଡାକ ମୁଁ ଶୁଣିବି । ଠକ, ପାଜି, ଭଣ୍ଡ, ବିଶ୍ୱାସଘାତକ ! ତୁମ ପୁରୁଷ ଜାତିକୁ ଛି !”
ଯଶୋଦାର ଗାଳି ଶୁଣି ଶନିଆ ଅବାକ୍ ହୋଇ ଚାହିଁରହିଥିଲା ଆଉ ମନେମନେ ଭାବୁଥିଲା, ୟା ଭିତରେ ସେ କିଛି ଭୁଲ କାମ କରି ବସିନି ତ !

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu