ଶୂନ୍ୟତାରେ ପୂର୍ଣ୍ଣତା
ଶୂନ୍ୟତାରେ ପୂର୍ଣ୍ଣତା

ଶୂନ୍ୟତାରେ ପୂର୍ଣ୍ଣତା

ଟିକିଏ ନିରବି ଯାଅ, ନିଶବ୍ଦରେ ଶୁଣ,
ସ୍ପଷ୍ଟ ଶବ୍ଦ ‘ନିଶବ୍ଦତା’ର ।
ଏବଂ ‘କିଛି ନାହିଁ’ର ବ୍ରହ୍ମାଣ୍ଡରେ,
ଶୁନ୍ୟତାରେ, ‘ପୂର୍ଣ୍ଣତା’କୁ ଅନୁଭବ କର ।

ଆଖି ବନ୍ଦକର ଏବଂ ଦେଖ,
‘କିଛି ନାହିଁ’ର ଏ ସୃଷ୍ଟି
କିପରି ସୃଜନରେ ବ୍ୟସ୍ତ ।

ଶୂନ୍ୟ କେବଳ ‘କିଛି ନଥିବାର’
ପରିଭାଷା ନୁହେଁ,
ଶୁନ୍ୟ ‘ସବୁ କିଛି’ ଥିବାର ଆଭାସ ।

ସବୁ କିଛି ଦୃଶ୍ୟ ନୁହେଁ ଏଠି,
ହେଲେ, ସବୁ କିଛି ଦେଖିବାର ଆଶା ।

କିନ୍ତୁ, ନୟନ ତ ବନ୍ଦ ରହିଛି ସର୍ବଦା,
ଆଶାର, ଆଶଙ୍କାର, କାମର, କାମନାର
ଲୋଭ, ଅହଂଙ୍କାର, ଇର୍ଷା, ଘୃଣା ଆଉ
ହିଂସାର ତେଜସ୍ୱ କିରଣେ ଦୃଷ୍ଟି ଯେ ଝଲସି ଯାଇଛି,
ଶୁନ୍ୟକୁ ଦେଖିବାର ସାମର୍ଥ୍ୟ ହରାଇ ବସିଛି ।

ନିଶବ୍ଦ ଏ ମହାଶୁନ୍ୟ ‘ଶୂନ୍ୟଶବ୍ଦା’ ନୁହେଁ
କାନ ବନ୍ଦକର ଏବଂ ଶୁଣ,
ଅନ୍ତରୀକ୍ଷେ ସେ ନିନାଦିତ ଗୁରୁ ଗମ୍ଭୀର ନାଦକୁ ।

ସେ ‘ନାଦ ବ୍ରହ୍ମ’କୁ ଆତ୍ମସାତ କର,
ସେ ନାଦରେ ଭିଜି ଯାଅ, ନିଜକୁ ହଜାଇ ଦିଅ
ଶୁନ୍ୟତାର ଅନନ୍ତ ଅନୁଭୂତିରେ,
ନିଜର ଶୁନ୍ୟତାକୁ ମହାଶୂନ୍ୟତାରେ
ଏକାକାର କରି ଦେଇ,
ଆଉ ନିଜକୁ ନ ଖୋଜିବାର ଅନୁଭୁତିରେ
ନିଜକୁ ପ୍ଲାବିତ କରିଦିଅ ।

ଅନ୍ତସଲିଳା ସେ ଫଲ୍ଗୁ ଧାରା
ତୁମର ନିଜସ୍ୱ ଅମୃତ,
ପାରିବ ତ ଆକଣ୍ଠ ପାନକର ।

ମୃତ୍ୟୁ, ଅମୃତ୍ୟୁର ପରିଧିକୁ
ଲଙ୍ଘିବାର ସାମର୍ଥ୍ୟ ତୁମର ।

ସେହି ଶୁନ୍ୟତାରେ ନିଜକୁ ଖୋଜ,
ନିଜକୁ ପାଇଗଲେ ସବୁ କିଛି ପାଇଯିବ ।

ଚେତନ ଯେ ଚୈତନର ଆଖି ବନ୍ଦ କରିଯାଏ,
ଅନନ୍ତରେ ଅନ୍ତ ଖୋଜେ ।

ତାର ଅଭିଳାଶା
ସବୁ କିଛି ସୀମାବଦ୍ଧ କରିଯିବ
ନିଜ ଦୃଷ୍ଟିର ପରିଧୀ ଭିତରେ, ହେଲେ
କେତେ ଯେ ଅଦେଖା ରହିଯାଏ
ଦୃଷ୍ଟିର ପରିସୀମା ଆରପାରେ ।
ସେ ଦୃଷ୍ଟିର ବିଷୟ ନୁହେଁ,
ସେ କେବଳ ଅର୍ନ୍ତଦୃଷ୍ଟିର ବିଷୟ ।
ଚିନ୍ତନ ନୁହେଁ ଆତ୍ମ ଚୈତନର ବିଷୟ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu