ଚପଲ ଚୋରି
ଚପଲ ଚୋରି

ଚପଲ ଚୋରି

ମାନୁ ସକାଳୁ ସକାଳୁ ଅଗଣାରେ ହାଜର । ନୂଆ ନୀଳାମ୍ବରୀ ପାଟ ଶାଢ଼ୀ, ପାଦରେ ଅଳତା, ନଖପାଲିଶି, ଆଖିରେ କଜଳ, ମୁଣ୍ଡରେ ସିନ୍ଦୂର ନାଇ ଖୁବ୍ ସୁନ୍ଦର ଦିଶୁଛି । ତା’ ସାଙ୍ଗକୁ ଶାଶୁ ଦେଇଥିବା ନେଳି କାଚ ମୁଠାକ ଯେମିତି ପରିପୂର୍ଣ କରୁଥାଏ ତା’ର ରୂପ-ଲାବଣ୍ୟକୁ । ସାମନ୍ତରାଏ ଘରର ବଡ଼ ବୋହୁ ସେ ! ତା’ ତଳକୁ ଦୁଇ ଦିଅର ଆଉ ଜଣେ ବଡ଼ ନଣନ୍ଦ । କଟକ ତଳ ତେଲେଙ୍ଗା ବଜାର ମହାନ୍ତି ସାହିର ବଡ଼ ନାମଜାଦା ତା’ ଶଶୁର ଘର । ଶଶୁର ଜଣେ ନାମଜାଦା ଡାକ୍ତର ଆଉ ସ୍ୱାମୀ ଜଣେ ଜଣାଶୁଣା ଓକିଲ । ବଡ଼ ନଣନ୍ଦ କଲିକତାରେ ରୁହନ୍ତି, ଆଉ ତାଙ୍କ ବର ଫୀସରି ଡିପାର୍ଟମେଣ୍ଟରେ ବଡ଼ ଅଫିସର । ସାନ ଦିଅର ଦୁଇଜଣଙ୍କ ଭିତରୁ ଜଣେ ଡାକ୍ତରୀ ପଢ଼ନ୍ତି ଆଉ ଜଣେ ରେଭେନ୍‌ସା ମହାବିଦ୍ୟାଳୟର ଛାତ୍ର । ପୁରୁଣା କାଳିଆ ଦୋତାଲା ବଡ଼ ଖଞ୍ଜା ଲଗା ଘର । ବଡ଼ ଅଗଣା ସାଥୀକୁ ରୋଷେଇ ଘର ଲଗା । ମାନୁ ଓରଫ ମୋନାଲିସା ଦାସ, ଓରଫ ମିତା । ବାପାମାଆଙ୍କ ଗୋଟେ ବୋଲି ଅଲିଅଳି ଝିଅ ସେ । ବାପା ଜଣେ ଜଣାଶୁଣା ବ୍ୟବସାୟୀ, ରଘୁନାଥପୁରର । ଗାଁ ଝିଅ ସେ, ସରଳ ସୁନ୍ଦର ଆଉ ଖୁବ ସାଧାସିଧା । ତା’ର ରୂପ ଆଉ ଗୁଣରେ ବିମୋହିତ ହେଇ ବୋହୂ କରି ଆଣିଥିଲେ ତା’ ଶାଶୁ ଆଉ ଶଶୁର ତାକୁ ମାତ୍ର ୧୯ ବର୍ଷ ବୟସରୁ । ତା’ ଡାକ ନାଁ’ଟା ମିତାରୁ ମାନୁ ଆଉ ସାଙ୍ଗିଆଟା ଦାସରୁ ସାମନ୍ତରାଏ କରିଦିଆଯାଇଛି ଶଶୁର ଘରେ। କୁଆଡ଼େ ତା’ର ଆଉ ତା’ ବାପା ଘର ଗୋତ୍ର କି ନାଁ ସହିତ ଆଉ କିଛି ବି ସମ୍ପର୍କ ନାହିଁ । ରକ୍ତରେ ଥିବା ତା’ ଜିନକୁ କିଏ ବଦଳେଇ ପାରିବ ବୋଲି ଭାବିକି ବେଳେ ବେଳେ ହସିଦିଏ ମାନୁ । ସମସ୍ତେ ଭାରି ଭଲ ପା’ନ୍ତି ଆଉ ଆଦର ବି କରନ୍ତି ତାକୁ । ବାହାଘରର ୫ ବର୍ଷ ବିତି ଯାଇଥିଲେ ବି ଆଜି ଯାଏ ସେ ନୂଆବୋହୂ ଘରର । ଶିଶୁ ସୁଲଭ ଗୁଣ ଖୁନ୍ଦି ହେଇ ଭରି ରହିଥିଲେ ମଧ୍ୟ, ସେ ଏବେ ୩ ବର୍ଷ ପୁଅଟିର ମାଆ, ଘରର ବଡ଼ ବୋହୂ, ଆଉ କେତେ କ’ଣ ଭାରି ଦାଇତ୍ୱର ଅଭିଧାରିଣୀ ।

ସେଦିନ ଶଶୁର ଚାହା କପଟି ଧରି ଅଗଣାରେ ଖରା ଖାଉଥାନ୍ତି ଶୀତ ସକାଳଟାରେ । ସମାଜ ପଢ଼ୁ ପଢ଼ୁ କହିଲେ, କିରେ ତୁ ତ ପୁରା ସଜବାଜ ହେଇ ଆସିଗଲୁ ଯେ, ମନ୍ଦିର ଯିବୁ କାହା ସହିତ? କାହିଁ, ତା’ ବର ସହିତ ଯିବ, ପଚାରୁଛ କ’ଣ ଯେ ବୋଲି କହିଲେ ଶାଶୁ ରୋଷେଇ ଘର ଝରକା ପାଖରେ ଠିଆ ହୋଇ । ନାଁ ବୋଉ ସେ ଶୋଇଛନ୍ତି, ମନା କଲେ ନେବେନି ମନ୍ଦିର । ଆଉ ଦିଅର ଦୁଇଜଣ ଯାକ ତ ତାଙ୍କ ସାଙ୍ଗ ବାହାଘରକୁ ଯାଇଛନ୍ତି ଯେ ଫେରି ନାହାନ୍ତି ଏଯାଏଁ, ସନ୍ଧ୍ୟାରେ ଫେରିବେ କାଳେ ! ବାପା, ମୁଁ ଆଜି ଜନ୍ମଦିନଟାରେ ମନ୍ଦିର ଯାଇଥାନ୍ତି ଟିକେ ।

ରିକ୍ସାଟେ ଡାକି ଦେଲେ ନିଜେ ନିଜେ ପଳେଇବି ।

ଶାଶୁ: ତୋ ମୁଣ୍ଡ କାମ କରୁନି କିଲୋ, ଏଡ଼େ ବଡ଼ ଘରର ବୋହୁ ହେଇ ଏକୁଟିଆ ରିକ୍ସାରେ ଯିବୁ ମନ୍ଦିର? ହଇଓ, ତୁମେ ନେଇ ଯାଅ ତାକୁ ଟିକେ ।
ଶଶୁର: ମୋତେ ଥଣ୍ଡା, କାଲିଠୁ କଫ ବି ଯାକିଛି । ଏଇ ବୟସରେ ସକାଳୁ କେମିତି ଗାଧେଇ କି ଯିବି କହୁନ? ତୁ ଗୋଟେ କାମ କରେ ମା, ଏଇଠି ଦିଅଁଙ୍କୁ ମୁଣ୍ଡିଆ ମାରି ଦେ ।
ଶାଶୁ: ହଁ ମ, ତୁ ଆଉ କ’ଣ ତୋ ବାପାମାଆଙ୍କର ଛୋଟ ଝିଅ ହେଇରହିଛୁ ଯେ, ଜନ୍ମ ଦିନରେ ମନ୍ଦିର ନଗଲେ କି ଦିଅଁ ଦର୍ଶନ ନକଲେ କଉ ବେଦ ଅଶୁଦ୍ଧ ହେଇଯିବ? ତୁ ଏବେ ତୋ ପୁଅ ଜନ୍ମଦିନ ପାଳିବୁ କେମିତି ତା’ କଥା ଭାବେ ଏବେଠୁ ।

ଏତକ ଶୁଣି ମାନୁ ମୁଣ୍ଡ ତଳକୁ କରି ହଁ’ଟେ ଭରି ଫେରିଗଲା ତା’ ରୁମକୁ । ସ୍ୱାମୀ ଆଉ ପୁଅ ଶୋଇଥିଲେ ସେଯାଏ । ଶାଢ଼ୀଟାକୁ ବଦଳେଇ ତଳ ରୋଷେଇ ଘରକୁ ଓହ୍ଲେଇ ଆସିଲା ଶୁଖା ଶୁଖା ମନରେ । ରୋଷେଇରେ ଲାଗି ପଡ଼ିଲା । ସନ୍ଧ୍ୟାରେ ସ୍ୱାମୀ ତା’ର ହଳେ ସୁନ୍ଦରିଆ ପଥର ବସା ଚପଲ କିଣିକି ଆଣି ଦେଇଥିଲେ ଜନ୍ମଦିନ ଭେଟି ହିସାବରେ । ଖୁସି ତ ହେଲା କିନ୍ତୁ କାହିଁ କେଜାଣି ପିନ୍ଧିବାକୁ ମନ କଲାଣି ତା’ର ସେଦିନ । ବାପା ବୋଉ ଥିଲେ କେତେ କ’ଣ ହେଇନଥାନ୍ତା ଆଜି । କେତେ ନୂଆ ଲୁଗାପଟା, ମିଠା, ପିଠା ଆଉ କେତେ କ’ଣ । ବୋହୂ ହବା ଦିନରୁ ସବୁ କୁଆଡ଼େ ହଜିଗଲା ଠିକ ମୋ ନାଁ ପରି । ମିତା କହିଲେ ପଡ଼ିଶା ଘର ଝିଅ ପଳେଇଆସିବ ଏବେ। ମୁଁ ହେଲି ମାନୁ, ନା କି ମିତା । ଏମିତି ଭାବୁ ଭାବୁ ଓଦା ଆଖିଟା କେତେବେଳେ ବନ୍ଦ ହେଇଯାଇଥିଲା ତା’ର ହୋସ ନଥିଲା । ମାସେ ପରେ ପୁଅ ଜନ୍ମଦିନ, ନୂଆ ବର୍ଷର ପ୍ରଥମ ଦିନ । ସେଦିନ ସକାଳୁ ସବୁ ଗାଧେଇ ପାଧେଇ ପ୍ରସ୍ତୁତ । ଜାନୁଆରୀର ହାଡ଼ ଭଙ୍ଗା ଶୀତରେ ଶଶୁରଙ୍କ ଥଣ୍ଡା, ସ୍ୱାମୀଙ୍କ ନିଦ, ଶାଶୁଙ୍କ ରୋଷେଇ କୁଆଡ଼େ ପଳେଇଥିଲା । ସବୁ ସଜବାଜ ହେଇ ବାହାରି ଗଲେ ମନ୍ଦିରକୁ । ମାନୁ ଘର ତାଲା ଦେଇ ଦିଅରଙ୍କ ସହ ପଛରେ ମଟର ସାଇକଲରେ ବାହାରିଲା ନିଜ ଜନ୍ମଦିନର ସୁନ୍ଦରିଆ ଚପଲ ହଳକ ପିନ୍ଧି । ସେ ପହଞ୍ଚିଲା ବେଳକୁ ପୂଜା ଲାଗି ସବୁ ଯୋଗାଡ଼ ସରି ଯାଇଥାଏ । ସେ ଶୀଘ୍ରଶୀଘ୍ରରେ ଗୋଡ଼ ହାତ ଧୋଇ ପୂଜାରେ ଯାଇ ବସିଲା । କେତେ ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ଆଉ ତା’ ବାପା ବୋଉ ପ‌ହଞ୍ଚିଗଲେ ସେଦିନ । ଖୁବ୍ ଯାକଜମକରେ ପାଳିଥିଲା ପୁଅର ଜନ୍ମଦିନ । ସବୁ ଗଲା ପରେ ବାହାରିଲା ସ୍ୱାମୀଙ୍କ ସହିତ ସେ ଘରକୁ ।

କିନ୍ତୁ ଏ କ’ଣ ମୋ ଚପଲ କାହିଁ?
ସ୍ୱାମୀ କହିଲେ ଦେଖ ଭଲକି ମ ଏଇଠି କଉଠି ଥିବ ।

ମାନୁ: ନା ମିଳୁନି, ନାହିଁ କଉଠି ।
ସ୍ୱାମୀ: କଉ ଚପଲଟା ପିନ୍ଧିକି ଆସିଥିଲ?
ମାନୁ: ତୁମେ ଯଉଟା ମୋ ଜନ୍ମଦିନରେ ଦେଇଥିଲ, ସେଇ ନାଲି ପଥର ବସା ଚପଲ ଟା ।
ସ୍ୱାମୀ: ଟିକେ ମନ ଉଣା କରି, ହଉ ହେଲା ଛାଡ଼ କିଏ ଚୋରି କରି ନେଲା ବୋଧେ । ଆମେ ତ କାରରେ ଯିବା, ପରେ ହଳେ କିଣି ଆଣିବି ।

ରାସ୍ତା ଯାକ ଭାବୁଥିଲା ମାନୁ ଆଜି ମନ୍ଦିରରେ ସବୁ ଆମ ଲୋକ, ବଡ଼ ବଡ଼ ଘର, ବଡ଼ ମାନମର୍ଯ୍ୟାଦା, ବଂଶ ଆଭିଜାତ୍ୟ ସଭିଙ୍କର । ବାହାର ଲୋକ କ’ଣ, କାଉ କି ବିଲେଇ ଟେ ବି ଆସିନି ଆଜି । ଚପଲ ନେଲା ପୁଣି କିଏ? ଏତକ ଭାବୁ ଭାବୁ ଘରେ ପହଞ୍ଚି ଯାଇଥିଲେ ଦୁହେଁ । ଘରେ ପଶୁ ପଶୁ ନିଜ ଚପଲଟାରେ ଆଖି ପଡ଼ି ଯାଇଥିଲା ମାନୁର । ମୋ ଚପଲ ଏଠି ଘରେ କେମିତି ଯେ?
ସ୍ୱାମୀ ବି ଦେଖିକି ଚମକି ପଡ଼ିଲେ ଆଉ ପଚାରିଲେ, ମାନୁ ମନେ ପକାଅ ତ ତୁମେ ଏଇ ଚପଲଟା ପିନ୍ଧିକି ଯାଇଥିଲ ମନ୍ଦିର ଆଜି?

ମାନୁ: ହଁ ଆଜି ପରା ବାହାର କରିଲି ନୂଆ ପାକେଟରୁ, କିନ୍ତୁ ଏଟା ଏଠି କେମିତି?

ଘରେ ପଶିଲା ବେଳକୁ ସବୁ ଘର ଲୋକ, ନା କେହି ବନ୍ଧୁ କି ବାନ୍ଧବ କି ସାଙ୍ଗ ସାଥୀ ।
ଶାଶୁଙ୍କୁ ସ୍ୱାମୀ ପଚାରିଲେ, ବୋଉ ସେ ନୂଆ ନାଲି ଚପଲଟା କାହାର କି?

ଶାଶୁ: ସେଇଟା ମୋର ଶୁବୁ, ଚପଲ ହଳକ ଛିଣ୍ଡିଗଲା ତ ବାପା ଆସିଲା ବେଳକୁ କିଣି ଦେଲେ ।

ମାନୁ ଆଉ ସୁବ୍ରତ ପୁରା ଚୁପ, କ’ଣ କହିବେ କି ଭାବିବେ ବୁଝା ପଡ଼ୁନଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu