You are currently viewing ଭିନ୍ନ ଏ ରଥଯାତ୍ରା
Odia Poem Bhinna E Ratha Jatra (ଭିନ୍ନ ଏ ରଥଯାତ୍ରା) by Soumya Ranjan Pal

ଭିନ୍ନ ଏ ରଥଯାତ୍ରା

ତିନିରଥ ଆଜି ସଜେଇ ରହିଛି ସିଂହଦ୍ଵାର ପାଶେ ଠିଆ
ଭାଇ ଭଉଣୀଙ୍କୁ ସାଥିରେ ନେଇଣ ବୁଲିଯିବ ଯେ କାଳିଆ
ପହଣ୍ଡି କରିଣ ରଥାରୂଢ଼ ହେବ ସେବାୟତ ପାଶେ ଥାଇ
ମାନି ସଙ୍ଗରୋଧ ନଡ଼ିଆ ଭାଙ୍ଗିବ ଦୂରେ ଭକତଟା ରହି ॥

ଷାଠିଏ ପଉଟି ଛାଡ଼ିଦେଇ ପଛେ ମାଉସୀ ରନ୍ଧା ଖାଇବ
କାଳିଆ ବିହୁନେ ଶିରୀମନ୍ଦିର ଯେ ସତରେ ଶୂନ୍ୟ ଲାଗିବ
ଶୂନ୍ୟ ବଡ଼ଦାଣ୍ଡ ଶୂନ୍ୟ ରାଜପଥ ଶୂନ୍ୟ ଏ ନୀଳ ଅମ୍ବର
ଭକତ ଗହଳି ନାହିଁ ପାଶେ ଭିଡ଼ ଘଣ୍ଟ ମୃଦଙ୍ଗ ଚାମର ॥

ରଥ ଦଉଡ଼ିକୁ ଦେଖିଦେଲେ ଥରେ ହୁଏ ଟାଣିବାକୁ ମନ
ଗଡ଼ିଗଲେ ଚକ ଇତିହାସ କହେ ହୃଦୟେ ବଢ଼େ କମ୍ପନ
ଡାହୁକର ଡାକ ବାହନ ଘୋଟକ ଶରଧାବାଲିର ସ୍ୱର
ଭକତି ଆବେଗ ଉତ୍ସାହ ଆଗରେ ଭୟର ବେତ ପାହାର ॥

ପତିତପାବନ ପତିତ ଉଦ୍ଧାରି ଦୂରାଅ ଜଗତୁ ବ୍ୟାଧି
ବାହୁଡ଼ିଣ ଆସି ନିଅ ରାଜଭାର ସମ୍ଭାଳ ରତନବେଦୀ ॥

– ସୌମ୍ୟରଞ୍ଜନ ପାଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା, ପ୍ରବନ୍ଧ, ବ୍ୟଙ୍ଗ କଥା ଆଦି ରଚନା କରନ୍ତି । ସେ ବିଭିନ୍ନ ମଞ୍ଚରେ କବିତା ପରିବେଷଣ କରି ପୁରସ୍କୃତ ହେବା ସହ ଅନେକ ସମୟରେ କିଛି ଲୋକଙ୍କର ନକଲ ମଧ୍ୟ କରିଥାନ୍ତି ।