You are currently viewing ପବିତ୍ର ଦିନ
Odia Poem Pabitra Dina (ପବିତ୍ର ଦିନ) by Soubhagya Ranjan Mohapatra on Lord Jagannath Ratha Jatra

ପବିତ୍ର ଦିନ

ବଡ଼ଦାଣ୍ଡେ ପ୍ରଭୁ ନନ୍ଦିଘୋଷ ରଥେ
ବିରାଜ କରିଛ ଆଜି ।
ପତିତମାନଙ୍କୁ ଉଦ୍ଧାରିବ ଆଜି
ବାମନ ରୂପକୁ ସାଜି ॥

ଭକ୍ତ ଭଗବାନ ମିଳନ ହୋଇବ
ଆଜି ଏ ପୁଣ୍ୟ ଦାଣ୍ଡରେ ।
ଭକ୍ତ ପ୍ରିୟ ପ୍ରଭୁ ମିଶି ଯିବେ ଆଜି
ଭକତଙ୍କ ଭକତିରେ ॥

ନନ୍ଦିଘୋଷ ବିଜେ କାଳିଆ ସାଆନ୍ତ
ତାଳଧ୍ଵଜେ ବଳଭଦ୍ର ।
ଦର୍ପଦଳନରେ ସୁଭଦ୍ରା ଭଉଣୀ
ଦିଶେ ସତେ ପୂର୍ଣ୍ଣଚନ୍ଦ୍ର ॥

ଚକା ଚକା ଆଖି ଅପଲକ ନେତ୍ର
ନାମ ତାଙ୍କ ଜଗନ୍ନାଥ ।
ବ୍ରହ୍ମାଣ୍ଡ ଠାକୁର ବଳଭଦ୍ର ସିଏ
ଭଉଣୀ ସୁଭଦ୍ରା ମାତ ॥

ତିନି ବ୍ରହ୍ମ ସହ ଶୋଭା ପାଉଥାନ୍ତି
ନାମ ତାଙ୍କ ସୁଦର୍ଶନ ।
ପତିତ ଭକତ ଜନ ପାଇଁଁ ଆଜି
ମହା ଆନନ୍ଦର ଦିନ ॥

ତିନି ବ୍ରହ୍ମ ନେବା ପାଇଁ ତିନି ରଥ
ପ୍ରତୀକ୍ଷା କରି ଅଛନ୍ତି ।
କେଡ଼େ ଭାଗ୍ୟବାନ ସେହି ତିନି ରଥ
ବ୍ରହ୍ମଙ୍କୁ କୋଳେ ଧରନ୍ତି ॥

ଦାଣ୍ଡ ଦୁଲୁକେଇ ରଥ ଦୁଲୁକେଇ
ତ୍ରି ବ୍ରହ୍ମ ମାଡ଼ି ଆସିବେ ।
ଭକତ ହାତରୁ ନଡ଼ିଆ ନେଇଣ
ଜଗନ୍ନାଥ ଖାଉଥିବେ ॥

ବଡ଼ଦାଣ୍ଡେ ଗଡ଼େ ନନ୍ଦିଘୋଷ ରଥ
ଦେଖନ୍ତି କେତେ ପତିତ ।
ତାଳଧ୍ୱଜ ଦେବଦଳନ ଗଡ଼ିଲେ
ପୂର୍ଣ୍ଣହୁଏ ରଥଯାତ ॥

ଭୁଜେ ଧରିଥିବା ଶ୍ରୀ ଚକ୍ରରେ ତୁମେ
ଛେଦ ଏ କରୋନା ଶିର ।
ଅସ୍ତବ୍ୟସ୍ତ କରେ ତୁମ୍ଭ ଭକତଙ୍କୁ
ବିନାଶ ତା’ ଅନିବାର୍ଯ୍ୟ ॥

କରୁଣା ସାଗର କରହେ କରୁଣା
ପୂର୍ଣ୍ଣ ହେଉ ଇଚ୍ଛା ମୋର ।
ଯେତେ ଦିନ ଥିବି ଏ ମର୍ତ୍ତ୍ୟ ମଣ୍ଡଳେ
ଗାଉଥିବି ଗୀତ ତୋର ॥

– ସୌଭାଗ୍ୟ ରଞ୍ଜନ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌଭାଗ୍ୟ ରଞ୍ଜନ ମହାପାତ୍ର ସମ୍ବଲପୁରର ବୈଦିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।